ପଦ୍ମପୁର,୧୬।୧୦(ପ୍ରଦୀପ୍ତ ଦାଶ): ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଶୁକ୍ରବାର ବରଗଡ଼ ଜିଲା ପଦ୍ମପୁରରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ ହେଲେ, ପଦ୍ମପୁରସ୍ଥିତ ଲାଲ ବହାଦୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର କମଳ ତରିଆ(୧୨) । ସୂଚନା ଅନୁଯାୟୀ, ମୃତଛାତ୍ର ଜଣକ ସ୍କୁଲରୁ ଘରକୁ ଫେରୁଥିଲେ । ଫେରିବା ବାଟରେ ପଦ୍ମପୁର ଥାନା ଛକ ନିକଟରେ ଏକ ଘରୋଇ ବସ୍(ମହାରାଜା) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ବସ୍ଟି ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ପୋଲିସ ତାକୁ ଅଟକାଇଥିଲା। ପୋଲିସ ବସ୍ ଓ ଡ୍ରାଇଭରଙ୍କୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ, ମୃତ ଛାତ୍ରଙ୍କ ଶବକୁ ପଦ୍ମପୁର ବଡ଼ ଡାକ୍ତରଖାନାରେ ରଖାଯାଇଛି। ଘଟଣା ସମ୍ପର୍କରେ ପଦ୍ମପୁର ପୋଲିସ ତଦନ୍ତ ଜାରି ରଖିଛି। ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

