ନୂଆପଡ଼ା, ୨୮/୯ (ମକାରୁ ବେମାଲ): ନୂଆପଡ଼ା ଜିଲାରେ କିଛି ଦିନର ବ୍ୟବଧାନ ପରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଜଣେ ଯୁବକ କାର୍ ଯୋଗେ ସାରାବଙ୍ଗ ଗାଁରୁ ପତୋରା ଅଭିମୁଖେ ଯାଉଥିବାବେଳେ ଖୁତମନ ଭେରା ଗାଁ ନିକଟରେ ଏକ କଲରାପତରିଆ ବାଘ ରାସ୍ତା ପାର ହେଉଥିବା ଦେଖିଥିଲେ।
ଯୁବକ ଜଣକ ଗାଡ଼ି ଅଟକାଇ ମୋବାଇଲ୍ ଫୋନ୍ରେ ବାଘର ଭିଡିଓ ଉତ୍ତୋଳନ କରିବା ସହ ଘଟଣା ସମ୍ପର୍କରେ ନୂଆପଡ଼ା ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘର ଗତିବିଧି ଉପରେ ଅନୁଧ୍ୟାନ କରିବା ସହ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନ କରୁଛନ୍ତି।
ଏହି ଅଞ୍ଚଳକୁ କେବଳ ଗୋଟିଏ ବାଘ ଆସିଛି ନା ଏକାଧିକ ବାଘ ରହିଛନ୍ତି, ସେନେଇ ମଧ୍ୟ ବନ ବିଭାଗ ପକ୍ଷରୁ ଅନୁଧ୍ୟାନ କରାଯାଉଛି। ବାଘ କେଉଁ ଦିଗକୁ ଯାଉଛି, ତାହା ଜାଣିବା ପାଇଁ ଏହାର ପାଦଚିହ୍ନ ଯାଞ୍ଚ କରାଯାଉଛି।
ସୁନାବେଡ଼ା ଅଭୟାରଣ୍ୟର ପାଦଦେଶରେ ଏହି ଅଞ୍ଚଳ ରହିଥିବାରୁ ସିଲେରିବାହାରା, କୋଦୋପାଳି, ଲୋଡ଼ରା, ଭରୁଆମୁଣ୍ଡା, ତରିଆ ଓ ମହୁଆଭଟା ଭଳି ଗାଁ ଅଞ୍ଚଳକୁ ବାଘ ଚାଲିଆସି ଗାଈ, ବାଛୁରୀ, ଛେଳି ଓ ମେଣ୍ଢା ଶିକାର କରୁଥିବା ଅଭିଯୋଗ ରହିଛି। ଦିନକୁ ଦିନ ଜଙ୍ଗଲ ପଦା ହେବା ସହ ଜଙ୍ଗଲରେ ଖାଦ୍ୟର ଅଭାବ ଯୋଗୁ ବାଘ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହେଉଥିବା ଅନୁମାନ କରାଯାଉଛି।
ଖୁତମନ ଭେରା ଗାଁ ଅଞ୍ଚଳରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକେ ଜମିବାଡ଼ିକୁ ଯିବା କିମ୍ବା ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରିବାକୁ ଭୟ କରୁଛନ୍ତି।
ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ମୁତୟନ ରହିବା ସହ ଜଙ୍ଗଲ ଓ ପାହାଡ଼ ତଳି ଗାଁଗୁଡ଼ିକୁ ଯାଇ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି। ଅତ୍ୟନ୍ତ ଜରୁରୀ କାମ ନଥିଲେ ଘରୁ ବାହାରକୁ ନ ଯିବା, ଅଯଥାରେ ଜଙ୍ଗଲକୁ ପ୍ରବେଶ ନ କରିବା ଏବଂ ଜରୁରୀ କାମରେ ଯିବାକୁ ପଡ଼ିଲେ ଦଳବଦ୍ଧ ଭାବେ ଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

