ପାର୍ଲାମେଣ୍ଟରେ ବେଶି ଘୁ ଘା ହେଉଛି

ଓଡ଼ିଶାରେ ନାରୀ ସଶକ୍ତୀକରଣ କ୍ଷେତ୍ରରେ ନିଜର ଏକ ପରିଚୟ ସୃଷ୍ଟି କରିଥିବା ପ୍ରମିଳା ବିଶୋଇ ଏବେ ଆସ୍କାର ବିଜେଡିର ଲୋକ ସଭା ସଦସ୍ୟ। ଜୀବନ କ’ଣ ଜାଣିବା ଆଗରୁ ୫ବର୍ଷ ବୟସରେ ତାଙ୍କର ବାଲ୍ୟବିବାହ ହୋଇଥିଲା। ଘାତ ପ୍ରତିଘାତ ଦେଇ ଗତି କରି ପରିଣତ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି, ତାହା ରାଜ୍ୟର ନାରୀଙ୍କ ପାଇଁ ଏକ ଉଦାହରଣ ନିଶ୍ଚିତ। ଦୀର୍ଘ ୧୮ବର୍ଷ କାଳ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଦସ୍ୟା ଭାବେ ସେ ଦକ୍ଷତାର ସହ କାର୍ଯ୍ୟ କରି ନାରୀ କୌଣସି କ୍ଷେତ୍ରରେ ଦୁର୍ବଳ ନୁହନ୍ତି ବୋଲି ପ୍ରମାଣିତ କରିପାରିଛନ୍ତି। କମ୍‌ ଶିକ୍ଷା ଏବଂ ଏକ ସାଧାରଣ ଗରିବ ପରିବାରର ମହିଳା ହୋଇ ମଧ୍ୟ ସେ ଆଜି ଯେଉଁ ସ୍ଥାନରେ ପହଞ୍ଚତ୍ଛନ୍ତି ତାହା କେବଳ ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁ ସମ୍ଭବ ହୋଇପାରିଛି। ନିଜ ବ୍ୟକ୍ତିଗତ, ରାଜନୈତିକ ଜୀବନ ସମ୍ପର୍କରେ ସେ ଅନେକ କିଛି ଅକୁହା କଥାକୁ ଧରିତ୍ରୀ ଆଳାପରେ ଚିତ୍ରଣ କରିଛନ୍ତି।

ମହିଳା ଏସ୍‌ଏଚ୍‌ଜି ସଦସ୍ୟରୁ ଏମ୍‌ପି ହେବେ ବୋଲି କେବେ ଚିନ୍ତା କରିଥିଲେ କି ? ରାଜନୀତିକୁ ଆସିବା ପାଇଁ ଇଚ୍ଛା ଥିଲା ନା ଆପଣଙ୍କୁ ଏଥିପାଇଁ କେହି ପ୍ରବର୍ତ୍ତାଇଥିଲେ?
ଉତ୍ତର- ନା, କେହି କହି ନ ଥିଲେ କି ଆଶା ବି ନ ଥିଲା। ଆସ୍କା ବ୍ଲକର୨୭ ପଞ୍ଚାୟତରେ ୨୦୦୦ ମସିହାରୁ ମହିଳାଙ୍କୁ ଏକାଠି କରି ଏସ୍‌ଏଚ୍‌ଜିରେ ସାମିଲ କରିଥିଲି। ଆମ ଘର ପାଖ ମୁଣ୍ଡିଆ ପାହାଡ଼ ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା। ପାହାଡ଼ ଉପରେ ଥିବା ଗଛ ସବୁକୁ ଲୋକମାନେ କାଟି ନେଇ ଯାଇଥିଲେ। ମହିଳାମାନଙ୍କୁ ସାଙ୍ଗରେ ନେଇ ଗଛ ଲଗାଇଲୁ। ଜଙ୍ଗଲରେ କାମ କରୁ କରୁ ୧୦ ଜଣ ଲେଖାଏ ମହିଳାଙ୍କୁ ନେଇ ଏସ୍‌ଏଚ୍‌ଜି ଗଠନ କଲୁ। ଜଙ୍ଗଲ ଓ ମୟୂର ସୁରକ୍ଷା ପାଇଁ ଜଙ୍ଗଲ ବିଭାଗରୁ ବହୁ ସାର୍ଟିଫିକେଟ ପାଇଛି। ଜଙ୍ଗଲ ଦେଖି ଆଖପାଖ ଗାଁ ଲୋକେ ଗଛ ଲଗାଇଲେ। ମହିଳାମାନଙ୍କୁ ଡାକି ମାସର ୧ ଓ ୨୦ ତାରିଖରେ ବୈଠକ କରେ। ନିଜେ କିଛି କରିବା ପାଇଁ ମହିଳାମାନଙ୍କୁ କହିଲି। ଦିନକୁ ୫ ଟଙ୍କା ଲେଖାଏ ରଖିଲୁ। ପ୍ରତ୍ୟେକ ଗୋଷ୍ଠୀରେ ୧୦ ଜଣ ମହିଳା ରହିଲେ। ବ୍ୟାଙ୍କରୁ ଋଣ ପାଇଲୁ। ପିଠା ଯୋଜନାରୁ ମୁଖ୍ୟମନ୍ତ୍ରୀ ମତେ ଜାଣିଲେ। ଏଇ ମାଆଟା କିଏ ବୋଲି ପଚାରିଲେ। ମୋର ସମସ୍ତ ସାର୍ଟିଫିକେଟ ମଗାଇଥିଲେ। ନବୀନ ନିବାସ ଲୋକ ଆସି ମୋର ସାର୍ଟିଫିକେଟ ନେଲେ। ଟିକେଟ ପାଇବା ପୂର୍ବରୁ ମୋତେ କେହି ବିରୋଧ କରି ନାହାନ୍ତି।
ପାର୍ଲାମେଣ୍ଟରେ ଆପଣଙ୍କର ପ୍ରଥମ ଦିନର ଅନୁଭୂତି କିପରି ଥିଲା?
ଉତ୍ତର-ପାର୍ଲାମେଣ୍ଟରେ ପହଞ୍ଚିବା ପରେ ଲେଖାପଢ଼ା ହେଲା। ମୋତେ ବାଚସ୍ପତି, ମୋଦିବାବୁ ଦେଖି ବହୁତ ଖୁସି ହେଲେ। ମୋତେ ଦେଖିବାକୁ ବହୁତ ଲୋକ ଆସିଲେ। ସମସ୍ତେ ମାଆ ବୋଲି କହୁଥିଲେ।
ଆପଣ କେତେ ପାଠ ପଢ଼ିଛନ୍ତି ? ପାର୍ଲାମେଣ୍ଟ ଅଧିବେଶନ ଆଲୋଚନା ବେଳେ ବିଲ୍‌ ଆସିଲେ କେମିତି ବୁଝୁଛନ୍ତି ?
ଉତ୍ତର- ମୁଁ ୩ କ୍ଲାସ୍‌ ପଢ଼ିଛି। ହିନ୍ଦୀ, ଇଂଲିଶ ମତେ ଆସେ ନାହିଁ। ମୁଁ ଓଡ଼ିଆରେ କୁହେ। ଲୋକ ସଭାରେ ମୋ ପାଖରେ ଯେଉଁ ଓଡ଼ିଆ ଏମ୍‌ପି ଝିଅମାନେ ବସି ଥାଆନ୍ତି ତାଙ୍କୁ ପଚାରେ, କ’ଣ କହିଲେ କିଲୋ ଝିଅ, ସେମାନେ ମୋତେ ଓଡ଼ିଆରେ କହନ୍ତି। ତା’ପରେ ମୁଁ ବୁଝେ।
ଆପଣଙ୍କୁ ଏବେ ୭୩ ବର୍ଷ ଚାଲିଛି। ଏତେ ବୟସରେ ନିର୍ବାଚନ ମଣ୍ଡଳୀ ଲୋକଙ୍କ କଥା କେଉଁ ଭଳି ଭାବେ ବୁଝୁଛନ୍ତି? ଦିନକୁ ଲୋକଙ୍କ ପାଇଁ କେତେ ସମୟ ଦେଉଛନ୍ତି ?
ଉତ୍ତର-ମୁଁ ଯେତେବେଳେ ଆସ୍କାରେ ଥିବି ଲୋକଙ୍କ ପାଖକୁ ଯାଏ। ଯେଉଁ ଦିନ ଯେଉଁ ବିଧାୟକମାନଙ୍କ ବୈଠକ ଥାଏ ସେଠାକୁ ଯାଏ। ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ କଥା ବୁଝେ। ଲୋକଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରେ।
ଆପଣ ରାଜନୀତିକୁ ଆସିବା ପରେ ଓଡ଼ିଶାରେ ନାରୀ ସଶକ୍ତୀକରଣକୁ କିପରି ଦେଖୁଛନ୍ତି?
ଉତ୍ତର-ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ଏବେ ବି ମୁଁ କାର୍ଯ୍ୟ କରୁଛି। ଠିକ ସମୟରେ ଋଣ ପାଇବା ଏବଂ ଠିକ୍‌ ସମୟରେ ଶୁଝିଲେ ଆମେ ଦି ପଇସା ରୋଜଗାର କରିପାରିବା କଥା ମହିଳାଙ୍କୁ ବୁଝାଉଛି। ପୁରୁଷମାନଙ୍କୁ ଡରିବାନି। ସେମାନଙ୍କୁ ହାତ ପତେଇବାନି। ଆମ ଗୋଡ଼ରେ ଆମେ ଛିଡ଼ାହେବା ବୋଲି ମହିଳାମାନଙ୍କୁ ମୁଁ ସବୁବେଳେ କହେ। ୨୦୦୦ରୁ ଏସ୍‌ଏଚ୍‌ଜି ହେବା ପରଠାରୁ ମହିଳାମାନେ ଦି ପଇସା ରୋଜଗାର କରି ସ୍ବାବଲମ୍ବୀ ହୋଇପାରିଛନ୍ତି।
ଆପଣ ବାଲ୍ୟବିବାହ କରିଥିଲେ। ଏହାକୁ ଏବେ ପସନ୍ଦ କରନ୍ତି ନା ବିରୋଧ କରନ୍ତି ? ଯେଉଁ ମାତାପିତା ପିଲାଙ୍କୁ ବାଲ୍ୟବିବାହ କରୁଛନ୍ତି ସେମାନଙ୍କୁ କ’ଣ କହିବେ ?
ଉତ୍ତର- ମୁଁ ୫ ବର୍ଷ ବୟସରେ ବାଲ୍ୟବିବାହ କରିଥିଲି। ବାହାଘର କ’ଣ ଜାଣି ନ ଥିଲି। ସେତେବେଳେ ପିଲାଙ୍କୁ ବାହାଘର କରି ଦେଉଥିଲେ। ଏବେ ୧୮ ବର୍ଷରେ ବାହାଘର ହେଉଛି। ଗର୍ଭରୁ ମଲା ଯାଏ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। କମ୍‌ ବୟସରେ ବାହାଘର କରିବା କଥା ନୁହେଁ। ବାଲ୍ୟବିବାହକୁ ମୁଁ ବିରୋଧ କରୁଛି। ଅଳ୍ପ ବୟସରେ ବାହାଘର କଲେ ତାଙ୍କ ନାମରେ କେସ୍‌ ହେବ ବୋଲି ମୁଁ ମାଆ ମାନଙ୍କୁ କହୁଛି।
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କେବେ କଥା ହୋଇଛନ୍ତି ? ସେ ଆପଣଙ୍କୁ କି ପରାମର୍ଶ ଦେଇଛନ୍ତି?
ଉତ୍ତର-ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ସମୟରେ କଥା ହୋଇଛି। ଦି ଚାରିପଦ ଓଡ଼ିଆରେ କହନ୍ତି। ମା’ମାନେ କେମିତି ଆଗକୁ ବଢ଼ିବା ସେ ବିଷୟରେ ମୁଖ୍ୟମନ୍ତ୍ରୀ କୁହନ୍ତି। କରୋନା ବେଳେ ତାଙ୍କୁ ଭେଟିପାରୁ ନାହିଁ। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ନିଜ ପରିବାର ଭାବି କାର୍ଯ୍ୟ କରୁଛନ୍ତି। ଆମେ ତାଙ୍କ କଥା ମାନିଲେ ଆମ ରାଜ୍ୟ ବହୁତ ଆଗକୁ ଯିବ।
ଗଞ୍ଜାମରେ ବହୁ ପୁରୁଖା ନେତା ଅଛନ୍ତି। କେଉଁଥି ପାଇଁ ଦଳର ସଭାପତି ଆପଣଙ୍କୁ ଏମ୍‌ପି କରିବାକୁ ଚାହିଁଲେ ବୋଲି ଭାବୁଛନ୍ତି?
ଉତ୍ତର-ଅପାଠୋଇ ହୋଇ ଏତେ କାମ କରୁଥିବାରୁ ସେ ଏମ୍‌ପି ଟିକେଟ ଦେଲେ। ମୁଖ୍ୟମନ୍ତ୍ରୀଙ୍କ ଯୋଗୁ ଏମ୍‌ପି ହେଲି। ମୋର କାମ ବିଷୟରେ ଖବର ନେଇ ମୋତେ ଟିକେଟ ଦେଇଛନ୍ତି। ଟିକେଟ ଦେବାର ମାସକ ଆଗରୁ ମୁଁ ପାଇଥିବା ବିଭିନ୍ନ ପୁରସ୍କାର ଓ ସାର୍ଟିଫିକେଟ ମଗାଇଥିଲେ।
କ’ଣ ପାଇଁ ଆପଣଙ୍କ ନେତୃତ୍ୱକୁ ଆଜିର ଯୁବପିଢି ପସନ୍ଦ କରିବେ?
ଉତ୍ତର – ଏତେ ବୟସରେ ଯଦି ମୁଁ କିଛି ପାରୁଛି, ତେବେ ଯୁବ ଗୋଷ୍ଠୀ ନିଜେ କିଛି ପରିଶ୍ରମ କରି ଆଗକୁ ବଢ଼ିବା ଉଚିତ।
ଆସାମ ଓ ମିଜୋରାମ ଗଣ୍ଡଗୋଳ ଚାଲିଛି। ଏମ୍‌ପି ଭାବେ ଏ ବିଷୟରେ ଆପଣଙ୍କ ମତ କ’ଣ ?
ଉତ୍ତର – ଆସାମ-ମିଜୋରାମ ଗଣ୍ଡଗୋଳ ବିଷୟରେ ମୁଁ କିଛି ଜାଣିନି। ସେମାନେ ତେଲୁଗୁ କଥା କହୁଛନ୍ତି। ଅନ୍ୟମାନେ କହିଲେ ମୁଁ ଜାଣୁଛି। ନ ହେଲେ ମୁଁ କିଛି ଜାଣିପାରୁନି।
ଆଇନ ବିଷୟରେ ଆପଣ କେମିତି ବୁଝୁଛନ୍ତି? ପାର୍ଲାମେଣ୍ଟରେ ଜଣେ ଅନ୍ୟ କାହାକୁ ଗାଳି ଦେଉଛନ୍ତି ? କେଉଁ ଆଇନ ବଳରେ ଆପଣ ଏହାକୁ ବିରୋଧ କରିବେ ?
ଉତ୍ତର- ଆଇନ ବିଷୟରେ କିଛି ମୁଁ ଜାଣିପାରୁନି। ମୋ ପାଖରେ ଯେଉଁ ଝିଅମାନେ ଥାଆନ୍ତି ସେମାନେ ମୋତେ କ’ଣ ହେଉଛି ସେନେଇ କହିଦେଇଥାନ୍ତି। ପାର୍ଲାମେଣ୍ଟରେ ସବୁବେଳେ ବେଶି ଘୁ ଘା ହେଉଛି। ମୋତେ ସେଗୁଡ଼ିକ ଭଲ ଲାଗେନା।
ଲୋକ ସଭାରେ ଆପଣ କେଉଁ ପ୍ରସଙ୍ଗକୁ ଗୁରୁତ୍ୱ ଦିଅନ୍ତି ?
ଉତ୍ତର-ଅଙ୍ଗନୱାଡି କର୍ମୀଙ୍କ ଦରମା ବଢାଇବାକୁ ଦାବି କରିଥିଲି। ମୋର ଭୟ ନବୀନ ବାବୁଙ୍କ ନାଁରେ କେହି କ’ଣ କହି ଦେଲେ ତାଙ୍କର ଇଜ୍ଜତ ଯିବ। ସେଥିପାଇଁ ମୁଁ ଡରି କିଛି କହେ ନାହଁି। ମୋତେ ଯାହା ନିର୍ଦ୍ଦେଶ ଆସିବ କହିବି।
କୃଷି ଆଇନ ବିଷୟରେ ଆପଣ କ’ଣ ବୁଝନ୍ତି ? ଚାଷୀମାନେ କାହିଁକି ଆନ୍ଦୋଳନ କରୁଛନ୍ତି ?
ଉତ୍ତର- କୃଷି ଆଇନ ବିଷୟରେ କିଛି ଜାଣିନି। ଚାଷୀ ଆନ୍ଦୋଳନ କହିଲେ ଜଣକ ଜମି ଅନ୍ୟକୁ ଦେଉଛନ୍ତି। ସେମାନଙ୍କ ଭିତରେ ଗଣ୍ଡଗୋଳ ହେଉଛି। ଚାଷୀମାନଙ୍କ ବହୁତ ଅସୁବିଧା ହେଉଛି। ସେମାନେ ବିରୋଧ କରୁଛନ୍ତି।
ପାର୍ଲାମେଣ୍ଟ ଆଇନ ବିଷୟରେ କିଛି ଜାଣିଛନ୍ତି କି ?
ଉତ୍ତର- ମତେ କହିଲେ ବୁଝୁଛି। ନ କହିଲେ ଜାଣିପାରୁନି। ମୋତେ ନ କହିବାକୁ କେହି ମନା କରି ନାହାନ୍ତି। ମାତ୍ର ମୁଁ ଭୟରେ କିଛି କହୁନାହିଁ।
ଖାଲି ସମୟରେ କ’ଣ କରିବାକୁ ଆପଣଙ୍କୁ ଭଲ ଲାଗେ ? ଆପଣଙ୍କର ପ୍ରିୟ ଖାଦ୍ୟ କ’ଣ? ପରିବାର ଲୋକଙ୍କ ସହଯୋଗ ମିଳେ କି?
ଉତ୍ତର-ଖାଲି ସମୟରେ ମହିଳାମାନଙ୍କୁ ଏକାଠି କରେ। ଘରେ ବସେ ନାହିଁ। ଏ ଗଁାରୁ ସେ ଗଁାକୁ ଯାଏ। ମୋତେ ଯାଉ, କାଞ୍ଜି ଖାଇବାକୁ ଭଲ ଲାଗେ। ମୋ ପରିବାରରେ ମତେ କେହି ବିରୋଧ କରନ୍ତି ନାହିଁ। ସମସ୍ତେ ମତେ ସହଯୋଗ କରନ୍ତି।
– ସାକ୍ଷାତ୍‌କାର: ଅନୀଲ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?