ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ ଅଧିକ ବଢ଼ୁଛି ଭୂତଳ ଜଳ ଉପରେ ନିର୍ଭରଶୀଳତା। ତେବେ ଏହା ମଧ୍ୟ ପ୍ରଦୂଷଣମୁକ୍ତ ନୁହେଁ। ଅନେକ ସ୍ଥାନରେ ଏହାର ପାନୀୟ ତଥା ସେଚନ ଉପଯୋଗିତା ନ ଥିବା ଜଣାପଡ଼ିଲାଣି। ଏଥିରେ ଥିବା ବିଭିନ୍ନ ବିବିଧ ପ୍ରଦୂଷକମାନଙ୍କ ମଧ୍ୟରେ ମାରାତ୍ମକ ହେଲେ ଆର୍ସେନିକ, ଫ୍ଲୋରାଇଡ୍‌ ଏବଂ ସୀସା, ପାରଦ, କାଡମିୟମ ଆଦି ବିବିଧ ଭାରିଧାତୁ। ଏଗୁଡିକ ନାନାରୂପେ ଆମ ଶରୀର ମଧ୍ୟକୁ ପ୍ରବେଶ କରୁଛନ୍ତି। ଫଳରେ ସୃଷ୍ଟି ହେଉଛି ବିବିଧ ସ୍ବାସ୍ଥ୍ୟ ସମସ୍ୟା। ଏବେ ଏଥିରେ ୟୁରାନିୟମର ମଧ୍ୟ ସନ୍ଧାନ ମିଳିଲାଣି। ଆମ ଦେଶର ୧୨ଟି ରାଜ୍ୟର ଭୂତଳ ଜଳ ଏହାଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେବାର ଜଣାପଡ଼ିଛି।
ଏଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ପଞ୍ଜାବ। ସେଠାରେ ପ୍ରତି ୧୦ଟି କୂପର ଜଳ ମଧ୍ୟରୁ ତିନୋଟିରେ ଏହାର ଘନତ୍ୱ ଭାରତୀୟ ମାନକ ବ୍ୟୁରୋ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ନିର୍ଦ୍ଧାରିତ ନିରାପଦ ମାତ୍ରା ‘ପ୍ରତି ବିଲିୟନ ଭାଗରେ ୩୦ ଭାଗ’ରୁ ଅଧିକ ହେବାର ଦେଖାଯାଇଛି। ହାରାହାରି ଭାବେ ଏହା ତା’ର ୧୭.୭ ଗୁଣ ଏବଂ କେତେକ ସ୍ଥାନରେ ଅତ୍ୟଧିକ ଅର୍ଥାତ୍‌ ପ୍ରତି ବିଲିୟନ ଭାଗରେ ୫୩୨ ଭାଗରେ ପହଞ୍ଚତ୍ଛି।
ପ୍ରାୟ ୨୯ ପ୍ରତିଶତ ଭୂତଳ ଜଳରେ ଅଧିକ ୟୁରାନିୟମ୍‌ ଥିବା ପଞ୍ଜାବକୁ ବାଦ୍‌ ଦେଲେ ଯେଉଁ ରାଜ୍ୟଗୁଡିକ ଏହାଦ୍ୱାରା ବିଶେଷଭାବରେ ପ୍ରଭାବିତ ସେଗୁଡିକ ହେଲେ ହରିୟାଣା (୧୪.୪ ପ୍ରତିଶତ), ଉତ୍ତର ପ୍ରଦେଶ (୯.୨ ପ୍ରତିଶତ), ରାଜସ୍ଥାନ (୮.୬ ପ୍ରତିଶତ), ଦିଲ୍ଲୀ (୩.୯ ପ୍ରତିଶତ), ଓଡ଼ିଶା (୦.୬୯ ପ୍ରତିଶତ), ତେଲଙ୍ଗାନା (୧.୪୩ ପ୍ରତିଶତ), ଛତିଶଗଡ଼ (୦.୧୨ ପ୍ରତିଶତ), ତାମିଲନାଡୁ (୩.୪ ପ୍ରତିଶତ) ଏବଂ ମଧ୍ୟପ୍ରଦେଶ (୧.୩ ପ୍ରତିଶତ)। ଏଗୁଡିକ ବ୍ୟତୀତ ୨୦୧୯ ମସିହାରେ ଅନୁଷ୍ଠିତ ସର୍ବେକ୍ଷଣ ଅନୁସାରେ ଭୂତଳ ଜଳରେ ମାତ୍ରାଧିକ ୟୁରାନିୟମ ଥିବା ଅନ୍ୟ ରାଜ୍ୟଗୁଡିକ ହେଲା-ଆନ୍ଧ୍ର ପ୍ରଦେଶ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, ଗୋଆ, ବିହାର, କର୍ନାଟକ, ପଶ୍ଚିମବଙ୍ଗ (ଗ୍ରାଉଣ୍ଡ ଓ୍ବାଟର ଇୟର ବୁକ୍‌ ୨୦୨୧-୨୦୨୨ ଅନୁସାରେ)।
ଏହି ତେଜଷ୍କ୍ରିୟ ଧାତୁଟି ଏକ ବୃକ୍‌ବିଷ। ଅତଏବ ଏହାଦ୍ୱାରା ସଂକ୍ରମିତ ଜଳ ପାନ କରୁଥିବା ଲୋକଙ୍କର ବୃକ୍‌କ ବା କିଡ୍‌ନୀ ଠିକ୍‌ ଭାବରେ କାମ କରେ ନାହିଁ ଏବଂ ତାହା ମଧ୍ୟ ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ପୁନଶ୍ଚ ୟୁରାନିୟମ ପ୍ରତି ଉନ୍ମୁକ୍ତ ରହିବା ଅସ୍ଥି କ୍ଷୟ, କିଡ୍‌ନୀ ଏବଂ ପରିସ୍ରା ନଳୀରେ କ୍ୟାନ୍‌ସରର କାରଣ ମଧ୍ୟ ହୋଇପାରେ। ଶିଶୁ, ବୃଦ୍ଧ ଓ ପୂର୍ବରୁ କୌଣସି କିଡ୍‌ନୀ ରୋଗରେ ପୀଡ଼ିତ ଥିବା ଲୋକ ଏହାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି। ୟୁରାନିୟମ ଏକ ତେଜଷ୍କ୍ରିୟ ପଦାର୍ଥ ହୋଇଥିଲେ ହେଁ ପାନୀୟ ଜଳରେ ତାହା ରାସାୟନିକ ବିଷ ରୂପେ କାର୍ଯ୍ୟ କରେ।
ଭୂତଳ ଜଳକୁ ୟୁରାନିୟମ ଆସିଥାଏ ମୁଖ୍ୟତଃ ଭୂଜନିତ ପ୍ରକ୍ରିୟା ମାଧ୍ୟମରେ। ତେବେ ତାହାର ଅତ୍ୟଧିକ ଉତ୍ତୋଳନକୁ ମଧ୍ୟ ଅନ୍ୟ ଏକ କାରଣ ରୂପେ ଗ୍ରହଣ କରାଯାଏ। ଡ୍ୟୁକ ବିଶ୍ୱବିଦ୍ୟାଳୟର ଗବେଷକମାନଙ୍କ ମତରେ ଭୂତଳ ଜଳାଧାର ତହିଁରେ ମିଶିବା ଲାଗି ଅଧିକ ମାତ୍ରାରେ ଦାୟୀ। ପୁନଶ୍ଚ ଏହାର ଘନତ୍ୱ ଅତ୍ୟଧିକ ଥିବା ସ୍ଥାନଗୁଡିକରେ ‘ବାଇକାର୍ବୋନେଟ୍‌’ର ମାତ୍ରା ମଧ୍ୟ ଖୁବ୍‌ ବେଶି। ଉକ୍ତ ରସାୟନଟି ଶିଳା ଉତ୍ସରୁ ୟୁରାନିୟମ ନିର୍ଗତ କରାଏ ବୋଲି ମତ ଦିଅନ୍ତି ଉକ୍ତ ଗବେଷକ ଦଳର ମୁଖ୍ୟ ରାଚେଲ କୋୟଟେ। ସେ ମଧ୍ୟ ସତର୍କ କରାନ୍ତି ଯେ, ଏହା ପଛରେ କେତେକ ମାନବକୃତ କାରଣ ମଧ୍ୟ ରହିଥାଇପାରେ। ଉଦାହରଣସ୍ବରୂପ, ଅତ୍ୟଧିକ ଭୂତଳ ଜଳ ଉତ୍ତୋଳନ, ଏହାର ସ୍ତର ହ୍ରାସ କ୍ଷେତ୍ରରେ ରାସାୟନିକ ସାରର ବହୁଳ ବ୍ୟବହାର ଏବଂ ନାଇଟ୍ରେଟ୍‌ ପ୍ରଦୂଷଣ ଏହି ସମସ୍ୟାକୁ ବୃଦ୍ଧି କରାଇଥାଏ। ଦେଶର ପ୍ରାୟ ସମସ୍ତ ଭୂତଳ ଜଳାଧାରଗୁଡ଼ିକୁ ଅତ୍ୟଧିକ ଜଳ ବ୍ୟବହାର ଏବଂ ତାହାଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ବିଷୟରେ ଭାବା ଆଣବିକ କେନ୍ଦ୍ର ଏବଂ ହୋମିଭାବା ଜାତୀୟ ପ୍ରତିଷ୍ଠାନ ଦ୍ୱାରା ୨୦୨୧ ମସିହାରେ ନିଶ୍ଚିତ କରାଯାଇଥିଲା। ତହିଁରେ ଆର୍ସେନିକ, ଫ୍ଲୋରାଇଡ୍‌ ଏବଂ ୟୁରାନିୟମର ମାତ୍ରା ବୃଦ୍ଧି ହେବାର ଅନ୍ୟତମ ମୁଖ୍ୟ କାରଣ।
ଏଠାରେ ସୂଚନାଯୋଗ୍ୟ ଯେ, ଗତବର୍ଷ ଗବେଷଣା ପତ୍ରିକା ‘ନେଚର’ରେ ପ୍ରକାଶିତ ଏକ ନିବନ୍ଧ ଅନୁସାରେ ବିହାରର ୬ଟି ଜିଲାରେ ମା’ କ୍ଷୀରରେ ୟୁରାନିୟମର ସନ୍ଧାନ ମିଳିଛି। ଅବଶ୍ୟ ଏହା ତୁଳନାତ୍ମକ ଭାବରେ କମ୍‌। ତେବେ ଶିଶୁ ତାହା ଦୀର୍ଘଦିନ ଧରି ପାନ କରିବା ଦ୍ୱାରା ବିବିଧ ସ୍ବାସ୍ଥ୍ୟଜନିତ ସମସ୍ୟା ସୃଷ୍ଟି କରିପାରେ ବୋଲି ମନେ କରାଯାଉଛି। ସମ୍ଭବତଃ ମା’ର ଶରୀରରେ ଏହି ମୌଳିକ ପଦାର୍ଥଟି ପାନୀୟ ଜଳ ମାଧ୍ୟମରେ ହିଁ ଆସୁଛି। ଏପରି ସ୍ଥଳେ କ୍ଷେତରେ ସେଚିତ ଜଳରୁ ଏହା ଶସ୍ୟ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ।
ସାଧାରଣ ଭାବେ ଭୂତଳଜଳକୁ ୟୁରାନିୟମୁକ୍ତ କରିବା ଲାଗି ଏବେ କୌଣସି ବ୍ୟବସ୍ଥା ନାହିଁ। ତେବେ ପାନୀୟ ଜଳକୁ ବିଶୋଧନ ଲାଗି ଭାବା ପରମାଣୁ ଗବେଷଣା କେନ୍ଦ୍ର ଏବଂ ମିଶ୍ର ବସ୍ତୁ ପରଦା ପଦ୍ଧତି ବା ‘ହାଇବ୍ରିଡ ମେମ୍ବ୍ରେନ୍‌ ଟେକନିକ’ର ବିକାଶ ଘଟାଉଛି। ପୁନଶ୍ଚ ଓଲଟା ପରାସରଣ ବା ‘ରିଭର୍ସ ଅସମୋସିସ୍‌’ ପ୍ରକ୍ରିୟାରେ ଜଳକୁ ତହିଁରୁ ବିମୁକ୍ତ କରି ପାନୀୟ ରୂପେ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହେଉଛି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୩୦୧୪୬୦

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?