ଏଠି ଏମିତି ହୁଏ

ଭାରତରେ ସରକାରଙ୍କ ଦ୍ୱାରା କରାଯାଉଥିବା ହତ୍ୟାର ନାମ ‘ଏନ୍‌କାଉଣ୍ଟର’ ଏବଂ ହତ୍ୟାକାରୀଙ୍କୁ ‘ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ’ କୁହାଯାଏ। ବୋଧହୁଏ ଏନ୍‌କାଉଣ୍ଟର ପାଇଁ ନିଷ୍ଠୁର ଭାବେ ଟ୍ରିଗର ଦବାଇବା ବ୍ୟତୀତ ଅନ୍ୟ କୌଣସି ବିଶେଷ ଦକ୍ଷତା ଦରକାର ନାହିଁ। ଏହି ଆପରାଧିକ କାର୍ଯ୍ୟକଳାପ ପାଇଁ କୌଣସି ଦଣ୍ଡ ବି ନାହିଁ କାରଣ ଭାରତରେ ଆଇନର ଶାସନ ନାହିଁ। ଏମିତି କି ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣେ ପୂର୍ୱତନ ସାଂସଦଙ୍କୁ ପୋଲିସ ହେପାଜତରେ ଥିବା ସମୟରେ ଟିଭିରେ ସିଧା ପ୍ରସାରଣ ବେଳେ ବି ଗୁଳିକରି ହତ୍ୟା କରାଯାଇଥିଲା। ଏଠାରେ ଏମିତି ହିଁ କାମ ହୁଏ।
ଆଇନ ଏବଂ ସମ୍ୱିଧାନ ଅନୁଯାୟୀ ତଦନ୍ତ ଓ ବିଚାର କରିବା ପାଇଁ ଭାରତ ସରକାରଙ୍କ ପାଖରେ ନୈତିକତା ତଥା ଦକ୍ଷତା ନାହିଁ। ତେଣୁ ‘ଏନ୍‌କାଉଣ୍ଟର’ ଏକ ସାଧାରଣ କଥା ହୋଇଯାଇଛି। କିନ୍ତୁ ଦେଶର ଏହି ଏନ୍‌କାଉଣ୍ଟର ସଂସ୍କୃତିର ସ୍ୱରୂପ ବାହାର ଦେଶରେ ଧରାପଡ଼ିଯାଏ ବୋଲି ଚଳିତ ମାସରେ ଜାଣିବାକୁ ପାଇଛୁ। ଖଲିସ୍ତାନୀ ନେତା ଗୁରପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ର ବିଷୟରେ ଆମେରିକା ସରକାର ତୁରନ୍ତ ଜାଣିପାରିଥିଲେ। ଏହି କାର୍ଯ୍ୟ ଅତି ବେପରୁଆ ଢଙ୍ଗରେ କରାଯାଇଥିଲା। ଏଥିପାଇଁ ସରକାର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତ କଲା ପରେ ସେ ଆଉ ଜଣକୁ ନିଯୁକ୍ତ କରିଛନ୍ତି ଏବଂ ଶେଷରେ ହତ୍ୟା ପାଇଁ ଯାହାଙ୍କୁ ନିଯୁକ୍ତ କରାଯାଇଛି, ସେ ଆମେରିକାର ଗୁପ୍ତଚର ବିଭାଗର ଜଣେ ଅଧିକାରୀ ବୋଲି ଜଣାପଡ଼ିଛି। ଏହି ଅପରେଶନ ପାଇଁ ନିର୍ଦ୍ଦେଶ ଦେଇଥିବା ଏବଂ ଏଥିପାଇଁ ଅର୍ଥ ଯୋଗାଇଥିବା ଭାରତୀୟ ଅଧିକାରୀଙ୍କ ବିଷୟରେ ଆମେରିକାର ନ୍ୟାୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିକାଶ ଯାଦବ ଭାରତ ସରକାରଙ୍କ କ୍ୟାବିନେଟ ସଚିବାଳୟରେ ନିଯୁକ୍ତ, ଯାହା ଅଧୀନରେ ଭାରତର ବିଦେଶୀ ଗୁପ୍ତଚର ସଂସ୍ଥା ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (‘ର’) କାର୍ଯ୍ୟ କରେ। ସେ ନିଜକୁ ‘ସିନିୟର ଫିଲ୍ଡ ଅଫିସର’ ଏବଂ ସୁରକ୍ଷା ପରିଚାଳନା ଏବଂ ଗୁପ୍ତଚର କାର୍ଯ୍ୟ ତାଙ୍କ ଦାୟିତ୍ୱ ବୋଲି କହିଛନ୍ତି। ସେ ପୂର୍ୱରୁ ଭାରତର କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ରେ କାର୍ଯ୍ୟ କରିଥିବା ଏବଂ ଯୁଦ୍ଧ କୌଶଳ ଓ ଅସ୍ତ୍ରଶସ୍ତ୍ର ଚାଳନାରେ ତାଲିମ ନେଇଥିବା ଦର୍ଶାଇଛନ୍ତି। କୁହାଯାଇଛି ଯେ, ଯାଦବ ଭାରତୀୟ ନାଗରିକ ଏବଂ ସେ ଭାରତରେ ରହି ଷଡ଼ଯନ୍ତ୍ର କରି ପନ୍ନୁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଯାଦବ ଆମେରିକାରେ ସୁପାରିକିଲର ନିଯୁକ୍ତ କରିବା ପାଇଁ ନିଖିଲ ଗୁପ୍ତା ନାମକ ଭାରତୀୟଙ୍କୁ ନିୟୋଜିତ କରିଥିଲେ। ସ୍ଥିର ହୋଇଥିବା ପ୍ରାୟ ୧ କୋଟି ଟଙ୍କା ମଧ୍ୟରୁ ଅଗ୍ରୀମ ଦେୟ ସ୍ୱରୂପ ପ୍ରାୟ ୧୫ ଲକ୍ଷ ଟଙ୍କା ନଗଦ ଆକାରରେ ଦିଆଯାଇଥିଲା। ତେବେ ଯାହାଙ୍କୁ ହତ୍ୟା ପାଇଁ ନିଯୁକ୍ତ କରାଯାଇଥିଲା, ସେ ଥିଲେ ଜଣେ ଆମେରିକୀୟ ଗୁପ୍ତଚର ଏଜେଣ୍ଟ। ଏହି ମାମଲାରେ ଦର୍ଶାଯାଇଥିବା ପ୍ରମାଣଗୁଡ଼ିକ ଆମ ପାଇଁ ଲଜ୍ଜାଜନକ। ଏହି ମାମଲାରେ ନିଖିଲ ଗୁପ୍ତା ନିଜ ଦୋଷ ସ୍ୱୀକାର କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କୁ ୧୯ ବର୍ଷ ଜେଲଦଣ୍ଡ ମିଳିଛି। ଏହି ଷଡ଼ଯନ୍ତ୍ର ସମ୍ପର୍କିତ ଅଡିଓ, ଭିଡିଓ ଏବଂ ଲିଖିତ ବାର୍ତ୍ତାର ପ୍ରମାଣ ଥିଲା। ଯାଦବ ତାଙ୍କ ସାମରିକ ପୋଷାକ ପିନ୍ଧିଥିବା ଫଟୋ ଗୁପ୍ତାଙ୍କୁ ପଠାଇଥିଲେ, ଯାହାକୁ ସରକାରୀ ଓକିଲମାନେ ତାଙ୍କ ଭୂମିକାକୁ ପ୍ରମାଣିତ କରିବା ପାଇଁ ବ୍ୟବହାର କରିଥିଲେ। ମେସେଜରୁ ସ୍ପଷ୍ଟ ଯେ, ଯାଦବ ହିଁ ପନ୍ନୁଙ୍କ ନ୍ୟୁୟର୍କ ସହରର ଘର ଠିକଣା, ଫୋନ ନମ୍ୱର ଏବଂ ଦୈନନ୍ଦିନ କାର୍ଯ୍ୟସୂଚୀ ଗୁପ୍ତାଙ୍କୁ ଦେଇଥିଲେ, ଯାହାକୁ ଗୁପ୍ତା ସେହି ଆମେରିକୀୟ ଗୁପ୍ତଚର ଏଜେଣ୍ଟଙ୍କ ପାଖକୁ ପଠାଇଥିଲେ। ୯ ଜୁନ୍‌ ୨୦୨୩ରେ ହସ୍ତାନ୍ତର କରାଯାଇଥିବା ନଗଦ ଟଙ୍କାର ଭିଡିଓ ରେକର୍ଡିଂ କରାଯାଇଥିଲା। ଚିନ୍ତାଜନକ ବିଷୟ ହେଉଛି, ଆମେରିକା ଅଦାଲତର ରେକର୍ଡ ଅନୁସାରେ ଯାଦବ ହତ୍ୟା ବଦଳରେ ମଣିପୁରର ଇମ୍ଫାଲ ବିମାନବନ୍ଦର ଦେଇ ଡ୍ରଗ୍ସ ବୋଝେଇ ବିମାନକୁ ବିନା ବାଧାରେ ଯିବା ଏବଂ ଅସ୍ତ୍ରଶସ୍ତ୍ର କାରବାର କରାଇଦେବାର ସୁବିଧା କରିଦେବା ପାଇଁ ଗୁପ୍ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଯୋଗାଯୋଗ ତଥ୍ୟରୁ ଜଣାପଡିଛି, ୨୦ ଜୁନ୍‌ ୨୦୨୩ ପାଖାପାଖିରେ ଏହି ହତ୍ୟା କରିବାକୁ ଗୁପ୍ତା ସେହି ଆମେରିକୀୟ ଗୁପ୍ତଚର ଏଜେଣ୍ଟଙ୍କୁ ମନା କରିଥିଲେ। କାରଣ ଜୁନ୍‌ ୨୧ରୁ ୨୩ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ଭେଟିବାର କାର୍ଯ୍ୟକ୍ରମ ଥିଲା। ଗସ୍ତ ସହିତ ହତ୍ୟା ଘଟଣାକୁ ଜଡ଼ିତ ନ କରାଇବା ପାଇଁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା। କାନାଡାରେ ଶିଖ୍‌ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜ୍ଜାରଙ୍କୁ ହତ୍ୟା କରାଯିବାର ଗୋଟିଏ ଦିନ ପରେ ଯାଦବ ନିଜ୍ଜରଙ୍କ ମୃତଦେହର ଏକ ଫଟୋ ଗୁପ୍ତାଙ୍କ ପାଖକୁ ପଠାଇଥିଲେ ଏବଂ ଗୁପ୍ତା ସେହି ଗୁପ୍ତ ଏଜେଣ୍ଟଙ୍କୁ କହିଥିଲେ ଯେ, ନିଜ୍ଜର ମଧ୍ୟ ଟାର୍ଗେଟରେ ଥିଲେ ଓ ଏବେ ଆଉ ଅପେକ୍ଷା କରିବାକୁ ସମୟ ନାହିଁ।
୨୦୨୩ ଜୁନ୍‌ ୩୦ରେ ଗୁପ୍ତାଙ୍କୁ ଚେକ୍‌ ଗଣରାଜ୍ୟର ପ୍ରାଗ୍‌ ସହରରେ ଗିରଫ କରାଯାଇ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା। ଗୁପ୍ତାଙ୍କ ଗିରଫ ସମୟରେ ଭାରତ ସରକାର ପ୍ରତିକ୍ରିୟାରେ କହିଥିଲେ ଯେ, ଏଭଳି ସୁରକ୍ଷା ସମ୍ୱନ୍ଧୀୟ ବିଷୟରେ ଅଧିକ ସୂଚନା ଦେଇପାରବେ ନାହିଁ ଏବଂ ଆମେରିକାର ଏକ ଅଦାଲତରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ମାମଲାରେ ଜଣେ ଭାରତୀୟ ଅଧିକାରୀଙ୍କୁ ଜଡ଼ିତ କରାଯିବା ଚିନ୍ତାର ବିଷୟ। ଆମେ କହିଛୁ, ଏହା ସରକାରୀ ନୀତିର ବିରୁଦ୍ଧାଚରଣ କରେ। ଅନ୍ତର୍ଜାତୀୟ ସ୍ତରରେ ସଂଗଠିତ ଅପରାଧ, ମାନବ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଉଗ୍ରପନ୍ଥୀଙ୍କ ମଧ୍ୟରେ ଥିବା ସମ୍ପର୍କ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଓ ସଂଗଠନଗୁଡ଼ିକ ପାଇଁ ଏକ ଗମ୍ଭୀର ବିଷୟ। ଏହି କାରଣରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ଏବଂ ଆମେ ନିଶ୍ଚିତ ଭାବରେ ଏହାର ତଦନ୍ତ ଓ ନିଷ୍ପତ୍ତି ଦ୍ୱାରା ପରିଚାଳିତ ହେବୁ ବୋଲି ଭାରତ ସରକାର କହିଥିଲେ। ଏହା ନିଶ୍ଚିତ ଯେ, ‘ଉଚ୍ଚସ୍ତରୀୟ କମିଟି’ ମଧ୍ୟ ‘ଏନ୍‌କାଉଣ୍ଟର’ ଶବ୍ଦ ପରି ଏକ ଆଳଙ୍କାରିକ ଶବ୍ଦ। ଆମେ ‘ର’ ଏବଂ ଅନ୍ୟ ଗୁପ୍ତଚର ସଂସ୍ଥାଗୁଡ଼ିକୁ ପାରଙ୍ଗମ ବୋଲି ଭାବୁ। ସେମାନଙ୍କ ଅଧିକାରୀମାନେ ଜେମ୍ସ ବଣ୍ଡ ଓ ମାତା ହାରିସ୍‌ଙ୍କ ପରି ରହସ୍ୟମୟ ଓ ଚତୁର ବ୍ୟକ୍ତିତ୍ୱ ବୋଲି ମନେକରୁ। କିନ୍ତୁ ମାନ୍‌ହାଟନର ଏକ ଅଦାଲତରେ ଏହାର ବାସ୍ତବତା ମୂଲ୍ୟହୀନ ବୋଲି ପ୍ରତୀୟମାନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇ ଇଣ୍ଡିଆନ୍ସକୁ ଆଉ ଏକ ଝଟ୍‌କା: ହାର୍ଦ୍ଦିକଙ୍କ ପରେ ଏବେ ପଞ୍ଜାବ ଶିବିରରେ ଯୋଗଦେବେ ଏହି ଭାରତୀୟ ଷ୍ଟାର

ନୂଆଦିଲ୍ଲୀ,୨୨।୧୧: ଆଇପିଏଲ (IPL) ୨୦୨୭ ପୂର୍ୱରୁ ଟ୍ରେଡ ଜରିଆରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ୱାଇ ଇଣ୍ଡିଆନ୍ସ ଛାଡ଼ି ପଞ୍ଜାବ କିଙ୍ଗ୍ସର ଅଂଶ ହୋଇଯାଇଛନ୍ତି। ଏହି ଟ୍ରେଡ ପ୍ରତ୍ୟେକ ପ୍ରଶଂସକଙ୍କୁ…

ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ: ଆଇଏମ୍‌ଡି ଡିଜି

ଭୁବନେଶ୍ୱର,ସମ୍ୱଲପୁର,୨୨ା୧୧(ବନ୍ଦନା ସେଠୀ/ପ୍ରମୋଦ ବହିଦାର): ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା…

ଫେୟାର୍‌ନେସ୍‌ କ୍ରିମ୍‌ ବ୍ୟବହାରରୁ ନାବାଳିକାଙ୍କୁ କିଡନୀ ରୋଗ

ଥିରୁଭାନନ୍ତପୁରମ, ୨୨ା୧୧: ଅନ୍‌ଲାଇନରୁ କିଣାଯାଇଥିବା ପାରଦ ମିଶ୍ରିତ ଫେୟାରନେସ୍‌ କ୍ରିମ ବ୍ୟବହାର କରିବା ପରେ କେରଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କଠାରେ ଗୁରୁତର କିଡ୍‌ନୀ ସମସ୍ୟା ଦେଖାଦେଇଛି।…

ନବୀନ, ପାଣ୍ଡିଆନ, ରବିକାନ୍ତଙ୍କ ବିଦେଶ ଗସ୍ତର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨।୧୧(ସୁନିତ୍‌ ମିଶ୍ର): ପୂର୍ୱତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍‌ ଅଫିସର ରବି…

ମେଟା କାର୍ଯ୍ୟାଳୟରେ ଯୁବକଂଗ୍ରେସର ଭଙ୍ଗାରୁଜା

ନୂଆଦିଲ୍ଲୀ,୨୨ା୧୧: କେତେଜଣ ଦଳୀୟ ନେତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ମେଟା ହଟାଇ ଦେଇଥିବାରୁ ଏହା ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ମୁମ୍ୱାଇ, ହାଇଦ୍ରାବାଦ, ଗୁରୁଗ୍ରାମ ଆଦି ବିଭିନ୍ନ ସ୍ଥାନରେ…

ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ…

ୟେମେନ୍‌ରେ ଏୟାରଷ୍ଟ୍ରାଇକ୍‌: ୪୧ ମୃତ

ସାନା/ ରିୟାଦ,୨୧ା୧୧: ସାଉଦି ଆରବ ଗତ ୨୪ ଘଣ୍ଟା ମଧ୍ୟରେ ୟେମେନ୍‌ର ବିଭିନ୍ନ ସ୍ଥାନରେ କରିଥିବା ଏୟାରଷ୍ଟ୍ରାଇକ୍‌ରେ ୧୧ ପିଲା ଓ ୭ ମହିଳାଙ୍କ ସମେତ ଅନୂ୍ୟନ…

ତାମିଲନାଡୁରେ ଚାଞ୍ଚଲ୍ୟ: ଟ୍ରେନ୍‌ରେ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା

ଚେନ୍ନାଇ,୨୧ା୧୧: ତାମିଲନାଡୁର କନ୍ୟାକୁମାରୀ ଜିଲା ଅନ୍ତର୍ଗତ ନାଗେରକଏଲ ରେଲ୍‌ଓ୍ବେ ୟାର୍ଡରେ ଗତ ୧୩ ତାରିଖରେ ଏକ ଅବ୍ୟବହୃତ ଟ୍ରେନ୍‌ ବଗିରୁ ଜଣେ ୫୪ ବର୍ଷୀୟ ମହିଳାଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?