ଇନ୍ଦ୍ରଧନୁର ରଙ୍ଗ

ଶୈଳେନ୍ଦ୍ର ଦ୍ୱିବେଦୀ

 

ରାଜସ୍ଥାନ ପର୍ଯ୍ୟଟନରେ କୋଟା ପ୍ରସିଦ୍ଧ ଶିକ୍ଷା, ପଥର, ମନ୍ଦିର ଓ ସଂଗ୍ରହାଳୟ ପାଇଁ, ଅଥଚ ଏ ସବୁଠୁ କାହିଁ କେତେଗୁଣ ଅଧିକ ପ୍ରସିଦ୍ଧ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଦେଶର ସର୍ବବୃହତ୍‌ କୋଚିଂ ହବ୍‌ ଭାବରେ l କୁହାଯାଏ, ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ ପ୍ରବେଶିକାରେ ସଫଳ ହେବା ପାଇଁ ଏଠି ଦିଆଯାଉଥିବା ତାଲିମ ରୀତିମତ ଔଦ୍ୟୋଗିକ ସ୍ତରର। ତେବେ ପାଠକେ, ନିକଟରେ ଚର୍ଚ୍ଚାକୁ ଆସିଛି କୋଟା ଆତ୍ମହତ୍ୟା ଘଟଣା ବଢ଼ିବାକୁ ନେଇ। ଏଇଠି କହିରଖେ ଯେ ଛାତ୍ର ଆତ୍ମହତ୍ୟା କୋଟାରେ କିନ୍ତୁ ନୂଆକଥା ନୁହେଁ। ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ଏଠି ଆତ୍ମହତ୍ୟା କରିଛନ୍ତି ୧୦୦ରୁ ଅଧିକ ଛାତ୍ର। ଜଣେ ମନସ୍ତତ୍ତ୍ୱବିତ୍‌ ଲେଖିଛନ୍ତି, ଭାରତରେ ବର୍ଷକୁ ଯେତିକି ଯୁବତୀ ଯୁବକ ଆତ୍ମହତ୍ୟା କରୁଛନ୍ତି ସେହି ଅନୁପାତରେ କୋଟା ଆତ୍ମହତ୍ୟା ସଂଖ୍ୟା ଦୃଷ୍ଟିରୁ କମ୍‌ ହୋଇପାରେ, ତେବେ ଆମେ ଭୁଲିଗଲେ ଚଳିବ ନାହିଁ ଯେ କୋଟାକୁ ରାଜସ୍ଥାନ ବାହାରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧ଲକ୍ଷରୁ ଖୁବ୍‌ ଅଧିକ ନୁହେଁ ଏବଂ ସେହି ଦୃଷ୍ଟିରୁ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ ଭାରତରେ ୨୦୨୦ରେ ପ୍ରତି ୪୨ମିନିଟରେ ଜଣେ ଛାତ୍ର ଆତ୍ମହତ୍ୟା କରୁଥିଲେ ଅର୍ଥାତ୍‌ ଦିନକୁ ହାରାହାରି ୩୪ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ସେହି ବର୍ଷ ୧୮ବର୍ଷରୁ କମ୍‌ ବୟସ୍କଙ୍କ ଆତ୍ମହତ୍ୟା ସଂଖ୍ୟା ଥିଲା ୧୧,୩୯୬। ଜଣାପଡିଛି, ୧୫ରୁ ୩୦ ବର୍ଷ ବୟସ ବନ୍ଧନୀରେ ପୃଥିବୀରେ ଆତ୍ମହତ୍ୟା ହେଉଛି ମୃତ୍ୟୁର ୧ନମ୍ବର କାରଣ। ମନସ୍ତତ୍ତ୍ୱବିତ୍‌ ଜଣକ ଏକଥା ବି କହିଛନ୍ତି ଯେ ଭାରତରେ ସେଲିବ୍ରିଟି ଆତ୍ମହତ୍ୟା ଚର୍ଚ୍ଚାକୁ ଆସେ। ଯଥା ଚିତ୍ର ତାରକାଙ୍କ ଅକାଳ ମୃତ୍ୟୁ। କୃଷକ ଆତ୍ମହତ୍ୟା ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜୋରସୋର ଆଲୋଚନା ହୁଏ, କାରଣ ସେଥିରେ ରାଜନୈତିକ ଉଷ୍ଣତା ଥାଏ। ଆଉ ଛାତ୍ର ଆତ୍ମହତ୍ୟା ଉପରୋକ୍ତ ଦୁଇ ଆତ୍ମହତ୍ୟା ପରିପ୍ରେକ୍ଷୀରେ କମ୍‌ ଗୁରୁତ୍ୱ ପାଇଥାଏ। ଆମେ ଭାବିବାକୁ ରୀତିମତ ଭୁଲିଯାଉ ଯେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି, ଯେଉଁଥିପାଇଁ ସେମାଙ୍କଠାରୁ କାହିଁ କେତେଗୁଣ ଆମେ, ଅଥଚ ବଯସ୍କମାନେ ଦାୟୀ। ଆଉଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ମତ ହେଉଛି, କୋଟାକୁ ଆସିଥିବା ପିଲାମାନଙ୍କ ପାଇଁ ସେମାନଙ୍କ ଅଭିଭାବକମାନେ କେବଳ ପ୍ରଚୁର ଖର୍ଚ୍ଚକରନ୍ତି ନାହିଁ ପିଲାମାନେ ଏକରକମ ସଙ୍କଳ୍ପବଦ୍ଧହୋଇ ଆସିଥାନ୍ତି ଯେ ସଫଳତାର ସ୍ବାଦ ସେମାନେ ପାଇବେ। ଆଉ ପିଲାମାନଙ୍କୁ ପଢ଼େଇବାକୁ ପଠାଇଥିବା ଅଭିଭାବକମାନେ କ’ଣ ଚାହାନ୍ତି! ଯାହାବି ହୋଇଯାଉ ସେମାନଙ୍କ ପିଲା ସଫଳ ହେବା ଦରକାର। ସମାଜତତ୍ତ୍ୱବିତ୍‌ମାନଙ୍କ ମତ, ଆତ୍ମହତ୍ୟା ପାଇଁ ପ୍ରଭାବ ଯେତିକି ଜୈବିକ ନୁହେଁ ସେତିକି ସାମାଜିକ, ସାଂସ୍କୃତିକ ଏବଂ ଅଧିକ ଭାବନାତ୍ମକ। ଏକଥା ମଧ୍ୟ କୁହାଯାଏ ଯେ ଆମ ସମୟର ସାମାଜିକ ସଂରଚନା ଏମିତି ଯେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ବୟସ୍କ ମାନସିକ ରୋଗଗ୍ରସ୍ତ ହେବା ପାଇଁ ଖୁବ୍‌ ଅଧିକ ସମୟ ନେବ ନାହିଁ।
ଅଧ୍ୟୟନରୁ ଜଣାପଡିଛି, କୋଟାରେ ଆତ୍ମହତ୍ୟା କରିଥିବା ଅଧିକାଂଶ ଛାତ୍ର ଆସିଥିଲେ ଉତ୍ତରପ୍ରଦେଶ ଓ ବିହାରରୁ-ନିମ୍ନ ମଧ୍ୟବିତ୍ତ ନଚେତ ମଧ୍ୟବିତ୍ତ ପରିବାରରୁ। ନିଜ ସ୍କୁଲ/ଶିକ୍ଷାନୁଷ୍ଠାନରେ ଖୁବ୍‌ ଭଲ ଛାତ୍ର ଥିବା ଗାଁ/ଛୋଟ ସହରର ଏହି ଛାତ୍ରମାନେ କୋଟାରେ ପାଦ ଦେବା ସହିତ ପ୍ରତିଯୋଗିତାର ଏକ ଅଜବ ଦୁନିଆ ଭିତରକୁ ପାଦ ଥାପିଥିଲେ। କୁହାଯାଉଛି କୋଟା କୋଚିଂ ଶିଳ୍ପ ୧୨ ହଜାର କୋଟି ଟଙ୍କାର ଏକ କ୍ରମବର୍ଦ୍ଧିଷ୍ଣୁ ଅନୁଷ୍ଠାନ ଯାହା ସଦା ସର୍ବଦା ନିଜ ଆପଣା ଅଭିବୃଦ୍ଧିକୁ ଜାହିର କଲାବେଳେ ଛାତ୍ରମାନଙ୍କ କଲ୍ୟାଣକୁ ଅଣଦେଖା କରିଥାଏ। ବ୍ୟବସାୟ ବଢ଼େଇବା ପାଇଁ କୋଟା କୋଚିଂ ଶିଳ୍ପ ଅନେକ ଆକର୍ଷଣୀୟ ବ୍ୟବସ୍ଥା ହାତକୁ ନେଇଥାଏ, ଯଥା ଆଡମିଶନ ପୂର୍ବରୁ ପୂର୍ବ ପରୀକ୍ଷାରେ ସଫଳ ହୋଇଥିବା ଛତ୍ରୀଛାତ୍ରଙ୍କ ବାବଦରେ ପୂରା ପୃଷ୍ଠା ବିଜ୍ଞାପନ, ଚଳିତଥର କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ର ନୂଆ ଯୋଜନା, ସାପ୍ତାହିକ ପରୀକ୍ଷା ଏବଂ ଫଳାଫଳ, ନିୟମିତ ଅନ୍ତରାଳରେ ଅଭିଭାବକମାନଙ୍କୁ ଛାତ୍ରୀଛାତ୍ରମାନଙ୍କ ସଫଳତା ବାବଦରେ ଖବର ପ୍ରଦାନ। ସପ୍ତାହକ ୭ଦିନ ଏବଂ ୨୪ ଘଣ୍ଟାରୁ ୧୨ ଘଣ୍ଟା ଛାତ୍ରୀଛାତ୍ରଙ୍କ ପାଇଁ କୋଚିଂରୁ ନିସ୍ତାର ନ ଥାଏ। ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ବାପା ମା’ଙ୍କଠାରୁ ଦୂରରେ ଏକ ଯନ୍ତ୍ରର ଜୀବନ। ଏମିତି ସ୍ଥିତିରେ ଯେତେବେଳେ କୌଣସି କାରଣରୁ ଜଣେ ବିଫଳ ହୁଏ ସେତେବେଳେ ସବୁରାସ୍ତା ତା’ ପାଇଁ ବନ୍ଦ ହୋଇସାରିଥାଏ।
ମନସ୍ତତ୍ତ୍ୱବିତ୍‌ମାନେ କହନ୍ତି, ମହାମାରୀ (କୋଭିଡ୍‌ -୧୯) କେବଳ ପୃଥିବୀକୁ କେତେବର୍ଷ ପଛକୁ ନେଇଯାଇନାହିଁ ଆମ ଅଲକ୍ଷ୍ୟରେ ସର୍ବାଧିକ କ୍ଷତି ପହଞ୍ଚାଇଛି ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟକୁ। ଭାରତ ପରିପ୍ରେକ୍ଷୀରେ କୁହାଯାଇଛି ଯେ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ବ୍ୟୟ ବରାଦ ମହାମାରୀ ପୂର୍ବରୁ ୪୦କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ରେ ତାହା ବୃଦ୍ଧି ପାଇ ୧୩୪ କୋଟି ଛୁଇଁଛି l ମନସ୍ତତ୍ତ୍ୱବିତ୍‌ମାନେ ସନ୍ତୁଷ୍ଟ ନୁହନ୍ତି କାରଣ ମାନସିକ ସ୍ବାସ୍ଥ୍ୟ ନେଇ ଯେତିକି କରାଯିବା କଥା ତାହା ହୋଇନାହିଁ। ରାଜସ୍ଥାନ ସରକାର ସମୁଦାୟ ଘଟଣା ଉପରେ ନିରପେକ୍ଷ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅବଶ୍ୟ କହିଛନ୍ତି ତେବେ ତାହା ପର୍ଯ୍ୟାପ୍ତ ନୁହେଁ ଯେପର୍ଯ୍ୟନ୍ତ ସାମାଜିକ ସ୍ତରରେ ଆମ ସମସ୍ତଙ୍କ ତରଫରୁ ଉଦ୍ୟମ ଆରମ୍ଭ ନ ହୋଇଛି। ତଥ୍ୟାନୁସାରେ ୨୦୨୨ରେ କୋଟାରେ ଆତ୍ମହତ୍ୟା କରିଥିଲେ ୧୫ ଛାତ୍ର, ୨୦୨୧ରେ ଜଣେ, ୨୦୨୦ରେ ୪ ଜଣ, ୨୦୧୯ରେ ୮ ଜଣ, ୨୦୧୮ରେ ୧୨ ଜଣ ଏବଂ ୨୦୧୭ରେ ୧୦ ଜଣ। ଅଧିକାଂଶ କ୍ଷେତ୍ରରେ ଅନୁସନ୍ଧାନ ଅସମ୍ପୂର୍ଣ୍ଣ ରହିଛି କିମ୍ବା ଆତ୍ମହତ୍ୟା ପରୀକ୍ଷାରେ ବିଫଳତାଜନିତ ବୋଲି କୁହାଯାଇଛି। ପାଠକେ, ଗତ ଶତାବ୍ଦୀରେ ଶେଷ ଦଶକରେ କୋଟାର ଭାଗ୍ୟ ଫିଟିଥିଲା ଯେତେବେଳେ ଏହାକୁ କୁହାଗଲା ନୂଆ କାଶୀ। କୋଟାର ବର୍ତ୍ତମାନର ଅର୍ଥନୀତି ହେଉଛି କୋଚିଂ ସେଣ୍ଟର ଅର୍ଥନୀତି। ୪୦,୦୦୦ ପେଇଙ୍ଗ ଗେଷ୍ଟ ସୁବିଧା ବାହାରେ ରହିଛି ୪ ହଜାର ହଷ୍ଟେଲ। ସହରର ହଜାର ହଜାର ବୋର୍ଡରେ ଅବଶ୍ୟ କେବଳ ସଫଳତା ବିଜ୍ଞାପନ ରହିଛି କିନ୍ତୁ ତାହାରି ଭିତରେ ଲୁଚି ରହିଛି ଆତ୍ମହତ୍ୟାର ମଞ୍ଜି। ଜଣେ ମନସ୍ତତ୍ତ୍ୱବିତ୍‌ କହିଛନ୍ତି ବ୍ୟବସାୟ ଜୀବନ ଉପରେ ସବାର ହୋଇସାରିଛି ଏବଂ ଅଣନିଃଶ୍ବାସୀ କରି ପକେଇଛି ଜୀବନକୁ। ଆପଣ ଚିନ୍ତା କରିପାରନ୍ତି! ଇନ୍ଦ୍ରଧନୁର ରଙ୍ଗ ପାଣିଚିଆ ହୋଇସାରିଛି।
ମୋ- ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବଳ ବୟସ ଥିବାବେଳେ ଜଣେ ଅର୍ଥ ସଞ୍ଚୟ କରେ ବାର୍ଦ୍ଧକ୍ୟରେ ତାହା କାମରେ ଆସିବ ବୋଲି। ହେଲେ ଅନେକ ବ୍ୟକ୍ତି ପରିଣତ ବୟସରେ ସେମାନଙ୍କ ସଞ୍ଚିତ କିମ୍ବା…

ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ…

ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି।…

ନଗଦକୁ ଫେର

ନଗଦ ଅର୍ଥ କାରବାର ପୁରୁଣାକାଳିଆ ଦେଣନେଣ ବ୍ୟବସ୍ଥା ବୋଲି ଅଭିହିତ କରି ଭାରତ ସରକାର ଡିଜିଟାଲ ପେମେଣ୍ଟକୁ ତ୍ୱରାନ୍ବିତ କରିବା ଲାଗି ଦଶନ୍ଧି ଧରି ଜନସାଧାରଣଙ୍କୁ ଉତ୍ସାହିତ…

ଏଇ ଭାରତରେ

ଅନେକ ସମୟରେ ଜଣେ ମହିଳା ପରିବାର ପ୍ରତିପୋଷଣର ଦାୟିତ୍ୱ ବହନ କରିବା ଲାଗି ଏକ ପୁରୁଷକୈନ୍ଦ୍ରିକ ପେସାକୁ ଆଦରିନେବାକୁ ବାଧ୍ୟ ହୋଇଥାନ୍ତି, ଯାହା ଘଟିଛି ଜାନ୍‌ସୀ ବି.ଭି.ଙ୍କ…

ବୈଦିକ ଶିକ୍ଷା ବ୍ୟବସ୍ଥା

ବୈଦିକ ଯୁଗର ଶିକ୍ଷା ପଦ୍ଧତି ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା। ଶିକ୍ଷାର କୌଣସି ବ୍ୟବସାୟୀକରଣ ନ ଥିଲା। ବିଦ୍ୟାର୍ଥୀମାନେ ଆବାସିକ ଗୁରୁକୁଳରେ ରହି ଶିକ୍ଷା ଗ୍ରହଣ…

ଏଠି କିଛି ବି ହୋଇପାରେ

କିଛିବର୍ଷ ପୂର୍ବେ ଓଡ଼ିଶାର ଏକ ବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନରେ ଅଧ୍ୟାପନା କରୁଥିଲି। ସେସମୟରେ ସେଠାରେ ଆୟୋଜିତ ହୋଇଥିଲା ଏକ ବିଶେଷ କାର୍ଯ୍ୟକ୍ରମ। ସେହି ଅବସରରେ ହିନ୍ଦୀ ଚଳଚ୍ଚିତ୍ର…

କେବଳ ନଜର ନୁହେଁ

ପଶ୍ଚିମ ଏସିଆରେ ଉତ୍ତେଜନା କମୁନାହିଁ। ଆମେରିକା ଓ ଇସ୍ରାଏଲ ଆଗରେ ଇରାନ୍‌ ନଇଁବାକୁ ନାରାଜ। ବରଂ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ସାମରିକ ଘାଟି ଉପରେ ତେହରାନ ଆକ୍ରମଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri