Posted inଫୁରସତ

ଗୁରୁଜ୍ଞାନ…

ମଣିଷ ଜୀବନର ପ୍ରତି ସ୍ତରରେ ଗୁରୁଙ୍କ ଆବଶ୍ୟକତା ଅଛି । ଗୁରୁ ହିଁ ସାକ୍ଷାତ୍‌ ବ୍ରହ୍ମଃ ଓ ବ୍ରହ୍ମଃ ଆମ ଜୀବନରେ ଅନେକ ରୂପରେ ଆସନ୍ତି । ଜନ୍ମବେଳେ ପିତା ମାତାଙ୍କ ରୂପରେ ତ ବାର୍ଦ୍ଧକ୍ୟରେ ଆଧ୍ୟାତ୍ମିକ ଗୁରୁ ରୂପରେ। କେତେବେଳେ ଶିକ୍ଷକ ତ କେତେବେଳେ ବନ୍ଧୁ ରୂପରେ ଆସନ୍ତି। ବ୍ରହ୍ମ ପୁରାଣରେ ଚାରି ପ୍ରକାର ଗୁରୁଙ୍କ ବର୍ଣ୍ଣନା ଅଛି । ଅଗ୍ନି, ବ୍ରାହ୍ମଣ , ଅତିଥି ଓ ପତି। କିନ୍ତୁ ପ୍ରଚଳିତ ସମାଜରେ ପୁରାଣ ବର୍ଣ୍ଣିତ ଗୁରୁଙ୍କ ଶିକ୍ଷାର କିଛି ପ୍ରାସଙ୍ଗିକତା ଥିଲା ଭଳି ଲାଗେନି। ଏଇ ଯେମିତି ମନୁ ଆଉ ପାଦେ ଆଗେଇଯାଇ ମନୁସ୍ମୃତିରେ ଲେଖିଛନ୍ତି ଜଣେ ପତ୍ନୀର ପ୍ରଥମ ଓ ଏକମାତ୍ର ଗୁରୁ ହେଲେ ତାଙ୍କ ପତି । ପତ୍ନୀ କେବଳ ନିଜ ପତିଙ୍କଠାରୁ ଶିକ୍ଷାଲାଭ କରିବା ଉଚିତ । ହେଲେ ସତ୍ୟତା ହେଲା ଭିନ୍ନ। ଦାମ୍ପତ୍ୟ ଏପରି ଏକ ପାଠଶାଳା ଯେଉଁଠି ପତ୍ନୀ ନାମକ ଶିଷ୍ୟାଟି ପତି ରୂପକ ଗୁରୁଙ୍କୁ ଅନବରତ ଶିକ୍ଷାଦାନ କରୁଥା’ନ୍ତି । ଗୁରୁଙ୍କର ଅନବରତ ପରୀକ୍ଷା ନେଇ ପାସ୍‌ କି ଫେଲ୍‌ର ତୁରନ୍ତ ସାର୍ଟିଫିକେଟ ଦିଅନ୍ତି । ବିଚରା ଗୁରୁଜଣଙ୍କୁ କ୍ୱଚିତ ସଫଳତା ପ୍ରାପ୍ତ ହୁଏ । ବିଜ୍ଞାନ ଶିକ୍ଷକଙ୍କ ପାଖରେ ପ୍ରାକ୍ଟିକାଲ ପରୀକ୍ଷା ଦେଉଥିବା ଛାତ୍ରର ଅବସ୍ଥା ଯାହା ଏଠି ଶିଷ୍ୟାଙ୍କ ପାଖରେ ଗୁରୁଙ୍କ ଅବସ୍ଥା ସେଇୟା । ପରୀକ୍ଷାଫଳର ଭୟାବହତା ବିଷୟରେ ଅବଗତ ଥାଇ ଗୁରୁଜଣଙ୍କ ଜୀବନ ବ୍ୟାପୀ ‘ଶିଷ୍ୟାଂ ଶରଣଂ ଗଚ୍ଛାମି’ କରୁଥା’ନ୍ତି ।

ଆଜିକାଲି ଡିଜିଟାଲ ଗୁରୁଙ୍କ ଯୁଗ । ଫେସ୍‌ବୁକ ବିଦ୍ୟାଳୟଠାରୁ, ହ୍ବାଟ୍ସଆପ୍‌ ଇନ୍‌ଷ୍ଟାଗ୍ରାମ, ଗୁଗଲ ଆଦି ସମସ୍ତ ବିଦ୍ୟାଳୟରେ ଚବିଶ ଘଣ୍ଟା ଅନବରତ ନିଃସ୍ବାର୍ଥପର ସେବା ଯୋଗାଉଥିବା ଗୁରୁଙ୍କ ସଂଖ୍ୟା ଅଗଣତି। ଏ ସବୁ ବିଦ୍ୟାଳୟର ସବୁଠୁ ଭଲ ଗୁଣ ହେଲା ଭାଇଚାରାଭାବ। ଦେଢ଼ଶୁର ଭାଇବୋହୂ , ଶାଶୁ ଜୋଇଁ ଓଗେର ଜାତି କାତି ନୀତି ନିର୍ବିଶେଷରେ ସମସ୍ତେ ବନ୍ଧୁ, ସମଭାବାପନ୍ନ । ଯଦିଓ ଏଠି ସମସ୍ତେ ବନ୍ଧୁ କିନ୍ତୁ ଆଚରଣ ଗୁରୁଙ୍କ ଭଳି। ସେହି ବନ୍ଧୁରୂପୀ ଗୁରୁ ପ୍ରତିଦିନ ସ୍ବାମୀ ବିବେକାନନ୍ଦ, ଅବଦୁଲ କାଲାମ ବୁଦ୍ଧ, ଚାଣକ୍ୟଙ୍କ ପରି ଅନେକ ମହାମନୀଷୀଙ୍କ ନୀତିବାଣୀ ଆପଣଙ୍କୁ ପଢ଼େଇବେ । ଅସଂଖ୍ୟ ପ୍ରବଚନ ଭିଡିଓର ଗନ୍ତାଘର ସେମାନେ । ସେଥିରୁ ପ୍ରତିଦିନ ଅନ୍ତତଃ ଦୁଇ ତିନୋଟି ଦୃଶ୍ୟଶ୍ରାବ୍ୟ ମାଧ୍ୟମ ଦେଇ ଆପଣଙ୍କ ପାଖରେ ପହଞ୍ଚତ୍ୟିବ । ଭଲ ମଣିଷ ହେବା ପାଇଁ ଗୀତାବାଣୀରୁ ଶ୍ଳୋକ, ସକାଳୁ ଜଗନ୍ନାଥଙ୍କ ଫଟୋ ଦେଖେଇ ଗୁଡ୍‌ମର୍ନିଂ ଭଜନ ଶୁଣେଇବାକୁ ଏହି ଗୁରୁମାନେ କେବେ ଭୁଲନ୍ତି ନାହିଁ । ତାଙ୍କ ଶିକ୍ଷାଦାନ ତରିକା ଦେଖିଲେ ଲାଗେ ଯେମିତି ପାପୀମାନଙ୍କୁ କୋଟି ଜନ୍ମ ପାପରୁ ମୁକ୍ତି ଦେବା ପାଇଁ ଏ ଗୁରୁଦାୟିତ୍ୱ ତାଙ୍କୁ ହ୍ବାଟ୍ସଆପ୍‌ କି ଫେସ୍‌ବୁକ କମ୍ପାନୀ ଦେଇଛି । ସକାଳୁ ଉଠିଲେ ମନେହେବ ଯେମିତି ଏ ପୃଥିବୀଟା ଗୁରୁମୟ । ବହୁଲୋକରେ ମୂଷା ନ ମରିବା ଭଳି ଏତେ ଗୁରୁ ଥାଉ ଥାଉ ଦୁର୍ଭାଗ୍ୟକୁ କେହି ଜଣେ ବି ଶିଷ୍ୟ ଗୁରୁଙ୍କ କଥାକୁ ମାନନ୍ତି ନାହିଁ। ମାନୁ ଥିଲେ ଆଜି କାହିଁ କେତେ ମୁନି ଋଷି ଆମ ଦେଶରେ ଭରି ଯାଆନ୍ତେଣି ।
ପିଲାଦିନେ ଏକ ପୁରାଣ ବହିରେ ପଢ଼ିଥିଲି। ବାର୍ଦ୍ଧକ୍ୟ ଯୋଗୁ ଏବେ ସେ ଲେଖକଙ୍କ ନାଁ ମନେପଡୁନି । ଥରେ ସ୍ବର୍ଗରେ ମିଟିଂ ବସିଥିଲା । ତେତିଶ କୋଟି ଦେବଦେବୀ ଯୋଗଦେଇଥିଲେ । ପ୍ରଭୁ କହିଲେ, ମର୍ତ୍ତ୍ୟରେ ଏବେ କଳିଯୁଗ ଚାଲିଛି । ଭଲ ଲୋକଙ୍କ ସଂଖ୍ୟା ଦିନକୁ ଦିନ କମିବା ହେତୁ ନର୍କରେ ଲୋକ ହାଉଯାଉ । ପାଦ ରଖିବାକୁ ଜାଗା ନାହିଁ । ଆମର ଏଠି ଖାଁ ଖାଁ ନିର୍ଜନତା । କେଉଁ ଅକାଳେ ସକାଳେ ଜଣେ ଅଧେ ଆସୁଛନ୍ତି କି ନାହିଁ । ମେନକା, ଉର୍ବଶୀ କହିଲେଣି ପ୍ରତିଦିନ ସେଇ ପୁରୁଣା ଲୋକମାନଙ୍କ ଆଗରେ ନାଚି ନାଚି ସେମାନେ ବୋର୍‌ ହୋଇଗଲେଣି । ଧମକ ଦେଲେଣି ଯଦି ଏପରି ଅବସ୍ଥା ରହେ ତେବେ ସେମାନେ ନର୍କକୁ ଚାଲିଯିବେ। ମର୍ତ୍ତ୍ୟର କିଛି ରସିକ ସେଠ୍‌ ମେନକା, ଉର୍ବଶୀଙ୍କ ସାନ୍ନିଧ୍ୟ ପାଇବା ପାଇଁ ମୁଁଃମାଙ୍ଗେ ଦାମ୍‌ ଦେବାକୁ ରାଜି । ସ୍ବର୍ଗର ଫୁଲ ବଗିଚା ଓ ଆରାମ ଦାୟକ ପ୍ରାସାଦରେ ବୁଲିବାକୁ କି ରହିବାକୁ ଲୋକ ନାହାନ୍ତି । ଏମିତି ଚାଲିଲେ ଅତିଶୀଘ୍ର ସ୍ବର୍ଗପୁରୀକୁ ବନ୍ଦ କରିଦେବାକୁ ପଡ଼ିବ। ବହୁ ବିଚାର ବିମର୍ଶ ପରେ ପ୍ରଭୁ ଯମଙ୍କୁ ନିର୍ଦ୍ଦେଶ ଦେଲେ ଏଣିକି ମର୍ତ୍ତ୍ୟର ସବୁ ଭଲ ଲୋକମାନଙ୍କ ଆୟୁଷ କମେଇଦିଅ। ଖୋଜି ଖୋଜି ଭଲ ଲୋକଙ୍କୁ ଶୀଘ୍ର ସ୍ବର୍ଗକୁ ନେଇଆସ। କିଛିଦିନ ପରେ ଦେଖାଗଲା ଯଥା ପୂର୍ବଂ ତଥା ପର । ଯମଙ୍କୁ ପଚରାଗଲାରୁ ଉତ୍ତର ମିଳିଲା ମର୍ତ୍ତ୍ୟରେ ଲୋକମାନଙ୍କ ଭିତରେ ସ୍ବର୍ଗ ବିଷୟରେ ଧାରଣା ଭଲ ନାହିଁ। ସେଥିପାଇଁ ସେମାନେ ଭଲ ହେବାକୁ ଚାହୁଁନାହାନ୍ତି । ମୋର ଗୋଟେ ପ୍ରସ୍ତାବ ଅଛି । ଆଜିକାଲି ହେଲା ମାର୍କେଟିଂର ଯୁଗ । ଆମକୁ ମର୍ତ୍ତ୍ୟରେ କିଛି ମାର୍କେଟିଂ ଏଜେଣ୍ଟ ରଖିବାକୁ ପଡ଼ିବ। ସେମାନେ ଲୋକମାନଙ୍କୁ ସ୍ବର୍ଗ ବିଷୟରେ ଭଲ କଥା କହି ଆକୃଷ୍ଟ କରିବେ। ନର୍କ ବିଷୟରେ ଗୁଜବ ସୃଷ୍ଟି କରି ସେଥିପ୍ରତି ଭୟ ସୃଷ୍ଟି କରିବେ। ମର୍ତ୍ତ୍ୟରୁ ନନ୍‌ଷ୍ଟପ୍‌ ବିମାନ ଯାତ୍ରା ପାଇଁ ଶୀତଳ ପବନ ପ୍ରବାହିତ ସମୁଦ୍ର କୂଳରେ ଏକ ବିମାନ ବନ୍ଦର ନିର୍ମାଣ କରାଯିବ। ଏହାକୁ ସ୍ବର୍ଗଦ୍ୱାର ନାମରେ ନାମିତ କରାଯିବ। ଆମ ମାର୍କେଟିଂ ଏଜେଣ୍ଟମାନଙ୍କଠାରୁ ଭିଜା ପାସ୍‌ପୋର୍ଟ ପାଇଲା ପରେ ଲୋକମାନେ ସ୍ବର୍ଗଦ୍ୱାରରୁ ହାଇସ୍ପିଡ୍‌ ନନ୍‌ଷ୍ଟପ ଇଣ୍ଟରପୁରୀ ଏକ୍ସପ୍ରେସ୍‌ରେ ମର୍ତ୍ତ୍ୟପୁରରୁ ସ୍ବର୍ଗପୁରକୁ ଯାତ୍ରା କରିବେ । ଏହି ମାର୍କେଟିଂ ଏଜେଣ୍ଟମାନଙ୍କୁ ଆଧ୍ୟାତ୍ମିକ ଗୁରୁର ମାନ୍ୟତା ଦେବା ସହ ସେମାନଙ୍କ ଚଳଣି ପାଇଁ ତାଙ୍କୁ ଆପଣଙ୍କ ଲୋଗୋ ଦେଖେଇ କରମୁକ୍ତ ଦାନ ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରାଯାଉ।

ପ୍ରଭୁ କହିଲେ, ଯଦି ଭାବୁଛ ଏ ପ୍ରସ୍ତାବ ଭଲ ମାର୍କେଟ ଟାଣିବ ତେବେ ଶୀଘ୍ର ମର୍ତ୍ତ୍ୟରେ ଆମର ମାର୍କେଟିଂ ଏଜେଣ୍ଟ ନିଯୁକ୍ତି କର। ଶୁଭସ୍ୟ ଶୀଘ୍ରମ୍‌। ଏହି ଗୁରୁମାନଙ୍କୁ କୁହ ଗୁରୁଦିବସରୁ ଏ ଗୁରୁତ୍ୱପୂର୍ଣ୍ଣ କାମରେ ଲାଗିପଡ଼ନ୍ତୁ। ଆଚ୍ଛା ମୋ ମନରେ ଆଉ ଗୋଟେ ଆଇଡିଆ ଆସୁଛି। ଶୁଣିଛି କାଳେ ମର୍ତ୍ତ୍ୟରେ ସାଧାରଣ ଡ୍ରେନ୍‌ ସଫାର ବୈଷୟିକ ଜ୍ଞାନ ପାଇଁ ବଡ଼ମୁଣ୍ଡିଆ ଲୋକମାନେ ବିଦେଶ ଭ୍ରମଣ କରୁଛନ୍ତି। ଆମ ଏଜେଣ୍ଟ ଗୁରୁମାନଙ୍କୁ ଡାକ ସେମାନେ ପ୍ରଚାର କରିବା ପୂର୍ବରୁ ସ୍ବର୍ଗ ଆସି ଥରେ ପ୍ରତ୍ୟକ୍ଷ ଜ୍ଞାନ ନିଅନ୍ତୁ। ଯମ ମୁଣ୍ଡ କୁଣ୍ଡେଇ କହିଲେ, ଆଜ୍ଞା ମୁଁ ଏକଥା ଆଗରୁ ଭାବି ସେମାନଙ୍କୁ ପଚାରିଥିଲି । କିନ୍ତୁ ସେମାନେ କହିଲେ ଆମକୁ ଏବେ ମରିବାର ନାହିଁ କି ସ୍ବର୍ଗ ଦେଖିବାର ନାହିଁ । ସ୍ବର୍ଗକୁ ଥରେ ଗଲେ ଫେରିବା ଗ୍ୟାରେଣ୍ଟି ବି ନାହିଁ । ବରଂ ତୁମ ପ୍ରଭୁଙ୍କୁ କହିଦିଅ ଆମକୁ ଭଲ କମିଶନ ଦେଲେ ଆମେ ସ୍ବର୍ଗର ଏମିତି କୋଣ ଏଠି ଲୋକଙ୍କୁ ଦେଖେଇବୁ ଯେ ଖୋଦ ତୁମ ପ୍ରଭୁ ସ୍ବର୍ଗର ସେତିକି ଅନୁକୋଣ ଦେଖି ନ ଥିବେ । ଆମେ ହେଲୁ ଗୁରୁ । ଶିଷ୍ୟମାନଙ୍କୁ କେମିତି ବୁଝେଇବାକୁ ହୁଏ ଆମକୁ ଜଣା । ପ୍ରଭୁ କହିଲେ, ତେବେ ଠିକ୍‌ ଅଛି ମୁଁ ଆଶୀର୍ବାଦ କରୁଛି ଏ ଗୁରୁମାନେ ସର୍ବତ୍ର ପୂଜା ପାଇବା ସହ ଏମାନଙ୍କ ଧନ ଜନ ଗୋପ ଲକ୍ଷ୍ମୀ କେଉଁଥିରେ ଅଭାବ ରହିବ ନାହିଁ । ସେବେଠାରୁ ଏଭଳି ଭଗବାନଙ୍କ ଏଜେଣ୍ଟ ରୂପୀ ଗୁରୁମାନଙ୍କ ପାଖରେ ଧନ ଜନ ଓ ନାରୀ ଆଦିଙ୍କ ଅଭାବ ରହିନି । ସେ ଗୁରୁମାନେ ଠିକ୍‌ ଜାଣନ୍ତି ଏଯାବତ କେହି ଶିଷ୍ୟ ମଲା ପରେ ସ୍ବର୍ଗର ଭଲ ମନ୍ଦର ପ୍ରାମାଣିକ ତଥ୍ୟ ଦେବାକୁ ମର୍ତ୍ତ୍ୟକୁ ଫେରିନି। ତେଣୁ ସେମାନେ ନର୍କର ଭୟ ଦେଖେଇ ସ୍ବର୍ଗପ୍ରାପ୍ତି ଆଳରେ ଶିଷ୍ୟମାନଙ୍କଠାରୁ ବେଶ୍‌ ମୋଟା କମିଶନ ଆଦାୟ କରନ୍ତି ।

ଏସବୁ ଗୁରୁମାନଙ୍କଠାରୁ ଆଉ ଜଣେ ବଡ଼ ଗୁରୁ ଅଛନ୍ତି । ତାଙ୍କର ନିଆରା ଶିକ୍ଷାଦାନ ପଦ୍ଧତିରେ ପୃଥିବୀର ସବୁ ଗୁରୁ ପ୍ରଭାବିତ। ତାଙ୍କୁ ଗୁରୁମାନଙ୍କ ଗୁରୁ କୁହାଯାଏ। ଜୀବନକୁ ଶାଣିତ, ବସ୍ତୁବାଦୀ, ଜୀବନ ଦର୍ଶନ ଓ ସମ୍ପର୍କକୁ ନିକଟରୁ ଜାଣିବାକୁ ହେଲେ ପ୍ରତ୍ୟେକ ମଣିଷ ତା’ ଜୀବକାଳ ଭିତରେ ଅନ୍ତତଃ ଥରେ ଏପରି ଗୁରୁଙ୍କଠାରୁ ଶିକ୍ଷା ନେବାର ଅଛି । ଏପରି ଅତି ଜ୍ଞାନୀ ଗୁରୁମାନଙ୍କୁ ଗୁରୁଘଣ୍ଟାଳ ଭାବେ ଆମେମାନେ ଜାଣୁ । ଯେଉଁ ଶିଷ୍ୟଙ୍କ ପାଖରେ ଟିକେବି ଶିକ୍ଷା ନେବାର ସମ୍ଭାବନା ଥାଏ ତାଙ୍କ ପାଖକୁ ଏ ଗୁରୁମାନେ ଚୁମ୍ବକ ଭଳି ଆପେ ଟାଣି ହୋଇ ଆସନ୍ତି । ୟାଙ୍କ ଶିକ୍ଷାଦାନର ଶୈଳୀ ଏପରି ଯେ ଶିଷ୍ୟଜଣଙ୍କ ଥରକରେ ଜୀବନର ସବୁ ଦର୍ଶନ ବୁଝିଯାଏ । ଥରେ ଏପରି ଗୁରୁଙ୍କ ହାବୁଡ଼ରେ ପଡିଲେ ଶିଷ୍ୟଙ୍କୁ ତା’ର ଭୂତ ଭବିଷ୍ୟତ ସବୁ ଏକ ସଙ୍ଗେ ଦୃଶ୍ୟ ହୁଏ । ଏମାନଙ୍କ ଶିକ୍ଷାଦାନରେ ଏପରି ତୀବ୍ରତା ଥାଏ ଯେ ଖୋଦ ବୃହସ୍ପତି ହାବୁଡ଼େ ପଡ଼ିଲେ ଖସି ପଳେଇବା ମୁସ୍କିଲ । ଏମାନଙ୍କ ସଂସ୍ପର୍ଶରେ ଆସିଲେ ଶିଷ୍ୟ ଜଣଙ୍କ ଜୀବନବ୍ୟାପୀ ଅଖା ଧୋଉଥିବ ଗୁଣ ଗାଉଥିବ। ଏହା ମଧ୍ୟ ସତ୍ୟ ମଣିଷ ତା’ ଜୀବ କାଳ ମଧ୍ୟରେ ଯେତିକି ଶିକ୍ଷା ଲାଭ କରି ନ ଥାଏ ଏପରି ଗୁରୁ ଘଣ୍ଟାଳଙ୍କଠାରୁ ଶିକ୍ଷା ଆରମ୍ଭ କରୁ କରୁ ଜୀବନରେ ଶିକ୍ଷାର ପୂର୍ଣ୍ଣତା ଆସିଯାଏ। ଶିଷ୍ୟ ଜଣଙ୍କ ଶିକ୍ଷାପ୍ରାପ୍ତି ପରେ କାନ ଧରି ଶପଥ ନିଏ ଏପରି ଗୁରୁଙ୍କ ସାନ୍ନିଧ୍ୟ ଆଗକୁ ନ ମିଳେ ଯେମିତି ।
କୁହାଯାଏ ଖୁସି ସମୟରେ ମଣିଷ ଅନ୍ଧ ଥାଏ। ତେଣୁ ମଣିଷ ଚିହ୍ନିବାକୁ ହେଲେ ଥରେ ଏପରି ଗୁରୁଙ୍କ ସଂସ୍ପର୍ଶରେ ଆସିବା ଉଚିତ । ତା’ହେଲେ ମଣିଷ ବାସ୍ତବବାଦୀ ହେବା ସହ ସମ୍ପର୍କର ମହତ୍ତ୍ୱ ବୁଝିପାରିବ। ଇଏ ସେହି ଗୁରୁ ଯିଏ ବ୍ରହ୍ମ ହୋଇ ଭଗବାନ ଦର୍ଶନ କରେଇଥାନ୍ତି। ଏପରି ଗୁରୁଘଣ୍ଟାଳଙ୍କଠାରୁ ଆର୍ଥିକ ଓ ମାନସିକ ଶିକ୍ଷା ପାଇଲା ପରେ ନାସ୍ତିକ ମଧ୍ୟ ଭଗବାନଙ୍କ ଶରଣ ପଶେ। ତେଣୁ ଅତି ଚତୁର, ଦୁର୍ଜନ, ଧୂର୍ତ୍ତ ତଥା ଅଚିରେ ଅନ୍ୟକୁ ଠକି ପାରୁଥିବା ଗୁରୁଘଣ୍ଟାଳମାନେ ହେଲେ ପୃଥିବୀର ଶ୍ରେଷ୍ଠ ଗୁରୁ, ଯିଏ ଶିଷ୍ୟମାନଙ୍କୁ ପରୋକ୍ଷରେ ଜୀବନ ଦର୍ଶନ ସହ ସାଧାରଣ ଚର୍ମ ଚକ୍ଷୁରେ ମଧ୍ୟ ଭଗବାନଙ୍କ ଦର୍ଶନ କରେଇ ଦେଇପାରନ୍ତି ।

ଓଁ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରୁଘଣ୍ଟାଳବେ ନମଃ ।
-ବନମାଳୀ ଭବନ, ଖାନନଗର, କଟକ
ମୋ: ୯୪୩୭୦୧୦୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?