ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଡଲାବାଡ଼ି ଗ୍ରାମରେ ସୋଲାର ଚାଳିତ ବୋରିଂ ଓ ପାଣି ଟାଙ୍କି ନିର୍ମାଣ କରି ପ୍ରତ୍ୟେକ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଅଞ୍ଚଳବାସୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟକୁ ଚିଠି ଲେଖିଛନ୍ତି।
ଗ୍ରାମର ସୁରଭି ପଡ୍ରାଙ୍କ ଘର ନିକଟରେ ଥିବା ବର୍ତ୍ତମାନର ନଳକୂଅକୁ ଯାଞ୍ଚ କରି ଆବଶ୍ୟକୀୟ ମରାମତି କରାଯିବା, ଯଦି ସେଥିରୁ ପର୍ଯ୍ୟାପ୍ତ ପାଣି ମିଳିବା ସମ୍ଭବ ନୁହେଁ, ତେବେ ଉପଯୁକ୍ତ ସ୍ଥାନରେ ନୂତନ ବୋରିଂ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏଥିସହିତ ନଳକୂଅ କିମ୍ବା ନୂତନ ବୋରିଂରେ ସୋଲାର ଚାଳିତ ମୋଟର ସଂଯୋଗ କରି ଏକ ଉପଯୁକ୍ତ କ୍ଷମତାର ପାଣି ଟାଙ୍କି ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି। ଉକ୍ତ ଟାଙ୍କିରୁ ଗ୍ରାମର ପ୍ରତ୍ୟେକ ପରିବାରକୁ ପାଇପ ସଂଯୋଗ ଦେଇ ନିୟମିତ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯିବାକୁ ଦାବି ହୋଇଛି। ଦୀର୍ଘବର୍ଷ ଧରି ଅଚଳ ହୋଇ ପଡ଼ିରହିଥିବା ବସୁଧା ପାଇପ ଲାଇନ ଯାଞ୍ଚ କରି ତାହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଚିଠିରେ ଉଲ୍ଲେଖ ରହିଛି।
ପାନୀୟ ଜଳ ହେଉଛି ପ୍ରତ୍ୟେକ ମଣିଷର ଅତି ମୌଳିକ ଆବଶ୍ୟକତା। ଗ୍ରାମର ମହିଳାମାନଙ୍କ ଶ୍ରମ କମାଇବା, ବୟସ୍କା ମାଆମାନଙ୍କୁ ପାଣି ପାଇଁ ହେଉଥିବା କଷ୍ଟରୁ ମୁକ୍ତି ଦେବା ଏବଂ ପ୍ରତ୍ୟେକ ପରିବାରକୁ ସୁବିଧାରେ ଜଳ ଯୋଗାଇବା ଏହି ଦାବିର ମୁଖ୍ୟ ଉଦ୍ଦେଶ୍ୟ। ଏହା କୌଣସି ବ୍ୟକ୍ତିଗତ ସ୍ବାର୍ଥ ନୁହେଁ, ବରଂ ସମଗ୍ର ଡଲାବାଡ଼ି ଗ୍ରାମବାସୀଙ୍କ ଏକ ନ୍ୟାୟସଙ୍ଗତ ଦାବି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ପ୍ରଶାସନ ଓ ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ଲୋକେ ଆଶା ପ୍ରକାଶ କରିଛନ୍ତି।

