Posted inଖେଳ

ଆଜି ବାରବାଟୀ ଟକ୍କର

ଭୁବନେଶ୍ୱର, ୧୨।୬ (କ୍ରୀଡ଼ା ପ୍ରତିନିଧି): ବାରବାଟୀ ପ୍ରସ୍ତୁତ। ରବିବାର ଏହି ଷ୍ଟାଡିୟମରେ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଏହି ହାଇ ପ୍ରୋଫାଇଲ୍‌ ମ୍ୟାଚ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ମ୍ୟାଚକୁ ସଫଳତାର ସହ ସମ୍ପନ୍ନ କରାଇବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ସବୁପ୍ରକାର ଉଦ୍ୟମ କରାଯାଇଛି। ହାଇ ସ୍କୋରିଂ ମ୍ୟାଚ ପାଇଁ ଉପଯୋଗୀ ପିଚ୍‌ ପ୍ରସ୍ତୁତ ହୋଇଛି। ପୂର୍ବରୁ ଅନେକ ଥର ବାରବାଟୀ ଭାରତ ପାଇଁ ଶୁଭ ସାବ୍ୟସ୍ତ ହୋଇଛି। ଏଠାରେ ଖେଳିଥିବା ଅଧିକାଂଶ ମ୍ୟାଚରେ ବିଜୟ ସ୍ବାଦ ପାଇଛି ଟିମ୍‌ ଇଣ୍ଡିଆ। ତେବେ ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ରେକର୍ଡ ଭଲ ନାହିଁ। ୨୦୧୫ ଅକ୍ଟୋବର ୫ରେ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଇଥିଲା। ସେଥିରେ ଦକ୍ଷିଣ ଆଫ୍ରିକା ଯେ କେବଳ ବିଜୟୀ ହୋଇଥିଲା ତା’ ନୁହେଁ, ଭାରତକୁ ମାତ୍ର ୯୨ ରନରେ ଅଲ୍‌ଆଉଟ କରି ଦେଇଥିଲା। ଫଳରେ ଓଡ଼ିଶା ଦର୍ଶକ ନିରାଶ ଓ କ୍ରୋଧ ପ୍ରକାଶ କରିଥିଲେ ଏବଂ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ତେବେ ୨୦୧୯ରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପରବର୍ତ୍ତୀ ଟି୨୦ରେ ଭାରତ ବିଜୟୀ ହୋଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ବିଜୟ ସହ ଦକ୍ଷିଣ ଆଫ୍ରିକା ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚର ଗୁରୁତ୍ୱ ବଢ଼ିଛି। ଶନିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକା ଏବଂ ସନ୍ଧ୍ୟାରେ ଭାରତୀୟ ଖେଳାଳିମାନେ ନେଟ୍ବରେ ବେଶ୍‌ ଝାଳ ବୁହାଇଛନ୍ତି। ଏବେ କେବଳ ମ୍ୟାଚକୁ ଅପେକ୍ଷା।
ଚଳିତ ସିରିଜର ପ୍ରଥମ ମ୍ୟାଚରେ ଭାରତ ୨୧୧ ରନ କରିଥିଲେ ହେଁ ବିଜୟ ସ୍ବାଦ ପାଇ ନ ଥିଲା। ଦକ୍ଷିଣ ଆଫ୍ରିକା ଟପ୍‌ ଅର୍ଡର ଖେଳାଳିମାନେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ମିଡିଲ ଅର୍ଡରରେ ରସି ଭାନ୍‌ ଡର ଡୁସେନ ଓ ଡେଭିଡ ମିଲର ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ। ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ମଧ୍ୟ ମିଲର ଟପ୍‌ ଫର୍ମରେ ରହିଥିଲେ। ଗୁଜରାଟ ଟାଇଟନ୍ସକୁ ଚାମ୍ପିୟନ କରାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେହି ଫର୍ମକୁ ସେ ପ୍ରଥମ ଟି୨୦ରେ ଅପରିବର୍ତ୍ତିତ ରଖିଥିଲେ। ତେଣୁ ଆଗାମୀ ମ୍ୟାଚରେ ମିଲରଙ୍କ ଉପରେ ନିଶ୍ଚିତ ନଜର ରହିବ। ଡୁସେନ ବିଶେଷ ଚର୍ଚ୍ଚାକୁ ଆସୁ ନ ଥିଲେ ହେଁ ଦକ୍ଷିଣ ଆଫ୍ରିକା ଇନିଂସର ମେରୁଦଣ୍ଡ ରହିଥିଲେ। ଓପନର କ୍ୱିଣ୍ଟନ ଡି’କକ୍‌ ଭଲ ଆରମ୍ଭ କରିଥିଲେ ହେଁ ତାହାକୁ ବଡ଼ ସ୍କୋରରେ ପରିଣତ କରିପାରି ନ ଥିଲେ। ତେଣୁ ସେ ମଧ୍ୟ ଅଧିକ ସମୟ କ୍ରିଜ୍‌ରେ ରହିଲେ ଭାରତ ପାଇଁ ବିପଜ୍ଜନକ ସାବ୍ୟସ୍ତ ହେବେ। ଅଧିନାୟକ ଟେଣ୍ଡା ବଭୁମା ୮ ବଲ୍‌ରୁ ମାତ୍ର ୧୦ ରନ କରିବାକୁ ସକ୍ଷମ ହୋଇଥିଲେ। ତେଣୁ ସେ ନିଶ୍ଚିତ ବାରବାଟୀରେ ବଡ଼ ସ୍କୋର କରିବାକୁ ଚାହିଁବେ। ପୂର୍ବ ମ୍ୟାଚରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ସମ୍ପୂର୍ଣ୍ଣ ଫିକା ରହିଥିଲା। ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ଶାମିଙ୍କ ଅନୁପସ୍ଥିତିରେ ଭୁବନେଶ୍ୱର କୁମାରଙ୍କ ବୋଲିଂ ଉପରେ ଦଳ ଅନେକ ନିର୍ଭର କରୁଛି। ମାତ୍ର ସେ ଏବଂ ଡେଥ୍‌ ଓଭର ସ୍ପେଶାଲିଷ୍ଟ ହର୍ଶଲ ପଟେଲ ସବୁଠାରୁ ମହଙ୍ଗା ରହି ୪ ଓଭରରେ ୪୩ ରନ ଲେଖାଏ ବ୍ୟୟ କରିଥିଲେ। ମୁଖ୍ୟ ସ୍ପିନର ୟୁଜବେନ୍ଦ୍ର ଚହଲ ୨.୧ ଓଭରରେ ୨୬ ରନ ବ୍ୟୟ କରିଥିଲେ ମଧ୍ୟ ଉଇକେଟ ପାଇ ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଗୋଟିଏ ଓଭରରେ ୧୮ ରନ ଦେଇଥିଲେ। ଏ ସବୁକୁ ଆଗାମୀ ମ୍ୟାଚ ସମୟରେ ଟିମ୍‌ ମ୍ୟାନେଜମେଣ୍ଟକୁ ଦେଖିବାକୁ ପଡ଼ିବ। ପୂର୍ଣ୍ଣ ଶକ୍ତିସମ୍ପନ୍ନ ଦଳ ସହ ଖେଳୁଥିବା ଦକ୍ଷିଣ ଆଫ୍ରିକାକୁ ଝଟକା ଦେବାକୁ ହେଲେ ଭାରତୀୟ ବୋଲରଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ।
ଟପ୍‌ ଅର୍ଡରରେ ପ୍ରାୟ ସମସ୍ତ ଭାରତୀୟ ବ୍ୟାଟର ଭଲ ଟଚ୍‌ରେ ଅଛନ୍ତି। ଇଶାନ କିଶନଙ୍କଠାରୁ ଆରମ୍ଭ କରି ହାର୍ଦ୍ଦିକଙ୍କ ପର୍ଯ୍ୟନ୍ତ ୫ ଜଣ ଯାକ ଉପଯୋଗୀ ଅବଦାନ ଦେବାରୁ ଭାରତ ୨୦୦ରୁ ଊର୍ଦ୍ଧ୍ୱ ରନ କରିବା ସମ୍ଭବ ହୋଇଥିଲା। ତେଣୁ ବାରବାଟୀରେ ମଧ୍ୟ କିଶନ, ଋତୁରାଜ ଗାଏକ୍ୱାଡ, ଶ୍ରେୟାସ ଆୟାର, ଅଧିନାୟକ ରିଷଭ ପନ୍ତ ଓ ପାଣ୍ଡ୍ୟାଙ୍କ ବ୍ୟାଟ୍‌ରୁ ସେପରି ସ୍କୋର ଆଶା କରାଯାଉଛି। ଗତ ଆଇପିଏଲ୍‌ରେ ଖରାପ ନେତୃତ୍ୱ ଯୋଗୁ ପନ୍ତ ସମାଲୋଚିତ ହୋଇଥିଲେ। ତେଣୁ ଏଠାରେ ତାଙ୍କ ନେତୃତ୍ୱ ଦକ୍ଷତା ଉପରେ ନଜର ରହିଛି। ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଅନୁପସ୍ଥିତିରେ ସେ ଯେଉଁ ସୁବର୍ଣ୍ଣ ସୁଯୋଗ ପାଇଛନ୍ତି ତାହାର ସଦୁପଯୋଗ କରିବା ଉଚିତ।
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଦେଖିବା ପାଇଁ ଓଡ଼ିଶା ଦର୍ଶକଙ୍କ ମନରେ ଅହେତୁକ ଉତ୍ସାହ ପରିଲକ୍ଷିତ ହୋଇଛି। ଅନ୍‌ଲାଇନ ଟିକେଟ ହେଉ କି କାଉଣ୍ଟରରେ ଦର୍ଶକମାନେ ସେମାନଙ୍କ ଉତ୍କଣ୍ଠାକୁ ଦେଖାଇ ସାରିଛନ୍ତି। ଦୁଇଦିନ ଧରି ଆକାଶ ମେଘାଚ୍ଛନ୍ନ ରହୁଥିଲେ ହେଁ ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିନାହିଁ। ଶନିବାର ଦୁଇ ଦଳର ନେଟ୍‌ ପ୍ରାକ୍ଟିସ ସମୟରେ ଅନେକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଆଗାମୀ ମ୍ୟାଚ ରୋମାଞ୍ଚକ ହେବ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ସିରିଜକୁ ପ୍ରତ୍ୟାବର୍ତ୍ତନ କରିବ ଏହି ଆଶାରେ ରହିଛନ୍ତି ବାରବାଟୀ ଦର୍ଶକ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri