ବିଦ୍ୟାଳୟ ଶିକ୍ଷାର ଦୁଇଟି ଆହ୍ବାନ

ଆଜି ଛାତ୍ରୀଛାତ୍ରମାନଙ୍କ ଭିତରେ ଦୁଇ ପ୍ରକାରର ଜ୍ଞାନର ଅଭାବ ଦେଖାଦେଇଛି ଯଥା: ଅକ୍ଷର ଓ ବିଚାର। ମାନେ ଗୋଟିଏ ହେଉଛି ବିଷୟଗତ ମୌଳିକ ଜ୍ଞାନ ଓ ଦକ୍ଷତା, ଅନ୍ୟଟି ଆଚରଣ ସମ୍ବନ୍ଧୀୟ ନୈତିକ ଜ୍ଞାନ। ବିଦ୍ୟାଳୟରେ ଭାରତୀୟ ଛାତ୍ରୀଛାତ୍ରମାନଙ୍କ (ବିଶେଷକରି ସରକାରୀ ବିଦ୍ୟାଳୟଗୁଡ଼ିକରେ) ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଅଭାବ ସମ୍ବନ୍ଧରେ ଦେଶବାସୀ ଅଳ୍ପବହୁତେ ଅବଗତ ଅଛନ୍ତି। ଅର୍ଥାତ୍‌ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ପାଠ ପଢ଼ୁଥିବା ଅସଂଖ୍ୟ ପିଲା ନିଜ ମାତୃଭାଷାରେ ବହି ପଢ଼ି ପାରୁନାହାନ୍ତି ଅବା ସାଧାରଣ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିପାରୁ ନାହାନ୍ତି। ମାନେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଶିଶୁମାନେ (ସମସ୍ତେ ନୁହନ୍ତି) ନିଜ ଶ୍ରେଣୀର ମାତୃଭାଷା ପୁସ୍ତକ ନିର୍ଭୁଲ୍‌ ଭାବରେ ପଢ଼ିପାରୁନାହାନ୍ତି କିମ୍ବା ନିମ୍ନଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସରଳ ଓ ସହଜ ଅଙ୍କ ଓ ଗଣିତର ସମାଧାନ କରିପାରୁ ନାହାନ୍ତି। ଏପରିକି କେତେକ ସର୍ଭେ ଅନୁସାରେ ଦେଶର ଅଷ୍ଟମ ଶ୍ରେଣୀ ପଢ଼ି ସାରିଥିବା କିଶୋରୀ କିଶୋରମାନେ ନିଜ ଦେଶର ମାନଚିତ୍ର ଚିହ୍ନି ପାରୁନାହାନ୍ତି ବା ସାଧାରଣ ଜ୍ଞାନ ସମ୍ପର୍କିତ ସରଳ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ହେଉଛନ୍ତି। ସେଥିପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ର ଅନୁମୋଦନକ୍ରମେ ସାରା ଦେଶରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ ନିମନ୍ତେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଲକ୍ଷ୍ୟ ରଖିଚି ୨୦୨୬ ସୁଦ୍ଧା ବିଦ୍ୟାଳୟ ପଢ଼ୁଆ ପିଲାମାନେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବାରେ ସକ୍ଷମ ହେବେ।
ଅପରପକ୍ଷରେ ନୈତିକ ଜ୍ଞାନର ଅଭାବ ଯୁବଗୋଷ୍ଠୀଙ୍କୁ ବିପଥଗାମୀ କରାଉଛି। କିଛି ଦିନ ତଳେ ନବମ ଶ୍ରେଣୀର ଦୁଇ ଜଣ ଛାତ୍ର ଶିକ୍ଷକଙ୍କ ସାମୟିକ ଅନୁପସ୍ଥିତିରେ ଶ୍ରେଣୀଗୃହରେ ବୋତଲ ଖୋଲି ମଦ ପିଇବା ଏବଂ ମାତାପିତାମାନେ ଶିକ୍ଷକଙ୍କୁ ସହଯୋଗ କରିବା ପରିବର୍ତ୍ତେ ପିଲାମାନଙ୍କୁ ଅନ୍ଧଭାବରେ ସମର୍ଥନ ଦେଇ ଶିକ୍ଷକଙ୍କୁ ନାଲିଆଖି ଦେଖେଇବା ଭଳି ସ୍ପର୍ଶକାତର ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିଲା। କେତେବେଳେ ଶିକ୍ଷକଙ୍କୁ ମାଡ଼, ଉପହାସ ଆଦି ଘଟଣା ଆଜିକାଲି ସାଧାରଣ ଘଟଣାରେ ପରିଣତ ହୋଇଗଲାଣି। ଏଭଳି ଅନେକ ଘଟଣା ବିଦ୍ୟାଳୟ ବା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଘଟୁଛି, କିନ୍ତୁ ବିଭିନ୍ନ କାରଣରୁ ଲୋକଲୋଚନକୁ ଆସୁନାହିଁ। ପାନ, ତମାଖୁ ସେବନ ଆଦି କୁଅଭ୍ୟାସ କୋମଳମତି ଶିଶୁ ଓ ଯୁବତୀ ଯୁବକମାନଙ୍କୁ ଧୀରେ ଧୀରେ କବଳିତ କରିବାରେ ଲାଗିଛି। ସେମାନଙ୍କ ଜୀବନଚର୍ଯ୍ୟାରେ ସଂପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। ମୋବାଇଲ ଫୋନ ଚାଳନାରେ ଅର୍ଦ୍ଧରାତ୍ରିଯାଏ ଅନିଦ୍ରା ରହି ଦିନ ଆଠଟା ନଅଟା ବେଳକୁ ଉଠିବା ଏମାନଙ୍କ ଅଭ୍ୟାସ ବନିଗଲାଣି। ଖାଦ୍ୟପେୟ, ଆଚାର ବିଚାର ଆଦିରେ ପାଶ୍ଚାତ୍ୟ ସଂସ୍କୃତିର ଛାପ।
ସଂକ୍ଷେପରେ କହିଲେ ଆମ କୋମଳମତି ବାଳିକାବାଳକ ଏବଂ ଯୁବବର୍ଗ ସାକ୍ଷର ଓ ବିଚାର ଏହି ଦୁଇ ଜ୍ଞାନାଭାବର ଶିକାର ହୋଇଛନ୍ତି ଏହାକୁ ସ୍ବୀକାର କରିବାକୁ ପଡ଼ିବ। ତେବେ ଏହି ଦୁଇ ଆହ୍ବାନର କାରଣ ଅନେକ ହେଲେ ମଧ୍ୟ ଏଠାରେ ଶିକ୍ଷା ସମ୍ବନ୍ଧୀୟ ଦୁଇଟି କାରଣ ବିଶେଷକରି ଦାୟୀ ବୋଲି ଏ ଲେଖକଙ୍କ ବ୍ୟକ୍ତିଗତ ମତ। ଦୁଇଟି କାରଣ ହେଉଛି ଅଷ୍ଟମ ଶ୍ରେଣୀଯାଏ ଶୂନ୍ୟ ଆବଦ୍ଧ ନୀତି (No detention policy) ଓ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ବ୍ୟବସ୍ଥା (punishment free zone)।
ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରୀଛାତ୍ରଙ୍କୁ ଫେଲ୍‌ କରାଯିବ ନାହିଁ ବୋଲି ପ୍ରାବଧାନ ଅଛି। ଏହା ଫଳରେ ଶିଶୁର ଜ୍ଞାନ ଓ ଦକ୍ଷତା ଯାହା ହେଉନା କାହିଁକି ଛାତ୍ରୀଛାତ୍ରମାନେ ଶ୍ରେଣୀ ପରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇ ଚାଲିଛନ୍ତି, ଯାହାର କୁପରିଣାମ ମାଧ୍ୟମିକ ଓ ଉଚ୍ଚ ଶିକ୍ଷାସ୍ତରରେ ଗଭୀର ଭାବରେ ପଡ଼ୁଛି। ନବମ ଶ୍ରେଣୀରେ ପଢ଼ିବାକୁ ନାମ ଲେଖାଉଥିବା ସଂଖ୍ୟାଧିକ ଶିକ୍ଷାର୍ଥୀ ନିଜ ମାତୃଭାଷାରେ ପୁସ୍ତକ ପଢ଼ିବା କଷ୍ଟ ଅନୁଭବ କରୁଛନ୍ତି। ଛୋଟ ଛୋଟ ସରଳ ଗଣିତ କରିପାରୁନାହାନ୍ତି କି ରାଷ୍ଟ୍ରଭାଷା ବା ବିଦେଶୀ ଭାଷା ଇଂଲିଶ୍‌ରେ ଯେତିକି ଦକ୍ଷତା ହାସଲ କରିବା କଥା ତାହା କରିପାରୁ ନାହାନ୍ତି। ତେଣୁ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଅପଚୟ ଓ ଆବଦ୍ଧ ହାର ବୃଦ୍ଧି ହେବାରେ ଲାଗିଛି। ଜାତୀୟ ଅର୍ଥନୈତିକ ସର୍ଭେ ୨୦୨୩-୨୪ ଅନୁସାରେ ମାଧ୍ୟମିକ ବିଦ୍ୟାଳୟସ୍ତରରେ ଓଡ଼ିଶାରେ ପାଠ ଛାଡ଼ (ଡ୍ରପ୍‌ଆଉଟ) ହାର ଭାରତରେ ପ୍ରଥମ। ଅବଶ୍ୟ ଏକଥା ସତ ଯେ, ଶିକ୍ଷା ଅଧିକାର ଅଧିନିୟମ ଅନୁସାରେ ଶିଶୁମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ (ପ୍ରଥମରୁ ଅଷ୍ଟମ) ଫେଲ୍‌ ନ କରିବା ଅର୍ଥ ସେମାନଙ୍କୁ ମାନସିକ ଚାପ, ପରୀକ୍ଷାଜନିତ କଠୋରତା ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ନିମିତ୍ତ ଥିବା ସମସ୍ତ ଚାପରୁ ମୁକ୍ତ କରିବା; କିନ୍ତୁ ତାହା ଆଜି କଦର୍ଥ ହୋଇଛି। ଅଧିନିୟମ ଅନୁସାରେ ପିଲେ ଫେଲ୍‌ ହେବେ ନାହିଁ, କିନ୍ତୁ ପ୍ରତ୍ୟେକ ଶ୍ରେଣୀର ଶିଶୁ ଯେପରି ପ୍ରତ୍ୟେକ ବିଷୟ ପାଇଁ ପ୍ରସ୍ତାବିତ ଜ୍ଞାନ ଓ ଦକ୍ଷତା ହାସଲ କରିପାରିବେ, ସେଥିପାଇଁ ସୁନିଶ୍ଚିତ କରିବାକୁ ପଡ଼ିବ। କିନ୍ତୁ ନୋ ଡିଟେନ୍‌ସନ ପଲିସି ଆଜି ନିଜ ଦାୟିତ୍ୱକୁ ଅନ୍ୟ ଉପରେ ଲଦିଲା ଭଳି ହୋଇଛି। ପ୍ରତ୍ୟେକ ଶ୍ରେଣୀରେ ଶିଶୁ ପ୍ରସ୍ତାବିତ ଜ୍ଞାନ ଓ ଦକ୍ଷତା ବିକାଶ କଲା କି ନାହିଁ ତାହା ଆକଳନ ଓ ମୂଲ୍ୟାୟନ କରିବା ପାଇଁ ମାନକ ପରୀକ୍ଷା ତଥା ତା’ର ସମୀକ୍ଷା ପୂର୍ବକ ଉତ୍ତରଦାୟିତ୍ୱ ନିରୂପିତ କଲାଭଳି କୌଣସି କଡ଼ା ବ୍ୟବସ୍ଥା ନାହିଁ। ତେଣୁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ନ ଥାଇ ମଧ୍ୟ ଶିଶୁମାନେ ନବମ ଶ୍ରେଣୀରେ ପହଞ୍ଚତ୍ ଯାଉଛନ୍ତି। ଫଳତଃ ପରବର୍ତ୍ତୀ ସମୟରେ ବିଶେଷକରି ଦଶମ ବୋର୍ଡ ପରୀକ୍ଷାରେ ଫେଲ୍‌ କିମ୍ବା ଏହି ପରୀକ୍ଷାର ସମ୍ମୁଖୀନ ହେବା ପୂର୍ବରୁ ବିଦ୍ୟାଳୟ ଛାଡ଼ି ପାଠଛାଡ଼ ତାଲିକା ପ୍ରତିଶତ ବୃଦ୍ଧି କରିବାରେ ଲାଗିଛନ୍ତି। ତେଣୁ ପ୍ରାରମ୍ଭିକ ଶିକ୍ଷାସ୍ତରରେ ଶୂନ୍ୟ ଫେଲ୍‌ ନୀତିର ପୁନର୍ବିଚାର କରିବା ଉଚିତ୍‌ କିମ୍ବା ପ୍ରତ୍ୟେକ ଶ୍ରେଣୀରେ ଶିଶୁମାନଙ୍କ ପ୍ରସ୍ତାବିତ ଜ୍ଞାନ ଓ ଦକ୍ଷତା ବିକାଶକୁ ସୁନିଶ୍ଚିତ କରିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା ଅଧିକାରୀ, ଅନ୍ୟମାନଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ କଠୋର ଆଇନ ଜରିଆରେ ଦଣ୍ଡବିଧାନ କରାଯିବା ଦରକାର।
ଅପରପକ୍ଷରେ, ଦଣ୍ଡମୁକ୍ତ ବିଦ୍ୟାଳୟ ବ୍ୟବସ୍ଥା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଦୁର୍ବଳ କରିଛି। ଛାଟ ଖାଇଲେ ପାଠ ଲୋକୋକ୍ତିଟି ଆଜି ଆପରାଧିକ କାର୍ଯ୍ୟ ହୋଇଛି। ଶିକ୍ଷୟିତ୍ରୀ ଶିକ୍ଷକମାନେ ପିଲାମାନଙ୍କୁ ଆକଟ କରିବା ପାଇଁ କୌଣସି ଅନୁଶାସନଗତ ଦଣ୍ଡବିଧାନ କଲେ ନିଜେ ଦଣ୍ଡିତ ହେବାର ବ୍ୟବସ୍ଥା ଅଛି। ବିଦ୍ୟାଳୟ କାନ୍ଥରେ ଲିଖିତ ଟୋଲ୍‌ ଫ୍ରି ନମ୍ବର ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ଉପହାସ କରୁଥିବା ବେଳେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏହାର ଦୁରୁପଯୋଗ କରି ଶିକ୍ଷାଦାତାଙ୍କୁ ଧମକାଉଛନ୍ତି। ଏହା ସତ୍ୟ ଯେ, କଠୋର ଶାରୀରିକ ଓ ମାନସିକ ଦଣ୍ଡ ବ୍ୟବସ୍ଥା ବର୍ଜନୀୟ ଓ ନିନ୍ଦନୀୟ। କିନ୍ତୁ ଦଣ୍ଡମୁକ୍ତ ଅଞ୍ଚଳ ନାମରେ ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କୁ ସମ୍ପୂର୍ଣ୍ଣ ଅସହାୟ ଓ ଦୁର୍ବଳ କରିଦେବାର ପରିଣାମ ଆଜି ସମାଜକୁ ନୈତିକ ଓ ମୂଲ୍ୟବୋଧ ସ୍ଖଳନ ନାମରେ ଭୋଗିବାକୁ ପଡ଼ୁଛି ବୋଲି ଏ ଲେଖକଙ୍କ ମତ। ଆମେ ପଢ଼ିଲା ବେଳେ ଶିକ୍ଷକଙ୍କଠାରୁ ମାଡ଼ ଖାଇ ମଧ୍ୟ ଘରେ କହୁନଥିଲୁ କିମ୍ବା ମା’ବାପା ଜାଣି ମଧ୍ୟ ଶିକ୍ଷକମାନଙ୍କୁ କେବେ ଅପମାନ କରୁନଥିଲେ। କିନ୍ତୁ ଆଜି ପିଲାଙ୍କୁ ଆଖି ଦେଖେଇଲେ ଶିକ୍ଷକ ଦୋଷୀ। ପିଲାଙ୍କ ସବୁ ବିଶୃଙ୍ଖଳାକୁ ଦେଖି ସହିଯିବା ଛଡ଼ା ଅନ୍ୟ ଉପାୟ ନାହିଁ। ଶୂନ୍ୟ ଫେଲ୍‌ ଓ ଶୂନ୍ୟ ଦଣ୍ଡନୀତି ଅନୁଶାସନଯୁକ୍ତ ଶୃଙ୍ଖଳିତ ବିଦ୍ୟାଳୟ ପ୍ରତିଷ୍ଠା ପୂର୍ବକ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଦିଗରେ ଅନ୍ତରାୟ ଓ ବଡ଼ ଆହ୍ବାନ। ଏହା ସମ୍ବନ୍ଧରେ ପୁନର୍ବିଚାର ଆବଶ୍ୟକ ବୋଲି ଏ ଲେଖକଙ୍କ ବ୍ୟକ୍ତିଗତ ମତ।

ଡ. ମନୋରଞ୍ଜନ ପ୍ରଧାନ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri