ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍ ଉପରେ ଜୋର୍ଦାର ଏୟାରଷ୍ଟ୍ରାଇକ୍ କରିଥିବା ବେଳେ କିଭ୍ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍ ଓଜନଦାର ଡ୍ରୋନ୍ ଯୋଗେ ଆକ୍ରମଣ କରିବାରୁ ଜଣେ ପ୍ରାଣ ହରାଇବା ସହ ରୁଷିଆର ପ୍ରମୁଖ ଇ-କମର୍ସ ରିଟେଲ ଗୋଦାମ ଘର ଜଳିଯାଇଛି।
ୟୁକ୍ରେନ୍ର ଏକ ଇସ୍ପାତ କାରଖାନା ଉପରେ ରୁଷିଆ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ନାଟୋ ଏୟାର ପୋଲିସିଂ ମିଶନ ଏକ ଡ୍ରୋନ୍କୁ ଖସାଇଥିବା ରୋମାନିଆ କହିଛି। ଉକ୍ତ ଡ୍ରୋନ୍ ମାଲଡୋଭା ମଧ୍ୟରୁ ପ୍ରବେଶ କରିଥିଲା। ତେବେ ଏହି ଡ୍ରୋନ୍ କେଉଁଠୁ ଆସିଥିଲା ତାହା ଜଣାପଡ଼ି ନ ଥିବାବେଳେ ରୁଷିଆରୁ ଆସିଥିବା ଅନୁମାନ କରାଯାଉଛି ବୋଲି ନାଟୋ ମୁଖପାତ୍ର କହିଛନ୍ତି।
ସୂଚନାଯୋଗ୍ୟ, ଗତ ସପ୍ତାହରେ ରୋମାନିଆ ସୀମା ନିକଟ ଡାନୁବେ ନଦୀଠାରେ ଥିବା ୟୁକ୍ରେନ୍ର ସର୍ବବୃହତ୍ ଶସ୍ୟ ରପ୍ତାନି ବନ୍ଦର ଉପରେ ରୁଷିଆ ଆକ୍ରମଣ କରିଥିଲା। ସେହିପରି ୟୁକ୍ରେନ୍ ରୁଷିଆର ତୈଳ ବିଶୋଧନାଗାରକୁ ଟାର୍ଗେଟ କରିଥିଲା। କୃଷ୍ଣ ସାଗରରେ ଉଭୟ ପକ୍ଷ ପରସ୍ପରର ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ କରିଥିଲେ।

