ଇନ୍ଦ୍ରଧନୁର ରଙ୍ଗ

ଶୈଳେନ୍ଦ୍ର ଦ୍ୱିବେଦୀ

 

ରାଜସ୍ଥାନ ପର୍ଯ୍ୟଟନରେ କୋଟା ପ୍ରସିଦ୍ଧ ଶିକ୍ଷା, ପଥର, ମନ୍ଦିର ଓ ସଂଗ୍ରହାଳୟ ପାଇଁ, ଅଥଚ ଏ ସବୁଠୁ କାହିଁ କେତେଗୁଣ ଅଧିକ ପ୍ରସିଦ୍ଧ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ନିମନ୍ତେ ଦେଶର ସର୍ବବୃହତ୍‌ କୋଚିଂ ହବ୍‌ ଭାବରେ l କୁହାଯାଏ, ଆଗ୍ରହୀ ଛାତ୍ରୀଛାତ୍ରମାନଙ୍କୁ ପ୍ରବେଶିକାରେ ସଫଳ ହେବା ପାଇଁ ଏଠି ଦିଆଯାଉଥିବା ତାଲିମ ରୀତିମତ ଔଦ୍ୟୋଗିକ ସ୍ତରର। ତେବେ ପାଠକେ, ନିକଟରେ ଚର୍ଚ୍ଚାକୁ ଆସିଛି କୋଟା ଆତ୍ମହତ୍ୟା ଘଟଣା ବଢ଼ିବାକୁ ନେଇ। ଏଇଠି କହିରଖେ ଯେ ଛାତ୍ର ଆତ୍ମହତ୍ୟା କୋଟାରେ କିନ୍ତୁ ନୂଆକଥା ନୁହେଁ। ତଥ୍ୟ ଅନୁସାରେ ଗତ ୧୦ ବର୍ଷ ଭିତରେ ଏଠି ଆତ୍ମହତ୍ୟା କରିଛନ୍ତି ୧୦୦ରୁ ଅଧିକ ଛାତ୍ର। ଜଣେ ମନସ୍ତତ୍ତ୍ୱବିତ୍‌ ଲେଖିଛନ୍ତି, ଭାରତରେ ବର୍ଷକୁ ଯେତିକି ଯୁବତୀ ଯୁବକ ଆତ୍ମହତ୍ୟା କରୁଛନ୍ତି ସେହି ଅନୁପାତରେ କୋଟା ଆତ୍ମହତ୍ୟା ସଂଖ୍ୟା ଦୃଷ୍ଟିରୁ କମ୍‌ ହୋଇପାରେ, ତେବେ ଆମେ ଭୁଲିଗଲେ ଚଳିବ ନାହିଁ ଯେ କୋଟାକୁ ରାଜସ୍ଥାନ ବାହାରୁ ଆସୁଥିବା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୧ଲକ୍ଷରୁ ଖୁବ୍‌ ଅଧିକ ନୁହେଁ ଏବଂ ସେହି ଦୃଷ୍ଟିରୁ ଆତ୍ମହତ୍ୟାଜନିତ ମୃତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ତଥ୍ୟ ଅନୁସାରେ ଭାରତରେ ୨୦୨୦ରେ ପ୍ରତି ୪୨ମିନିଟରେ ଜଣେ ଛାତ୍ର ଆତ୍ମହତ୍ୟା କରୁଥିଲେ ଅର୍ଥାତ୍‌ ଦିନକୁ ହାରାହାରି ୩୪ଛାତ୍ର ଆତ୍ମହତ୍ୟା କରିଥିବା ବେଳେ ସେହି ବର୍ଷ ୧୮ବର୍ଷରୁ କମ୍‌ ବୟସ୍କଙ୍କ ଆତ୍ମହତ୍ୟା ସଂଖ୍ୟା ଥିଲା ୧୧,୩୯୬। ଜଣାପଡିଛି, ୧୫ରୁ ୩୦ ବର୍ଷ ବୟସ ବନ୍ଧନୀରେ ପୃଥିବୀରେ ଆତ୍ମହତ୍ୟା ହେଉଛି ମୃତ୍ୟୁର ୧ନମ୍ବର କାରଣ। ମନସ୍ତତ୍ତ୍ୱବିତ୍‌ ଜଣକ ଏକଥା ବି କହିଛନ୍ତି ଯେ ଭାରତରେ ସେଲିବ୍ରିଟି ଆତ୍ମହତ୍ୟା ଚର୍ଚ୍ଚାକୁ ଆସେ। ଯଥା ଚିତ୍ର ତାରକାଙ୍କ ଅକାଳ ମୃତ୍ୟୁ। କୃଷକ ଆତ୍ମହତ୍ୟା ମଧ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଜୋରସୋର ଆଲୋଚନା ହୁଏ, କାରଣ ସେଥିରେ ରାଜନୈତିକ ଉଷ୍ଣତା ଥାଏ। ଆଉ ଛାତ୍ର ଆତ୍ମହତ୍ୟା ଉପରୋକ୍ତ ଦୁଇ ଆତ୍ମହତ୍ୟା ପରିପ୍ରେକ୍ଷୀରେ କମ୍‌ ଗୁରୁତ୍ୱ ପାଇଥାଏ। ଆମେ ଭାବିବାକୁ ରୀତିମତ ଭୁଲିଯାଉ ଯେ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ କ୍ଷତିଗ୍ରସ୍ତ ହେବାରେ ଲାଗିଛି, ଯେଉଁଥିପାଇଁ ସେମାଙ୍କଠାରୁ କାହିଁ କେତେଗୁଣ ଆମେ, ଅଥଚ ବଯସ୍କମାନେ ଦାୟୀ। ଆଉଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ମତ ହେଉଛି, କୋଟାକୁ ଆସିଥିବା ପିଲାମାନଙ୍କ ପାଇଁ ସେମାନଙ୍କ ଅଭିଭାବକମାନେ କେବଳ ପ୍ରଚୁର ଖର୍ଚ୍ଚକରନ୍ତି ନାହିଁ ପିଲାମାନେ ଏକରକମ ସଙ୍କଳ୍ପବଦ୍ଧହୋଇ ଆସିଥାନ୍ତି ଯେ ସଫଳତାର ସ୍ବାଦ ସେମାନେ ପାଇବେ। ଆଉ ପିଲାମାନଙ୍କୁ ପଢ଼େଇବାକୁ ପଠାଇଥିବା ଅଭିଭାବକମାନେ କ’ଣ ଚାହାନ୍ତି! ଯାହାବି ହୋଇଯାଉ ସେମାନଙ୍କ ପିଲା ସଫଳ ହେବା ଦରକାର। ସମାଜତତ୍ତ୍ୱବିତ୍‌ମାନଙ୍କ ମତ, ଆତ୍ମହତ୍ୟା ପାଇଁ ପ୍ରଭାବ ଯେତିକି ଜୈବିକ ନୁହେଁ ସେତିକି ସାମାଜିକ, ସାଂସ୍କୃତିକ ଏବଂ ଅଧିକ ଭାବନାତ୍ମକ। ଏକଥା ମଧ୍ୟ କୁହାଯାଏ ଯେ ଆମ ସମୟର ସାମାଜିକ ସଂରଚନା ଏମିତି ଯେ ଜଣେ ସମ୍ପୂର୍ଣ୍ଣ ସୁସ୍ଥ ବୟସ୍କ ମାନସିକ ରୋଗଗ୍ରସ୍ତ ହେବା ପାଇଁ ଖୁବ୍‌ ଅଧିକ ସମୟ ନେବ ନାହିଁ।
ଅଧ୍ୟୟନରୁ ଜଣାପଡିଛି, କୋଟାରେ ଆତ୍ମହତ୍ୟା କରିଥିବା ଅଧିକାଂଶ ଛାତ୍ର ଆସିଥିଲେ ଉତ୍ତରପ୍ରଦେଶ ଓ ବିହାରରୁ-ନିମ୍ନ ମଧ୍ୟବିତ୍ତ ନଚେତ ମଧ୍ୟବିତ୍ତ ପରିବାରରୁ। ନିଜ ସ୍କୁଲ/ଶିକ୍ଷାନୁଷ୍ଠାନରେ ଖୁବ୍‌ ଭଲ ଛାତ୍ର ଥିବା ଗାଁ/ଛୋଟ ସହରର ଏହି ଛାତ୍ରମାନେ କୋଟାରେ ପାଦ ଦେବା ସହିତ ପ୍ରତିଯୋଗିତାର ଏକ ଅଜବ ଦୁନିଆ ଭିତରକୁ ପାଦ ଥାପିଥିଲେ। କୁହାଯାଉଛି କୋଟା କୋଚିଂ ଶିଳ୍ପ ୧୨ ହଜାର କୋଟି ଟଙ୍କାର ଏକ କ୍ରମବର୍ଦ୍ଧିଷ୍ଣୁ ଅନୁଷ୍ଠାନ ଯାହା ସଦା ସର୍ବଦା ନିଜ ଆପଣା ଅଭିବୃଦ୍ଧିକୁ ଜାହିର କଲାବେଳେ ଛାତ୍ରମାନଙ୍କ କଲ୍ୟାଣକୁ ଅଣଦେଖା କରିଥାଏ। ବ୍ୟବସାୟ ବଢ଼େଇବା ପାଇଁ କୋଟା କୋଚିଂ ଶିଳ୍ପ ଅନେକ ଆକର୍ଷଣୀୟ ବ୍ୟବସ୍ଥା ହାତକୁ ନେଇଥାଏ, ଯଥା ଆଡମିଶନ ପୂର୍ବରୁ ପୂର୍ବ ପରୀକ୍ଷାରେ ସଫଳ ହୋଇଥିବା ଛତ୍ରୀଛାତ୍ରଙ୍କ ବାବଦରେ ପୂରା ପୃଷ୍ଠା ବିଜ୍ଞାପନ, ଚଳିତଥର କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ର ନୂଆ ଯୋଜନା, ସାପ୍ତାହିକ ପରୀକ୍ଷା ଏବଂ ଫଳାଫଳ, ନିୟମିତ ଅନ୍ତରାଳରେ ଅଭିଭାବକମାନଙ୍କୁ ଛାତ୍ରୀଛାତ୍ରମାନଙ୍କ ସଫଳତା ବାବଦରେ ଖବର ପ୍ରଦାନ। ସପ୍ତାହକ ୭ଦିନ ଏବଂ ୨୪ ଘଣ୍ଟାରୁ ୧୨ ଘଣ୍ଟା ଛାତ୍ରୀଛାତ୍ରଙ୍କ ପାଇଁ କୋଚିଂରୁ ନିସ୍ତାର ନ ଥାଏ। ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ବାପା ମା’ଙ୍କଠାରୁ ଦୂରରେ ଏକ ଯନ୍ତ୍ରର ଜୀବନ। ଏମିତି ସ୍ଥିତିରେ ଯେତେବେଳେ କୌଣସି କାରଣରୁ ଜଣେ ବିଫଳ ହୁଏ ସେତେବେଳେ ସବୁରାସ୍ତା ତା’ ପାଇଁ ବନ୍ଦ ହୋଇସାରିଥାଏ।
ମନସ୍ତତ୍ତ୍ୱବିତ୍‌ମାନେ କହନ୍ତି, ମହାମାରୀ (କୋଭିଡ୍‌ -୧୯) କେବଳ ପୃଥିବୀକୁ କେତେବର୍ଷ ପଛକୁ ନେଇଯାଇନାହିଁ ଆମ ଅଲକ୍ଷ୍ୟରେ ସର୍ବାଧିକ କ୍ଷତି ପହଞ୍ଚାଇଛି ମନସ୍ତାତ୍ତ୍ୱିକ ସ୍ବାସ୍ଥ୍ୟକୁ। ଭାରତ ପରିପ୍ରେକ୍ଷୀରେ କୁହାଯାଇଛି ଯେ ଜାତୀୟ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ବ୍ୟୟ ବରାଦ ମହାମାରୀ ପୂର୍ବରୁ ୪୦କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ରେ ତାହା ବୃଦ୍ଧି ପାଇ ୧୩୪ କୋଟି ଛୁଇଁଛି l ମନସ୍ତତ୍ତ୍ୱବିତ୍‌ମାନେ ସନ୍ତୁଷ୍ଟ ନୁହନ୍ତି କାରଣ ମାନସିକ ସ୍ବାସ୍ଥ୍ୟ ନେଇ ଯେତିକି କରାଯିବା କଥା ତାହା ହୋଇନାହିଁ। ରାଜସ୍ଥାନ ସରକାର ସମୁଦାୟ ଘଟଣା ଉପରେ ନିରପେକ୍ଷ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଅବଶ୍ୟ କହିଛନ୍ତି ତେବେ ତାହା ପର୍ଯ୍ୟାପ୍ତ ନୁହେଁ ଯେପର୍ଯ୍ୟନ୍ତ ସାମାଜିକ ସ୍ତରରେ ଆମ ସମସ୍ତଙ୍କ ତରଫରୁ ଉଦ୍ୟମ ଆରମ୍ଭ ନ ହୋଇଛି। ତଥ୍ୟାନୁସାରେ ୨୦୨୨ରେ କୋଟାରେ ଆତ୍ମହତ୍ୟା କରିଥିଲେ ୧୫ ଛାତ୍ର, ୨୦୨୧ରେ ଜଣେ, ୨୦୨୦ରେ ୪ ଜଣ, ୨୦୧୯ରେ ୮ ଜଣ, ୨୦୧୮ରେ ୧୨ ଜଣ ଏବଂ ୨୦୧୭ରେ ୧୦ ଜଣ। ଅଧିକାଂଶ କ୍ଷେତ୍ରରେ ଅନୁସନ୍ଧାନ ଅସମ୍ପୂର୍ଣ୍ଣ ରହିଛି କିମ୍ବା ଆତ୍ମହତ୍ୟା ପରୀକ୍ଷାରେ ବିଫଳତାଜନିତ ବୋଲି କୁହାଯାଇଛି। ପାଠକେ, ଗତ ଶତାବ୍ଦୀରେ ଶେଷ ଦଶକରେ କୋଟାର ଭାଗ୍ୟ ଫିଟିଥିଲା ଯେତେବେଳେ ଏହାକୁ କୁହାଗଲା ନୂଆ କାଶୀ। କୋଟାର ବର୍ତ୍ତମାନର ଅର୍ଥନୀତି ହେଉଛି କୋଚିଂ ସେଣ୍ଟର ଅର୍ଥନୀତି। ୪୦,୦୦୦ ପେଇଙ୍ଗ ଗେଷ୍ଟ ସୁବିଧା ବାହାରେ ରହିଛି ୪ ହଜାର ହଷ୍ଟେଲ। ସହରର ହଜାର ହଜାର ବୋର୍ଡରେ ଅବଶ୍ୟ କେବଳ ସଫଳତା ବିଜ୍ଞାପନ ରହିଛି କିନ୍ତୁ ତାହାରି ଭିତରେ ଲୁଚି ରହିଛି ଆତ୍ମହତ୍ୟାର ମଞ୍ଜି। ଜଣେ ମନସ୍ତତ୍ତ୍ୱବିତ୍‌ କହିଛନ୍ତି ବ୍ୟବସାୟ ଜୀବନ ଉପରେ ସବାର ହୋଇସାରିଛି ଏବଂ ଅଣନିଃଶ୍ବାସୀ କରି ପକେଇଛି ଜୀବନକୁ। ଆପଣ ଚିନ୍ତା କରିପାରନ୍ତି! ଇନ୍ଦ୍ରଧନୁର ରଙ୍ଗ ପାଣିଚିଆ ହୋଇସାରିଛି।
ମୋ- ୯୪୩୭୧୩୭୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?