ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର

 

ଆଜିକାଲି ସମାଜରେ ପାରିବାରିକ ଅବୁଝାମଣା ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପୀ ଚାଲିଛି। କେହି କାହା କଥା ଶୁଣିବାକୁ ନାରାଜ, ବୁଝିବାକୁ ଅମଙ୍ଗ। ଯିଏ ଯାହା ହାତରେ ଚଉଦ ପା’। ବରିଷ୍ଠଙ୍କୁ ଖାତିର ନାହିଁ କି କନିଷ୍ଠଙ୍କୁ ଆଦର ନାହିଁ। ପତ୍ନୀପତିଙ୍କ ମଧ୍ୟରେ ମନାନ୍ତର, ମାତାପିତା ଓ ସନ୍ତାନସନ୍ତତିଙ୍କ ଭିତରେ ମତାନ୍ତର ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ପ୍ରାୟତଃ ଯୁବ ସମ୍ପ୍ରଦାୟ ଏଭଳି ମାନସିକତା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ। କାରଣ ଏମାନେ ସ୍ବାର୍ଥାନ୍ଧ ହୋଇ ପଡୁଛନ୍ତି। ଯୁବତୀଟିଏ ତା’ର ସାଥୀ ପାଇଗଲେ ପରିବାର ସହିତ ପନ୍ଦର କୋଡ଼ିଏ ବର୍ଷର ସମ୍ପର୍କକୁ ଛିନ୍ନ କରିଦେଇ ସେମାନଙ୍କର ଅଜ୍ଞାତସାରରେ ତା’ ସହିତ ଚାଲିଯାଉଛି। ଯୁବକଟିଏ ବାହା ହେଲା ପରେ ପରେ ନବବଧୂକୁ ସାଙ୍ଗରେ ନେଇ ତା’ର କର୍ମକ୍ଷେତ୍ରକୁ ଚାଲିଯାଇ ସମସ୍ତଙ୍କୁ ଭୁଲିଯାଉଛି। ଏପରି କି ତା’ର ବସାଘରକୁ ମାତାପିତା କିମ୍ବା ନିକଟ ସମ୍ପର୍କୀୟ ଯେ କେହି ବୁଲିଆସିଲେ ବି ସେମାନଙ୍କ ଉପସ୍ଥିତିରେ ସେ ଭିନ୍ନ ଅନୁଭବ କରୁଛି। କାରଣ ଏହା ତା’ର ପ୍ରାଇଭେସିରେ ଆଞ୍ଚ୍‌ ଆଣେ। ସିଧା କଥାରେ କହିଲେ, ସେ ସମସ୍ତ ପ୍ରିୟପରିଜନଙ୍କଠାରୁ ଦୂରେଇ ଯାଇ ଏକା ରହିବାକୁ ପସନ୍ଦ କରୁଛି। ଅବଶ୍ୟ ଏହାର କିଞ୍ଚତ୍ତ୍‌ ବ୍ୟତିକ୍ରମ ରହିଛି।
କିନ୍ତୁ ଏ ପ୍ରକାରର ଘଟଣା ପ୍ରବାହ ବିଗତ ପାଞ୍ଚ ଛଅ ଦଶନ୍ଧିର ଅବଦାନ। ପୂର୍ବରୁ ଏପରି ନ ଥିଲା। ପାରିବାରିକ ଆକର୍ଷଣ, ଶୃଙ୍ଖଳା, କଟକଣା, ଆକଟ, ମର୍ଯ୍ୟIଦା, ମୁରବିପଣିଆ ଆଦି ମୂଲ୍ୟବୋଧ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି ବାନ୍ଧି ରଖୁଥିଲା; ଯାହାକୁ ଏଡ଼େଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ମୁରବିଙ୍କର ତାଡ଼ନା ଓ ଭର୍ତ୍ସନାରେ ବି ଆନନ୍ଦ ମିଳୁଥିଲା, କାରଣ ସେସବୁର ଉଦ୍ଦେଶ୍ୟ ମହତ୍‌ ଥିଲା। ହେଲେ ଏବର ପିଲାମାନେ ତାହା ବୁଝୁନାହାନ୍ତି। ସେମାନେ ଅଧିକ ସ୍ବାଧୀନଚେତା ଓ ଆତ୍ମକୈନ୍ଦ୍ରିକ ହେବାରୁ ଏପରି ଜୀବନ ବିତେଇବାକୁ ଚାହୁଁଛନ୍ତି, ଯେଉଁଠି ସେମାନଙ୍କୁ କାହାରି ଅଧୀନତା, ଅଧିକାର କିମ୍ବା ବଶ୍ୟତା ସ୍ବୀକାର କରିବାକୁ ପଡ଼ିବନି। ନିଜ ଇଚ୍ଛାର ମାଲିକ ହେବା ସେମାନଙ୍କର ଧ୍ୟେୟ। ଏହିଭଳି ଚିନ୍ତାଧାରା ଯୋଗୁ ଚିରାଚରିତ ଆମର ଯୌଥ ପରିବାର ଭାଙ୍ଗି ଚୂର୍‌ମାର୍‌ ହୋଇଗଲା ଏବଂ ତା’ର ସ୍ଥାନ ନେଲା ଅଣୁ ପରିବାର। ଏବେ ଅଣୁ ପରିବାର ବି ରୂପାନ୍ତରିତ ହେଉଛି ଦମ୍ପତି ପରିବାରକୁ, ଯାହାର ମାତ୍ର ଦୁଇଜଣ ସଦସ୍ୟ ହେଲେ ପତି ଓ ପତ୍ନୀ।
ଆଗେ ପାରିବାରିକ ଅବୁଝାମଣା ଏଭଳି ନ ଥିଲା। ଯାହା ଥିଲା, ତାହା ହେଲା ସମ୍ପର୍କରେ ସାମୟିକ ଶିଥିଳତା ଏବଂ ସେସବୁ ଯୌଥ ପରିବାରର ହସ୍ତକ୍ଷେପ ଫଳରେ ତତ୍‌କ୍ଷଣାତ୍‌ ସମାଧାନ ହୋଇ ଯାଉଥିଲା। ମାତାପିତା, ଜେଜେ, ଜେଜେମା’ଙ୍କର ନିଃସ୍ବାର୍ଥ ଓ ଅନାବିଳ ଶ୍ରଦ୍ଧାର ବିକଳ୍ପ ନାହିଁ। ସେମାନଙ୍କ ଆକଟ ଭିତରେ କେତେ ଯେ ସ୍ନେହ ଓ ମମତା ନିହିତ ଥାଏ, ତାହା କେବଳ ଅନୁଭବର କଥା। ମଣିଷ ଯଦି କ୍ଷଣକ ପାଇଁ ଭାବନ୍ତା ଯେ ସେମାନେ ତା’ର ଅତି ଆପଣାର ଏବଂ ସେମାନଙ୍କର କହିବାର ଅଧିକାର ଅଛି, ଯାହାକୁ ଗ୍ରହଣ କରିନେବା ତା’ର କର୍ତ୍ତବ୍ୟ, ତେବେ ହୁଏତ ପରିସ୍ଥିତି ଭିନ୍ନ ହୁଅନ୍ତା। ପରିବାର ଭିତରେ ପରା ତା’ର ଜନ୍ମ, ସ୍ଥିତି ଓ ବିଲୟ। ତାକୁ ଛାଡ଼ି ସେ ବଞ୍ଚତ୍ବ କେମିତି। ଅତଏବ ସମାଜ ଓ ପରିବାର ପାଇଁ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଓ ଦାୟିତ୍ୱର ବଳୟରେ ସେ ଆବଦ୍ଧ ଏବଂ ସେହି ବନ୍ଧନ ହିଁ ଏକ ମଧୁର ଆକର୍ଷଣ। ପରିବାରଠାରୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ ସ୍ଥାନ ଆଉ କାହିଁ? ସେଥିପାଇଁ ତ ଉତ୍କଳମଣି ଲେଖିଯାଇଛନ୍ତି,”ରହିଣ ବିଷମ ଜଞ୍ଜାଳ ଜଗତେ, ସଂସାରୀ ସୋଦର ବାନ୍ଧବ ସହିତେ /ଇଚ୍ଛାମତେ କାହୁଁ ଚଳିବ ବା ଜନ, ସଂସାରେ ନିଜର ନୁହେଁ ନିଜ ମନ।“ କିମ୍ବା ପ୍ରଖ୍ୟାତ ଇଂଲିଶ୍‌ କବି ଉଇଲିୟମ୍‌ କାଉପରଙ୍କର ”ସୋସାଇଟି, ଫ୍ରେଣ୍ଡଶିପ୍‌ ଆଣ୍ଡ୍‌ ଲଭ୍‌ ଡିଭାଇନ୍‌ଲି ବିଷ୍ଟୋଡ୍‌ ଅପନ୍‌ ମ୍ୟାନ୍‌।“ (ଭକ୍ତକବିଙ୍କ ଭାଷାରେ, ”କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତି ଯୋଗୁ ଦେବତା ନର।“)
ମନେରଖିବା ଉଚିତ୍‌ ଯେ, ‘ମୁଁ ’ ଏବଂ ‘ଆମେ’ ଭିତରେ ଅନେକ ପ୍ରଭେଦ। ଏକାକୀ ମୁଁ କହିପାରେ, କିନ୍ତୁ ଆମେ ମିଳିମିଶି କଥାବାର୍ତ୍ତା କରୁ (ଏଲୋନ୍‌ ଆଇ କ୍ୟାନ୍‌ ସେ, ଟୁଗେଦର ଉଇ ଟକ୍‌), ଏକାକୀ ମୁଁ ଭୋଗ କରିପାରେ; କିନ୍ତୁ ମିଳିମିଶି ଆମେ ଉପଭୋଗ କରୁ (ଏଲୋନ୍‌ ଆଇ କ୍ୟାନ୍‌ ଏଞ୍ଜୟ, ଟୁଗେଦର ଉଇ ସେଲିବ୍ରେଟ୍‌), ଏକାକୀ ମୁଁ ମୁରୁକି ହସିପାରେ, କିନ୍ତୁ ମିଳିମିଶି ଆମେ ହସୁ (ଏଲୋନ୍‌ ଆଇ କ୍ୟାନ୍‌ ସ୍ମାଇଲ୍‌, ଟୁଗେଦର ଉଇ ଲାଫ୍‌)। ଏହାହିଁ ମଣିଷ-ମଣିଷ ମଧ୍ୟରେ ସମ୍ପର୍କର ନିଦର୍ଶନ ଏବଂ ବନ୍ଧନର ଆକର୍ଷଣ। ”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।“ ପାରିବାରିକ ବନ୍ଧନର ଏକ ସୁନ୍ଦର ଉପାଖ୍ୟାନ ଏଠାରେ ଉପସ୍ଥାପନା କରିବା ସମୀଚୀନ ମନେହୁଏ। କୌଣସି ଏକ ଗ୍ରାମରେ ଥିଲେ ଏକ ଦରିଦ୍ର ଦମ୍ପତି। ସେମାନେ କିଛି ପାଠଶାଠ ପଢ଼ି ନ ଥିଲେ। କିନ୍ତୁ ତାଙ୍କ ପରିବାର ଥିଲା ସେ ଅଞ୍ଚଳରେ ସବୁଠାରୁ ସୁଖୀ। କାରଣ ପତ୍ନୀପତି ଦୁହେଁ ପରସ୍ପରକୁ ଖାଲି ଭଲ ପାଉ ନ ଥିଲେ, ଉଚିତ ସମ୍ମାନ ବି ଦେଉଥିଲେ। ତେଣୁ ତାଙ୍କର ପଚାଶ ବର୍ଷର ଦାମ୍ପତ୍ୟ ଜୀବନରେ ଥରୁଟିଏ ବି କଳିଝଗଡ଼ା ହୋଇ ନ ଥିଲା। ଏକଥା ରାଜାଙ୍କ କାନକୁ ଗଲା। ସେ ଏହାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଜଣେ ଗୁପ୍ତଚର ନିଯୁକ୍ତ କଲେ। ଦିନକର କଥା। ପତ୍ନୀ ପତିଙ୍କୁ କହିଲେ- ”ଆଗକୁ ବଡ଼ ପର୍ବଟିଏ ଆସୁଛି। ପିଲାମାନଙ୍କ ପାଇଁ ପୋଷାକପତ୍ର କିଣିବାକୁ ପଡ଼ିବ। ହାତରେ ତ ପଇସାଟିଏ ନାହିଁ। ଆମ ଗାଈଟିକୁ ବିକ୍ରି କରିଦେଲେ ଯାହା କିଛି ଟଙ୍କା ମିଳନ୍ତା, ସେଇଥିରେ ଖର୍ଚ୍ଚ ତୁଲାନ୍ତେ।“ ପତି କହିଲେ- ”ହଁ ହଁ, ଠିକ୍‌ କଥା କହିଛ, ସେୟା କରିବା।“ ସେ ଗାଈଟିକୁ ଗୋରୁହାଟକୁ ନେଇ ଚାଲିଗଲେ। ସଞ୍ଜବେଳକୁ ଘରକୁ ଫେରିଲା ପରେ ସ୍ତ୍ରୀ ପଚାରିଲେ, ”କ’ଣ ଗାଈ ବିକ୍ରି ହେଲା?“ ପତି – ”ହଁ ବିକ୍ରି ହେଲା।“ ପତ୍ନୀ- ”କେତେ ଟଙ୍କା ମିଳିଲା?“ ପତି – ”ଶହେ ଟଙ୍କା।“ ପତ୍ନୀ- ”କାହିଁ ଦେଖେଇଲ?”ଟଙ୍କା କ’ଣ ଅଛିଯେ ଦେଖେଇବି! ସେ ଟଙ୍କାରେ ପରା ମୁଁ ଗୋଟିଏ ଛେଳି କିଣିଦେଲି।“ତା’ହେଲେ ତ ବଢ଼ିଆ ହେଲା। ଛେଳି ଛ’ ମାସରେ ଥରେ ଛୁଆ ଜନ୍ମ କରିବ। ବର୍ଷ କେଇଟା ଭିତରେ ତାଙ୍କୁ ବିକି ଆମେ ଅନେକ ଟଙ୍କା ପାଇବା କହିଲା ପତ୍ନୀ। ପତି କହିଲେ-ହେଲାଯେ, ଛେଳିଟି କ’ଣ ଅଛି? ତାକୁ ବିକି ଦେଇ ତ କୁକୁଡ଼ାଟିଏ କିଣିଦେଲି।
”ଇଏତ ଆହୁରି ଭଲ ହେଲା। କୁକୁଡ଼ା ଏକାଥରକେ ଅନେକ ଅଣ୍ଡାଦବ। ସେଥିରୁ ଛୁଆ ହେବେ। ଅଣ୍ଡା ଓ ଛୁଆ ବିକିଲେ ଆମକୁ ବହୁତ ପଇସା ମିଳିବ।“ପୁଣି ପତି କହିଲେ -କୁକୁଡ଼ା ଥିଲେ ତ ମିଳିବ? ତାକୁ ବିକ୍ରି କରି ଟଙ୍କା ଆଣୁଥିଲି। ବାଟରେ ବହୁତ ଭୋକ ଲାଗିଲା। ସେଇ ଟଙ୍କାରେ ହୋଟେଲ୍‌ରେ ପେଟେ ଖାଇଦେଲି। ଇଏତ ସବୁଠାରୁ ଭଲ ହେଲା। ଖାଇବାଠାରୁ ବଳି ବଡ଼କଥା ଆଉ କ’ଣ ଅଛି? ତୁମେ ମନ ଖୁସିରେ ଖାଇଲ ସେଇ ମୋର ଖୁସି। ତୁମଠାରୁ କ’ଣ ଟଙ୍କା ବେଶୀ ବୋଲି କହିଲେ ପତ୍ନୀ। ରାଜା ଶୀଘ୍ର ଏ ଖବର ପାଇଗଲେ। ସେ ଉକ୍ତ ଦମ୍ପତିକୁ ଦରବାରକୁ ଡକେଇ ଏପରି ପୁରସ୍କୃତ କଲେ ଯେ, ତାଙ୍କ ଦାରିଦ୍ର୍ୟ ଚିରଦିନ ପାଇଁ ଉଭେଇଗଲା।
ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri