ଟପ୍ପରଙ୍କ ଗତି ଓ ସ୍ଥିତି

ମାଟ୍ରିକ୍‌, ଯୁକ୍ତଦୁଇ, ଯୁକ୍ତ ତିନି, ପିଜି, ମେଡିକାଲ, ଇଞ୍ଜିନିୟରିଂ, ଓପିଏସ୍‌ସି ଓ ୟୁପିଏସ୍‌ସି ଫଳ ପ୍ରକାଶନ ସଙ୍ଗେ ସଙ୍ଗେ ବେଷ୍ଟ୍‌ ଟେନ୍‌ଥ ବା ଟପ୍ପରଙ୍କ ତାଲିକା ପ୍ରକାଶ ପାଇଥାଏ। ଗଣମାଧ୍ୟମରେ ସେମାନଙ୍କ ସାକ୍ଷାତ୍‌କାର ପ୍ରକାଶ ପାଏ। ସେମାନେ ନିଜ ସଫଳତା ପାଇଁ ମାତାପିତାଙ୍କ ସମେତ ଶିକ୍ଷକ-ଶିକ୍ଷିକା, ଜ୍ଞାତିକୁଟୁମ୍ବ ଏବଂ ସର୍ବଶେଷରେ କେହି କେହି ଭଗବାନଙ୍କୁ ଶ୍ରେୟ ଦେଇଥାନ୍ତି। ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳେ ‘ମୁଁ ସମାଜର ସେବା କରିବି’।
ମାଟ୍ରିକ୍‌, ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଟପ୍ପର ହୋଇ ଯେଉଁମାନେ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିବାକୁ ଯାଆନ୍ତି, ସେମାନଙ୍କୁ ଉଚ୍ଚତର ଶ୍ରେଣୀ ପରୀକ୍ଷାର ଟପ୍ପର ତାଲିକାରେ ଆଉ ପ୍ରୟ ଦେଖିବାକୁ ମିଳେନାହିଁ। ସେମାନେ ବାଟରେ କେଉଁଠି ହଜିଯାଆନ୍ତି ତାହାକୁ ମଧ୍ୟ କେହି କେବେ ଖୋଜି ନ ଥାନ୍ତି। ହୁଏତ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ନିଜକୁ ପୂର୍ବବତ୍‌ ଅବସ୍ଥାପିତ କରିପାରନ୍ତି ନାହିଁ କିମ୍ବା ନିଜର ଲକ୍ଷ୍ୟ ସ୍ଥଳ ବଦଳାଇ ଅନ୍ୟ କୌଣସି ବୈଷୟିକ ଅନୁଷ୍ଠାନ ବା ପ୍ରତିଷ୍ଠାନରେ ସଂଯୁକ୍ତ ହୋଇଯାଇଥାନ୍ତି।
ଏଥର ଓପିଏସ୍‌ସି ପରୀକ୍ଷା ଫଳ ବାହାରିଲା। କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ସର୍ବାଧିକ ୬୯ ପ୍ରତିଶତ ମାର୍କ ରଖିଥିଲେ ଟପ୍ପର। ସର୍ବନିମ୍ନ ୧୫ କିମ୍ବା ୧୬ ହୋଇପାରିଥାଏ। ୟୁପିଏସ୍‌ସି ପରୀକ୍ଷାରେ ଟପ୍ପରଙ୍କ ମାର୍କ ଥିଲା ୫୪ ପ୍ରତିଶତ। ଜେଇଇ (ଆଡ୍‌ଭାନ୍ସଡ୍‌) ପରୀକ୍ଷାରେ ଖୁବ୍‌ କମ୍‌ ପ୍ରତିଶତ ମାର୍କ ରଖି ଆଇଆଇଟି ଓ ମେଡିକାଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ପାଇଛନ୍ତି ପରୀକ୍ଷାର୍ଥୀ। ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ଥଳେ କୃତିତ୍ୱ ଅର୍ଜନ କରୁଥିବା ପରୀକ୍ଷାର୍ଥୀଙ୍କ ମାର୍କ ହ୍ରାସ ପାଇବାରେ ଲାଗିଛି। ଏହା ଏକ ଶୁଭ ସଙ୍କେତ ନୁହେଁ ବୋଲି କୁହାଯାଇପାରେ।
ସାଧାରଣତଃ ଯେତେବେଳେ ଆଇଏଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଏ ଆମ ରାଜ୍ୟର ଭାଗ କମ୍‌ ହୋଇଯାଉଥିବାରୁ ଆମେ ବ୍ୟସ୍ତ ହୋଇ ପଡ଼ନ୍ତି। ଟପ୍ପର ତାଲିକାରେ ଓଡ଼ିଆମାନଙ୍କୁ ଦେଖିଲେ ଆମ ଛାତି କୁଣ୍ଢେ ମୋଟ ହୋଇଯାଏ। ମାତ୍ର ଆମ ରାଜ୍ୟରେ ପୂର୍ବରୁ ଆଇଏଏସ୍‌ ପାଇଥିବା ସେହି ଧୀସମ୍ପନ୍ନ ବ୍ୟକ୍ତିମାନେ ଯାଆନ୍ତି କୁଆଡ଼େ? ଦିନେ ସମାଜର ସେବା କରିବାର ପ୍ରତିଶ୍ରୁତି ଦେଇଥିବା ସେହି ବ୍ୟକ୍ତିମାନେ ଏବେ କରୁଛନ୍ତି କ’ଣ? ଉଚ୍ଚ ପଦପଦବୀରେ ଅବସ୍ଥାପିତ ହେବା ପରେ ସେମାନେ ଭୁଲିଯାଆନ୍ତି ସମାଜକୁ ଏବଂ ସମାଜରେ ବାସ କରୁଥିବା ସାଧାରଣ ଲୋକଙ୍କୁ। ସରକାରଙ୍କ ଏକାନ୍ତ ଅନୁଗତ ଭୃତ୍ୟ ହୋଇ ସେମାନେ ସାଧାରଣ ଜନତାଙ୍କ ବିରୋଧରେ ଯିବାକୁ ବି ତିଳେ ମାତ୍ର କୁଣ୍ଠାବୋଧ କରନ୍ତି ନାହିଁ। ବର୍ତ୍ତମାନ ଦେଶରେ ଥିବା ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀଙ୍କ ଭୂମିକା ବି ତଦ୍ରୂପ। ଆମ ରାଜ୍ୟରେ ଥିବା ଓଏଏସ୍‌ ଅଧିକାରୀଙ୍କ ଆନୁଗତ୍ୟ କହିଲେ ନ ସରେ। ସେମାନେ ଶାସକ ଦଳର ହାତବାରିସି ହୋଇ କାର୍ଯ୍ୟ କରିଥାନ୍ତି। ଗଣତନ୍ତ୍ରର ଗଣ୍ଡି ଭିତରେ ସ୍ବସକ୍ରିୟ ଅମଲାତନ୍ତ୍ର ଦେଶଟାକୁ କେଉଁ ଅବସ୍ଥାକୁ ନେଇଗଲେଣି, ତାହା ଭାବିଲେ ମୁଣ୍ଡ ଘୂରେଇ ଯାଏ।
ମେଡିକାଲ ଏଣ୍ଟ୍ରାନ୍ସରେ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀ ମେଡିକାଲ ପାଠ ପଢ଼ି ସାରିଲା ପରେ ପ୍ରାୟ ନିଯୁକ୍ତି ପାଆନ୍ତି ସରକାରୀ ହସ୍ପିଟାଲରେ। ମାତ୍ର ସେମାନେ ପ୍ରାକ୍ଟିସ୍‌ କରନ୍ତି ଘରୋଇ ଭାବେ କିମ୍ବା ଘରୋଇ ନର୍ସିଂ ହୋମ୍‌ରେ। ଡାକ୍ତରମାନଙ୍କର ଏତାଦୃଶ କାର୍ଯ୍ୟକୁ କ’ଣ ରୋଗୀ ସେବା କୁହାଯିବ ନା ସମାଜସେବା କୁହାଯିବ? ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଇଏସ୍‌, ଓଏଏସ୍‌ ଓ ଇଞ୍ଜିନିୟର୍‌ମାନେ କେତେବେଳେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ତ ଆଉ କେତେବେଳେ ଇଡି ଜାଲରେ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି! ମଜାର କଥା ହେଉଛି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଧରିବାକୁ ଯେଉଁ ଭିଜିଲାନ୍ସ, ଇଡି, ସିବିଆଇ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ସେମାନେ ବି ବେଳେ ବେଳେ ନିଜ ଜାଲରେ ପଡ଼ିଯାଉଛନ୍ତି। ମନ୍ତ୍ରୀ, ଯନ୍ତ୍ରୀ ଓ ତନ୍ତ୍ରୀଙ୍କ ଭିତରେ ସତେ ଯେପରି ଏକ ଅଭେଦ୍ୟ ସମ୍ପର୍କ ବଳବତ୍ତର ରହିଛି। ଦେଶର ଆର୍ଥିକ ଶୃଙ୍ଖଳାକୁ ସେମାନେ ଦଳି ମଚକି ଧୂଳିସାତ୍‌ କରିଦେଉଛନ୍ତି।
ଏହା ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ ଯେ ଟପ୍ପର ହେଉଥିବା ଛାତ୍ରୀଛାତ୍ରମାନେ ସମସ୍ତେ ମେଧାବୀ। ସେମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ଶିକ୍ଷା ପ୍ରଦାନ ନିମିତ୍ତ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ବିନିମୟରେ ଦେଶ ମଧ୍ୟ ସେମାନଙ୍କଠାରୁ ବହୁତ କିଛି ଆଶା କରେ। ମାତ୍ର ହୁଏ କ’ଣ? ସେଦିନର ମେଧାବୀମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ନୀତିର ପଙ୍କରେ ଉବୁଟୁବୁ ହୋଇଯାଆନ୍ତି। ବିଚରା ସାଧାରଣ ଜନତା ସେ ସବୁକୁ ମୁଣ୍ଡପାତି ସହି ନିଅନ୍ତି।

  • ରବିନାରାୟଣ ସାମଲ
    ମୋ-୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri