ଖୋର୍ଦ୍ଧା, ୪।୧୧ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କରି ପୋଲିସ ୩ଟି ଦାମୀ କାର୍ରୁ ୬୭ କେଜିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣ ବାଲେଶ୍ୱର ଓ ଜଣେ ଭଦ୍ରକ ଜିଲାର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ୫ଟି ମୋବାଇଲ ଫୋନ୍ ଓ ନଗଦ ୧୨ ହଜାର ୩୦୦ ଟଙ୍କା ମଧ୍ୟ ଜବତ ହୋଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ କନ୍ଧମାଳ ଜିଲାରୁ ଗଞ୍ଜେଇ ସଂଗ୍ରହ କରି ବାଲେଶ୍ୱର ଜିଲ୍ଲାକୁ ଚାଲାଣ କରୁଥିଲେ। ଏହି ଚାଲାଣରେ ୩ଟି କାର୍ ବ୍ୟବହାର କରାଯାଉଥିବା ପୋଲିସ ଜାଣିବାକୁ ପାଇଛି।
ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ପରମାର ସ୍ମିଥ୍ ପୁରୁଷୋତ୍ତମ ଦାସ ଏହି ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ମଧ୍ୟ ଗଞ୍ଜେଇ ଚାଲାଣରେ ସକ୍ରିୟ ଥିବା ସେ କହିଛନ୍ତି। ଏହି ଚାଲାଣରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଗଞ୍ଜେଇ ଚାଲାଣ ନେଟ୍ୱର୍କ ସମ୍ପର୍କରେ ପୋଲିସ ତଦନ୍ତ ଜାରି ରଖିଛି। ଏହି ଅବସରରେ ସଦର ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

