ରାଜନୀତିରେ ଅପରାଧ ତତ୍ତ୍ୱ

ସୌଭାଗ୍ୟ ସୁନ୍ଦରରାୟ

 

ମାତ୍ର ୨ ବର୍ଷରେ ଦେଶର ଜନପ୍ରତିନିଧିଙ୍କ ଆପରାଧିକ ମାମଲା ୧୭% ବୃଦ୍ଧି ପାଇଛି। ଜନପ୍ରତିନିଧିଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ତ୍ୱରିତ୍‌ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଦାଏର ଏକ ଜନସ୍ବାର୍ଥ ମାମଲାର ଶୁଣାଣି ସମୟରେ ଗତ ୯ ତାରିଖରେ ଉପସ୍ଥାପିତ କରାଯାଇଥିବା ତଥ୍ୟରୁ ଏହି ବିଷୟ ଜଣାପଡ଼ିଛି। ୨୦୧୮ ଡିସେମ୍ବର ସୁଦ୍ଧା ଦେଶର ବିଧାୟକ ଓ ସାଂସଦଙ୍କ ବିରୋଧରେ ୪,୧୨୨ଟି ଆପରାଧିକ ମାମଲା ରହିଥିବାବେଳେ ୨୦୨୦ ସେପ୍ଟେମ୍ବର ସୁଦ୍ଧା ଏହି ସଂଖ୍ୟା ୪୮୫୯ରେ ପହଞ୍ଚିଛି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ନିକଟରେ ପୂର୍ବତନ ଜନପ୍ରତିନିଧିଙ୍କୁ ମିଶାଇ ଦେଶର ୧୨୨ ଜନପ୍ରତିନିଧିଙ୍କ ବିରୋଧରେ ଅର୍ଥ ଚାଲାଣ ମାମଲା ରହିଛି। ଏଥିରେ ଦେଶର ଜଣାଶୁଣା ରାଜନେତା ରହିଛନ୍ତି। ଏମାନଙ୍କ ତାଲିକା ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତାଲିକାରେ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସମେତ ପି. ଚିଦାମ୍ବରମ, ଫାରୁକ ଅବଦୁଲ୍ଲା, ଦୟାନିଧି ମାରାନ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ସହ ଅନେକ ରାଜନେତାଙ୍କ ନାମ ରହିଛି। ଜଗନମୋହନଙ୍କ ବିରୋଧରେ ଏକାଧିକ ଫୌଜଦାରି ମାମଲା ମଧ୍ୟ ରହିଛି।
ବିଡ଼ମ୍ବନାର ବିଷୟ ଯେ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଫୌଜଦାରି ମାମଲାଗୁଡ଼ିକର ସ୍ଥିତାବସ୍ଥା ରିପୋର୍ଟ ଦାଖଲ ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ତିନି ଥର କୁହାଯାଇଥିଲେ ମଧ୍ୟ ସଂସ୍ଥା ତାହା ଦାଖଲ କରିବାରେ ବିଫଳ ହୋଇଥିଲା। କିନ୍ତୁ ଅଦାଲତ ତାଗିଦ ଯୋଗୁ ସିବିଆଇ ନିଜ ସତ୍ୟପାଠରେ ସଂସ୍ଥା ନିକଟରେ ୧୫୧ଟି ମାମଲା ରହିଥିବା ଦର୍ଶାଇଛନ୍ତି। ଏହି ମାମଲାରେ କେତେକରେ ଆଜୀବନ କାରାଦଣ୍ଡ ଦଫା ରହିଥିବା ଜଣାପଡ଼ିଛି। ରାଜନୈତିକ ନେତୃବୃନ୍ଦଙ୍କ ବିରୋଧରେ ଏହି ମାମଲାର ପରିଣାମ କ’ଣ ହେବ ତାହା ବିଚାର ଶେଷ ନ ହେବା ପର୍ଯ୍ୟନ୍ତ ଜଣାପଡ଼ିବ ନାହିଁ। କିନ୍ତୁ ବିଚାର ବିଳମ୍ବିତ ହୋଇଚାଲିଛି।
ଗୋଟିଏ ବିଷୟ ସ୍ପଷ୍ଟ ଯେ, ସମୟକ୍ରମେ ରାଜନୀତିର ଅପରାଧୀକରଣ ହୋଇଛି। ଏହା ଆର୍ଥିକ ଅପରାଧ ବା ଫୌଜଦାରି ଅପରାଧ ହୋଇପାରେ ଅଥବା ନୈତିକ ଅପରାଧ । ରାଜନୀତିରେ ଆଦର୍ଶ ଓ ନୈତିକତାର ଅବକ୍ଷୟ ଘଟିଛି। ଭୋଟରଙ୍କ ଆବଶ୍ୟକତା ହେଉ ବା କ୍ଷମତାରେ ରହିବା ଆକର୍ଷଣ ହେଉ, ଏଥିପାଇଁ ଅନୈତିକ ପନ୍ଥାର ଆଶ୍ରୟ ନେବାକୁ ପଡ଼ୁଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଜେଲଦଣ୍ଡ ଭୋଗିଛନ୍ତି। ଶାରୀରିକ ଅସୁସ୍ଥତା କାରଣରୁ ଲାଲୁପ୍ରସାଦ ଜେଲରୁ ବାହାରକୁ ଆସିବା ପରେ ଏବେ ରାଜନୀତିରେ ସକ୍ରିୟ ହେଲେଣି। ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶ୍ରୀ ଜୟଲଳିଥା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। କିଛିଦିନ ସେ ଜେଲରେ ରହିଲେ। ସୁପ୍ରିମକୋର୍ଟରୁ ଜାମିନ ପାଇଲେ। ପୁଣି ମୁଖ୍ୟମନ୍ତ୍ରୀ ହେଲେ। ପରିଶେଷରେ କର୍ନାଟକ ହାଇକୋର୍ଟ ଦ୍ୱାରା ଦୋଷମୁକ୍ତ ହେଲେ। କର୍ନାଟକ ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବା ସମୟରେ ତାଙ୍କର ପରଲୋକ ଘଟିଲା। ପରେ ପରେ ଜୟଲଳିଥାଙ୍କ ବାନ୍ଧବୀ ତଥା ଏଆଇଏଡିଏମ୍‌କେ ଦଳର ନେତ୍ରୀ ଭି.କେ. ଶଶୀକଳା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁପ୍ରିମକୋର୍ଟରେ ଦଣ୍ଡିତ ହୋଇ ୪ ବର୍ଷ ଦଣ୍ଡ ଭୋଗିବା ପରେ ଜେଲରୁ ମୁକ୍ତ ହୋଇଛନ୍ତି। ସେହିପରି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‌ପ୍ରକାଶ ଚୌତାଲା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦଣ୍ଡିତ ହୋଇ ଦୀର୍ଘ ୯ ବର୍ଷ ଜେଲରେ କଟାଇଥିଲେ।
ଉଚ୍ଚ ଆସନରେ ଥିବା ରାଜନେତାଙ୍କ ଦୁର୍ନୀତିର ଏହା ଏକ ଉପକ୍ରମଣିକା ମାତ୍ର। ଏହି ପରିପ୍ରେକ୍ଷୀରେ ତଳ ସ୍ତରର ରାଜନେତା ବା କର୍ମୀଙ୍କ ଦ୍ୱାରା ଦେଶରେ ବ୍ୟାପକ ଦୁର୍ନୀତି ଘଟିଚାଲିଛି। ଏହା ଅଜଣା ବା ଅଛପା ନୁହେଁ। ସାଧାରଣ ଜନତା ଏହା ଦେଖୁଛନ୍ତି, ଅଙ୍ଗେ ନିଭାଉଛନ୍ତି। କିନ୍ତୁ କିଛି କରିପାରୁ ନାହାନ୍ତି। କାରଣ ସୁବ୍ରମଣ୍ୟମ ସ୍ବାମୀଙ୍କ ପରି ସମସ୍ତଙ୍କର ଦକ୍ଷତା ବା ସାଧନ ନାହିଁ, ଯେ ଜୟଲଳିଥାଙ୍କୁ ଜେଲ ପଠାଇବାରେ ସମର୍ଥ ହୋଇପାରିଲେ। ଏହି ମର୍ମରେ କ୍ଷୋଭ ପ୍ରକାଶ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ମାମଲା ଶୁଣାଣିରେ ସିବିଆଇ ବା ଆଇବି ନିକଟରୁ ସେମାନଙ୍କୁ ଆବଶ୍ୟକ ସହଯୋଗ ମିଳୁନାହିଁ।
ରାଜନେତାର ଆଚରଣ ସମ୍ପର୍କରେ ଆମ ପ୍ରାଚୀନ ସାହିତ୍ୟ ଓ ପୁରାଣରେ ବହୁ ମାତ୍ରାରେ ଦେଖିବାକୁ ମିଳିଥାଏ। ଅଯୋଧ୍ୟାରେ ରାଜା ଥିଲେ ରାମଚନ୍ଦ୍ର। ପ୍ରଜାଙ୍କ ନିକଟରେ ନିଜକୁ ଦୋଷମୁକ୍ତ କରିବା ନିମନ୍ତେ ସମସ୍ତ ପ୍ରକାର ପାରିବାରିକ ତ୍ୟାଗ ସ୍ବୀକାର କରିଥିଲେ ।
ଥିଲେ ଜଣେ ଅଧିପତି ଦ୍ୱାରକାପୁରୀରେ। ବଂଶର ଗର୍ବ ତଥା ଅହଂକାରଜନିତ ଅନ୍ୟାୟରୁ ମୁକ୍ତ ହେବା ନିମନ୍ତେ ସେ ସମଗ୍ର ବଂଶର ବିନାଶ ପରିକଳ୍ପନା କରିଥିଲେ। ଥିଲେ ଜଣେ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ। ନିଜର ସାଧୁତା ଓ ସରଳ ଜୀବନଯାପନ ପାଇଁ ବେଶ୍‌ ଜଣାଶୁଣା। ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ ସେ ଦାୟିତ୍ୱ ନିର୍ବାହ କରିବା ସମୟରେ ରେଳ ଦୁର୍ଘଟଣାର ନୈତିକ ଦାୟିତ୍ୱ ଗ୍ରହଣ କରି ପଦବୀରୁ ଇସ୍ତଫା ଦେଇଥିଲେ। ତାଙ୍କ ନିକଟରେ ବିଶେଷ ସମ୍ପତ୍ତି ନ ଥିଲା। ଓଡ଼ିଶାରେ ଥିଲେ ଜଣେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ। ଜୀବନର ଶେଷ ବେଳକୁ ସେ କପର୍ଦ୍ଦକଶୂନ୍ୟ ଥିଲେ। ରାଜନୀତିରେ ସାଧୁତାର ଏପରି ଅନେକ ଦୃଷ୍ଟାନ୍ତ ଆମ ଦେଶରେ ରହିଛି।
ତେବେ ସମୟ ଆଗକୁ ବଢ଼ିବା ସହ ରାଜନୀତିର ସଂଜ୍ଞା ମଧ୍ୟ ବଦଳିବାରେ ଲାଗିଛି। ଯେଉଁ ରାଜନୀତିକୁ ଶ୍ରେଷ୍ଠ ନୀତି ଭାବେ ବିବେଚନା କରାଯାଇଥାଏ ତାହା କଳୁଷିତ ହେବାରେ ଲାଗିଛି। ବର୍ତ୍ତମାନ ରାଜନୀତି ମଧ୍ୟକୁ ବାହୁବଳ ଅର୍ଥବଳ ଆଦି ପ୍ରବେଶ କରିଛି। ନିର୍ବାଚନ ରାଜନୀତିରେ ଏହି ଦୁଇଟି ବିଷୟ ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ନିଜର ଭୋଟରଙ୍କୁ ବାନ୍ଧି ରଖିବା ବା ଅନ୍ୟ ଦଳର ସମର୍ଥକଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିପୁଳ ଅର୍ଥ କାରବାର କରାଯାଉଛି। ନିର୍ବାଚନରେ ବ୍ୟୟ କରିବା ନିମନ୍ତେ ନିର୍ବାଚନ କମିଶନ ଯେଉଁ ପରିମାଣ ଅର୍ଥ ବରାଦ କରୁଛନ୍ତି ତା’ଠାରୁ ବହୁଗୁଣ ଅଧିକ ବ୍ୟୟ କରାଯାଉଛି। ଏହି ବ୍ୟୟ ଆନୁଷ୍ଠାନିକ ହିସାବ ବାହାରେ ରହୁଛି। ନିର୍ବାଚନରେ ମାଳମାଳ ଅତ୍ୟାଧୁନିକ ଗାଡ଼ି ବ୍ୟବହାର କରାଯାଉଥିବା ପରିଲକ୍ଷିତ ହେଉଛି। ମାଦକଦ୍ରବ୍ୟ, ଭୋଜି ଓ ସରକାରୀ ସୁବିଧା ପ୍ରଦାନ କରାଯାଇ ଭୋଟ କ୍ରୟ କରିବା ନିମନ୍ତେ ବ୍ୟବସ୍ଥା କରାଯାଉଛି। ବିଭିନ୍ନ ସମୟରେ ବାହୁବଳର ମଧ୍ୟ ଉପଯୋଗ କରାଯାଉଛି। ବାହୁବଳରେ ସାଧାରଣତଃ ଶାସକ ଦଳର ସଦସ୍ୟ ଆଗୁଆ ରହିଥାନ୍ତି। କାରଣ ଶାସକ ଦଳ କର୍ମୀ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ପ୍ରଶାସନ କୋହଳ ମନୋଭାବ ପୋଷଣ କରିଥାନ୍ତି।
ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ(ଏଡିଆର) ରିପୋର୍ଟ ଅନୁଯାୟୀ ୨୦୦୯ ନିର୍ବାଚନରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ସଂଖ୍ୟା ୧୫% ଥିବାବେଳେ ୨୦୧୪ ନିର୍ବାଚନ ବେଳକୁ ଏହି ସଂଖ୍ୟା ୧୭% ଓ ୨୦୧୯ ନିର୍ବାଚନବେଳକୁ ଏହି ସଂଖ୍ୟା ୧୯%ରେ ପହଞ୍ଚିଛି। ଅର୍ଥାତ୍‌ ପ୍ରତି ୫ ବର୍ଷ ବ୍ୟବଧାନରେ ଅପରାଧ ପୃଷ୍ଠଭୂମି ଥିବା ରାଜନେତାଙ୍କ ସଂଖ୍ୟା ୨% ହାରରେ ବୃଦ୍ଧି ପାଉଛି। ଏହା ନିଶ୍ଚିତ ଭାବେ ଉଦ୍‌ବେଗର ବିଷୟ। ରାଜନୀତିରେ ଅପରାଧୀକରଣ ନିୟନ୍ତ୍ରଣ ପାଇଁ ଭାରତୀୟ ନିର୍ବାଚନ କମିଶନ ଓ ନ୍ୟାୟପାଳିକା କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୋଷୀ ସାବ୍ୟସ୍ତ କାରଣରୁ କେତେକ ରାଜନେତାଙ୍କ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ଉପରେ ସୁପ୍ରିମକୋର୍ଟ ଅତୀତରେ ଅଙ୍କୁଶ ଲଗାଇଥିବା ଜଣାଯାଏ। ଇତିମଧ୍ୟରେ ଅଦାଲତ ଏକ ନିର୍ଦ୍ଦେଶନାମାରେ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ବିବରଣୀ ମନୋନୟନର ୪୮ ଘଣ୍ଟା ମଧ୍ୟରେ ସାର୍ବଜନୀନ କରିବା ନିମନ୍ତେ ରାଜନୈତିକ ଦଳଗୁଡ଼ିକୁ କହିଛନ୍ତି। ଅପରାଧୀମୁକ୍ତ ରାଜନୈତିକ ପରିବେଶ ସୃଷ୍ଟି ଦିଗରେ ଅଦାଲତଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। କିନ୍ତୁ ବିଡ଼ମ୍ବନାର ବିଷୟ ଯେ, ଏଦିଗରେ ରାଜନୈତିକ ଦଳ ଯେଉଁ ପ୍ରକାର ସାଧୁତା ଓ ନୈତିକତା ପ୍ରଦର୍ଶନ କରିବା ଆବଶ୍ୟକ ତାହା ହୋଇପାରୁ ନାହିଁ । ସବୁ ରାଜନୈତିକ ଦଳ ନୈତିକତା ବାହାରେ ବିଭିନ୍ନ ବାଟରେ ଭୋଟ ହାତେଇବା ପାଇଁ ଚେଷ୍ଟିତ। ଏହି କାରଣରୁ ସେମାନେ ନିର୍ବାଚନ କମିଶନ ଓ ନ୍ୟାୟପାଳିକା ଉପରେ ସବୁ ବୋଝ ଲଦିଦେଇ ନିଜେ ଏଥିରୁ ଓହରି ଯାଉଛନ୍ତି। ଜନପ୍ରତିନିଧିଙ୍କ ବିରୋଧରେ ଥିବା ଆପରାଧିକ ମାମଲାର ସ୍ବତନ୍ତ୍ର ଅଦାଲତରେ ତ୍ୱରିତ୍‌ ଶୁଣାଣି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଚାରପତି ଅଭାବରୁ ତାହା ହୋଇପାରୁ ନାହିଁ। ଭାରତୀୟ ଗଣତନ୍ତ୍ର ୭୫ ବର୍ଷରେ ପଦାର୍ପଣ କଲାଣି। ଏ ସମୟରେ ଦେଶର ନିର୍ବାଚନ ଧାରା ଯେତେ ମୂଲ୍ୟବୋଧଭିତ୍ତିକ ହେବ ଗଣତନ୍ତ୍ର ସେତେ ଉଜ୍ଜ୍ୱଳ ହୋଇପାରିବ।
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଖରାଦିନ ଆରମ୍ଭରୁ ବେଙ୍ଗାଲୁରୁ ଜଳ ସଙ୍କଟ ଏବେ ଚିନ୍ତାର ବିଷୟ ହୋଇଛି। ପରିସ୍ଥିତି ଏମିତି ଯେ ସେଠାରେ ଲୋକେ ସହର ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି...

ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ   ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ...

ଚୋରକୁ ବୁଦ୍ଧି

ଅଲେଖ ଚନ୍ଦ୍ର ମିଶ୍ର   ‘ଚୋରକୁ ବୁଦ୍ଧି ଶିଖେଇବା’ ଆପ୍ତବାଣୀଟି ଯେଉଁ ପୃଷ୍ଠଭୂମି ଉପରେ ଆଧାରିତ ତାହା ଥିଲା ଏକ ବାସ୍ତବଧର୍ମୀ କାହାଣୀ, ଯାହାର ମର୍ମ...

ଅପ୍ରକାଶ୍ୟ ଋଣ ସମସ୍ୟା

ଗତ କିଛି ବର୍ଷ ମଧ୍ୟରେ କୋଭିଡ୍‌-୧୯ ମହାମାରୀଠାରୁ ଆରମ୍ଭକରି ଉନ୍ନତ-ଅର୍ଥ ବ୍ୟବସ୍ଥାର ସୁଧ ହାର ବୃଦ୍ଧି ଭଳି ଘଟଣା ଭିନ୍ନ ସ୍ଥିତି ସୃଷ୍ଟି କରିଛି। ଏଥିରେ...

ଏଇ ଭାରତରେ

ଦେଶ ଗଠନରେ ଯୁବ ପ୍ରଶାସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅନୁଭବ କରିଛନ୍ତି ୨୦୧୧ ବ୍ୟାଚ୍‌ ଭାରତୀୟ ରାଜସ୍ବ ସେବା(ଆଇଆର୍‌ଏସ୍‌) ଅଧିକାରୀ ରବି କପୁର। ସେ...

ରାମ ରାଜ୍ୟ ସମ୍ଭବ କି

ବୈକୁଣ୍ଠନାଥ ମିଶ୍ର   ଆଜିକାଲି ‘ଜୟ ଶ୍ରୀରାମ’ ଉଚ୍ଚାରଣ କରି ବନ୍ଧୁଙ୍କୁ ପ୍ରଥମ ସାକ୍ଷାତରେ ସମ୍ଭାଷିତ କରିବାର ଅଭିନବ ପରମ୍ପରା ସର୍ବତ୍ର ପରିଦୃଷ୍ଟ। ବନ୍ଧୁଙ୍କୁ ସମ୍ଭାଷଣ...

ମତଦାତାଙ୍କ ବୁଦ୍ଧି ବିମୂଢ଼ତା

ଡ.ଛାୟାକାନ୍ତ ଷଡ଼ଙ୍ଗୀ   ସମ୍ପ୍ରତି ଭାରତ ତଥା ବିଭିନ୍ନ ପ୍ରଦେଶରେ ରାଜନୀତିର ବିଚିତ୍ର ଗତି ଦେଖି ମତଦାତାମାନେ ଉଇଲିଅମ ଜେମ୍‌ସଙ୍କ ଭଳି ସମସ୍ୟାର ସମ୍ମୁଖୀନ ହେଲେଣି।...

ବୁଝିହେଉଛି

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍‌ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri