
ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲୀୟ ବାୟୁସେନା ମଧ୍ୟ ଏହି କୋପ ନର୍ଥ-୨୨ ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣ କରିଛନ୍ତି।
ଗୁଆମର ଆଣ୍ଡରସେନ ବାୟୁସେନା ବେସ୍ରେ ଆୟୋଜିତ ଏହି ଯୁଦ୍ଧାଭ୍ୟାସରେ ଏଲିଫ୍ୟାଣ୍ଟ ଓ୍ବାକ୍ କରି ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଯୁଦ୍ଧାଭ୍ୟାସରେ ୧୩୦ ବିମାନ ଏକକାଳୀନ ରନୱେରେ ଧାଡି ହୋଇ ରହିଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିମାନଗୁଡ଼ିକ ଏକାସାଙ୍ଗରେ ଆକାଶ ମାର୍ଗରେ ବହୁ ଯୁଦ୍ଧାଭ୍ୟାସ ମଧ୍ୟ କରିଥିଲେ।
ଚାଇନା ଠାରୁ ୨୯୦୦ କିଲୋମିଟର ଦୂରରେ ଆଣ୍ଡରସେନ ବାୟୁସେନା ବେସ୍ ରହିଛି। ଆମେରିକାର ଶକ୍ତି ପ୍ରଦର୍ଶନକୁ ବେଜିଂ ଏବଂ ମସ୍କୋ ପାଇଁ ସିଧାସଳଖ ଚେତାବନୀ ଭାବରେ ଦେଖାଯାଉଛି । ପ୍ରଶାନ୍ତ ମହାସାଗରରେ ଆମେରିକାର ବୃହତ୍ତମ ନୌସେନା ଏବଂ ବାୟୁ ବେସସ୍ ହେଉଛି ଗୁଆମ ।
ଆମେରିକା ଏହି ବେସ୍ ମାଧ୍ୟମରେ ଉତ୍ତର କୋରିଆ ଉପରେ ମଧ୍ୟ ନଜର ରଖିଛି। ଏହା ବ୍ୟତୀତ ଆମେରିକାର ନୌସେନାର ସପ୍ତମ ଫ୍ଲାଇଟ ମଧ୍ୟ ଜାପାନରେ ରହିଛି। ଏଭଳି ପରିସ୍ଥିତିରେ, ହଜାର ହଜାର କିଲୋମିଟର ଦୂରରେ ରହିବା ସତ୍ତ୍ୱେ ଆମେରିକା ଏସିଆର ଏକ ବଡ଼ ରଣନୀତି ଏବଂ ସାମରିକ ଉପସ୍ଥିତି ଜାହିର କରିପାରିଛି।
ଏହି ମିଳିତ ଯୁଦ୍ଧାଭ୍ୟାସ ଫେବୃଆରୀ ୧୮ ପର୍ଯ୍ୟନ୍ତ ଜାରି ରହିବ। ଏଥିରେ୨୫୦୦ ରୁ ଅଧିକ ଆମେରିକୀୟ ବିମାନ କର୍ମଚାରୀ, ସାମୁଦ୍ରିକ ତଥା ନାବିକ ଅଂଶଗ୍ରହଣ କରୁଛନ୍ତି। ଏହା ବ୍ୟତୀତ ଜାପାନ ଏବଂ ଅଷ୍ଟ୍ରେଲିଆର ୧୦୦୦ ନାବିକ ମଧ୍ୟ ଏଥିରେ ସାମିଲ ରହିଛନ୍ତି।
୧୯୭୮ଠାରୁ ଆମେରିକା ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ୧୯୯୯ ପର୍ଯ୍ୟନ୍ତ ଜାପାନର ମିସାୱା ଏୟାର ବେସ୍ରେ ଏହି ଯୁଦ୍ଧାଭ୍ୟାସ କରା ଯାଉଥିଲା। ପରେ ଏହାକୁ ଗୁଆମର ଆଣ୍ଡର୍ସେନ ଏୟାର ଫୋର୍ସ ବେସକୁ ସ୍ଥାନାନ୍ତର କରାଯାଇଥିଲା।