କୃଷକ ଆନ୍ଦୋଳନର ଅନ୍ତ କେବେ

ରବିନାରାୟଣ ସାମଲ

କୃଷକ ଆନ୍ଦୋଳନକୁ ଚାରିମାସ ପୂରିଗଲା। ପରାଧୀନ ଭାରତର ଚମ୍ପାରଣ ଆନ୍ଦୋଳନ ପରେ ସ୍ବାଧୀନ ଭାରତର ଏହା ବୋଧେ ପ୍ରଥମ ଦୀର୍ଘକାଳୀନ ଆନ୍ଦୋଳନ। ଆନ୍ଦୋଳନ ଶେଷ ହେବାର ନଁା ଧରୁନି। ଦିଲ୍ଲୀର ପ୍ରବେଶ ପଥରେ କେନ୍ଦ୍ର ସରକାର କଣ୍ଟା ଓ କଂକ୍ରିଟ୍‌ର ବ୍ୟାରିକେଡ୍‌ ତିଆରି କରିଥିଲା ବେଳେ କୃଷକମାନେ ଇଟାରେ ଘର ତିଆରି କରୁଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏଥିରେ ହସ୍ତକ୍ଷେପ କରିବାକୁ ଏକରକମ ଅନିଚ୍ଛୁକ। ତେବେ ଏ ଆନ୍ଦୋଳନର ଅନ୍ତ କେଉଁଠି?
‘କୃଷି ଆଇନ ଆଣିବା ପୂର୍ବରୁ କେନ୍ଦ୍ର ସରକାର ଯଦି କୃଷକ ସଂଗଠନଗୁଡ଼ିକ ସହିତ ବିଚାରବିମର୍ଶ କରିଥାନ୍ତେ, ତେବେ ଏହାକୁ ନେଇ କୃଷକ ଆନ୍ଦୋଳନ ହୋଇ ନ ଥାନ୍ତା।’ ହନୁ ସତ କହିଲା ଭଳି ଭଲ କଥା ପଦେ କହିଛନ୍ତି ଉତ୍ତରପ୍ରଦେଶର ଭାଜପା କାର୍ଯ୍ୟକାରିଣୀର ସଦସ୍ୟ ତଥା ମନ୍ତ୍ରୀ ରାମ ଇକ୍‌ବଲ ସିଂ। କିନ୍ତୁ କେନ୍ଦ୍ର ସରକାର ତାହା କଲେ ନାହିଁ। ବିରୋଧୀ ଦଳର ପ୍ରବଳ ବିରୋଧ ସତ୍ତ୍ୱେ କେନ୍ଦ୍ର ସରକାର କୃଷି ବିଲ୍‌ ଉପରେ କୌଣସି ଆଲୋଚନା ନ କରି ପାର୍ଲାମେଣ୍ଟରେ ପାସ୍‌ କରାଇନେଲେ। ତିନି ଶହରୁ ଊର୍ଦ୍ଧ୍ୱ କୃଷକ ସଂଗଠନ ଏହାର ପ୍ରତିବାଦ କରି ଗତ ବର୍ଷ ସେପ୍ଟେମ୍ବର ୨୫ ତାରିଖରେ ‘ଭାରତ ବନ୍ଦ’ ହରତାଳ କଲେ। ବିଲ୍‌ରେ ଦସ୍ତଖତ ନ କରିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ। କିନ୍ତୁ ରାଷ୍ଟ୍ରପତି ବିଲ୍‌ ତିନୋଟିରେ ମୋହର ମାରିଲେ ଏବଂ ତାହା ଆଇନରେ ପରିଣତ ହୋଇଗଲା। କେବଳ ଏତିକିରେ କଥା ସରିଲା ନାହିଁ। ବିଲ୍‌କୁ ବିରୋଧ କରି କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ହରସିମିରତ୍‌ କୌର ଇସ୍ତଫା ଦେଲେ ଏବଂ ଏନ୍‌ଡିଏ ମେଣ୍ଟରୁ ଅକାଳି ଦଳ ଓହରିଗଲା।
ପଞ୍ଜାବ ଓ ହରିୟାଣାରୁ ହଜାର ହଜାର ଚାଷୀ ନଭେମ୍ବର ୨୬ ତାରିଖରେ ଦିଲ୍ଲୀର ପ୍ରବେଶ ପଥକୁ ଅବରୋଧ କଲେ। ପୋଲିସ ସେମାନଙ୍କ ଉପରେ ଦମନଲୀଳା ଚଳାଇବା ସତ୍ତ୍ୱେ ଆନ୍ଦୋଳନରେ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବଢ଼ିଲା ସିନା କମିଲା ନାହିଁ। ଏବେ ସାରା ଦେଶର ପ୍ରତ୍ୟେକଟି ରାଜ୍ୟରୁ ଚାଷୀମାନେ ପିଲାଛୁଆ ଧରି ଧାରଣାସ୍ଥଳରେ ଯୋଗ ଦେଉଛନ୍ତି ଏବଂ ବିଭିନ୍ନ ରାଜ୍ୟରେ ‘ମହାପଞ୍ଚାୟତ’ ଅନୁଷ୍ଠିତ କରାଯାଇ ଆନ୍ଦୋଳନକୁ ଜୋରଦାର କରାଯାଉଛି।
ଜାନୁୟାରୀ ୨୬ରେ କେତେକ ଦୃର୍ବୃତ୍ତ ଟ୍ରାକ୍ଟର ର଼୍ୟାଲି କରି ଅନୁମତିପ୍ରାପ୍ତ ହୋଇ ନ ଥିବା ଅଞ୍ଚଳକୁ ପ୍ରବେଶ କଲେ ଏବଂ ଲାଲକିଲ୍ଲା ଉପରେ ଜାତୀୟ ପତାକାକୁ ଓହ୍ଲାଇ ଦେଇ ଧର୍ମୀୟ ପତାକା ଉଡ଼ାଇଲେ। ସ୍ବାଧୀନ ଭାରତର ଇତିହାସରେ ଏହା ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଗଲା। କର୍ପୋରେଟ୍‌ ମିଡିଆଙ୍କୁ ଗୋଟିଏ ଭଲ ଖୋରାକ ମିଳିଗଲା। ସେମାନେ ଉଚ୍ଚ ସ୍ବରରେ ଏହାକୁ ପ୍ରଚାର କରି ଆନ୍ଦୋଳନରତ କୃଷକଙ୍କ ଉପରେ ଝାମ୍ପି ପଡ଼ିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଭାଜପା ସହିତ ସମ୍ପୃକ୍ତ ଅଭିନେତା ଦୀପ୍‌ ସିଦ୍ଧୁ ଓ ଗ୍ୟାଙ୍ଗ୍‌ଷ୍ଟର୍‌ ଲାଖା ସିଧନାଙ୍କୁ ପୋଲିସ ଗିରଫ କରିବା ପରେ ମିଡିଆର ମୁଖ ବନ୍ଦ ହୋଇଗଲା ଏବଂ ଜାନୁୟାରୀ ୨୬ ଅଘଟଣ ପ୍ରଚାର ପ୍ରସାରରୁ ବାଦ ପଡ଼ିଲା।
କିଛି ଦିନ ତଳେ ୨୧ ବର୍ଷୀୟା ପରିବେଶବିତ୍‌ ଦିଶା ଅପନ୍ନା ରବିଙ୍କ ଗିରଫଦାରି ବେଶ୍‌ ଚର୍ଚ୍ଚାକୁ ଆସିଥିଲା। କୃଷକ ଆନ୍ଦୋଳନକୁ ସମର୍ଥନ କରି ଗ୍ରେଟା ଥନ୍‌ବର୍ଗଙ୍କ ଟୁଲ୍‌କିଟ୍‌ ଆପ୍‌ରେ ସେ ମନ୍ତବ୍ୟ ଦେଇଥିବାରୁ ଏନ୍‌ଆଇଏ ତାଙ୍କୁ ବାଙ୍ଗାଲୋର୍‌ରୁ ଗିରଫ କରିନେଲା। ଅନ୍ୟମାନଙ୍କୁ ବିଭିନ୍ନ ଭାବରେ ହଇରାଣ ହରକତ କରିବା ସହିତ ଅସାମାଜିକ ଲୋକଙ୍କ ଦ୍ୱାରା ଆକ୍ରମଣ କରାଯାଉଥିବାର ଅଭିଯୋଗ ଆସୁଛି। ସମସ୍ୟା ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଯେ ଅତ୍ୟନ୍ତ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି।
କୃଷକ ଆନ୍ଦୋଳନ ଆଉ ଦିଲ୍ଲୀରେ ସୀମାବଦ୍ଧ ହୋଇ ରହିନାହିଁ। ଏହା ସାରା ଦେଶକୁ ବ୍ୟାପି ଯାଇଛି। ଏହାକୁ ସମର୍ଥନ କରି ରାସ୍ତାରୋକୋ, ରେଳରୋକୋ, ଭାରତ ବନ୍ଦ ପରି ପ୍ରତିବାଦ ବାରମ୍ବାର ହେଲାଣି। ବ୍ରିଟେନ୍‌, କାନାଡ଼ା, ଅଷ୍ଟ୍ରେଲିଆ ଓ ଆମେରିକାର ସାଂସଦମାନେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କଲେଣି। ବ୍ରିଟେନ୍‌ର ପାର୍ଲାମେଣ୍ଟରେ ଆଲୋଚନା ହେଲାଣି। ଦେଶବିଦେଶର ଗଣମାଧ୍ୟମରେ ମଧ୍ୟ ଅନବରତ ଚର୍ଚ୍ଚା ଚାଲିଛି। ତଥାପି ସରକାରଙ୍କର ଏଥିପ୍ରତି ଭ୍ରୂକ୍ଷେପ ନାହିଁ। ନିଜ ଜିଦ୍‌ରେ ସରକାର ଅଟଳ ରହିଛନ୍ତି।
କୃଷି ହେଉଛି ରାଜ୍ୟ ତାଲିକାଭୁକ୍ତ ବିଷୟ। ରାଜ୍ୟ ସହିତ କୌଣସି ଆଲୋଚନା ନ କରି କେନ୍ଦ୍ର ଏକତରଫା ଭାବେ ଯେପରି ଆଇନ ପ୍ରଣୟନ କଲା ତାହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ। କେରଳ, ପଞ୍ଜାବ , ପଶ୍ଚିମବଙ୍ଗ ସମେତ କେତେକ ରାଜ୍ୟ ଏହାକୁ ବିରୋଧ କରି ସେମାନଙ୍କ ବିଧାନସଭାରେ ମଧ୍ୟ ସଂକଳ୍ପ ପାରିତ୍‌ କରିଛନ୍ତି। କେନ୍ଦ୍ର-ରାଜ୍ୟ ମଧ୍ୟରେ ଏପରି ଦ୍ୱନ୍ଦ୍ୱ ସାମ୍ବିଧାନିକ ସଂକଟ ସୃଷ୍ଟି କରିଛି। କେନ୍ଦ୍ର ସରକାର କୃଷକ ସଂଗଠନଗୁଡ଼ିକ ସହିତ ୧୧ ଥର ଆଲୋଚନା କଲେଣି ସତ, କିନ୍ତୁ ତିନୋଟି କୃଷି ଆଇନ ପ୍ରସଙ୍ଗକୁ ଆସୁନାହିଁ। ପରସ୍ପର ଦୋଷ ଲଦାଲଦିରେ ଚାରି ମାସ ବିତିଗଲାଣି।
ଖରାବର୍ଷାକୁ ଖାତିର ନ କରି କୃଷକମାନେ ଧାରଣାରେ ବସି ରହିଛନ୍ତି। ଇତି ମଧ୍ୟରେ ୨୫୦ରୁ ଊର୍ଦ୍ଧ୍ୱ କୃଷକଙ୍କର ସେଠାରେ ପ୍ରାଣହାନି ଘଟିଲାଣି। ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କୃଷକମାନଙ୍କ ଦାବି ପ୍ରତି ଉଦାସୀନ ରହିବା ଦେଶ ପାଇଁ ଶୁଭଙ୍କର ନୁହେଁ। ସାଧାରଣ ଜନତା ଯାହା ଚାହୁଁ ନାହାନ୍ତି ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ଏତେ ବ୍ୟଗ୍ର କାହିଁକି?
ଐତିହାସିକ ଚମ୍ପାରଣ ଆନ୍ଦୋଳନର ଶହେ ବର୍ଷ ପୂର୍ତ୍ତି ଅତ୍ୟନ୍ତ ଆଡ଼ମ୍ବର ଓ ସମ୍ମାନର ସହ ପାଳନ କରିଥିବା କେନ୍ଦ୍ର ସରକାର ଏବେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଏହି ଦୀର୍ଘକାଳୀନ ଆନ୍ଦୋଳନରୁ ନମ୍ରତାର ସହ କିଛି ଶିକ୍ଷା ଲାଭ କରନ୍ତୁ। ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri