Posted inଫୁରସତ

ସହରୀ ପାର୍କ ଏବେ ଗାଁରେ

ଦିନକୁ ଦିନ ପୃଥିବୀ ପୃଷ୍ଠରୁ ବହୁ ମୂଲ୍ୟବାନ୍‌ ବୃକ୍ଷଲତା ଲୋପ ପାଇଯାଉଛି। ସଙ୍କୁଚିତ ହୋଇଯାଉଛି ପ୍ରାକୃତିକ ଜଙ୍ଗଲ । ଏପରିକି ପରିବେଶ ସୁରକ୍ଷା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଛି। ଏଥିପାଇଁ ବହୁ ଯୋଜନା ହେଉଛି। ଏହାର ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଜରୁରୀ ହୋଇପଡ଼ିଛି। ଆଜିକାଲି ସହରର ବିଭିନ୍ନ ସ୍ଥାନରେ ନାନାପ୍ରକାରର ଫୁଲଫଳ ଗଛ ଲଗାଇ ସବୁଜ ଉଦ୍ୟାନ କରାଯାଉଛି। ଏଥିଯୋଗୁ ସହର ସବୁଜସୁନ୍ଦର ହେବା ସହିତ ପରିବେଶ ସୁରକ୍ଷା ବି ହୋଇପାରୁଛି। ପିଲାମାନେ ଏହି ସୁନ୍ଦର ପରିବେଶରେ ବୁଲାବୁଲି କରିବା ସହ ବୟସ୍କମାନେ ବିଶ୍ରାମ ନେଇଥାନ୍ତି। ତେବେ ଏହା କେବଳ ସହରରେ ନୁହେଁ ଏବେ ଗ୍ରାମରେ ମଧ୍ୟ ଦେଖିବାକୁ ମିଳୁଛି। କେତୋଟି ଗାଁରେ ଏବେ ସହରଭଳି ପାର୍କ ତିଆରି ହେବା ସହ ସହରୀ ପାର୍କର ସବୁ ପ୍ରକାରର ସୁଖ ସୁବିଧା ଗାଁରେ ମିଳିପାରୁଛି। ବିଭିନ୍ନ ଜୀବଜନ୍ତୁଙ୍କ କଳାକୃତି ସହ ପିଲାଙ୍କ ଖେଳନା ଓ ରଙ୍ଗବେରଙ୍ଗର ଫୁଲ ଫଳ ଗଛକୁ ଦେଖିଲେ ଯେକେହି ଘଡ଼ିଏ ଅଟକି ଯିବେ। ଯାହାକି ଅନ୍ୟ ଗ୍ରାମ ପାଇଁ ନିଶ୍ଚିତଭାବେ ଉଦାହରଣ। ସେମିତି କେତୋଟି ସୁନ୍ଦର ଗ୍ରାମୀଣ ଉଦ୍ୟାନ ସମ୍ପର୍କରେ…

ଗାଁର ଶୋଭାକୁ ବଢ଼ାଉଛି ପ୍ରମୋଦ ଉଦ୍ୟାନ: ସାଧାରଣତଃ ଉଦ୍ୟାନ କହିଲେ ପାଚେରିଘେରା ମଧ୍ୟରେ ସୁରକ୍ଷିତଭାବେ ଶୋଭାପାଉଥିବ ନାନାପ୍ରକାର ରଙ୍ଗବେରଙ୍ଗର ଫୁଲଫଳ ଗଛ। ସକାଳ ଓ ସନ୍ଧ୍ୟାରେ ପୁଣି ଜମୁଥିବ ଲୋକଙ୍କ ଆସର। ଉଦ୍ୟାନ ପରିସରରେ ପଡ଼ିଥିବ କେତୋଟି ସୁନ୍ଦର ଚେୟାର। ନିକଟରେ ବିଦ୍ୟୁତ୍‌ ଖୁଣ୍ଟ ଓ ବିଭିନ୍ନ ଜୀବଜନ୍ତୁଙ୍କ କଳାକୃତିର ଚିତ୍ର ରହିଥିବା ବେଳେ ପାଚେରି କାନ୍ଥରେ ଲେଖାଯାଇଥିବ କେତେକ ମହତ୍‌ବାଣୀ । ଗଛଲତା ନିକଟରେ ପାନୀୟଜଳ ବ୍ୟବହାର ପାଇଁ ହୋଇଥିବ ପାଣିଟ୍ୟାପ୍‌ର ସୁବ୍ୟବସ୍ଥା। ଖରାବେଳେ ଗଛମୂଳ ଛାଇରେ ବି ଟିକେ ବିଶ୍ରାମ ନେବାପାଇଁ ହୋଇଥାଏ ସୁବ୍ୟବସ୍ଥା। ଛୋଟପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏଠାରେ ଚଲାବୁଲା ନିମନ୍ତେ ତିଆରି ହୋଇଥାଏ ସୁନ୍ଦର ସୁରକ୍ଷିତ ରାସ୍ତା। ଏପରି ଉଦ୍ୟାନ ପରିସର ସର୍ବଦା ଥାଏ ସ୍ବଚ୍ଛ ସବୁଜ ଓ ସୁନ୍ଦର। ତେବେ ସେମିତି ଏକ ଉଦ୍ୟାନ ହୋଇଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୋଟଗରା ଗ୍ରାମପଞ୍ଚାୟତରେ । ଏହି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଲଳିତ ସାହୁ କୁହନ୍ତି, କୋଟଗରା ଗ୍ରାମପଞ୍ଚାୟତ ୧୯୯୨ରେ ସ୍ଥାପନ ହୋଇଛି। ଏହି ପଞ୍ଚାୟତରେ ୮ଟି ମୌଜା, ୧୩ଟି ଓ୍ବାର୍ଡ ଓ ୫ଟି ଶିକ୍ଷାନୁଷ୍ଠାନ ରହିଛି । ଗାଁର ଉତ୍ତର ଦିଗରେ ମାଣ୍ଡୁଖୁରା ଶିବମନ୍ଦିର, ପଶ୍ଚିମରେ ବ୍ରାହ୍ମଣୀଦେବୀଙ୍କ ପୀଠ ଓ ବିସ୍ତୃତ ଚାଷଜମି। ପୂର୍ବରେ ଗ୍ରାମ୍ୟଜଙ୍ଗଲ ଏବଂ ମା’ତାରିଣୀଙ୍କ ମନ୍ଦିର ରହିଛି। ସେହିପରି ଦକ୍ଷିଣ ପଟକୁ ରହିଛି କପିଳେଶ୍ୱର ଦେବଙ୍କ ପୀଠ। ଗ୍ରାମର ପଶ୍ଚିମ- ଦକ୍ଷିଣରେ ବ୍ରାହ୍ମଣୀ ନଦୀ ଓ ଇନ୍ଦ୍ରଜିତ ନାଳ ରହିଛି। ଏହି ଗାଁରେ ମୁଖ୍ୟତଃ ଦୋଳ, ଦଶହରା, ହୋଲି, ପଣାସଂକ୍ରାନ୍ତି ଆଦି ପର୍ବକୁ ଗ୍ରାମବାସୀ ଧୁମଧାମରେ ପାଳନ କରିଥାନ୍ତି। ଗ୍ରାମରେ ବାସକରୁଥିବା ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଅଧିକାଂଶ କୃଷି ଉପରେ ନିର୍ଭରଶୀଳ। ଗ୍ରାମପଞ୍ଚାୟତରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି। ଅନ୍ୟପକ୍ଷେ ୨୦୧୪-୧୫ ଆର୍ଥତ୍କ ବର୍ଷରେ କେତେକ ଗଠନମୂଳକ କାର୍ଯ୍ୟପାଇଁ କୋଟଗରା ଗ୍ରାମପଞ୍ଚାୟତ ଜିଲାସ୍ତରରେ ଶ୍ରେଷ୍ଠ ପଞ୍ଚାୟତରୂପେ ବିବେଚିତ ହୋଇଥିଲା। ତେବେ ୨୦୨୦ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କେତେକ ଯୋଜନାର ଆର୍ଥତ୍କ ଅନୁଦାନର ସହାୟତାରେ ପ୍ରାୟ୪୦ ଲକ୍ଷଟଙ୍କା ଖର୍ଚ୍ଚ କରାଯାଇ ଏହି ପଞ୍ଚାୟତର ସମ୍ମୁଖଭାଗରେ ପ୍ରାୟ ୨ଏକର ପରିମିତ ଜାଗାରେ ଏକ ସୁନ୍ଦର ଉଦ୍ୟାନ କରାଯାଇଛି। ଏହି ଉଦ୍ୟାନ ପରିସରରେ ଘାସ ଗାଲିଚା, ଓ୍ବାଟରପୁଲ୍‌, ରଙ୍ଗବେରଙ୍ଗର ଫୁଲଗଛ, ଦୋଳି, ବିଦ୍ୟୁତ୍‌ ଆଲୁଅ, ସିମେଣ୍ଟ ଚେୟାର, ସବୁଜଘର ଆଦି ତିଆରି କରାଯାଇଛି। ଏହି ପରିବେଶର ଯତ୍ନପାଇଁ ଜଣେ ମାଳୀଙ୍କୁ ଦାୟିତ୍ୱ ଦିଆଯାଇଛି। ମାତ୍ର ଉଦ୍ୟାନ ବା ପାର୍କର ପରିଚାଳନା ଦୃଷ୍ଟିରୁ ଏହାର ପରିସରକୁ ବୁଲିବାକୁ ଆସୁଥିବା ଲୋକଙ୍କଠାରୁ ସ୍ବଳ୍ପ ମୂଲ୍ୟର ଶୁଳ୍କ ଆଦାୟ କରାଯାଇଥାଏ। ଗ୍ରାମପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ରାଉତ କୁହନ୍ତି, ପାର୍କର ସୁରକ୍ଷା ଓ ରକ୍ଷଣାବେକ୍ଷଣ ନିମନ୍ତେ ପଞ୍ଚାୟତ ତରଫରୁ ପଦକ୍ଷେପ ନିଆଯାଇଥାଏ। ସରପଞ୍ଚ ସୁଲୋଚନା ଦଳେଇ କୁହନ୍ତି, ଏହି ପାର୍କ କିପରି ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି ସୁନ୍ଦର ପରିବେଶ କେବଳ ଗ୍ରାମବାସୀଙ୍କୁ ନୁହେଁ ଏଠାକୁ ଆସୁଥିବା ଅନ୍ୟମାନଙ୍କୁ ବି ଖୁସି ଦେଇଥାଏ ।

ଗାଁ ପାର୍କ ଭକ୍ତ ବଳରାମଙ୍କ ପୀଠର ସୌନ୍ଦର୍ଯ୍ୟ ବଢ଼ାଇଛି: ପୁରୀ ଜିଲାର ଗୋପ ବ୍ଲକ ଅଧୀନ ଏରବଙ୍ଗ ପଞ୍ଚାୟତ। ଏଠାରେ ରହିଛି ଭକ୍ତ ବଳରାମ ଦାସଙ୍କ ଜନ୍ମପୀଠ। ୨୦୨୦-୨୧ ଆର୍ଥତ୍କବର୍ଷରେ ଏହି ପୀଠ ନିକଟରେ ପ୍ରାୟ ୬୦ ହଜାର ବର୍ଗ ଫୁଟ୍‌ ପରିମିତ ଜାଗାରେ ଏକ ଗ୍ରାମୀଣ ପାର୍କ ତିଆରି କରାଯାଇଛି। ଯାହାର ନାମ ରହିଛି ‘ଭକ୍ତ ବଳରାମ ଦାସ ରୁରାଲ ପାର୍କ’। ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ସାହୁ କୁହନ୍ତି, ଏହି ପାର୍କରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ପ୍ରାୟ ୩୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଆହୁରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଗଲେ ପାର୍କ କାର୍ଯ୍ୟ ଶେଷ ହୋଇପାରିବ। ପାର୍କରେ ଆବଶ୍ୟକତା ଅନୁସାରେ ସିମେଣ୍ଟ ଚେୟାର, ଚଉତରା, ୩୦ ପ୍ରକାର ଫୁଲଗଛ, ପାଇଖାନା, ପରିସ୍ରାଗାର, ଦୋଳି ସହିତ ଅଧିକ ଆକର୍ଷଣୀୟ କରିବା ଲାଗି ସାଜସଜା କରାଯାଇଛି। ସରପଞ୍ଚ ରଶ୍ମିରେଖା ଦାଶ କୁହନ୍ତି, ଏହି ପାର୍କର ସୁରକ୍ଷା ନିମନ୍ତେ ସରକାରୀ ସ୍ତରରେ ଏଯାଏ ସେମିତି କିଛି ଆର୍ଥିକ ଯୋଜନା ନ ଥିବାରୁ ପଞ୍ଚାୟତ ଉଦ୍ୟମରେ ଗ୍ରାମର ଏକ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଏହି ପାର୍କର ଦାୟିତ୍ୱ ବୁଝୁଛନ୍ତି। ପାର୍କକୁ ଅଧିକ ସରସ ସୁନ୍ଦର ପାଇଁ ପ୍ରୟାସ କରାଯିବ।

ଗାଁ ପାର୍କ ବାଣ୍ଟୁଛି ସବୁଜ ବାର୍ତ୍ତା: ପୁରୀ ଜିଲାର ଗୋପ ବ୍ଲକ ଅଧୀନ ଗଡ଼ଭିଙ୍ଗୁରା ପଞ୍ଚାୟତରେ ପ୍ରାୟ ୮୦/୮୫ ବର୍ଗମିଟର ପରିମିତ ଅଞ୍ଚଳରେ ଏକ ଗ୍ରାମୀଣ ପାର୍କ ସୃଷ୍ଟି କରାଯାଇଛି। ପୂର୍ବତନ ସରପଞ୍ଚ ଶୁଭଶ୍ରୀ ନାୟକ କୁହନ୍ତି,ଏହି ପାର୍କ ପାଇଁ ପୂର୍ବରୁ ବିଭିନ୍ନ ସରକାରୀ ଯୋଜନା ଅନୁଦାନରେ ପ୍ରାୟ୨୫ ଲକ୍ଷ ଟଙ୍କାରୁ ଅଧିକ ବିନିଯୋଗ ହୋଇଛି। ଏଠାରେ ଆଲୋକୀକରଣ, ବସିବା ଲାଗି ଚେୟାର, ଘାସଗାଲିଚା ବିଭିନ୍ନ ଫୁଲଗଛ ଆଦି ବ୍ୟବସ୍ଥା କରାଯାଇଛି ।

ସମସ୍ତଙ୍କୁ ଖୁସି ଦେଉଛି ଗ୍ରାମୀଣ ପାର୍କ: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ମୁଣ୍ଡୋଘାଟ ପଞ୍ଚାୟତରେ ରହିଛି ଏକ ଗ୍ରାମୀଣ ପାର୍କ। ୨୦୨୧ ମାର୍ଚ୍ଚ ୨୧ ତାରିଖରେ ଏହି ପାର୍କ ଉଦ୍‌ଘାଟିତ ହୋଇଥିଲା। ଉଲୁଣ୍ଡା – ବୀରମହାରାଜପୁର ରାସ୍ତା ପାର୍ଶ୍ୱ ପ୍ରାୟ ୧ ଏକର ପରିମିତ ଅଞ୍ଚଳରେ ତିଆରି କରାଯାଇଥିବା ଏହି ପାର୍କରେ ବିଭିନ୍ନ ପ୍ରକାର ଫୁଲଗଛ ଲାଗିଛି । ପାର୍କ ପରିସରରେ ଛୋଟପିଲାଙ୍କ ଖେଳିବା ପାଇଁ ଦୋଳି ଓ ଅନ୍ୟାନ୍ୟ ବ୍ୟବସ୍ଥା ଅଛି। ପ୍ରାକ୍ତନ ଜିଲାପାଳ ମୋନୀଷା ବାନାର୍ଜୀ ଏହି ଜିଲାର ସବୁ ପଞ୍ଚାୟତରେ ଏଭଳି ପାର୍କ ନିର୍ମାଣ ପାଇଁ ଉଦ୍ୟମ କରିଥିଲେ। ପୂର୍ବତନ ସରପଞ୍ଚ ରଞ୍ଜିତା ଭୋଇଙ୍କ ଉଦ୍ୟମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, କେନ୍ଦ୍ର ଅର୍ଥ କମିଶନ ଓ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନରୁ ପ୍ରାୟ ୨୩ ଲକ୍ଷ ୯୫ ହଜାର ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ ହୋଇଛି। ଏହାର ସୁରକ୍ଷା ପଞ୍ଚାୟତର ପିଅନ ତଥା ରାତ୍ରି ଜଗୁଆଳି କରୁଥିବା ବେଳେ ଅନ୍ୟଜଣେ ବ୍ୟକ୍ତି ଯତ୍ନ ନେଉଛନ୍ତି। ବର୍ତ୍ତମାନର ସରପଞ୍ଚ କିଶୋର ଜଗଦଲା ଏହି ପାର୍କକୁ ଆହୁରି ସୁନ୍ଦର କରିବା ପାଇଁ ଯୋଜନା କରିଛନ୍ତି। ଏଥିପାଇଁ ଆର୍ଥିକ ବର୍ଷ ଯୋଜନାରେ ଏହି ପାର୍କର କେତେକ ଆବଶ୍ୟକ କାର୍ଯ୍ୟକୁ ବାସ୍ତବ ରୂପ ଦେବାପାଇଁ ପ୍ରୟାସ ଜାରିରଖିଛନ୍ତି।

ଗ୍ରାମୀଣ ଉଦ୍ୟାନ ବନ୍ଧୁତ୍ୱର ପରିଚୟ ସୃଷ୍ଟିକରୁଛି: ଗଞ୍ଜାମ ଜିଲାର ଦିଗପହଣ୍ଡିବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମପଞ୍ଚାୟତ। ଏହି ପଞ୍ଚାୟତ ଅଧୀନରେ ରହିଛି ଏକ ଗ୍ରାମୀଣ ଉଦ୍ୟାନ। ଗୋକର୍ଣ୍ଣପୁର ଛକରୁ ବାଙ୍କେଶ୍ୱରୀ ଯିବା ରାସ୍ତାର ବାମପଟେ ରହିଛି ଏହି ଉଦ୍ୟାନ। ପୂର୍ବତନ ସରପଞ୍ଚ ମିନତୀ କୁମାରୀ ଦେବୀ କୁହନ୍ତି,୨୦୨୦-୨୧ ମସିହା ଆଥିର୍ର୍କ ବର୍ଷରେ ପ୍ରାୟ ୫ଏକର ଜମିରେ ଉଦ୍ୟାନଟି ତିଆରି କରାଯାଇଛି। ଏଥିପାଇଁ ବିଭିନ୍ନ ସରକାରୀ ଯୋଜନାରୁ ପ୍ରାୟ ୫୦ରୁ ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା କୁହାଯାଉଛି। ଏହି ଉଦ୍ୟାନ ପରିସରରେ ସୁଇମିଂପୁଲ୍‌, ଯୋଗ ଅଭ୍ୟାସ ମଣ୍ଡପ, ବିଭିନ୍ନ ଫୁଲଗଛ, ବିଦ୍ୟୁତ୍‌ ଖୁଣ୍ଟ, ପ୍ରାୟ ୨୦ଟି ବେଞ୍ଚ, ପାନୀୟଜଳ, ଶୌଚାଳୟ, ଡଷ୍ଟବିନ, ଘାସଗାଲିଚା ରହିଛି। ତେବେ ସରପଞ୍ଚ ପି. ଆରତି ଦୋରା କୁହନ୍ତି, ପଞ୍ଚାୟତର ଏହି ଉଦ୍ୟାନକୁ ଅଧିକ ସୁନ୍ଦର କରାଯିବାପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

ପିଲାଙ୍କ ମନମୋହୁଛି ପାର୍କ: ନୟାଗଡ଼ଜିଲାର ନୟାଗଡ଼ବ୍ଲକ ଅନ୍ତର୍ଗତ ଜେମାଦେଈପୁର ପାଟଣା। ଏହି ଗ୍ରାମପଞ୍ଚାୟତ ଅଧୀନରେ ରହିଛି ଏକ ଗ୍ରାମୀଣ ପାର୍କ। ୨୦୨୦ ଏପ୍ରିଲ ୧୪ରେ କାର୍ଯ୍ୟକାରୀ ହୋଇଥିବା ଏହି ପାର୍କରେ ବିଭିନ୍ନ ଗଛଲତା ଲାଗିଛି। ଏଠାରେ ପିଲାମାନଙ୍କ ପାଇଁ ଖେଳନା, ସିମେଣ୍ଟ ତିଆରି ବାଘ, ହରିଣ, ବଗ ଇତ୍ୟାଦି ଜୀବଜନ୍ତୁଙ୍କ କଳାକୃତି ତିଆରି କରାଯାଇଛି। ପୂର୍ବତନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଗନବିହାରୀ ମିଶ୍ର କୁହନ୍ତି, ଏହି ପାର୍କ ନିର୍ମାଣ ବାବଦକୁ ସରକାରୀ ଯୋଜନାରେ ପ୍ରାୟ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ପାତ୍ର କୁହନ୍ତ, ପାର୍କରେ ଆଲୋକୀକରଣ କରାଯାଇଛି। ଆଗାମୀ ଦିନରେ ଗ୍ରାମବାସୀଙ୍କ ସହଭାଗିତାରେ ଏହି ପାର୍କର ସୁରକ୍ଷା ଓ ଯତ୍ନ ସହିତ ଅଧିକ ସରସ ସୁନ୍ଦର କିପରି ହୋଇପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି।
ସ୍ବଚ୍ଛ,ସବୁଜ ଓ ସୁନ୍ଦର ପରିବେଶ ସୃଷ୍ଟିକରୁଛି ରୁରାଲ୍‌ ପାର୍କ: ଭଦ୍ରକ ଜିଲା ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମପଞ୍ଚାୟତରେ ରହିଛି ଏକ ଗ୍ରାମୀଣ ପାର୍କ। ଏହି ପାର୍କର ନାମ ଜଗଦଳପୁର ରୁରାଲ୍‌ ପାର୍କ। ପୂର୍ବତନ ସରପଞ୍ଚ ବିଜୟ ମହାପାତ୍ର କୁହନ୍ତି, ଏହି ପାର୍କଟି ୨୦୨୧-୨୨ ଆର୍ଥିକ ବର୍ଷରେ ଆରମ୍ଭ ହୋଇଥିଲା। ତେବେ ଏହି ପାର୍କ ନିର୍ମାଣ ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସମେତ ଆଉକେତେକ ସରକାରୀ ଯୋଜନା ଅନୁଦାନରେ ପ୍ରାୟ ୨୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପାର୍କ ପରିସରରେ ପିଲାମାନଙ୍କ ଲାଗି ଖେଳନା ଓ କ୍ରୀଡ଼ା ସାମଗ୍ରୀ ରହିଛି। ଏଠାରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲଗଛ ଏବଂ ଔଷଧୀୟ ବୃକ୍ଷଲତା ଲଗାଯାଇଛି। ସୁରକ୍ଷିତ ପାଇଁ ପାର୍କ ଚାରିପଟକୁ ଘେରି ରହିଛି ପାଚେରି। ପାର୍କ ପରିସରରେ ଏକ ବ୍ୟାୟାମ ସ୍ଥଳ, ଯୋଗକେନ୍ଦ୍ର ରହିଛି। ଏକ ଶୌଚାଳୟ, ପାନୀୟଜଳର ସୁବିଧା କରାଯାଇଛି। ଏଠାରେ ସିମେଣ୍ଟର ଚେୟାର ତିଆରି କରାଯାଇଛି। ଏହି ଅଞ୍ଚଳର ସ୍ଥାନୀୟ ଜମିର ମାପ ଅନୁସାରେ ପ୍ରାୟ ଏକ ଗୁଣ୍ଠରୁ ଊର୍ଦ୍ଧ୍ୱ ପରିମିତ ଜାଗାରେ ପାର୍କଟି ତିଆରି କରାଯାଇଛି। ସବାଇଘାସ, ବିଭିନ୍ନ ଫୁଲଗଛ, ଜୀବଜନ୍ତୁଙ୍କ କୃତ୍ରିମ ପ୍ରତିକୃତି ତିଆରି କରାଯାଇ ଏହାର ଶୋଭାକୁ ବଢା ଯାଇପାରିଛି। ତେବେ ପ୍ରତିଦିନ ସକାଳେ ଓ ଦିନ ୩ଟାରୁ ରାତି ୯ଟା ଯାଏ ଏହି ପାର୍କ ଖୋଲା ରହିଥାଏ। ଏହାର ରକ୍ଷଣାବେକ୍ଷଣ ପାଇଁ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତିଦିନ ପ୍ରାୟ ୨ଶହରୁ ୩ଶହ ଲୋକ ଏଠାକୁ ଆସିଥାନ୍ତି। ସରପଞ୍ଚ ତିଳୋତ୍ତମା ମହାପାତ୍ର କୁହନ୍ତି, ଏହି ପାର୍କକୁ ଅଧିକ ସୁନ୍ଦର କରାଯିବା ପାଇଁ ପ୍ରୟାସ ଜାରିରହିଛି। ଅନ୍ୟପକ୍ଷେ, ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ଅନେକ ଗ୍ରାମୀଣ ଉଦ୍ୟାନ ରହିଛି। ଏଥିଯୋଗୁ ସ୍ଥାନୀୟ ଗ୍ରାମବାସୀଙ୍କ ସହଭାଗିତାରେ ତିଆରି କରାଯାଇଥିବା ଗ୍ରାମୀଣ ଉଦ୍ୟାନ ଲୋକଙ୍କ ଆମୋଦ ପ୍ରମୋଦରେ ବେଶ୍‌ ସହାୟକ ହୋଇପାରୁଛି।

-ବନବିହାରୀ ବେହେରା, ଭାରତୀ ଭୂଷଣ ଉପାଧ୍ୟାୟ, ଅଶେଷନାଥ ମିଶ୍ର, ମୃତ୍ୟୁଞ୍ଜୟ ଶତପଥୀ, ବିଭୁପ୍ରସାଦ ବେହେରା, ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri