ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌ କରାଯାଇଛି ଯେ ସେଗୁଡ଼ିକ ଦର୍ପଣ ପରି ମନେହୁଏ। ପ୍ରାୟ ୨୩୦୦ ବର୍ଷ ପୂର୍ବେ କାନ୍ଥଗୁଡ଼ିିକୁ ଖୋଦେଇ ଏବଂ ଚିକ୍କଣ କରାଯାଇଥିଲା ଏବଂ ସେସବୁ ଦର୍ପଣ ଭଳି ଆଲୋକକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରୁଛି । ବଡ଼ କଥା ହେଉଛି, ସମୟଚକ୍ରରେ ସେହି କଳାକୃତିର କୌଣସି କ୍ଷତି ହୋଇନାହିଁ। ଏଭଳି ଚମକ ସାଧାରଣତଃ ମୌର୍ଯ୍ୟ ପଲିସ୍‌ ଯୋଗୁ ସମ୍ଭବ ହୋଇଛି, ଯାହା ମୌର୍ଯ୍ୟ ରାଜାମାନଙ୍କ ଚିକ୍କଣ, ଉଜ୍ଜ୍ୱଳ ଏବଂ ପ୍ରଭାବଶାଳୀ ସ୍ତମ୍ଭଗୁଡ଼ିକରେ ଅଧିକ ପ୍ରତୀୟମାନ ହୋଇଛି।
ବାରାବର ଗୁମ୍ଫା ଭାରତର ସବୁଠାରୁ ପୁରାତନ ସଂରକ୍ଷିତ ସ୍ମାରକମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଏହା ଲୋକମାନଙ୍କ ସାମୂହିକ ସ୍ମୃତିରେ ବିଶେଷ ସ୍ଥାନ ପାଇପାରିନାହିଁ ।
ସିଂହ ମୁକୁଟଧାରୀ ଅଶୋକ ସ୍ତମ୍ଭ ଓ ସେଥିରେ ଖୋଦେଇ ହୋଇଥିବା ରାଜାଦେଶଗୁଡ଼ିକ ଯେପରି ଖ୍ୟାତି ପାଇଛି, ବାରାବର ଗୁମ୍ଫା ତାହା ପାଇପାରିନାହିଁ, ଏପରିକି ତା’ସମ୍ପର୍କରେ ଅଧିକ ଆଲେଚନା ମଧ୍ୟ ହେଉନାହିଁ। କିନ୍ତୁ ଗୁମ୍ଫାଗୁଡ଼ିକ ଅନେକ ଜଟିଳ କାହାଣୀ ଓ କଳାର ମୂକସାକ୍ଷୀ ହୋଇ ରହିଛନ୍ତି। ଗୁମ୍ଫାଗୁଡ଼ିକ କୌଣସି ରାଜ୍ୟଜୟ କିମ୍ବା ଶାସନର ସ୍ମାରକୀ ନୁହେଁ, ବରଂ ସେଗୁଡ଼ିକ ଥିଲା ଆଜିବିକା ନାମରେ ପରିଚିତ ସନ୍ନ୍ୟାସୀ ସମ୍ପ୍ରଦାୟଙ୍କ ପାଇଁ ଏକ ସମର୍ପିତ ସାଧନସ୍ଥଳ। ଗୁମ୍ଫାର କାନ୍ଥରେ ପ୍ରାଚୀନ ବ୍ରାହ୍ମି ଲିପିରେ ଖୋଦିତ ଶିଳାଲେଖରୁ ଏହାର ପ୍ରମାଣ ମିଳେ। ବିଡ଼ମ୍ବନାର ବିଷୟ , ଚିକ୍କଣ ପଥର ଉପରେ ଏହି ଲିପିଗୁଡ଼ିକ ଅତ୍ୟନ୍ତ ଅସ୍ପଷ୍ଟ ଦେଖାଯାଉଛି, ଯାହା ସହଜରେ ପଢ଼ିହେଉନାହିଁ। ମଣିଷର ଭାଷା ସେହି ଚିକ୍କଣ ପଥରରେ ଅପୂର୍ଣ୍ଣ ହୋଇ ରହିଯାଇଥିବା ମନେହେଉଛି। ଗୁମ୍ଫାର ପ୍ରବେଶପଥର ନିର୍ମାଣଶୈଳୀ ସହ ପରବର୍ତ୍ତୀ ସମୟରେ ନିର୍ମିତ ବୌଦ୍ଧସ୍ଥଳଗୁଡ଼ିକର ପ୍ରବେଶଦ୍ୱାରର ଅନେକ ସାମଞ୍ଜସ୍ୟ ରହିଛି, ଯେଉଁଠାରେ ଏକ ସ୍ତୂପ-ଆକୃତି ଆଡ଼କୁ ହାତୀମାନେ ମୁଣ୍ଡ ନୁଆଁଇ ଠିଆହୋଇଥିବା ଦେଖିବାକୁ ମିଳେ। ଏହାର ଉଭୟ ପାର୍ଶ୍ୱରେ ହାତୀ ମୁଣ୍ଡିଆ ମାଛ ରହିଛନ୍ତି, ଯାହା ମକର ଭାବରେ ଜଣାଶୁଣା, ଯାହା ଏକ ପ୍ରାଚୀନ ପ୍ରଜନନର ପ୍ରତୀକ। ଏଗୁଡ଼ିକ ସମ୍ଭବତଃ ଭାରତରେ ହାତୀଙ୍କର ସର୍ବପ୍ରଥମ ଚିତ୍ର।
ଭୌଗୋଳିକ ଦୃଷ୍ଟିକୋଣରୁ, ଏହି ଗୁମ୍ଫାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସ୍ଥାନରେ ଅବସ୍ଥିତ। ରାଜଗିର ଥିଲା ଭାରତୀୟ ଉପମହାଦେଶର ପ୍ରାଚୀନତମ ରାଜତନ୍ତ୍ର କେନ୍ଦ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ। ଏହି ଅଞ୍ଚଳରେ ହାତୀଙ୍କୁ ପୋଷା ମନାଇବା ଏବଂ ଲୌହ ପ୍ରଯୁକ୍ତିର ବ୍ୟାପକ ବ୍ୟବହାର ଆରମ୍ଭ ହୋଇଥିଲା। ଏହାଦ୍ୱାରା ସାମନ୍ତମାନେ ଜମି ଏବଂ ଲୋକଙ୍କ ଉପରେ ନିଜର ନିୟନ୍ତ୍ରଣ ବୃଦ୍ଧି କରିପାରିଥିଲେ। ପୂର୍ବରୁ ବିଚ୍ଛିନ୍ନ ହୋଇ ରହିଥିବା ଛୋଟ ଛୋଟ ଗୋଷ୍ଠୀଗୁଡ଼ିକ ଏକତ୍ରିତ ହୋଇ ବଡ଼ ରାଜନୈତିକ ଗୋଷ୍ଠୀରେ ପରିଣତ ହେଲେ। ଏହାର ନେତାମାନେ ବାଣିଜ୍ୟପଥର ପରିଚାଳନା ସହ ସେଥିରୁ ଟିକସ ଆଦାୟକରି ଧନ ସଞ୍ଚୟ କରିବାକୁ ଲାଗିଲେ। ଏହି ପ୍ରକ୍ରିୟା ଯୋଗୁ ପ୍ରାୟ ୨୩୦୦ ବର୍ଷ ପୂର୍ବେ ମୌର୍ଯ୍ୟ ସାମ୍ରାଜ୍ୟର ଉତ୍ଥାନ ହୋଇଥିଲା। ଏହି ସମୟ ମଧ୍ୟରେ ବାଣିଜ୍ୟ ପଥ ଦ୍ରୁତ ଗତିରେ ବିସ୍ତାରିତ ହୋଇଥିଲା। ଏହା ଗଙ୍ଗା ସମତଳ ଅଞ୍ଚଳରୁ ପୂର୍ବ ଉପକୂଳ, ପଶ୍ଚିମ ତଟ ଏବଂ ଉତ୍ତର ପାର୍ବତ୍ୟ ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ଏବଂ ଯୋଗାଯୋଗ ସୁଦୃଢ଼ ହୋଇଥିଲା। ଏହି ବିସ୍ତାରରେ ହାତୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ସେମାନେ ଅସମତଳ ରାସ୍ତାରେ ଯାତାୟାତ କରିବା, ଘଞ୍ଚ ଜଙ୍ଗଲ ସଫା କରିବା ଏବଂ ବନ୍ୟାପ୍ଳାବିତ କିମ୍ବା ଜଙ୍ଗଲିଆ ଅଞ୍ଚଳରେ ବାଟ କଢ଼ାଇନେବାରେ ସାହାଯ୍ୟ କରୁଥିଲେ। ଏହା କରିବା ଦ୍ୱାରା ସେମାନେ ଏପରି ମାର୍ଗ ସୃଷ୍ଟି କରିପାରିଥିଲେ ଯାହା ମାଧ୍ୟମରେ ସହଜରେ ସାମଗ୍ରୀ କାରବାର, ଲୋକଙ୍କ ଚଳପ୍ରଚଳ ହୋଇପାରୁଥିଲା ଏବଂ ସାମାଜିକ ଚିନ୍ତାଧାରାର ଆଦାନପ୍ରଦାନ ହେଉଥିଲା। ଏହିସବୁ ପରିବର୍ତ୍ତନ ଭାରତରେ ଅର୍ଥନୈତିକ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟକୁ ସୂଚିତ କରେ। ସେତେବେଳେ ପୁରୁଣା ପଶୁପାଳନ ବ୍ୟବସ୍ଥାକୁ କମ୍‌ ଗୁରୁତ୍ୱ ଦିଆଯାଇ ସ୍ଥାୟୀଭାବେ କୃଷିକୁ ଗ୍ରହଣ କରାଯାଇଥିଲା।
ଏହି ଅର୍ଥନୈତିକ ପରିବର୍ତ୍ତନ ସହିତ ଦାର୍ଶନିକ ଚିନ୍ତାଧାରାରେ ମଧ୍ୟ ଏକ ବଡ଼ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହି ସମୟରେ ବୌଦ୍ଧ ଓ ଜୈନଧର୍ମର ଆଖିଦୃଶିଆ ଉତ୍ଥାନ ଘଟିଥିଲା, କିନ୍ତୁ ଅନ୍ୟାନ୍ୟ ପରମ୍ପରାର ମଧ୍ୟ ସମାନ ଗୁରୁତ୍ୱ ରହିଥିଲା। ସେମାନଙ୍କ ମଧ୍ୟରୁ ଆଜୀବିକା ସମ୍ପ୍ରଦାୟ ଅନ୍ୟତମ, ଯାହାଙ୍କ ଉଦ୍ଦେଶ୍ୟରେ ଏହି ଗୁମ୍ଫାଗୁଡ଼ିକ ଉତ୍ସର୍ଗୀକୃତ ହୋଇଥିଲା। ଆଜୀବିକା ଶବ୍ଦଟି ଜୀବିକାହୀନ ଲୋକଙ୍କୁ ବୁଝାଏ (ପ୍ରାକୃତ ଭାଷାରେ ଜୀବିକା)। ସେମାନେ ସାମାଜିକ ସମ୍ପର୍କ, ସମ୍ପତ୍ତି ଏବଂ ବସ୍ତ୍ର ପରିତ୍ୟାଗ କରିଥିଲେ ଏବଂ ସେମାନଙ୍କୁ ନିଗ୍ରନ୍ଥ କୁହାଯାଉଥିଲା, ଯାହାର ଅର୍ଥ ବନ୍ଧନହୀନ। ସେମାନେ ସମସ୍ତ ପ୍ରକାର ମୋହମାୟାଠାରୁ ଦୂରେଇ ରହୁଥିଲେ। ପରିବାର ଓ ସମାଜରୁ ସମ୍ପୂର୍ଣ୍ଣ ଅଲଗା ହୋଇ ସେମାନେ ବିନା ବସ୍ତ୍ରରେ ବୁଲୁଥିଲେ ଏବଂ ଏକ କଠୋର ସନ୍ନ୍ୟାସ ଜୀବନଯାପନ କରୁଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା ଭୋକ ଏବଂ ଇଚ୍ଛାକୁ ଜୟକରି ଧୀରେ ଧୀରେ ସଂସାରରୁ ଦୂରେଇଯିବା; ଏପରିକି ଉପବାସ କରି ମୃତ୍ୟୁବରଣ କରିବା, ଯାହା ଥିଲା ଅତ୍ୟନ୍ତ କଠୋର।
ଅନ୍ୟପକ୍ଷରେ ଥିଲେ ଚାର୍ବାକ୍‌ ସମ୍ପ୍ରଦାୟ। ସେମାନଙ୍କ ନାମ ଚରିବା ଶବ୍ଦ ସହିତ ଜଡ଼ିତ ଥିଲା, ଯାହା ଭୋଗବିଳାସ ଏବଂ ଉପଭୋଗକୁ ସୂଚାଏ। ସେମାନେ ସାଂସାରିକ ଜୀବନକୁ ଆପଣାଇ ନେଇଥିଲେ ଏବଂ ଯୁକ୍ତି ବାଢ଼ିଥିଲେ ଯେ ଜୀବନର ଉଦ୍ଦେଶ୍ୟ ହେଉଛି କେବଳ ଇନ୍ଦ୍ରିୟ ସୁଖ। ସେମାନେ ଋଣ, କର୍ତ୍ତବ୍ୟ କିମ୍ବା କର୍ମଫଳ ସମ୍ବନ୍ଧୀୟ ବିଚାରକୁ ଗୁରୁତ୍ୱ ଦେଉ ନ ଥିଲେ। ଆଜୀବକମାନେ ଇଚ୍ଛା ବା କାମନାକୁ ଶେଷ କରିବାକୁ ଚାହୁଁଥିଲାବେଳେ ଚାର୍ବାକ୍‌ମାନେ ଏହାର ପୂର୍ତ୍ତି ପାଇଁ ଜୋର୍‌ ଦେଉଥିଲେ। ଏହି ବିପରୀତ ଚିନ୍ତାଧାରା ଏକ ଏପରି ସମାଜରେ ଉତ୍ପନ୍ନ ହୋଇଥିଲା, ଯାହା ହିସାବ ଏବଂ ଧାରଣା ଆଦାନପ୍ରଦାନ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲା। ସେତେବେଳେ ବାଣିଜ୍ୟ ବୃଦ୍ଧି ପାଇବା ସହ ଲୋକମାନେ ଦେଣନେଣ ସହ ପରିଚିତ ହୋଇଥିଲେ। ତଥାପି, ଆଜୀବକ ଏବଂ ଚାର୍ବାକ୍‌ ଉଭୟ ଏହି ବ୍ୟବସ୍ଥାଠାରୁ ଅଲଗା ହୋଇ ରହିଥିଲେ। ଗୋଟିଏ ଗୋଷ୍ଠୀ ସଂସାରକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ, ଅନ୍ୟ ଗୋଷ୍ଠୀ ଏହାକୁ ନୈତିକ ମାନଦଣ୍ଡରେ ସ୍ବୀକାର କରିବାକୁ ମନା କରିଦେଇଥିଲେ। ବରାବର ଗୁମ୍ଫାଗୁଡ଼ିକ ଏହି ଐତିହାସିକ ପରିବର୍ତ୍ତନର ସାକ୍ଷୀ ହୋଇ ରହିଛି। ଗୁମ୍ଫାଗୁଡ଼ିକ ଜଣେ ଶକ୍ତିଶାଳୀ ରାଜାଙ୍କ ପୃଷ୍ଠପୋଷକତାରେ ନିର୍ମାଣ କରାଯାଇଥିଲା, ଯିଏ ନିଜର ରାଜନୈତିକ ପ୍ରାଧାନ୍ୟ ବୃଦ୍ଧି କରିବା ସହିତ ଆଧ୍ୟାତ୍ମିକ ପୁଣ୍ୟ ଅର୍ଜନ କରିବାକୁ ଚାହୁଁଥିଲେ। ସଂସାରକୁ ତ୍ୟାଗ କରିଥିବା ସନ୍ନ୍ୟାସୀମାନଙ୍କୁ ଏହି ଗୁମ୍ଫାଗୁଡ଼ିକ ପ୍ରଦାନକରି, ଶାସକ ଜଣକ ଏକ ବିରୋଧାଭାସକୁ ଜୀବନ୍ତ କରିଥିଲେ ।
ଏହି ଟଣାଓଟରା ଭିତରେ ଏମିତି ଏକ ସଭ୍ୟତାର ଭିତ୍ତି ସ୍ଥାପିତ ହେଲା; ଯାହା ଧନ, ତ୍ୟାଗ, ଇଚ୍ଛା ଓ ମୋକ୍ଷ ମଧ୍ୟରେ ସନ୍ତୁଳନ ଖୋଜିବାକୁ ଚେଷ୍ଟା କରୁଥିଲା।

ଦେବଦତ୍ତ ପଟ୍ଟନାୟକ
-devduttofficial@gmail.com

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri