
ନୂଆଦିଲ୍ଲୀ,୧।୧୨: ନୂଆଦିଲ୍ଲୀ,୧।୧୨: ଟୁଇଟର୍ ଦାୟିତ୍ୱ ନେବା ମାତ୍ରେ ପରାଗ ଅଗ୍ରୱାଲ ଆକ୍ସନ ମୋଡ୍ରେ ନଜର ଆସିଛନ୍ତି। ଟୁଇଟ୍ ସିଇଓ ପରାଗ ଟୁଇଟର ସମ୍ବନ୍ଧରେ ନୂତନ ନିୟମ କାର୍ଯ୍ୟକାରୀ କରିଛନ୍ତି। ନୂତନ ନିୟମ ଅନୁଯାୟୀ, କୌଣସି ୟୁଜର୍ସ ସମ୍ମତି ବିନା ଅନ୍ୟର ଫଟୋ କିମ୍ବା ଭିଡିଓ ଶେୟାର କରିବାକୁ ସମର୍ଥ ହେବେ ନାହିଁ । ଉତ୍ପୀଡନକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ପଦକ୍ଷେପ ନେଇଛି। ଉତ୍ପୀଡନ ବିରୋଧୀ ନୀତିକୁ ମଜଭୁତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଟୁଇଟର କହିଛି।
ଟୁଇଟରର ନୂତନ ନିୟମ ଅନୁଯାୟୀ, ଯଦି ସାଧାରଣ ଲୋକଙ୍କ ମଧ୍ୟରୁ ଜଣେ କିଏ ଅନ୍ୟଜଣଙ୍କ ବିନା ଅନୁମତିରେ ଫଟୋ କିମ୍ବା ଭିଡିଓ କେହି ପୋଷ୍ଟ କରିଥାଏ, ତେବେ ସମ୍ପୃକ୍ତ ବ୍ୟକ୍ତି ଏହାକୁ ହଟାଇବାକୁ କହିପାରିବେ। ଟୁଇଟର୍ ସ୍ପଷ୍ଟ କରିଛି ଯେ ପବ୍ଲିକ୍ ଫିଗରଙ୍କୁ ଏହି ସୁବିଧା ମିଳିବ ନାହିଁ। ବ୍ୟକ୍ତିଗତ ସୂଚନା ପ୍ରକାଶ କରିବାକୁ ଧମକ ଦେବା କିମ୍ବା ଅନ୍ୟମାନଙ୍କୁ ଏହା କରିବାକୁ ଉତ୍ସାହିତ କରିବା ମଧ୍ୟ ଟୁଇଟରର ନୂତନ ଗୋପନୀୟତା ନୀତିରେ ଅନ୍ତର୍ଭୂକ୍ତ କରାଯାଇଛି।
ବ୍ୟକ୍ତିଗତ ଫଟୋ ଏବଂ ଭିଡିଓ ସେୟାର କରିବା ଜଣେ ବ୍ୟକ୍ତିର ଗୋପନୀୟତାକୁ ଖଣ୍ଡନ କରିପାରେ। ଏହିପରି କାର୍ଯ୍ୟ ହେତୁ (ଯାହାର ଫଟୋ ଶେୟାର କରାଯାଇଛି) ସେ ମାନସିକ କିମ୍ବା ଶାରୀରିକ କ୍ଷତି ମଧ୍ୟ ପାଇପାରନ୍ତି।ଏଭଳି ପରିସ୍ଥିତିରେ କମ୍ପାନୀ କହିଛି ଯେ ଯଦି କୌଣସି ବ୍ୟକ୍ତି କିମ୍ବା ତାଙ୍କ ପ୍ରତିନିଧୀ ଏପରି ସୂଚନା ଦିଅନ୍ତି, ତେବେ ଟୁଇଟର୍ ଏପରି ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ହଟାଇପାରିବ।
ଟୁଇଟର୍ ସହ-ପ୍ରତିଷ୍ଠାତା ଜ୍ୟାକ ଡୋରସି ସିଇଓ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଭାରତୀୟ ମୂଳ ପରାଗ ଅଗ୍ରୱାଲଙ୍କୁ ନୂତନ ସିଇଓ କରାଯାଇଛି। ପରାଗ ୨୦୧୧ ମସିହାରୁ ଟୁଇଟରରେ କାମ କରୁଛନ୍ତି ଏବଂ ୨୦୧୭ ରୁ କମ୍ପାନୀର ସିଟିଓ ଥିଲେ।