ଶାସନରେ ସ୍ବଚ୍ଛତା ଅପରିହାର୍ଯ୍ୟ

କିଛି ଉଦ୍‌ଭ୍ରାନ୍ତ ଯୁବକ ଦିନ ଦ୍ୱିପ୍ରହରରେ ରାସ୍ତାରେ ଯାଉଥିବା ଏକ କଇଁଛକୁ ମାରିବା ପାଇଁ ଉଦ୍ୟମ ଜାରି ରଖିଥାଆନ୍ତି। ଯେତେ ପ୍ରହାର କଲେ ମଧ୍ୟ କଇଁଛଟିର କିଛି କ୍ଷତି ହେଉନଥାଏ। ସେ ପୂର୍ବପରି ଅବିଚଳିତ ଭାବେ ନୂତନ ଜଳାଶୟ ସନ୍ଧାନରେ ଆଗେଇ ଚାଲିଥାଏ। ଏହି ସମୟରେ ରାସ୍ତାରେ ଜଣେ ସାଧୁ ଗୁଣୁଗୁଣୁ ସ୍ବରରେ ଭଗବାନ୍‌ଙ୍କ ନାମ ଜପ କରି ବିପରୀତ ଦିଗରୁ ଆସୁଥାଆନ୍ତି। ସେ ଯୁବକମାନଙ୍କର ବ୍ୟର୍ଥ ଉଦ୍ୟମ ଦେଖି ମନେମନେ ଟିକିଏ ହସିଲେ ଓ ଅନୁଚ୍ଚ ସ୍ବରରେ କହି ପକାଇଲେ, ‘ଏମିତି କ’ଣ କଇଁଛ ମରାଯାଏ। ଓଲଟାଇ ପିଟିଦେଲେ କେତେବେଳୁ ମରିସାରନ୍ତାଣି’ା ସାଧୁଙ୍କ କଥା ଯୁବକମାନଙ୍କର କର୍ଣ୍ଣଗୋଚର ହେବାରୁ ସେମାନେ ଉଲ୍ଲସିତ ହୋଇ କଇଁଛଟିକୁ ଓଲଟାଇ ଦେଇ ମାତ୍ର ଗୋଟିଏ ପ୍ରହାର ଦେବାରୁ କଇଁଛଟି ମୃତ୍ୟୁବରଣ କଲା। ଯୁବକମାନେ ଖୁସି ମନରେ ମୃତ କଇଁଛକୁ ଖାଦ୍ୟ ଉଦ୍ଦେଶ୍ୟରେ ନେବା ସମୟରେ କଥାହେଲେ- ଇଏତ ବାବାଜି! ଇଏ କେମିତି ଜାଣିଲେ କଇଁଛ ମୃତ୍ୟୁର ସହଜ ଉପାୟ! ଯା’ହେଉ ବାବାଜି ଥିଲେ ବୋଲି ଆମେ ଅକ୍ଳେଶରେ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ଲେ।
ସାଧୁ ଜଣକ ପୂର୍ବରୁ କେବଳ ଜଣେ ଗୃହସ୍ଥ ନ ଥିଲେ, ସେ ଥିଲେ ଜୀବହତ୍ୟାକାରୀ ଓ ଆମିଷଭୋଜି ବ୍ୟକ୍ତି। ପ୍ରାଣୀ ବଧ ପାଇଁ ମନରେ ନଥିଲା ସାମାନ୍ୟ ଶଙ୍କା। କୌଣସି କାରଣରୁ ସଂସାର ପ୍ରତି ବିମୁଖ ହୋଇ ସେ ବାବାଜି ହୋଇଛନ୍ତି ସିନା ସେ କିନ୍ତୁ ତାଙ୍କ ପୂର୍ବ ପ୍ରକୃତି ଛାଡ଼ିପାରିନାହାନ୍ତି। ଆଜି ଆମେ ପ୍ରତ୍ୟହ ଏହି ଭଣ୍ଡ ବାବାଜିମାନଙ୍କୁ ପ୍ରତ୍ୟକ୍ଷ କରୁଛୁ। ତୁଣ୍ଡରେ ପବିତ୍ର ରାମନାମ, ମାତ୍ର ଅନ୍ତରରେ ହଳାହଳ ବିଷ। ଯେତେବଡ଼ ସାଧୁ ଭାବେ ଉପରକୁ ଦେଖାହେଲେ ମଧ୍ୟ ଅନ୍ତରରେ ପରର ଅନିଷ୍ଟସାଧନ କରିବାର ହୀନ ପ୍ରବୃତ୍ତିକୁ ସେମାନେ ପରିହାର କରିପାରନ୍ତି ନାହିଁ। ଜଣେ ପ୍ରକୃତ ସାଧୁ ହୋଇଥିଲେ ଅବଶ୍ୟ ଯୁବକମାନଙ୍କୁ ଏ ହୀନ ପ୍ରୟାସରୁ ରକ୍ଷା କରିପାରିଥାନ୍ତେ। କିନ୍ତୁ ନା, କୌଣସି ଅନୈତିକ କାର୍ଯ୍ୟ ପାଇଁ ତାଙ୍କ ମନପ୍ରାଣ ସ୍ବତଃ ଆକର୍ଷିତ ହୁଏ। ଭୁଲିଯାଆନ୍ତି ନୀତି ନୈତିକତାର ସମସ୍ତ ଔପଚାରିକତା।
ଓଡ଼ିଆ ଭାଗବତ ଦିବ୍ୟବାଣୀ କହନ୍ତି- ‘ଗରଳେ ଜାତ କଲୁ ମୋତେ। ସ୍ବଭାବ ଛାଡ଼ିବି କେମନ୍ତେ।ା’ ଆଜି ଆମେ ପ୍ରତ୍ୟହ ଗଣମାଧ୍ୟମରୁ ସୂଚନା ପାଉଛେ, କେତେକେତେ ସରକାରୀ ଅଧିକାରୀ କର୍ମଚାରୀ ଲାଞ୍ଚଖାଇ ଭିଜିଲାନ୍ସ ହାତରେ ଧରାପଡ଼ୁଛନ୍ତି। ସରକାରୀ ଚାକିରି ଆରମ୍ଭ ପୂର୍ବରୁ ସାଧୁତା ଓ ସଚୋଟତାର ସହ କର୍ମ ସମ୍ପାଦନ କରିବାର ଅଙ୍ଗୀକାରବଦ୍ଧତା ଚାକିରି କରିବା ପରେ ଉଭେଇ ଯାଉଛି। ଆସୁରିକ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ଅନ୍ୟାୟ ପରେ ଅନ୍ୟାୟ କରିଚାଲିଛନ୍ତି। ଆଜି ସେବା ଶବ୍ଦର ସଂଜ୍ଞା ବଦଳିଗଲାଣି। ଦେଶସେବା, ଜନସେବା, ସ୍ବାସ୍ଥ୍ୟସେବା, ଶିକ୍ଷାଦନ, ସରକାରୀ ସେବା ପ୍ରଭୃତି ଶବ୍ଦଗୁଡ଼ିକ କେବଳ ଭାଷଣରେ ସୀମିତ ହେଲାଣି। ଯେଉଁ କାର୍ଯ୍ୟ ବିନିମୟରେ ବେତନ ଓ ପାରିଶ୍ରମିକ ମିଳେ, ତାହା ସେବା ପଦବାଚ୍ୟ ନୁହେଁ। ଶିକ୍ଷକ ଆଉ ଶିକ୍ଷାଦାନ କରୁନାହାନ୍ତି, ଚିକିତ୍ସକ ସେବା ପ୍ରଦାନ କରୁନାହାନ୍ତି ଓ ରାଜନେତା ଦେଶସେବା କରୁନାହାନ୍ତି। ଥରେ ନିର୍ବାଚିତ ହେଲେ ରାଜନେତାର ରୂପ ଧାରଣ କରିଥିବା ବ୍ୟକ୍ତିଟି ତା’ର ଅନ୍ତର୍ନିହିତ ଶୋଷଣ ମନୋବୃତ୍ତିର ବଶବର୍ତ୍ତୀ ହୋଇ ଲୁଣ୍ଠନ କରିଚାଲିଛି ରାଜକୋଷ। ଚିକିତ୍ସକ ନିଜ ବେତନ ବ୍ୟତୀତ ରୋଗୀର କଷ୍ଟଲବ୍ଧ ଧନ ଶୋଷଣରେ ଲିପ୍ତ। ଦରିଦ୍ର ରୋଗୀଟିର ପରିଜନର ଆକୁଳ କ୍ରନ୍ଦନ ତାକୁ ବ୍ୟଥିତ କରୁନାହିଁ। ଶିକ୍ଷକ ତା’ର ବୃତ୍ତିଠାରୁ ଦୂରେଇ ଯାଇ ଅନ୍ୟାୟ ଉପାର୍ଜନର ମାର୍ଗ ଖୋଜୁଛି। ବରିଷ୍ଠ ପ୍ରଶାସକଙ୍କ କଥା ନ କହିଲେ ଭଲ। ମାଟ୍ରିକ୍‌ ପରୀକ୍ଷାରେ ସର୍ବଶ୍ରେଷ୍ଠ ଛାତ୍ରଟିକୁ ଯେତେବେଳେ ଗଣମାଧ୍ୟମ ତରଫରୁ ତା’ର ଭବିଷ୍ୟତ ସମ୍ବନ୍ଧରେ ପ୍ରଶ୍ନ କରାଯାଏ, ସେତେବେଳେ ସେ ଡାକ୍ତର, ଇଞ୍ଜିନିଅର, ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ହୋଇ ଜନସେବା ଭଳି ମହତ୍‌ କର୍ମ କରିବାର ସଂକଳ୍ପ ପ୍ରକାଶ କରେ। ମାତ୍ର ତା’ର ଈପ୍‌ସିତ ପଦବୀଟି ହାସଲ କଲାପରେ ସାଧୁତାକୁ ଜଳାଞ୍ଜଳି ଦେଇ ଶୋଷଣକୁ ଆଦରିନିଏ।
ସରକାରୀ ଅଧିକାରୀ ହୁଅନ୍ତୁ ବା ରାଜନେତା ହୁଅନ୍ତୁ, ଏମାନଙ୍କ ପୃଷ୍ଠଭୂମି ପର୍ଯ୍ୟାଲୋଚନା କଲେ ଏମାନେ ଯେ ଆମ ପୂର୍ବବର୍ଣ୍ଣିତ ସାଧୁ ଏଥିରେ ସନ୍ଦେହ ନାହିଁ। ମୁହଁରେ ଦେଶସେବାର ନାମକୀର୍ତ୍ତନ କରି ଭିତରେ ଶୋଷଣରେ ଏମାନେ ସିଦ୍ଧହସ୍ତ। ଅବଶ୍ୟ ସମସ୍ତେ ସେପରି ହୋଇ ନ ପାରନ୍ତି; ମାତ୍ର ସେମାନଙ୍କ ସଂଖ୍ୟା ଯେ ଅପରିମେୟ ତାହା ଅତ୍ୟନ୍ତ ସ୍ପଷ୍ଟ। ଜଣେ ମହାପୁରୁଷ କହିଥିଲେ, ଜନ୍ମ ମଣିଷର ଅସଲ ପରିଚୟ ନୁହେଁ। ମଣିଷର ଅସଲ ପରିଚୟ ହେଉଛି ତା’ର କର୍ମ। ଆଲେକ୍‌ଜାଣ୍ଡାର ପୋପ୍‌ ଏକଦା କହିଥିଲେ- ‘ଭୁଲ୍‌ କରିବା ମଣିଷ ପକ୍ଷେ ଏକ ଅତି ସାଧାରଣ ଘଟଣା; ମାତ୍ର ଭୁଲ୍‌କୁ ସଂଶୋଧନ କରି ପୁନର୍ବାର ତାକୁ ପ୍ରଶୟ ନ ଦେବା ହେଉଛି ମଣିଷର ପ୍ରଗତିର ପରିଚାୟକ।’
ଆଜି ସମାଜ ବିଶୃଙ୍ଖଳିତ। ବ୍ୟକ୍ତିର ବ୍ୟକ୍ତିତ୍ୱରେ କଳାଦାଗ ଦୁର୍ନୀତିର ମଧୁବୋଳା ବିଷଜ୍ୱଳାରେ ସଭିଏଁ ଆକ୍ରାନ୍ତ। ଡାକ୍ତର ଚାହେଁ ତା’ ପୁଅ ଡାକ୍ତର ହେଉ, ପ୍ରଶାସକ ଚାହେଁ ତା’ ପୁଅ ପ୍ରଶାସକ ହେଉ, ଶିକ୍ଷକ ଚାହେଁ ତା’ ପୁଅ ତା’ ଭଳି ମାଷ୍ଟର ହେଉ ଅଥବା ଏକ ଲାଭଜନକ ସଂସ୍ଥାରେ ଚାକିରି କରୁ, ଯେଉଁଠି ବେତନ ବ୍ୟତୀତ ଉପୁରି ଗଣ୍ଡାକ ମିଳୁ। ମାତ୍ର କୃଷକ କେବେ ଚାହେଁ ନାହିଁ ତା’ ପୁଅ କୃଷକ ହେଉ। କାରଣ ସେ ଯେଉଁ ଦୈନ୍ୟ ମଧ୍ୟରେ ଗତି କରିଛି ତା’ ପୁଅ ସେ କ୍ଷେତ୍ରରେ ଦୁଃଖ ନ ଭୋଗୁ। ଏ ଦେଶରେ କୃଷକର ଆୟ ଅତ୍ୟନ୍ତ ନଗଣ୍ୟ, ଯାହା ତା’ର ତେଲ ଲୁଣ ସଂସାରର ଅଭାବ ମେଣ୍ଟାଇବାକୁ ଅସମର୍ଥ। ସମସ୍ତ ଧନଶାଳୀଙ୍କ ମଧ୍ୟରେ ବିଚରା ଅନ୍ନଦାତାଟି ବଳିପଡୁଛି ଯେ ଏ ଦୁନିଆକୁ ଖାଦ୍ୟଗଣ୍ଡାକ ଯୋଗାଇ ଆସୁଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ମହାନୁଭବମାନେ ଏପର୍ଯ୍ୟନ୍ତ କୃଷକର ଆଇନ ସମ୍ମତ ଅଧିକାରର ଅନ୍ତର୍ଭୁକ୍ତ କରିପାରି ନାହାନ୍ତି।
ଭାରତୀୟ ଗଣତନ୍ତ୍ର ଆଜି ସଙ୍କଟାପନ୍ନ। ଗଣତାନ୍ତ୍ରିକ ସରକାରର ତିନୋଟି ସଂସ୍ଥା ଯଥା ବ୍ୟବସ୍ଥାପକ, ଶାସନ ବ୍ୟବସ୍ଥା ଓ ନ୍ୟାୟପାଳିକା। ନ୍ୟାୟ ପାଳିକା ଉପରେ ଦେଶବାସୀ ଅଧିକ ଆସ୍ଥା ପ୍ରକଟ କରିଆସୁଥିଲେ। କିନ୍ତୁ ଆଜି ନ୍ୟାୟପାଳିକା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଗଲାଣି।

  • ବୈକୁଣ୍ଠନାଥ ମିଶ୍ର
    ସିଦ୍ଧଳ, ଜଗତ୍‌ସିଂହପୁର
    ମୋ: ୯୯୩୭୪୫୦୫୪୦

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?