ବଜ୍ରପାତ ବଢୁଛି

ଇଂ. ମାୟାଧର ସ୍ବାଇଁ

ବଜ୍ରପାତ ହେଉଛି ଏକ ପ୍ରାକୃତିକ ଘଟଣା। ଏହା ବୁଝି ନ ଥିଲେ ସୁଦ୍ଧା ମନୁଷ୍ୟ ଆବହମାନ କାଳରୁ ଏହାକୁ ଦେଖି ଆସୁଛି। ବାସ୍ତବରେ ଏହା ହେଉଛି ଗୋଟିଏ ଅତ୍ୟୁଚ୍ଚ ଭୋଲ୍‌ଟେଜ୍‌ର ବିଦ୍ୟୁତ୍‌ ସ୍ଫୁଲିଙ୍ଗ। ଘରେ ବ୍ୟବହାର ହେଉଥିବା ବିଦ୍ୟୁତ୍‌ ଭୋଲ୍‌ଟେଜ୍‌ର ଏହା ହେଉଛି ହଜାର ହଜାର ଗୁଣ। ଏଣୁ ଏହାର ଧ୍ୱଂସକାରୀ ଶକ୍ତି ହେଉଛି ଅଧିକ।
ପୃଥିବୀରେ ଯେକୌଣସି ସମୟରେ ପ୍ରାୟ ୨୦୦୦ଟି ବଜ୍ରପାତ ଘଟୁଛି। କିନ୍ତୁ ଦେଖାଯାଇଛି ଯେ ଗତ କେତେବର୍ଷ ଧରି ବଜ୍ରପାତର ସଂଖ୍ୟା ବୃଦ୍ଧି ପାଉଛି। ବିଶେଷଭାବେ ଓଡ଼ିଶା ସମେତ ପୂର୍ବ ଭାରତ ରାଜ୍ୟଗୁଡ଼ିକରେ ଏହା ଅଧିକ ଭାବରେ ଦେଖାଯାଉଛି। ଗତ ସେପ୍ଟେମ୍ବର ୨ରେ ଓଡ଼ିଶାରେ ବଜ୍ରପାତରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟ ଯେ ଏହି ଦିନ ୨ ଘଣ୍ଟା ମଧ୍ୟରେ ୬୧,୦୦୦ ବଜ୍ରପାତ ହୋଇଛି। ଓଡ଼ିଶାରେ ଏହା ଅଧିକ ଭାବେ ଦେଖାଦେଉଥିବାରୁ ଏହାକୁ ଜାତୀୟ ବିପତ୍ତି ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ ବଜ୍ରପାତ ଯୋଗୁ ଗତ ୨୦ ବର୍ଷରେ ଓଡ଼ିଶାରେ ୪ ହଜାରରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କୃଷକ। ଜମିରେ କାମ କରୁଥିବା ବେଳେ ସେମାନେ ଏହାର ଶିକାର ହୋଇଛନ୍ତି।
ଭାରତର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରକାଶ କରିଛି, ଦେଶରେ ବର୍ଷକୁ ପ୍ରାୟ ୨୫୦୦ ଲୋକ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି। ପୁଣେରେ ଥିବା ଭାରତୀୟ କ୍ରାନ୍ତୀୟ ପାଣିପାଗ ଅନୁଷ୍ଠାନର ବଜ୍ରପାତ ଚିହ୍ନଟ ନେଟ୍‌ଓ୍ବର୍କ ତଥ୍ୟରୁ ଜଣାପଡ଼ିଛି, ୨୦୧୯ରୁ ୨୦୨୩ ମସିହା ମଧ୍ୟରେ ଦେଶରେ ବଜ୍ରପାତର ସଂଖ୍ୟା ୫୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ କେତେକ ରାଜ୍ୟରେ ଏହି ବୃଦ୍ଧି ହେଉଛି ୩୦୦ ପ୍ରତିଶତ। ୨୦୧୯-୨୦ ମସିହାରେ ଦେଶରେ ୫୧.୬ ଲକ୍ଷ ବଜ୍ରପାତ ହୋଇଥିବା ବେଳେ ୨୦୨୨-୨୩ ମସିହାରେ ଏହାର ସଂଖ୍ୟା ହେଉଛି ୭୨.୬ ଲକ୍ଷ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ଓଡ଼ିଶା, ବିହାର ଓ ଉତ୍ତର ପ୍ରଦେଶରେ ଅଧିକ ବଜ୍ରପାତ ହେଉଛି।
ବୈଜ୍ଞାନିକମାନେ ବଜ୍ରପାତ ବୃଦ୍ଧି ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରୁଛନ୍ତି। ବଜ୍ରପାତ ସୃଷ୍ଟି ପାଇଁ ଆକାଶରେ ଜଳବିନ୍ଦୁ ଓ ଉତ୍ତାପ ଆବଶ୍ୟକ। ବାୟୁ ଉତ୍ତପ୍ତ ହେଲେ ଏହା ଉପରକୁ ଉଠିଥାଏ ଏବଂ ଏହା ଉପରକୁ ଯିବାବେଳେ ଆକାଶରେ ଥିବା ଥଣ୍ଡା ବାୟୁ ସହ ସଂଘର୍ଷ ହୋଇଥାଏ। ଗରମ ବାୟୁରେ ଥିବା ଜଳବିନ୍ଦୁ ସହ ଥଣ୍ଡା ବାୟୁରେ ଥିବା ବରଫ ସ୍ଫଟିକର ସଂଘାତ ଯୋଗୁ ବାୟୁମଣ୍ଡଳରେ ସ୍ଥିର ବିଦ୍ୟୁତ୍‌ ଚାର୍ଜ ସୃଷ୍ଟି ହୁଏ। ଫଳରେ ବାଦଲର ଉପର ଭାଗରେ ଧନାମତ୍କ ଚାର୍ଜ ଓ ନିମ୍ନଭାଗରେ ଋଣାମତ୍କ ଚାର୍ଜ ଜମା ହୋଇରହେ। ଫଳରେ ଉଭୟ ମଧ୍ୟରେ ଏକ ବୈଦ୍ୟୁତିକ କ୍ଷେତ୍ର ସୃଷ୍ଟି ହୁଏ। ବାଦଲର ନିମ୍ନ ଭାଗର ରୁଣାମତ୍କ ଚାର୍ଜ ଯୋଗୁ ଭୂପୃଷ୍ଠରେ ଧନାମତ୍କ ଚାର୍ଜ ସୃଷ୍ଟି ହୁଏ। ବିପରୀତ ଚାର୍ଜ ପରସ୍ପରକୁ ଆକର୍ଷଣ କରନ୍ତି ଏବଂ ଫଳରେ ବାଦଲରୁ ଭୂପୃଷ୍ଠକୁ ବଜ୍ରପାତ ହୋଇଥାଏ। ଏଥିପାଇଁ ଜଳକଣା ଓ ଉତ୍ତାପ ଆବଶ୍ୟକ ହେଉଥିବାରୁ ଏହା ସାଧାରଣତଃ ଖରାଦିନେ ଏବଂ ବିଶେଷ ଭାବେ ଆର୍ଦ୍ର ଅଞ୍ଚଳରେ ଘଟିଥାଏ। ଏହା ପ୍ରାୟ ଅପରାହ୍ନ ଓ ସନ୍ଧ୍ୟା ସମୟରେ ହୋଇଥାଏ।
ପୃଥିବୀର ଉଷ୍ମତା ବୃଦ୍ଧି ହେତୁ ସମୁଦ୍ର ପୃଷ୍ଠରେ ତାପମାତ୍ରା ବୃଦ୍ଧି ପାଉଛି ଏବଂ ଉତ୍ତପ୍ତ ବାୟୁର ଜଳଧାରଣ କ୍ଷମତା ଅଧିକ ହୋଇଥିବାରୁ ବାୟୁମଣ୍ଡଳରେ ଜଳକଣା ବୃଦ୍ଧି ପାଉଛି। ଆକଳନ କରାଯାଇଛି ଯେ ପୃଥିବୀର ଉଷ୍ମତା ୧ ଡିଗ୍ରୀ ସେଲ୍‌ସିୟସ ବଢ଼ିଲେ ବାୟୁର ୭ ପ୍ରତିଶତ ଅଧିକ ଜଳକଣା ଧାରଣ କରିବାର ଶକ୍ତି ହୋଇଥାଏ। ଏହିପରି ବାୟୁମଣ୍ଡଳରେ ଉଭୟ ତାପମାତ୍ରା ଓ ଜଳକଣା ବୃଦ୍ଧି ଯୋଗୁ ଗତ କେତେବର୍ଷ ଧରି ବଜ୍ରପାତ ସଂଖ୍ୟା ବଢ଼ୁଛି। ଏଥିରୁ ଜଳବାୟୁ ପରିବର୍ତ୍ତନ ସହ ବଜ୍ରପାତ ବୃଦ୍ଧିର ସିଧାସଳଖ ସମ୍ପର୍କ ଜଣାପଡୁଛି।
ବୈଜ୍ଞାନିକମାନେ କୁହନ୍ତି, ବଜ୍ରପାତ ଯୋଗୁ ମୃତ୍ୟୁକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇପାରିବ। ପାଣିପାଗ ବିଭାଗ ପାଖରେ ଥିବା ବଜ୍ରପାତ ସୂଚକ ଯନ୍ତ୍ର ଡପ୍‌ଲର ରାଡାର ଦ୍ୱାରା ଅତିକମ୍‌ରେ ଗୋଟିଏ ଦିନ ପୂର୍ବରୁ କେଉଁ ଅଞ୍ଚଳରେ ବଜ୍ରପାତ ସମ୍ଭାବନା ଅଛି ତାହା ଜଣାପଡୁଛି ଏବଂ ଲୋକମାନଙ୍କୁ ଏଥିପାଇଁ ଗଣମାଧ୍ୟମ ଜରିଆରେ ସତର୍କ କରିଦିଆଯାଉଛି। ଏହାର ‘ଦାମିନି’ ଆପ୍‌ ବ୍ୟବହାରକରି ଏହି ସୂଚନା ମଧ୍ୟ ପାଇ ହେଉଛି।
ଏହା ବ୍ୟତୀତ ବଜ୍ରପାତରୁ ରକ୍ଷା ପାଇବାର ସାଧାରଣ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ ଗଛ ତଳେ ରହିବା ଅନୁଚିତ। ବଜ୍ରପାତ ସାଧାରଣତଃ ଡେଙ୍ଗା ଗଛ, ଉଚ୍ଚ କୋଠା ଆଦିରେ ଅଧିକ ହୋଇଥାଏ। ଅବଶ୍ୟ ଏହାର ଅର୍ଥ ନୁହେଁ ଯେ ଖୋଲା ସ୍ଥାନରେ ବଜ୍ରପାତ ହୁଏ ନାହିଁ। ଏଣୁ ସର୍ବଦା ବଜ୍ରପାତର ଆଗୁଆ ସୂଚନା ଅନୁଯାୟୀ ବାହାରକୁ ବାହାରିବା ଆବଶ୍ୟକ। ଉଚ୍ଚ ମନ୍ଦିର, କୋଠା ଆଦିରେ ଜଡ଼ିତ ରକ୍ଷକ (ଲାଇଟିନିଂ ଆରେଷ୍ଟର) ଖଞ୍ଜିବା ଉଚିତ ଯାହା ବିଜୁଳିକୁ ସିଧା ଭୂଇଁକୁ ନେଇଯାଏ। ଜଳବାୟୁ ପରିବର୍ତ୍ତନ ଯେପରି କ୍ରମଶଃ ଖରାପ ଆଡ଼କୁ ଯାଉଛି, ଭବିଷ୍ୟତରେ ବଜ୍ରପାତ ସଂଖ୍ୟା ଆହୁରି ବଢ଼ିପାରେ।
ଲକ୍ଷ୍ମୀବିହାର,ଭୁବନେଶ୍ୱର,
ମୋ-୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri