ବୈକୁଣ୍ଠ ସମାନ ଘର

ଅଲେଖ ଚନ୍ଦ୍ର ମିଶ୍ର

 

ଆଜିକାଲି ସମାଜରେ ପାରିବାରିକ ଅବୁଝାମଣା ଏକ ସଂକ୍ରାମକ ବ୍ୟାଧି ଭଳି ବ୍ୟାପୀ ଚାଲିଛି। କେହି କାହା କଥା ଶୁଣିବାକୁ ନାରାଜ, ବୁଝିବାକୁ ଅମଙ୍ଗ। ଯିଏ ଯାହା ହାତରେ ଚଉଦ ପା’। ବରିଷ୍ଠଙ୍କୁ ଖାତିର ନାହିଁ କି କନିଷ୍ଠଙ୍କୁ ଆଦର ନାହିଁ। ପତ୍ନୀପତିଙ୍କ ମଧ୍ୟରେ ମନାନ୍ତର, ମାତାପିତା ଓ ସନ୍ତାନସନ୍ତତିଙ୍କ ଭିତରେ ମତାନ୍ତର ଏକ ସାଧାରଣ କଥାରେ ପରିଣତ ହୋଇଗଲାଣି। ପ୍ରାୟତଃ ଯୁବ ସମ୍ପ୍ରଦାୟ ଏଭଳି ମାନସିକତା ଦ୍ୱାରା ବିଶେଷ ଭାବରେ ପ୍ରଭାବିତ। କାରଣ ଏମାନେ ସ୍ବାର୍ଥାନ୍ଧ ହୋଇ ପଡୁଛନ୍ତି। ଯୁବତୀଟିଏ ତା’ର ସାଥୀ ପାଇଗଲେ ପରିବାର ସହିତ ପନ୍ଦର କୋଡ଼ିଏ ବର୍ଷର ସମ୍ପର୍କକୁ ଛିନ୍ନ କରିଦେଇ ସେମାନଙ୍କର ଅଜ୍ଞାତସାରରେ ତା’ ସହିତ ଚାଲିଯାଉଛି। ଯୁବକଟିଏ ବାହା ହେଲା ପରେ ପରେ ନବବଧୂକୁ ସାଙ୍ଗରେ ନେଇ ତା’ର କର୍ମକ୍ଷେତ୍ରକୁ ଚାଲିଯାଇ ସମସ୍ତଙ୍କୁ ଭୁଲିଯାଉଛି। ଏପରି କି ତା’ର ବସାଘରକୁ ମାତାପିତା କିମ୍ବା ନିକଟ ସମ୍ପର୍କୀୟ ଯେ କେହି ବୁଲିଆସିଲେ ବି ସେମାନଙ୍କ ଉପସ୍ଥିତିରେ ସେ ଭିନ୍ନ ଅନୁଭବ କରୁଛି। କାରଣ ଏହା ତା’ର ପ୍ରାଇଭେସିରେ ଆଞ୍ଚ୍‌ ଆଣେ। ସିଧା କଥାରେ କହିଲେ, ସେ ସମସ୍ତ ପ୍ରିୟପରିଜନଙ୍କଠାରୁ ଦୂରେଇ ଯାଇ ଏକା ରହିବାକୁ ପସନ୍ଦ କରୁଛି। ଅବଶ୍ୟ ଏହାର କିଞ୍ଚତ୍ତ୍‌ ବ୍ୟତିକ୍ରମ ରହିଛି।
କିନ୍ତୁ ଏ ପ୍ରକାରର ଘଟଣା ପ୍ରବାହ ବିଗତ ପାଞ୍ଚ ଛଅ ଦଶନ୍ଧିର ଅବଦାନ। ପୂର୍ବରୁ ଏପରି ନ ଥିଲା। ପାରିବାରିକ ଆକର୍ଷଣ, ଶୃଙ୍ଖଳା, କଟକଣା, ଆକଟ, ମର୍ଯ୍ୟIଦା, ମୁରବିପଣିଆ ଆଦି ମୂଲ୍ୟବୋଧ ପରିବାରର ସମସ୍ତ ସଦସ୍ୟଙ୍କୁ ଏକାଠି ବାନ୍ଧି ରଖୁଥିଲା; ଯାହାକୁ ଏଡ଼େଇବା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ମୁରବିଙ୍କର ତାଡ଼ନା ଓ ଭର୍ତ୍ସନାରେ ବି ଆନନ୍ଦ ମିଳୁଥିଲା, କାରଣ ସେସବୁର ଉଦ୍ଦେଶ୍ୟ ମହତ୍‌ ଥିଲା। ହେଲେ ଏବର ପିଲାମାନେ ତାହା ବୁଝୁନାହାନ୍ତି। ସେମାନେ ଅଧିକ ସ୍ବାଧୀନଚେତା ଓ ଆତ୍ମକୈନ୍ଦ୍ରିକ ହେବାରୁ ଏପରି ଜୀବନ ବିତେଇବାକୁ ଚାହୁଁଛନ୍ତି, ଯେଉଁଠି ସେମାନଙ୍କୁ କାହାରି ଅଧୀନତା, ଅଧିକାର କିମ୍ବା ବଶ୍ୟତା ସ୍ବୀକାର କରିବାକୁ ପଡ଼ିବନି। ନିଜ ଇଚ୍ଛାର ମାଲିକ ହେବା ସେମାନଙ୍କର ଧ୍ୟେୟ। ଏହିଭଳି ଚିନ୍ତାଧାରା ଯୋଗୁ ଚିରାଚରିତ ଆମର ଯୌଥ ପରିବାର ଭାଙ୍ଗି ଚୂର୍‌ମାର୍‌ ହୋଇଗଲା ଏବଂ ତା’ର ସ୍ଥାନ ନେଲା ଅଣୁ ପରିବାର। ଏବେ ଅଣୁ ପରିବାର ବି ରୂପାନ୍ତରିତ ହେଉଛି ଦମ୍ପତି ପରିବାରକୁ, ଯାହାର ମାତ୍ର ଦୁଇଜଣ ସଦସ୍ୟ ହେଲେ ପତି ଓ ପତ୍ନୀ।
ଆଗେ ପାରିବାରିକ ଅବୁଝାମଣା ଏଭଳି ନ ଥିଲା। ଯାହା ଥିଲା, ତାହା ହେଲା ସମ୍ପର୍କରେ ସାମୟିକ ଶିଥିଳତା ଏବଂ ସେସବୁ ଯୌଥ ପରିବାରର ହସ୍ତକ୍ଷେପ ଫଳରେ ତତ୍‌କ୍ଷଣାତ୍‌ ସମାଧାନ ହୋଇ ଯାଉଥିଲା। ମାତାପିତା, ଜେଜେ, ଜେଜେମା’ଙ୍କର ନିଃସ୍ବାର୍ଥ ଓ ଅନାବିଳ ଶ୍ରଦ୍ଧାର ବିକଳ୍ପ ନାହିଁ। ସେମାନଙ୍କ ଆକଟ ଭିତରେ କେତେ ଯେ ସ୍ନେହ ଓ ମମତା ନିହିତ ଥାଏ, ତାହା କେବଳ ଅନୁଭବର କଥା। ମଣିଷ ଯଦି କ୍ଷଣକ ପାଇଁ ଭାବନ୍ତା ଯେ ସେମାନେ ତା’ର ଅତି ଆପଣାର ଏବଂ ସେମାନଙ୍କର କହିବାର ଅଧିକାର ଅଛି, ଯାହାକୁ ଗ୍ରହଣ କରିନେବା ତା’ର କର୍ତ୍ତବ୍ୟ, ତେବେ ହୁଏତ ପରିସ୍ଥିତି ଭିନ୍ନ ହୁଅନ୍ତା। ପରିବାର ଭିତରେ ପରା ତା’ର ଜନ୍ମ, ସ୍ଥିତି ଓ ବିଲୟ। ତାକୁ ଛାଡ଼ି ସେ ବଞ୍ଚତ୍ବ କେମିତି। ଅତଏବ ସମାଜ ଓ ପରିବାର ପାଇଁ ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଓ ଦାୟିତ୍ୱର ବଳୟରେ ସେ ଆବଦ୍ଧ ଏବଂ ସେହି ବନ୍ଧନ ହିଁ ଏକ ମଧୁର ଆକର୍ଷଣ। ପରିବାରଠାରୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ ସ୍ଥାନ ଆଉ କାହିଁ? ସେଥିପାଇଁ ତ ଉତ୍କଳମଣି ଲେଖିଯାଇଛନ୍ତି,”ରହିଣ ବିଷମ ଜଞ୍ଜାଳ ଜଗତେ, ସଂସାରୀ ସୋଦର ବାନ୍ଧବ ସହିତେ /ଇଚ୍ଛାମତେ କାହୁଁ ଚଳିବ ବା ଜନ, ସଂସାରେ ନିଜର ନୁହେଁ ନିଜ ମନ।“ କିମ୍ବା ପ୍ରଖ୍ୟାତ ଇଂଲିଶ୍‌ କବି ଉଇଲିୟମ୍‌ କାଉପରଙ୍କର ”ସୋସାଇଟି, ଫ୍ରେଣ୍ଡଶିପ୍‌ ଆଣ୍ଡ୍‌ ଲଭ୍‌ ଡିଭାଇନ୍‌ଲି ବିଷ୍ଟୋଡ୍‌ ଅପନ୍‌ ମ୍ୟାନ୍‌।“ (ଭକ୍ତକବିଙ୍କ ଭାଷାରେ, ”କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା’ର ପ୍ରାପତି ଯୋଗୁ ଦେବତା ନର।“)
ମନେରଖିବା ଉଚିତ୍‌ ଯେ, ‘ମୁଁ ’ ଏବଂ ‘ଆମେ’ ଭିତରେ ଅନେକ ପ୍ରଭେଦ। ଏକାକୀ ମୁଁ କହିପାରେ, କିନ୍ତୁ ଆମେ ମିଳିମିଶି କଥାବାର୍ତ୍ତା କରୁ (ଏଲୋନ୍‌ ଆଇ କ୍ୟାନ୍‌ ସେ, ଟୁଗେଦର ଉଇ ଟକ୍‌), ଏକାକୀ ମୁଁ ଭୋଗ କରିପାରେ; କିନ୍ତୁ ମିଳିମିଶି ଆମେ ଉପଭୋଗ କରୁ (ଏଲୋନ୍‌ ଆଇ କ୍ୟାନ୍‌ ଏଞ୍ଜୟ, ଟୁଗେଦର ଉଇ ସେଲିବ୍ରେଟ୍‌), ଏକାକୀ ମୁଁ ମୁରୁକି ହସିପାରେ, କିନ୍ତୁ ମିଳିମିଶି ଆମେ ହସୁ (ଏଲୋନ୍‌ ଆଇ କ୍ୟାନ୍‌ ସ୍ମାଇଲ୍‌, ଟୁଗେଦର ଉଇ ଲାଫ୍‌)। ଏହାହିଁ ମଣିଷ-ମଣିଷ ମଧ୍ୟରେ ସମ୍ପର୍କର ନିଦର୍ଶନ ଏବଂ ବନ୍ଧନର ଆକର୍ଷଣ। ”ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର।“ ପାରିବାରିକ ବନ୍ଧନର ଏକ ସୁନ୍ଦର ଉପାଖ୍ୟାନ ଏଠାରେ ଉପସ୍ଥାପନା କରିବା ସମୀଚୀନ ମନେହୁଏ। କୌଣସି ଏକ ଗ୍ରାମରେ ଥିଲେ ଏକ ଦରିଦ୍ର ଦମ୍ପତି। ସେମାନେ କିଛି ପାଠଶାଠ ପଢ଼ି ନ ଥିଲେ। କିନ୍ତୁ ତାଙ୍କ ପରିବାର ଥିଲା ସେ ଅଞ୍ଚଳରେ ସବୁଠାରୁ ସୁଖୀ। କାରଣ ପତ୍ନୀପତି ଦୁହେଁ ପରସ୍ପରକୁ ଖାଲି ଭଲ ପାଉ ନ ଥିଲେ, ଉଚିତ ସମ୍ମାନ ବି ଦେଉଥିଲେ। ତେଣୁ ତାଙ୍କର ପଚାଶ ବର୍ଷର ଦାମ୍ପତ୍ୟ ଜୀବନରେ ଥରୁଟିଏ ବି କଳିଝଗଡ଼ା ହୋଇ ନ ଥିଲା। ଏକଥା ରାଜାଙ୍କ କାନକୁ ଗଲା। ସେ ଏହାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଜଣେ ଗୁପ୍ତଚର ନିଯୁକ୍ତ କଲେ। ଦିନକର କଥା। ପତ୍ନୀ ପତିଙ୍କୁ କହିଲେ- ”ଆଗକୁ ବଡ଼ ପର୍ବଟିଏ ଆସୁଛି। ପିଲାମାନଙ୍କ ପାଇଁ ପୋଷାକପତ୍ର କିଣିବାକୁ ପଡ଼ିବ। ହାତରେ ତ ପଇସାଟିଏ ନାହିଁ। ଆମ ଗାଈଟିକୁ ବିକ୍ରି କରିଦେଲେ ଯାହା କିଛି ଟଙ୍କା ମିଳନ୍ତା, ସେଇଥିରେ ଖର୍ଚ୍ଚ ତୁଲାନ୍ତେ।“ ପତି କହିଲେ- ”ହଁ ହଁ, ଠିକ୍‌ କଥା କହିଛ, ସେୟା କରିବା।“ ସେ ଗାଈଟିକୁ ଗୋରୁହାଟକୁ ନେଇ ଚାଲିଗଲେ। ସଞ୍ଜବେଳକୁ ଘରକୁ ଫେରିଲା ପରେ ସ୍ତ୍ରୀ ପଚାରିଲେ, ”କ’ଣ ଗାଈ ବିକ୍ରି ହେଲା?“ ପତି – ”ହଁ ବିକ୍ରି ହେଲା।“ ପତ୍ନୀ- ”କେତେ ଟଙ୍କା ମିଳିଲା?“ ପତି – ”ଶହେ ଟଙ୍କା।“ ପତ୍ନୀ- ”କାହିଁ ଦେଖେଇଲ?”ଟଙ୍କା କ’ଣ ଅଛିଯେ ଦେଖେଇବି! ସେ ଟଙ୍କାରେ ପରା ମୁଁ ଗୋଟିଏ ଛେଳି କିଣିଦେଲି।“ତା’ହେଲେ ତ ବଢ଼ିଆ ହେଲା। ଛେଳି ଛ’ ମାସରେ ଥରେ ଛୁଆ ଜନ୍ମ କରିବ। ବର୍ଷ କେଇଟା ଭିତରେ ତାଙ୍କୁ ବିକି ଆମେ ଅନେକ ଟଙ୍କା ପାଇବା କହିଲା ପତ୍ନୀ। ପତି କହିଲେ-ହେଲାଯେ, ଛେଳିଟି କ’ଣ ଅଛି? ତାକୁ ବିକି ଦେଇ ତ କୁକୁଡ଼ାଟିଏ କିଣିଦେଲି।
”ଇଏତ ଆହୁରି ଭଲ ହେଲା। କୁକୁଡ଼ା ଏକାଥରକେ ଅନେକ ଅଣ୍ଡାଦବ। ସେଥିରୁ ଛୁଆ ହେବେ। ଅଣ୍ଡା ଓ ଛୁଆ ବିକିଲେ ଆମକୁ ବହୁତ ପଇସା ମିଳିବ।“ପୁଣି ପତି କହିଲେ -କୁକୁଡ଼ା ଥିଲେ ତ ମିଳିବ? ତାକୁ ବିକ୍ରି କରି ଟଙ୍କା ଆଣୁଥିଲି। ବାଟରେ ବହୁତ ଭୋକ ଲାଗିଲା। ସେଇ ଟଙ୍କାରେ ହୋଟେଲ୍‌ରେ ପେଟେ ଖାଇଦେଲି। ଇଏତ ସବୁଠାରୁ ଭଲ ହେଲା। ଖାଇବାଠାରୁ ବଳି ବଡ଼କଥା ଆଉ କ’ଣ ଅଛି? ତୁମେ ମନ ଖୁସିରେ ଖାଇଲ ସେଇ ମୋର ଖୁସି। ତୁମଠାରୁ କ’ଣ ଟଙ୍କା ବେଶୀ ବୋଲି କହିଲେ ପତ୍ନୀ। ରାଜା ଶୀଘ୍ର ଏ ଖବର ପାଇଗଲେ। ସେ ଉକ୍ତ ଦମ୍ପତିକୁ ଦରବାରକୁ ଡକେଇ ଏପରି ପୁରସ୍କୃତ କଲେ ଯେ, ତାଙ୍କ ଦାରିଦ୍ର୍ୟ ଚିରଦିନ ପାଇଁ ଉଭେଇଗଲା।
ଶାସ୍ତ୍ରୀନଗର, ୟୁନିଟ-୪, ଭୁବନେଶ୍ୱର
ମୋ: ୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?