ଗୁରୁତ୍ୱବିହୀନ ଭୋଟର

ଏଥର ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ମାନ୍ଦା। ଖରା ଓ ତାତିରେ ପ୍ରାର୍ଥୀମାନେ ଘାଇଲା ହୋଇପଡ଼ିଥିବାବେଳେ ରାଜନୈତିକ କର୍ମୀ ଅସ୍ତବ୍ୟସ୍ତ। କର୍ମୀଙ୍କ ଅନୁଯାୟୀ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣି ହେଉନାହିଁ। ସବୁ ଦଳ ନିଜ ସପକ୍ଷରେ ‘ହାଓ୍ବା’ ଅଛି ବୋଲି କହୁଥିବାବେଳେ ସାଧାରଣ ଭୋଟରଙ୍କ ମାନସିକତା ଅତ୍ୟନ୍ତ ଥଣ୍ଡା ପଡ଼ିଯାଇଛି। ବିଶେଷକରି ଓଡ଼ିଶାରେ କୌଣସି ମୋଦି ହାଓ୍ବା କିମ୍ବା ନବୀନ ହାଓ୍ବା ଦେଖିବାକୁ ମିଳୁନାହିଁ। କେତେକ ଭୋଟରଙ୍କ କହିବା ଅନୁଯାୟୀ ଏଥର ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ନିର୍ଣ୍ଣୟ ହେବ। ଏଠାରେ ମନେପଡ଼େ ଏକ ହିନ୍ଦୀ ସିନେମାରେ ଶାହରୁଖ୍‌ ଖାନ୍‌ଙ୍କ ସଂଳାପ। ତାଙ୍କ କହିବା ଅନୁଯାୟୀ ଦଶଟଙ୍କିଆ କଲମ କିଣିବା ପୂର୍ବରୁ କାଗଜରେ ଲେଖିକରି ଚିରିପକାଉ। ସାବୁନ କିଣିବା ପୂର୍ବରୁ ଦୋକାନୀଙ୍କୁ ତା’ର ସୁଗନ୍ଧ ଓ ଫେଣ ବିଷୟରେ ପଚାରୁ। ମୋଟର ସାଇକେଲ କିଣିବା ପୂର୍ବରୁ ତା’ର ମାଇଲେଜ୍‌ ଏବଂ ବିକ୍ରି ପରେ ସର୍ଭିସ ସମ୍ପର୍କରେ ଘନ ଘନ ପ୍ରଶ୍ନ ପଚାରୁ। ଏମିତିକି ମଶାଧୂପ କିଣିବା ପୂର୍ବରୁ ସେଥିରୁ ଦୁର୍ଗନ୍ଧ ଆସିବ କି ପଚାରିବା ସହିତ ତାହା ମଶା ମାରିବାରେ ସଫଳ ହେବ କି ବୋଲି ଅନେକ ପ୍ରଶ୍ନ ଦୈନନ୍ଦିନ ଜୀବନରେ ଭାରତର ନାଗରିକ ପଚାରିଥାଆନ୍ତି। କିନ୍ତୁ ଯେତେବେଳେ ଭୋଟ ସମୟ ଆସେ ସେତେବେଳେ ଦୀର୍ଘ ୫ ବର୍ଷରେ ପିଲାଙ୍କ ଶିକ୍ଷା ପାଇଁ କେଉଁ ପ୍ରକାର ଚିନ୍ତା, ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ କ’ଣ କରିବା ଉଚିତ ଏବଂ ସମଗ୍ର ରାଜ୍ୟ ଓ ଦେଶକୁ ଆଗେଇନେବା ପାଇଁ କେଉଁପ୍ରକାର ଚିନ୍ତା କରାଯାଉଛି, ସେ ସମ୍ବନ୍ଧରେ ପ୍ରଶ୍ନ କରିବାକୁ କେହି ଆଗେଇ ଆସୁନାହାନ୍ତି। ଫଳରେ କେବଳ ଧର୍ମ, ଜାତି ନଚେତ୍‌ ମାଗଣା ମିଳିପାରୁଥିବା ସୁବିଧା ସମ୍ପର୍କରେ ଆମକୁ ନିର୍ଦ୍ୱନ୍ଦ୍ୱରେ ରାଜନେତାମାନେ ବକିଚାଲିଛନ୍ତି। କିଏ ୪୦୦ ପାର୍‌ ଧ୍ୱନି ଦେଉଥିବା ବେଳେ ଅନ୍ୟ କିଏ ଦାୟାଦ ଖୋଜିବା ପ୍ରକ୍ରିୟାରେ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି। ଏହାଫଳରେ ବାସ୍ତବ ସମସ୍ୟା ସମ୍ପୂର୍ଣ୍ଣ ଭାବେ ପରଦାପଛରେ ରହିଯାଉଛି। ଭୋଟରଙ୍କ ସମୟ ଅଭାବ ସହିତ ମୂଳ ପ୍ରଶ୍ନ ପଚାରିବାର ଅନିଚ୍ଛା ଆସନ୍ତା ଦିନଗୁଡ଼ିକରେ ଭାରତକୁ ଗଭୀର ଚୋଟ ପକାଇବ ବୋଲି ନିଃସନ୍ଦେହରେ କହିହେବ।
ନିକଟରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ପରିବାରରେ ନିଟ୍‌ ସଞ୍ଚୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଗତ ୩ ବର୍ଷରେ ଏହି ପରିମାଣ ୯ ଲକ୍ଷ କୋଟି ଟଙ୍କା କମିଛି। ପରିବାର ଚଳାଇବା ସକାଶେ ଲୋକେ ସଞ୍ଚତ୍ତ ଅର୍ଥକୁ ବ୍ୟୟ କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଦେଶରେ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ହେଲେ ଏବେ ଦେଶରେ ଚାଲିଥିବା ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକ ଅର୍ଥନୈତିକ ପ୍ରସଙ୍ଗକୁ ଅଣଦେଖା କରିଚାଲିଛନ୍ତି। ଶାସକ ଦଳ ସ୍ବାଭାବିକ ଭାବେ ଏହାଠାରୁ ଦୂରେଇ ରହିବାକୁ ଚାହିଁବ। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରୁ ନ ଥିବାରୁ ଆଗକୁ ନିର୍ବାଚନ ଫଳାଫଳ କେଉଁ ଆଡ଼କୁ ଯିବ କହିବା ମୁସ୍କିଲ।
ସବୁ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। କାରଣ କେନ୍ଦ୍ରୀୟ ନୀତି ସଂଘୀୟ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଥାଏ। ବର୍ତ୍ତମାନ ଭାରତରେ ପାର୍ଲାମେଣ୍ଟ ନିର୍ବାଚନ ଚାଲିଛି। ଅଧିକ ଆସନ ଲାଭ କରି କ୍ଷମତା ହାତେଇବା ପାଇଁ ସବୁ ଦଳ ଏବେ ଗ୍ୟାରେଣ୍ଟି ଉପରେ ଗ୍ୟାରେଣ୍ଟି ଦେଇଚାଲିଛନ୍ତି। କିନ୍ତୁ ଯେଉଁ ପ୍ରସଙ୍ଗ ଭାରତୀୟମାନଙ୍କୁ ସର୍ବାଧିକ ପ୍ରଭାବିତ କରୁଛି, ତନ୍ମଧ୍ୟରୁ ଅର୍ଥନୈତିକ ଦିଗକୁ ପ୍ରାଧାନ୍ୟ ଦିଆଯିବା କଥା। କାରଣ ଦେଶ ବିକାଶର ମୂଳ ପିଣ୍ଡ ଏକ ସୁଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ଏବେ ଦେଖାଯାଉଛି ଶାସକ ଦଳ ଧର୍ମକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭଳି ସମ୍ବେଦନଶୀଳ ବିଷୟକୁ ନେଇ ଲୋକଙ୍କ ପାଖକୁ ଯାଉଛି। କିନ୍ତୁ ଭାଜପାର କୌଣସି ପ୍ରାର୍ଥୀ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଲଢ଼ିବାକୁ ସାହସ କରିନାହାନ୍ତି। ବାସ୍ତବରେ ଦେଖିଲେ ଏହିସବୁ ବିଷୟ ସାଧାରଣ ନାଗରିକର ଜୀବନଧାରଣରେ ସେଭଳି ପରିବର୍ତ୍ତନ ଆଣି ପାରିବ ନାହିଁ। ଗୋଟେ ‘ଘୋ’ ସୃଷ୍ଟି କରି ଦେଶପ୍ରେମୀ ବା ଜାତୀୟତାବାଦୀ ଦେଖେଇ ହେବାର ଯେଉଁ ପ୍ରଚେଷ୍ଟା କରାଯାଉଛି, ତାହା ଦେଶକୁ ଦୀର୍ଘମିଆଦୀ ଲାଭ ଦେବ ନାହିଁ। ତଥାପି ଥୋକେ ସେହି ଦଳକୁ ସମର୍ଥନ କରିବାରେ ଲାଗି ପଡ଼ିଛନ୍ତି। ଯେତେବେଳେ କେହି ଅର୍ଥନୈତିକ ପ୍ରସଙ୍ଗ ଉପରେ ପ୍ରଶ୍ନ କରୁଛନ୍ତି, ସେତେବେଳେ ଭାରତ ଖୁବ୍‌ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାକୁ ଯାଉଛି ବୋଲି ଆଶ୍ୱାସନା ଦିଆଯାଉଛି। କିନ୍ତୁ କେଉଁ ଧାରାରେ ଯାଇ ଏହା ତା’ ଇପ୍ସିତ ଲକ୍ଷ୍ୟ ପୂରଣ କରିବ, ସେହି ଗ୍ରାଫ୍‌ ବିଷୟରେ କେଉଁଠାରେ ସୂଚନା ଦିଆଯାଉ ନାହିଁ। ଅନ୍ୟପକ୍ଷରେ ଏଠାରେ ବିରୋଧୀ ଦଳଗୁଡ଼ିକ ଶାସକ ଦଳର ଦୁର୍ବଳତାକୁ ଠିକ୍‌ ଭାବେ ଉପସ୍ଥାପିତ କରିବା ଦିଗରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉ ନ ଥିବା ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ଜାତିଭିତ୍ତିକ ଭୋଟ ବିଷୟରେ ସର୍ବାଧିକ ପ୍ରାଧାନ୍ୟ ଦେଉଥିବାରୁ ଅର୍ଥନୀତି ପ୍ରସଙ୍ଗ ଜୋର ଧରିପାରୁ ନାହିଁ। ନିର୍ବାଚନୀ ଇସ୍ତାହାରରେ ବେକାରି ସମସ୍ୟା ଓ ଦେଶର ଆର୍ଥିକ ସ୍ଥିତି ନେଇ ଏମାନେ ଉଲ୍ଲେଖ କରୁଥିଲେ ମଧ୍ୟ ପ୍ରକୃତ ମଞ୍ଚରେ ଛିଡ଼ା ହେଲା ବେଳକୁ ଶାସକ ବର୍ଗଙ୍କ ଅପ୍ରସଙ୍ଗଜନିତ ବିଷୟକୁ ମୁକାବିଲା କରିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି।
ପାଶ୍ଚାତ୍ୟ ନିର୍ବାଚନରେ ଅର୍ଥନୀତି, ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଏବଂ ବହିର୍ବ୍ୟାପାର ସମ୍ପର୍କରେ ଆଲୋଚନା ଓ ବିତର୍କ ହେଉଥିବା ଦେଖିବାକୁ ମିଳିଥାଏ। ଫଳରେ ଭୋଟର ପ୍ରତ୍ୟେକ ରାଜନୈତିକ ଦଳର ଅଭିମୁଖ୍ୟ ବୁଝିବାରେ ସକ୍ଷମ ହୋଇଥାଆନ୍ତି। ସେହି ଅନୁଯାୟୀ ସେମାନେ ଦଳର ନୀତିକୁ ଦେଖି ମତଦାନ କରିଥାଆନ୍ତି। ଭାରତରେ ଅନେକ ସଚେତନ ନାଗରିକ ଅଛନ୍ତି। ମାତ୍ର ଅଧିକାଂଶ କାହା କଥାରେ ପଡ଼ି ଗୋଟେ ସ୍ରୋତରେ ଭାସିଯିବାକୁ ଚାହଁୁଥିବାରୁ ଫଳାଫଳ ଅନେକ ସମୟରେ ଦେଶ ହିତରେ ଯାଉ ନ ଥିବା ଲକ୍ଷ୍ୟ କରାଯାଉଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟ ବହିର୍ବ୍ୟାପାର, ଖାଦ୍ୟ ଏବଂ ଜାତୀୟ ସୁରକ୍ଷା ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆଲୋଚନାକୁ ଆଣିବା ପାଇଁ ଅନିଚ୍ଛୁକ ଥିଲାଭଳି ମନେହେଉଛି। ସ୍ବାଧୀନତା ପରେ ଦେଶ ଅନେକ ନିର୍ବାଚନ ଦେଖିଲାଣି। ଏବେ ସମୟ ଆସିଲାଣି ନାଗରିକର ଜୀବନ ଧାରଣରେ ପରିବର୍ତ୍ତନ ଆଣିପାରୁ ଥିବା ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଦରକାର। ନିର୍ବାଚନ ରଣାଙ୍ଗନରେ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିବ। ତଥାପି ସାମାନ୍ୟ କଥାରେ ବାକ୍‌ ବିତଣ୍ଡା ନ କରି ଦେଶର ସ୍ବାର୍ଥକୁ ସର୍ବାଗ୍ରେ ରଖାଯାଇ ପଦକ୍ଷେପ ନିଆଯିବାର ସମୟ ଆସିଲାଣି। କିନ୍ତୁ ଦେଶର ସ୍ବାର୍ଥ ଧର୍ମ ଓ ଜାତି ମାଧ୍ୟମରେ ସୁରକ୍ଷିତ କରାଯାଇପାରିବ ବୋଲି ବିଶ୍ୱାସ କରିବାର ଯୁଗ ଆଉ ନାହିଁ। ଅପରପଟେ ଯୁବକଙ୍କୁ କେବଳ କୌଶଳୀ କରିଦେଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ ବୋଲି ମଧ୍ୟ ବିଶ୍ୱାସ ହେଉନାହିଁ। ସେଥିପାଇଁ କିଏ କେଉଁଭାବେ ଚିନ୍ତାକରି ମାର୍ଗ ଦର୍ଶାଉଛି ହେବାକଥା ମୂଳ ଲକ୍ଷ୍ୟ। ତେବେ ଆମେ ଭୋଟର ଭିଡ଼ରେ ଛିଡ଼ା ହୋଇ କେବଳ ପ୍ରଚାର ଶୁଣିବାରେ ସନ୍ତୁଷ୍ଟ ହୋଇଯାଉଥିବାରୁ ଆମକୁ କେହି ଗୁରୁତ୍ୱ ଦେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri