ଛତ୍ରପୁର,୨ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଦୁର୍ଘଟଣା। ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ମ୍ୟାନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଖଲ୍ଲିକୋଟ ଅଞ୍ଚଳର କେ. ଗୋବିନ୍ଦ ପାତ୍ର। ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ନିକଟସ୍ଥ ପୋଡ଼ାପଦର ରେଳ ଲାଇନ୍ରେ କିଛି ଟ୍ରାକ୍ମ୍ୟାନ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। କାର୍ଯ୍ୟରତ ଥିବାବେଳେ ଦ୍ରୁତଗତିରେ ଆସୁଥିବା ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା। ନିୟମିତ ଯାଞ୍ଚ ଓ ଟ୍ରାକ୍ ମରାମତି କାର୍ଯ୍ୟ ପାଇଁ ଟ୍ରାକ୍ମ୍ୟାନ ଜଣକ ରେଳ ଲାଇନ୍ରେ କାମ କରୁଥିଲେ।
ଦୁର୍ଘଟଣା ପରେ ସ୍ଥାନୀୟ ପୋଲିସ କର୍ମଚାରୀ ଓ ରେଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଇଛନ୍ତି।

