ମୋହନା,୩ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ମହିନ୍ଦ୍ରା ମ୍ୟାକ୍ସ ପିକ୍ଅପ୍ ଭ୍ୟାନ୍ ଏବଂ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ସମ୍ପର୍କରେ ଖବର ପାଇବା କ୍ଷଣି ଅଡବା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହି ସମୟରେ ଥାନାରେ କାର୍ଯ୍ୟରତ ଦୁଇ ହୋମଗାର୍ଡ ସ୍ୱରାଗ୍ନିତା ମିଶାଲ ଓ ମନୋଜ କୁମାର ଶବର ନିଜ ଜୀବନକୁ ଖାତିର ନକରି ଆହତମାନଙ୍କୁ ନିଜେ ବୋହି ଆମ୍ବୁଲାନ୍ସ ଯୋଗେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଆପତ୍ତିକାଳୀନ ସମୟରେ ଦୁଇ ହୋମଗାର୍ଡଙ୍କ ଏହି ତୁରନ୍ତ ପଦକ୍ଷେପ, କର୍ତ୍ତବ୍ୟପରାୟଣତା ଓ ମାନବିକତା ଯୋଗୁ ଅଞ୍ଚଳରେ ସେମାନଙ୍କର ଭୂୟସୀ ପ୍ରଶଂସା କରାଯାଉଛି।
ଜରୁରୀ ପରିସ୍ଥିତିରେ ପୋଲିସର ଏଭଳି ସାହାଯ୍ୟ ସାଧାରଣ ଲୋକଙ୍କ ମନରେ ପୋଲିସ ପ୍ରତି ଏକ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି। ଏହି ସାହସିକତା ଓ ମାନବିକତା ପାଇଁ ଗଜପତି ଏସ୍ପି ନିଜେ ଉଭୟ ହୋମଗାର୍ଡଙ୍କ ଦାୟିତ୍ୱବୋଧକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ଅପରପକ୍ଷରେ, ଦୁର୍ଘଟଣାରେ ଗୁରୁତର ଥିବା ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗୁଲୁବା ପଞ୍ଚାୟତର ପ୍ରଭାକର ଜାନି (୩୬)ଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି। ଅନ୍ୟ ଆହତମାନଙ୍କ ଚିକିତ୍ସା ଜାରି ରହିଛି।

