ସ୍ବାଭିମାନର ମୁଖଶାଳା

ଡ. ପ୍ରଫୁଲ୍ଲ କୁମାର ସାହୁ

କୌଣସି ମଣିଷର ପ୍ରାଣକୁ ବାଧିଲେ ସେ ଯେମିତି ଛଟପଟ ହୁଏ, ଜାତିର ପ୍ରାଣକୁ ବାଧିଲେ ସେ ବି ସେମିତି ଛଟପଟ ହୁଏ ଯନ୍ତ୍ରଣାରେ। ଏହି ଛଟପଟ ହେବା ହିଁ ଜାତିର ଆନ୍ଦୋଳନ। ଯେଉଁ ଜାତିର ପ୍ରାଣକୁ ଯେତେ ବାଧେ, ସେତେ ପ୍ରଖର ହୁଏ ତା’ର ଆନ୍ଦୋଳନର ଗତି। ଏହି ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ରାଜନୈତିକ ଆୟତନ ଓ ସାଂସ୍କୃତିକ ପରିଚୟ ସଙ୍କୋଚନ ଜନିତ ତୀବ୍ର ଅସନ୍ତୋଷରୁ ଆରମ୍ଭ ହୋଇଥିଲା ଦେଶ ମିଶ୍ରଣ ଆନ୍ଦୋଳନ। ଓଡ଼ିଶାର ଶାସନ ଭାର ଇଂରେଜମାନଙ୍କ ହାତକୁ ଚାଲିଯିବା(୧୮୦୩)ପରେ ଖଣ୍ଡ ବିଖଣ୍ଡିତ ହୋଇଗଲା ବିଶାଳ ଓଡ଼ିଶା। ଚତର୍ଦ୍ଦିଗରେ ପରିବେଷ୍ଟିତ ଚାରୋଟି ବୃହତ୍‌ ପ୍ରଦେଶ ଦ୍ବାରା ଓଡ଼ିଶାର ବ୍ୟାପକ ଅଞ୍ଚଳ କବଳିତ ହେବା ଯୋଗୁ ସେଠାରେ ଉପେକ୍ଷିତ ହେଲା ସଂଖ୍ୟାଲଘୁ ଓଡ଼ିଆମାନଙ୍କ ସ୍ବାର୍ଥ। ବିପର୍ଯ୍ୟସ୍ତ ହୋଇପଡ଼ିଲା ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଚଳଣି। ଜାତିର ଏହି ସଂକଟ କାଳରେ ଜାତୀୟ ଜୀବନରେ ସୃଷ୍ଟି ହେଲା ଉଦ୍‌ବେଳନ। ଜାତି ଐରାବତ ମଧୁବାବୁଙ୍କ ଆହ୍ବାନ କ୍ରମେ ଜାତିପ୍ରାଣମାନେ ଏକତ୍ରିତ ହୋଇ ଗଠନ କଲେ (୧୯୦୩) ଜାତୀୟ ମଞ୍ଚ ‘ଉତ୍କଳ ସମ୍ମିଳନୀ’। ଓଡ଼ିିଆ ଅସ୍ମିତାବୋଧର ଜାଗରଣ ନିମନ୍ତେ ଗଢ଼ିଉଠିଥିବା ଏହି ଅଣ ରାଜନୈତିକ ମଞ୍ଚରୁ ପ୍ରବାହିତ ହେଲା ଜାତୀୟତାର ଉତ୍ତାଳ ତରଙ୍ଗ। ପ୍ରଥମେ କେବଳ ସମ୍ମିଳନୀ ମଣ୍ଡପରେ ବକ୍ତୃତାର ବିଷୟ ହୋଇ ରହିଥିବା ଦେଶ ମିଶ୍ରଣ ପ୍ରସଙ୍ଗକୁ ନେଇ ପଲ୍ଲୀରେ ଉଠିଲା ପ୍ରଚଣ୍ଡ ସ୍ବର। ଫୁଲଝର, ଚନ୍ଦ୍ରପୁର, ଜୟପୁର, ଗଞ୍ଜାମ ଓ ସିଂପୁର ଆଦି ଅଞ୍ଚଳରେ ଓଡ଼ିିଆଙ୍କ ପ୍ରାଣର ବେଦନା ଯେତେ ଗଭୀର ଓ ଗମ୍ଭୀର ହେଲା, ସେତେ ତୀବ୍ର ରୂପ ଧାରଣ କଲା ଉତ୍କଳ ସମ୍ମିଳନୀର ସଂଗ୍ରାମ। ଦୀର୍ଘ ୩୩ ବର୍ଷର ନିରବଚ୍ଛିନ୍ନ ଲଢ଼େଇ ପରେ ଓଡ଼ିିଆଙ୍କ ଦାବି ଉପରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କଲେ ବ୍ରିଟିଶ ସରକାର। ଓଡ଼ିିଶା ପ୍ରଦେଶ ଗଠନ ଆଇନ ୧୯୩୬ ଅନୁଯାୟୀ ଗଠନ ହେଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ (୧.୪.୧୯୩୬) ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ। ମାତ୍ର ଏହା ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁ ପ୍ରମୁଖ ଜାତିପ୍ରାଣମାନେ କଳ୍ପନା କରିଥିବା ଓଡ଼ିଶା ନୁହେଁ,ଏକ ବିଖଣ୍ଡିତ ଓଡ଼ିଶା। ଯେଉଁ ଓଡ଼ିଶା ଦେହରୁ ସବୁଦିନ ପାଇଁ ଅଲଗା ହୋଇ ରହିଗଲା ସିଂହଭୂମ୍‌, ମେଦିନାପୁର, ମଞ୍ଜୁଷା, ଟିକାଲି, ସାରଙ୍ଗଗଡ଼, ବସ୍ତର ଆଦି ଖାଣ୍ଟି ଓଡ଼ିଆ ଅଞ୍ଚଳ। ସେ ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ଉପରେ ଜୋର୍‌ ଜବରଦସ୍ତ ଲଦି ଦିଆଗଲା ଅଲଗା ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା। ଇତିହାସର ନିଷ୍ଠୁର ପରିହାସରେ ନିଜ ଦେଶରେ ବି ପର ହୋଇ ରହିଗଲେ ସେ ବିଚ୍ଛିନ୍ନାଞ୍ଚଳର ଓଡ଼ିଆମାନେ।
୧୯୧୯ ମସିହାରେ ଉତ୍କଳ ସମ୍ମିଳନୀ ମଣ୍ଡପରୁ ପଣ୍ଡିତ ଗୋପବନ୍ଧୁ କହିଥିଲେ- ସନ୍ନ୍ୟାସୀର ତପସ୍ୟା ଓ ସାଧନା ବିନା କୌଣସି ଗୁରୁ କର୍ତ୍ତବ୍ୟ ସାଧନ ଅସମ୍ଭବ। ମଧୁବାବୁ ଓ ଗୋପବନ୍ଧୁ ପ୍ରମୁଖ ଜାତିପ୍ରାଣମାନେ ଥିଲେ ସେମିତି ଜଣେ ଜଣେ ସାଧକ। ସେତେବେଳେ ବହୁଥିବା ପ୍ରତିକୂଳ ହାୱାକୁ ସେମାନେ ବଦଳାଇ ପାରିଥିଲେ ନିଜର ସମ୍ମୁଖ ଓ ଭବିଷ୍ୟ ଦୃଷ୍ଟି ତଥା ସାଧନା ବଳରେ। ମାତ୍ର ବିଡମ୍ବନାର ବିଷୟ ସ୍ବତନ୍ତ୍ର ଓଡ଼ିଶା ଗଠନ ବେଳକୁ ଧରାଧାମରୁ ଆଗପଛ ହୋଇ ବିଦାୟ ନେଇସାରିଥିଲେ ଗୋପବନ୍ଧୁ ଓ ମଧୁବାବୁ। ଏମାନଙ୍କ ପରେ ଉତ୍କଳ ସମ୍ମିଳନୀର ଯେଉଁମାନେ ପୁରୋଧା ହେଲେ, ସେମାନେ ଓଡ଼ିଶା ନାମକ ସମଗ୍ର ଆକାଂକ୍ଷାଟି ସମ୍ପର୍କରେ ସଚେତନ ନ ଥିଲେ ଏବଂ ସେମାନଙ୍କୁ ପ୍ରତିନିଧି ବା ନେତାରୂପେ ଗ୍ରହଣ କରିପାରିଲେନି ଓଡ଼ିଶାର ସମ୍ପୃକ୍ତ ସମସ୍ତେ। ତେଣୁ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେବାଠାରୁ ଆଜି ପର୍ଯ୍ୟନ୍ତ ଆଠ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ବିତି ଯାଇଥିଲେ ବି ରାଜ୍ୟରେ କେବେ ଆଉ ଆନ୍ଦୋଳନର ରୂପ ନେଇ ନାହିଁ ପୂର୍ଣ୍ଣାଙ୍ଗ ଓଡ଼ିଶା ଗଠନ ଦାବି। ବରଂ ଆଉ କିଛି ଅଞ୍ଚଳ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶର ଆଁ ଭିତରକୁ ପଶିଯିବାର ଆଶଙ୍କା ସୃଷ୍ଟି ହେଲାଣି ଆମ ନେତୃତ୍ୱର ଉଦାସୀନତା ତଥା ଆମ ଭିତରେ ସ୍ବାଭିମାନର ସଂକଟ ଯୋଗୁ।
ସାଧାରଣତଃ ସ୍ବାଭିମାନ କହିଲେ ଆମେ ବୁଝୁ ନିଜର ଅଭିମାନ ପ୍ରତି ସମ୍ମାନ। ଏହା ଅହଂକାର ନୁହେଁ କି ସ୍ବାର୍ଥପରତା ନୁହେଁ, ବରଂ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରିବାର ଏକ ଦୁଃସାହସ। ସ୍ବାଭିମାନ ବଢ଼ିବା ପାଇଁ ହୀନମନ୍ୟତା କଟିବା ଦରକାର। ହୀନମନ୍ୟତା କଟିଲେ ଯାଇ ଶ୍ରଦ୍ଧା ବଢ଼େ ଏବଂ ସ୍ବତଃ ଆଖି ଆଗରେ ନାଚିଯାଏ ଓଡ଼ିଆ ଜାତିର ଗୌରବମୟ ଇତିହାସ। ଯେଉଁ ଇତିହାସ ସମ୍ପର୍କରେ ଆମକୁ ସଚେତନ କରାଇଥିଲେ ସ୍ବାଭିମାନୀ ମଧୁବାବୁ। ପରବର୍ତ୍ତୀ ସମୟରେ ସେହି ସ୍ବାଭିମାନ ନେଇ ଆମ ଗୌରବର ଗନ୍ତାଘରଗୁଡ଼ିକୁ ଗୋଟି ଗୋଟି କରି ଚିହ୍ନେଇଥିଲେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ। ଭାଷଣ ପ୍ରସଙ୍ଗରେ ସେ ବାରମ୍ବାର କହୁଥିଲେ ଦିଗ୍‌ବିଜୟୀ କଳିଙ୍ଗ ସମ୍ରାଟ ଖାରବେଳ ତଥା ବିଶ୍ୱର ସର୍ବବୃହତ ସାମ୍ରାଜ୍ୟର କଥା। ତାହା ହିଁ ଗୋଟିଏ ଜାତିର ଐତିହ୍ୟର କାହାଣୀ ଓ ସ୍ବାଭିମାନର ଗାଥା।
ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ସେଥିପାଇଁ ଆପଣା ମାତୃଭାଷାକୁ ନେଇ ଗର୍ବ ଅନୁଭବ କରେ ବିଶ୍ୱର ପ୍ରାୟ ପ୍ରତ୍ୟେକ ଜାତି। ଅଥଚ ବିଡମ୍ବନାର ବିଷୟ ହେଉଛି ଓଡ଼ିଆମାନଙ୍କ ଦ୍ବାରା ବିରୋଧାଭାସ ଓ ବେଦନାବୋଧର ସମ୍ମୁଖୀନ ହେବା ଓଡ଼ିିଆ ଭାଷାର ଭାଗ୍ୟଲିପି। ବିଶେଷକରି ଶିକ୍ଷିତ ଓଡ଼ିିଆମାନଙ୍କ ପରମୁଖାପେକ୍ଷିତା ପାଇଁ ଓଡ଼ିଆ ଭାଷା ଆଜି ନିଜ ମାଟିରେ ବି କୋଣଠେସା। ସମ୍ବଲପୁର ଓ ରାଉରକେଲା ଆଦି ଅଞ୍ଚଳରେ ଲୋକଙ୍କର କଥିତ ଭାଷା ଓଡ଼ିିଆ ନୁହେଁ, ହିନ୍ଦୀ। ଗଞ୍ଜାମ, କୋରାପୁଟ ଆଦି ଉପାନ୍ତ ଅଞ୍ଚଳ ତଥା ବିଚ୍ଛିନ୍ନାଞ୍ଚଳରେ ମାତୃଭାଷାର ସ୍ଥିତି ବିପନ୍ନ। ରାଜ୍ୟ ତମାମ୍‌ ସରକାରୀ ବିଦ୍ୟାଳୟରେ ଓଡ଼ିିଆ ଭାଷାର ସ୍ଥିତି ନ କହିବା ଭଲ। ସବୁଠାରୁ ଦୁର୍ଭାଗ୍ୟର ବିଷୟ ଓଡ଼ିିଆ ଭାଷାର ବିକାଶ ଦିଗରେ ଏଠି ବେଶି ଉଦାସୀନ ହେଉଛନ୍ତି ଶିକ୍ଷିତ ଓଡ଼ିିଆମାନେ। ସେମାନେ ପ୍ରାୟତଃ ଓଡ଼ିିଆରେ କଥା ହେବାକୁ କୁଣ୍ଠାବୋଧ କରନ୍ତି ଏବଂ ନିଜକୁ ଅଜାତିଆ କରି ରଖନ୍ତି ଅନ୍ୟମାନଙ୍କଠାରୁ ଅଲଗା ହୋଇ ଦିଶିବା ଲକ୍ଷ୍ୟରେ।
କୁହାଯାଏ ଓଡ଼ିଶା ହେଉଛି ଏକ ଧନୀ ରାଜ୍ୟ, ଯେଉଁଠି ବାସ କରନ୍ତି ଗରିବମାନେ। ବସ୍ତୁତଃ ଓଡ଼ିିଶାର ଅତୀତ କେବଳ ଗୌରବମୟ ନୁହେଁ, ଧନଧାନ୍ୟ, ଖଣିଜ ସମ୍ପଦ, ଅରଣ୍ୟ ସମ୍ପଦ, ଜଳ ସମ୍ପଦ, ଜ୍ଞାନଗରିମା, ସଂସ୍କୃତି, ଐତିହ୍ୟ, ବିଜ୍ଞାନ, ପରମ୍ପରା ଓ ସାହିତ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିିଶାର ସୁନାମ ବିଶ୍ୱବିଦିତ। ଏସବୁ ସତ୍ତ୍ବେ ଓଡ଼ିିଶା ଆଜି ବି ମୁଣ୍ଡେଇଛି ଦେଶରେ ଦରିଦ୍ରତମ ରାଜ୍ୟର ଅପବାଦ। ତା’ର କାରଣ ଐତିହ୍ୟ ଓ ଇତିହାସର ପ୍ରେରଣା ନେଇ ଆମେ ଭବିଷ୍ୟତ ନିର୍ମାଣ କରିବା ପାଇଁ ଚାହିଁନୁ,ଚାହିଁଚୁ ବିକାଶର ପ୍ରହେଳିକା ସୃଷ୍ଟି କରି ଧନୀ-ଦରିଦ୍ର ମଧ୍ୟରେ ବ୍ୟବଧାନ ବଢ଼ାଇବା ପାଇଁ। ସେଥିପାଇଁ ଉପରେ ଉପେକ୍ଷା ଓ ଔଦ୍ଧତ୍ୟ ଯେତିକି ବଢିଛି, ତଳେ ସେତିକି ବଢିଛି ଅସହାୟତା ଓ ନିିର୍ଭରଶୀଳତା। ଅନ୍ୟ ଭାଷାରେ ଉପରେ ଥିବା ଦୟାବନ୍ତ ଶାର୍ଦ୍ଦୁଳମାନଙ୍କ ଦୟାରେ କ୍ରମଶଃ ବଢ଼ିଚାଲିଛି ତଳେ ଥିବା ଅକିଞ୍ଚନମାନଙ୍କ ଅକିଞ୍ଚନତାର ପରିମାଣ। ସ୍ବତନ୍ତ୍ର ଓଡ଼ିିଶା ଗଠନ ପରେ ଏହା ହିଁ ଆମ ବାସ୍ତବ ସ୍ଥିତି ଓ ବିସ୍ତୃତିର ବ୍ୟାକରଣ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ ପଡ଼ିଆବେଡ଼ା, ମୟୂରଭଞ୍ଜ,
ମୋ: ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri