ମହାକାଳପଡ଼ା,୪ା୧୧(ପ୍ରତାପ ): ଆସୁଛି ଆଲୋକର ପର୍ବ ଦୀପାବଳି। ଖୁସି ଓ ଉତ୍ସାହର ଏହି ପରିବେଶ ଭିତରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ଅଞ୍ଚଳରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଛି। ଜନବସତି ଏବଂ ଘଞ୍ଚପୂର୍ଣ୍ଣ ଅଞ୍ଚଳରେ କୌଣସି ଏସ୍ଓପି (SOP) ଗାଇଡ୍ଲାଇନ୍ କିମ୍ବା ପ୍ରଶାସନିକ ଅନୁମତି ବିନା ବେଧଡ଼କ ଭାବେ ଚାଲିଛି ବେଆଇନ ବାଣ ପ୍ରସ୍ତୁତି। ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବାରୁ ଏହା ସାଧାରଣ ଜୀବନ ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିଛି।
ନିୟମ ଅନୁଯାୟୀ, ବାଣ ପ୍ରସ୍ତୁତି ପାଇଁ ତହସିଲ ଅଫିସ, ଅଗ୍ନିଶମ ବିଭାଗ, ଜିଲା ପ୍ରଶାସନ ଏବଂ ସ୍ଥାନୀୟ ପୋଲିସର ଅନୁମତି ଆବଶ୍ୟକ ରହିଛି। ଏହାଛଡ଼ା ଜନବସତିଠାରୁ ଅତିକମ୍ରେ ଦୁଇ କିଲୋମିଟର ଦୂରରେ ଏକ ସୁରକ୍ଷିତ ସ୍ଥାନରେ ଏହି କାର୍ଯ୍ୟ ହେବା କଥା। ମାତ୍ର ବାଣ ବ୍ୟବସାୟୀମାନେ ଏସବୁ ନିୟମକୁ ଜଳାଞ୍ଜଳି ଦେଇ ଖୁଲମଖୁଲା ଜନବସତି ମଧ୍ୟରେ ବାଣ ତିଆରି କରୁଛନ୍ତି। ବାଣ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଏବଂ ସରଞ୍ଜାମଗୁଡ଼ିକ ଘରୋଇ ବସ୍ ଯୋଗେ କୋଲକାତାରୁ ଆସୁଥିବା ଅଭିଯୋଗ ହେଉଛି।
ଏହା ପୂର୍ବରୁ ମଧ୍ୟ ଅଞ୍ଚଳରେ ଅନେକ ବଡ଼ଧରଣର ଦୁର୍ଘଟଣା ଘଟିଯାଇଛି। ୨୦୦୭ରେ ବଗଗହଣ ଗ୍ରାମରେ ବାଣ ଭିଡ଼ିବା ବେଳେ ଅସାବଧାନତା ଯୋଗୁ ବାପା ଓ ପୁଅଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏପରିକି ଗତ ବର୍ଷ ମଧ୍ୟ ସେହି ଗ୍ରାମରେ ନିର୍ମାଣ କାରଖାନାରେ ନିଆଁ ଲାଗି ବଡ଼ଧରଣର ବିସ୍ଫୋରଣ ହୋଇଥିଲା, ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା। ସେହିପରି ଚଳିତ ବର୍ଷ ଜୁନ୍ ୪ ତାରିଖରେ ତେରଗାଁ ପଞ୍ଚାୟତ ଓସ୍ତର ଗ୍ରାମରେ ବାଣ ଭିଡ଼ିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟି ଦୁଇ ଜଣ ବାଣୁଆ ଆହତ ହେବା ସହ ଏକ ଘର ଜଳି ପୋଡ଼ି ପାଉଁଶ ହୋଇଯାଇଥିଲା। ଏଭଳି ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
ସ୍ଥାନୀୟ ପୋଲିସ ଚୁପ୍ ହୋଇ ବସୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏମାନଙ୍କୁ ପ୍ରକୃତରେ ପ୍ରୋତ୍ସାହନ କିଏ ଦେଉଛି, ସେନେଇ ପ୍ରଶ୍ନ ଉଠିଛି। ତେଣୁ ଆଗାମୀ ଦୀପାବଳି ପୂର୍ବରୁ ଜନବସତି ଅଞ୍ଚଳରେ ଚାଲିଥିବା ଏହି ବେଆଇନ ବାଣ କାରଖାନାଗୁଡ଼ିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ବୁଦ୍ଧିଜୀବୀମାନେ ଦୃଢ଼ ଦାବି କରିଛନ୍ତି।

