ଗୁରୁତ୍ୱବିହୀନ ଭୋଟର

ଏଥର ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ମାନ୍ଦା। ଖରା ଓ ତାତିରେ ପ୍ରାର୍ଥୀମାନେ ଘାଇଲା ହୋଇପଡ଼ିଥିବାବେଳେ ରାଜନୈତିକ କର୍ମୀ ଅସ୍ତବ୍ୟସ୍ତ। କର୍ମୀଙ୍କ ଅନୁଯାୟୀ ଜନସାଧାରଣଙ୍କ ପ୍ରତିକ୍ରିୟା ଜାଣି ହେଉନାହିଁ। ସବୁ ଦଳ ନିଜ ସପକ୍ଷରେ ‘ହାଓ୍ବା’ ଅଛି ବୋଲି କହୁଥିବାବେଳେ ସାଧାରଣ ଭୋଟରଙ୍କ ମାନସିକତା ଅତ୍ୟନ୍ତ ଥଣ୍ଡା ପଡ଼ିଯାଇଛି। ବିଶେଷକରି ଓଡ଼ିଶାରେ କୌଣସି ମୋଦି ହାଓ୍ବା କିମ୍ବା ନବୀନ ହାଓ୍ବା ଦେଖିବାକୁ ମିଳୁନାହିଁ। କେତେକ ଭୋଟରଙ୍କ କହିବା ଅନୁଯାୟୀ ଏଥର ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ନିର୍ଣ୍ଣୟ ହେବ। ଏଠାରେ ମନେପଡ଼େ ଏକ ହିନ୍ଦୀ ସିନେମାରେ ଶାହରୁଖ୍‌ ଖାନ୍‌ଙ୍କ ସଂଳାପ। ତାଙ୍କ କହିବା ଅନୁଯାୟୀ ଦଶଟଙ୍କିଆ କଲମ କିଣିବା ପୂର୍ବରୁ କାଗଜରେ ଲେଖିକରି ଚିରିପକାଉ। ସାବୁନ କିଣିବା ପୂର୍ବରୁ ଦୋକାନୀଙ୍କୁ ତା’ର ସୁଗନ୍ଧ ଓ ଫେଣ ବିଷୟରେ ପଚାରୁ। ମୋଟର ସାଇକେଲ କିଣିବା ପୂର୍ବରୁ ତା’ର ମାଇଲେଜ୍‌ ଏବଂ ବିକ୍ରି ପରେ ସର୍ଭିସ ସମ୍ପର୍କରେ ଘନ ଘନ ପ୍ରଶ୍ନ ପଚାରୁ। ଏମିତିକି ମଶାଧୂପ କିଣିବା ପୂର୍ବରୁ ସେଥିରୁ ଦୁର୍ଗନ୍ଧ ଆସିବ କି ପଚାରିବା ସହିତ ତାହା ମଶା ମାରିବାରେ ସଫଳ ହେବ କି ବୋଲି ଅନେକ ପ୍ରଶ୍ନ ଦୈନନ୍ଦିନ ଜୀବନରେ ଭାରତର ନାଗରିକ ପଚାରିଥାଆନ୍ତି। କିନ୍ତୁ ଯେତେବେଳେ ଭୋଟ ସମୟ ଆସେ ସେତେବେଳେ ଦୀର୍ଘ ୫ ବର୍ଷରେ ପିଲାଙ୍କ ଶିକ୍ଷା ପାଇଁ କେଉଁ ପ୍ରକାର ଚିନ୍ତା, ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ କ’ଣ କରିବା ଉଚିତ ଏବଂ ସମଗ୍ର ରାଜ୍ୟ ଓ ଦେଶକୁ ଆଗେଇନେବା ପାଇଁ କେଉଁପ୍ରକାର ଚିନ୍ତା କରାଯାଉଛି, ସେ ସମ୍ବନ୍ଧରେ ପ୍ରଶ୍ନ କରିବାକୁ କେହି ଆଗେଇ ଆସୁନାହାନ୍ତି। ଫଳରେ କେବଳ ଧର୍ମ, ଜାତି ନଚେତ୍‌ ମାଗଣା ମିଳିପାରୁଥିବା ସୁବିଧା ସମ୍ପର୍କରେ ଆମକୁ ନିର୍ଦ୍ୱନ୍ଦ୍ୱରେ ରାଜନେତାମାନେ ବକିଚାଲିଛନ୍ତି। କିଏ ୪୦୦ ପାର୍‌ ଧ୍ୱନି ଦେଉଥିବା ବେଳେ ଅନ୍ୟ କିଏ ଦାୟାଦ ଖୋଜିବା ପ୍ରକ୍ରିୟାରେ ଭୋଟରଙ୍କୁ ଭୁଆଁ ବୁଲାଉଛନ୍ତି। ଏହାଫଳରେ ବାସ୍ତବ ସମସ୍ୟା ସମ୍ପୂର୍ଣ୍ଣ ଭାବେ ପରଦାପଛରେ ରହିଯାଉଛି। ଭୋଟରଙ୍କ ସମୟ ଅଭାବ ସହିତ ମୂଳ ପ୍ରଶ୍ନ ପଚାରିବାର ଅନିଚ୍ଛା ଆସନ୍ତା ଦିନଗୁଡ଼ିକରେ ଭାରତକୁ ଗଭୀର ଚୋଟ ପକାଇବ ବୋଲି ନିଃସନ୍ଦେହରେ କହିହେବ।
ନିକଟରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ପରିବାରରେ ନିଟ୍‌ ସଞ୍ଚୟ କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ଗତ ୩ ବର୍ଷରେ ଏହି ପରିମାଣ ୯ ଲକ୍ଷ କୋଟି ଟଙ୍କା କମିଛି। ପରିବାର ଚଳାଇବା ସକାଶେ ଲୋକେ ସଞ୍ଚତ୍ତ ଅର୍ଥକୁ ବ୍ୟୟ କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। ଏହା ମଧ୍ୟ ସମସ୍ତେ ଜାଣନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଦେଶରେ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି। ହେଲେ ଏବେ ଦେଶରେ ଚାଲିଥିବା ନିର୍ବାଚନ ପ୍ରଚାରରେ ରାଜନୈତିକ ଦଳଗୁଡ଼ିକ ଅର୍ଥନୈତିକ ପ୍ରସଙ୍ଗକୁ ଅଣଦେଖା କରିଚାଲିଛନ୍ତି। ଶାସକ ଦଳ ସ୍ବାଭାବିକ ଭାବେ ଏହାଠାରୁ ଦୂରେଇ ରହିବାକୁ ଚାହିଁବ। କିନ୍ତୁ ବିରୋଧୀ ଦଳଗୁଡ଼ିକ ଏହି ବିଷୟକୁ ଗମ୍ଭୀରତାର ସହ ବିଚାର କରୁ ନ ଥିବାରୁ ଆଗକୁ ନିର୍ବାଚନ ଫଳାଫଳ କେଉଁ ଆଡ଼କୁ ଯିବ କହିବା ମୁସ୍କିଲ।
ସବୁ ଦେଶର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ କେନ୍ଦ୍ର ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। କାରଣ କେନ୍ଦ୍ରୀୟ ନୀତି ସଂଘୀୟ ବ୍ୟବସ୍ଥାରେ ପ୍ରତିଫଳିତ ହୋଇଥାଏ। ବର୍ତ୍ତମାନ ଭାରତରେ ପାର୍ଲାମେଣ୍ଟ ନିର୍ବାଚନ ଚାଲିଛି। ଅଧିକ ଆସନ ଲାଭ କରି କ୍ଷମତା ହାତେଇବା ପାଇଁ ସବୁ ଦଳ ଏବେ ଗ୍ୟାରେଣ୍ଟି ଉପରେ ଗ୍ୟାରେଣ୍ଟି ଦେଇଚାଲିଛନ୍ତି। କିନ୍ତୁ ଯେଉଁ ପ୍ରସଙ୍ଗ ଭାରତୀୟମାନଙ୍କୁ ସର୍ବାଧିକ ପ୍ରଭାବିତ କରୁଛି, ତନ୍ମଧ୍ୟରୁ ଅର୍ଥନୈତିକ ଦିଗକୁ ପ୍ରାଧାନ୍ୟ ଦିଆଯିବା କଥା। କାରଣ ଦେଶ ବିକାଶର ମୂଳ ପିଣ୍ଡ ଏକ ସୁଦୃଢ଼ ଅର୍ଥନୈତିକ ବ୍ୟବସ୍ଥା ଉପରେ ନିର୍ଭର କରିଥାଏ। ଏବେ ଦେଖାଯାଉଛି ଶାସକ ଦଳ ଧର୍ମକୁ ମୁଖ୍ୟ ପ୍ରସଙ୍ଗ କରିଥିବା ବେଳେ ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ଭଳି ସମ୍ବେଦନଶୀଳ ବିଷୟକୁ ନେଇ ଲୋକଙ୍କ ପାଖକୁ ଯାଉଛି। କିନ୍ତୁ ଭାଜପାର କୌଣସି ପ୍ରାର୍ଥୀ ଜମ୍ମୁ ଓ କଶ୍ମୀରରେ ନିର୍ବାଚନ ଲଢ଼ିବାକୁ ସାହସ କରିନାହାନ୍ତି। ବାସ୍ତବରେ ଦେଖିଲେ ଏହିସବୁ ବିଷୟ ସାଧାରଣ ନାଗରିକର ଜୀବନଧାରଣରେ ସେଭଳି ପରିବର୍ତ୍ତନ ଆଣି ପାରିବ ନାହିଁ। ଗୋଟେ ‘ଘୋ’ ସୃଷ୍ଟି କରି ଦେଶପ୍ରେମୀ ବା ଜାତୀୟତାବାଦୀ ଦେଖେଇ ହେବାର ଯେଉଁ ପ୍ରଚେଷ୍ଟା କରାଯାଉଛି, ତାହା ଦେଶକୁ ଦୀର୍ଘମିଆଦୀ ଲାଭ ଦେବ ନାହିଁ। ତଥାପି ଥୋକେ ସେହି ଦଳକୁ ସମର୍ଥନ କରିବାରେ ଲାଗି ପଡ଼ିଛନ୍ତି। ଯେତେବେଳେ କେହି ଅର୍ଥନୈତିକ ପ୍ରସଙ୍ଗ ଉପରେ ପ୍ରଶ୍ନ କରୁଛନ୍ତି, ସେତେବେଳେ ଭାରତ ଖୁବ୍‌ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ହେବାକୁ ଯାଉଛି ବୋଲି ଆଶ୍ୱାସନା ଦିଆଯାଉଛି। କିନ୍ତୁ କେଉଁ ଧାରାରେ ଯାଇ ଏହା ତା’ ଇପ୍ସିତ ଲକ୍ଷ୍ୟ ପୂରଣ କରିବ, ସେହି ଗ୍ରାଫ୍‌ ବିଷୟରେ କେଉଁଠାରେ ସୂଚନା ଦିଆଯାଉ ନାହିଁ। ଅନ୍ୟପକ୍ଷରେ ଏଠାରେ ବିରୋଧୀ ଦଳଗୁଡ଼ିକ ଶାସକ ଦଳର ଦୁର୍ବଳତାକୁ ଠିକ୍‌ ଭାବେ ଉପସ୍ଥାପିତ କରିବା ଦିଗରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉ ନ ଥିବା ଲକ୍ଷ୍ୟ କରାଯାଉଛି। ଏଗୁଡ଼ିକ ଜାତିଭିତ୍ତିକ ଭୋଟ ବିଷୟରେ ସର୍ବାଧିକ ପ୍ରାଧାନ୍ୟ ଦେଉଥିବାରୁ ଅର୍ଥନୀତି ପ୍ରସଙ୍ଗ ଜୋର ଧରିପାରୁ ନାହିଁ। ନିର୍ବାଚନୀ ଇସ୍ତାହାରରେ ବେକାରି ସମସ୍ୟା ଓ ଦେଶର ଆର୍ଥିକ ସ୍ଥିତି ନେଇ ଏମାନେ ଉଲ୍ଲେଖ କରୁଥିଲେ ମଧ୍ୟ ପ୍ରକୃତ ମଞ୍ଚରେ ଛିଡ଼ା ହେଲା ବେଳକୁ ଶାସକ ବର୍ଗଙ୍କ ଅପ୍ରସଙ୍ଗଜନିତ ବିଷୟକୁ ମୁକାବିଲା କରିବା ଲାଗି ସବୁ ବଳ ଖଟାଇ ଦେଉଛନ୍ତି।
ପାଶ୍ଚାତ୍ୟ ନିର୍ବାଚନରେ ଅର୍ଥନୀତି, ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ଏବଂ ବହିର୍ବ୍ୟାପାର ସମ୍ପର୍କରେ ଆଲୋଚନା ଓ ବିତର୍କ ହେଉଥିବା ଦେଖିବାକୁ ମିଳିଥାଏ। ଫଳରେ ଭୋଟର ପ୍ରତ୍ୟେକ ରାଜନୈତିକ ଦଳର ଅଭିମୁଖ୍ୟ ବୁଝିବାରେ ସକ୍ଷମ ହୋଇଥାଆନ୍ତି। ସେହି ଅନୁଯାୟୀ ସେମାନେ ଦଳର ନୀତିକୁ ଦେଖି ମତଦାନ କରିଥାଆନ୍ତି। ଭାରତରେ ଅନେକ ସଚେତନ ନାଗରିକ ଅଛନ୍ତି। ମାତ୍ର ଅଧିକାଂଶ କାହା କଥାରେ ପଡ଼ି ଗୋଟେ ସ୍ରୋତରେ ଭାସିଯିବାକୁ ଚାହଁୁଥିବାରୁ ଫଳାଫଳ ଅନେକ ସମୟରେ ଦେଶ ହିତରେ ଯାଉ ନ ଥିବା ଲକ୍ଷ୍ୟ କରାଯାଉଛି। ରାଜନୈତିକ ଦଳଗୁଡ଼ିକ ମଧ୍ୟ ବହିର୍ବ୍ୟାପାର, ଖାଦ୍ୟ ଏବଂ ଜାତୀୟ ସୁରକ୍ଷା ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକୁ ଆଲୋଚନାକୁ ଆଣିବା ପାଇଁ ଅନିଚ୍ଛୁକ ଥିଲାଭଳି ମନେହେଉଛି। ସ୍ବାଧୀନତା ପରେ ଦେଶ ଅନେକ ନିର୍ବାଚନ ଦେଖିଲାଣି। ଏବେ ସମୟ ଆସିଲାଣି ନାଗରିକର ଜୀବନ ଧାରଣରେ ପରିବର୍ତ୍ତନ ଆଣିପାରୁ ଥିବା ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଦରକାର। ନିର୍ବାଚନ ରଣାଙ୍ଗନରେ ପରସ୍ପର ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଲାଗି ରହିବ। ତଥାପି ସାମାନ୍ୟ କଥାରେ ବାକ୍‌ ବିତଣ୍ଡା ନ କରି ଦେଶର ସ୍ବାର୍ଥକୁ ସର୍ବାଗ୍ରେ ରଖାଯାଇ ପଦକ୍ଷେପ ନିଆଯିବାର ସମୟ ଆସିଲାଣି। କିନ୍ତୁ ଦେଶର ସ୍ବାର୍ଥ ଧର୍ମ ଓ ଜାତି ମାଧ୍ୟମରେ ସୁରକ୍ଷିତ କରାଯାଇପାରିବ ବୋଲି ବିଶ୍ୱାସ କରିବାର ଯୁଗ ଆଉ ନାହିଁ। ଅପରପଟେ ଯୁବକଙ୍କୁ କେବଳ କୌଶଳୀ କରିଦେଲେ ଦେଶର ଅର୍ଥନୀତି ସୁଦୃଢ଼ ହେବ ବୋଲି ମଧ୍ୟ ବିଶ୍ୱାସ ହେଉନାହିଁ। ସେଥିପାଇଁ କିଏ କେଉଁଭାବେ ଚିନ୍ତାକରି ମାର୍ଗ ଦର୍ଶାଉଛି ହେବାକଥା ମୂଳ ଲକ୍ଷ୍ୟ। ତେବେ ଆମେ ଭୋଟର ଭିଡ଼ରେ ଛିଡ଼ା ହୋଇ କେବଳ ପ୍ରଚାର ଶୁଣିବାରେ ସନ୍ତୁଷ୍ଟ ହୋଇଯାଉଥିବାରୁ ଆମକୁ କେହି ଗୁରୁତ୍ୱ ଦେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?