ଗୃହିଣୀଙ୍କ ହାହାକାର

ଭାରତରେ ପୂର୍ବରୁ ରୋଷେଇ ଲାଗି କାଠ, ଘଷି, ଛଣକୁଟା, ପତ୍ର, ତୈଳବୀଜ ଜାତୀୟ ଫସଲର ଚୋପା ସହ କୋଇଲା ଆଦି ବ୍ୟବହାର କରାଯାଇଆସୁଥିଲା। ଏହାଦ୍ୱାରା ମହିଳାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଉଛି ବୋଲି କୁହାଯାଇ କେନ୍ଦ୍ର ସରକାର ଗରିବ ଓ ଅସହାୟଙ୍କୁ ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଯୋଗାଇଦେବାର ବ୍ୟବସ୍ଥା କଲେ ଓ ଆଣିଲେ ଉଜ୍ଜ୍ୱଳା ଯୋଜନା। ପ୍ରଥମ ଥର ଚୁଲା ଓ ସିଲିଣ୍ଡର ମାଗଣାରେ ମିଳିଥିଲା। ଦ୍ୱିତୀୟ ସିଲିଣ୍ଡର କିଣିବାକୁ ଏମାନେ ବାଧ୍ୟ ହେଲେ। ଦେଶବ୍ୟାପୀ ପ୍ରବଳ ବିଜ୍ଞାପନ ଜରିଆରେ ଏହି ଯୋଜନାକୁ ଲୋକଙ୍କ ନିକଟକୁ ନିଆଯାଇଥିଲା। ଦେଶର କୋଣଅନୁକୋଣରେ ଜଣେ ମୁସଲମାନ ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏକ ସିଲିଣ୍ଡର ପ୍ରଦାନ କରାଯାଉଥିବା ଫଟୋ ଲଗାଯାଇଥିଲା। ଏହି ଯୋଜନାର ସଫଳତାକୁ ସନ୍ଦେହ କରାଯାଇପାରିବ ନାହିଁ। ଅତ୍ୟନ୍ତ ଗରିବ ପରିବାର ମଧ୍ୟ ଉଜ୍ଜ୍ୱଳାର ଲାଭ ଉଠାଇବା ସହିତ ଭାଜପାକୁ ଭୋଟ ଦେଲେ। ଏବେକାର ରନ୍ଧନ ଗ୍ୟାସ୍‌ର ଅଭୂତପୂର୍ବ ଦର ବୃଦ୍ଧି ସେହି ଗରିବଙ୍କ ଅଣ୍ଟା ଭାଙ୍ଗିଦେଇଛି। ପୁରାତନ ଜାଳେଣି ଯୋଗାଡ଼ କରିବାରେ ଦକ୍ଷତା ହରାଇବା ପରେ ଗରିବ ପରିବାର ସମ୍ପୂର୍ଣ୍ଣ ଭାବେ ଗ୍ୟାସ୍‌ ଉପରେ ନିର୍ଭରଶୀଳ ହୋଇଗଲେଣି। ପୂର୍ବରୁ ସମାଲୋଚକମାନେ ବିଦେଶରୁ ଆମଦାନୀ ହେଉଥିବା ରନ୍ଧନ ଗ୍ୟାସ୍‌କୁ ଲୋକପ୍ରିୟ କରାଇବାର ଉଦ୍ୟମକୁ ନାପସନ୍ଦ କରିଥିଲେ। ସେମାନେ କହୁଥିଲେ ଯେ, ଯେଉଁ ବିପୁଳ ଅର୍ଥ ଓ ଶକ୍ତିର ବ୍ୟବହାର କରି ଏଲ୍‌ପିଜିକୁ ଲୋକପ୍ରିୟ କରାଯାଇଛି, ତାହା ଫଳରେ ଚାହିଦା ବଢ଼ିବା ସହ ଦରବୃଦ୍ଧି ମଧ୍ୟ ଘଟିବ। ଅପରପକ୍ଷରେ ଏହି ସମାଲୋଚକଙ୍କ କହିବା ଅନୁସାରେ ସରକାର ଗ୍ୟାସ୍‌ ପରିବର୍ତ୍ତେ ଅକ୍ଷୟଶକ୍ତିର ବ୍ୟବହାରକୁ ଅଧିକ ଆଦୃତ କରାଇବା ଉଚିତ ଥିଲା। ସେତେବେଳେ ଆମେ ସମସ୍ତେ ସମାଲୋଚକଙ୍କୁ ଧ୍ୟାନ ଦେଉ ନ ଥିଲେ। ତାହାର କାରଣ ହେଉଛି ଆମ ସମସ୍ତଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର ରହିଛି। ଏବେ କିନ୍ତୁ ସମାଲୋଚକଙ୍କ କଥା ବାସ୍ତବ ମନେହେଉଛି।
ଭାରତରେ ଇନ୍ଧନ ଦର ବିଶେଷକରି ପେଟ୍ରୋଲ ଅନେକ ସ୍ଥାନରେ ୧୦୦ ଟଙ୍କା ଅତିକ୍ରମ କରିଯାଇଛି। ଗତ ମାସକ ମଧ୍ୟରେ ରନ୍ଧନ ଗ୍ୟାସ ୧୪.୨ କେଜି ସିଲିଣ୍ଡର ପିଛା ୧୦୦ ଟଙ୍କା ବଢ଼ିଗଲା। ଆଶ୍ଚର୍ଯ୍ୟର ବିଷୟ ଗତ ଡିସେମ୍ବର ୨୦୨୦ରୁ ୧ ମାର୍ଚ୍ଚ ୨୦୨୧ ମଧ୍ୟରେ ଏଲ୍‌ପିଜି ୨୨୫ ଟଙ୍କା ବଢ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, କୋଲକାତାରେ ସିଲିଣ୍ଡର ମୂଲ୍ୟ ୮୪୫ ଟଙ୍କା ହୋଇଛି। ଓଡ଼ିଶାରେ ମଧ୍ୟ ଏହି ଦର। ଉପରଲିଖିତ ସଂଖ୍ୟାଗୁଡ଼ିକୁ ଦେଖିଲେ ସାଧାରଣ ନାଗରିକ କେଉଁ ଆର୍ଥିକ ଯନ୍ତ୍ରଣା ଦେଇ ଗତି କରୁଛି ସେ ସମ୍ପର୍କରେ ସରକାର ଅବଗତ ଥିବାଭଳି ମନେହେଉ ନାହିଁ।
ପେଟ୍ରୋଲଜାତ ପଦାର୍ଥର ଦାମ୍‌ ବଢ଼ିଲେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢ଼ିଚାଲେ। ଯଦି ଏ ସଂକ୍ରାନ୍ତ ମୂଲ୍ୟବୃଦ୍ଧି ନେଇ ପ୍ରଶ୍ନ କରାଯାଉଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ସେହି ଗୋଟିଏ ଉତ୍ତର ବାରମ୍ବାର ଶୁଣିବାକୁ ମିଳୁଛି- ତାହା ହେଉଛି, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଓ ବୈଦେଶିକ ମୁଦ୍ରା ବିନିମୟ ମୂଲ୍ୟ ଇନ୍ଧନ ଓ ରନ୍ଧନ ସାମଗ୍ରୀ ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିସହିତ ଯୋଡ଼ି ଦିଆଯାଏ ଯେ, ବଜାର ବ୍ୟବସ୍ଥା ଏସବୁର ଦର ସ୍ଥିର କରେ। ସରକାର ଯୁକ୍ତି କରୁଛନ୍ତି ଯେ, ଅନ୍ତର୍ଜାତୀୟ ବଜାର ଦର ସହିତ ଆଭ୍ୟନ୍ତରୀଣ ମୂଲ୍ୟର ସମ୍ପର୍କ ରହିଛି। କିନ୍ତୁ ଅନ୍ତର୍ଜାତୀୟ ବଜାରରେ ତୈଳଦର ହ୍ରାସ ପାଉଥିବା ବେଳେ ଭାରତରେ ତାହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ତେଲ ଦର ଉପରେ ପ୍ରବଳ ଟିକସ ବସାଯିବାକୁ ବିରୋଧ କରାଗଲା ବେଳେ ସରକାରୀ ଉତ୍ତର ମିଳୁଛି ଯେ, କରୋନା ମହାମାରୀ ଯୋଗୁ ଜନସାଧାରଣଙ୍କ ଲାଗି ବ୍ୟୟ କରାଯାଇଥିବା ଅର୍ଥ ଭରଣା ସକାଶେ ଟିକସ ବଢ଼ାଇ ଦିଆଯାଇଛି। ଏଠାରେ ସର୍ବଦା ଲୋକଙ୍କୁ ଏଭଳି ଭାବେ ଭୁଆଁ ବୁଲାଯାଉଛି। ବାସ୍ତବରେ ସରକାର ଲୋକଙ୍କ ଦୁଃଖକୁ ବୁଝୁଥିଲେ ଆଜି ସ୍ଥିତି ଏଭଳି ହୋଇ ନ ଥାଆନ୍ତା। ଗୋଟିଏ ପଟେ ସରକାର କହୁଛନ୍ତି ଦେଶର ଅର୍ଥନୀତି ଧିମା ଅଛି। ଏଥିରୁ ଯେକେହି ବୁଝିପାରୁଛନ୍ତି ଯେ, ଲୋକଙ୍କ ପାଖରେ ଅର୍ଥର ଘୋର ଅଭାବ। ଜନସାଧାରଣ ଖର୍ଚ୍ଚ କରିବା ପାଇଁ ଟଙ୍କା ପାଉ ନ ଥିବା ବେଳେ ସରକାରୀ ବ୍ୟବସ୍ଥା କେଉଁଭଳି ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ାଉଛି, ତାହା ସମସ୍ତଙ୍କୁ ବ୍ୟଥିତ କରିବା କଥା। ସରକାରଙ୍କ ଏପରି ଅପରିଣାମଦର୍ଶୀ ପଦକ୍ଷେପକୁ ବିରୋଧୀମାନେ ଶକ୍ତ ପ୍ରତିବାଦ କରିପାରୁନାହାନ୍ତି। ଅନ୍ୟପଟେ ଜନସାଧାରଣ ଏହି କଷ୍ଟ ଭୋଗିବାକୁ ଆରମ୍ଭ କଲେଣି। ଖାଦ୍ୟ ପ୍ରସ୍ତୁତି ଲାଗି ସର୍ବନିମ୍ନ ଆବଶ୍ୟକତା ରନ୍ଧନ ଗ୍ୟାସ୍‌। ତାହାକୁ ଅତି ଜଗିରଖି ଗୃହିଣୀ ବ୍ୟବହାର କରିଥାଏ। ୩ ମାସ ମଧ୍ୟରେ ସିଲିଣ୍ଡର ପିଛା ୨୨୫ ଟଙ୍କା ବଢ଼ିବା ମାନେ ଘର ବଜେଟ ଯଥେଷ୍ଟ ବଢ଼ିଯାଉଛି। କୋଭିଡ୍‌-୧୯ ଯୋଗୁ ପ୍ରତି ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଇନ୍ଧନ ଓ ରନ୍ଧନ ଦର ବୃଦ୍ଧି ଲୋକଙ୍କୁ ଅତିଷ୍ଠ କଲାଣି। ସେଥିପାଇଁ ଲୋକେ କୌତୂହଳରେ କହିଲେଣି ମୋଟର ସାଇକେଲ ଓ ଗାଡ଼ି ଛାଡ଼ି ସାଇକେଲ ଓ ଶଗଡ଼ରେ ଯାତାୟାତ କରିବା।
ଜନସାଧାରଣଙ୍କ ଉପରେ ବିଭିନ୍ନ ଉପାୟରେ ମନଇଚ୍ଛା ଟିକସ ବସାଉଥିବା ସରକାର କୌଣସି ଭାବେ ବିଶ୍ୱାସଭାଜନ ହେବା କଥା ନୁହେଁ। ସାମ୍ପ୍ରତିକ ସ୍ଥିତି ଦେଖିଲେ କୃଷି ଆଇନ, ପେଟ୍ରୋଲ ଓ ଡିଜେଲ ସହ ଏଲ୍‌ପିଜି ଦର ବୃଦ୍ଧି ଏବଂ ଅର୍ଥନୈତିକ ସଂସ୍କାର ନାମରେ ସବୁକିଛି ଘରୋଇକରଣ କରିବା ଦିଗରେ ପ୍ରୟାସରତ ସରକାର କେଉଁ ଦୃଷ୍ଟିରୁ ଜନକଲ୍ୟାଣକାରୀ ସରକାରର ଭାବମୂର୍ତ୍ତି ବଜାୟ ରଖିବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଆଗକୁ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ। ଏବେ କେନ୍ଦ୍ର ସରକାର ଯେଉଁ ଭୁଲ ନିଷ୍ପତ୍ତି ନେଉଛନ୍ତି ତାହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଅନ୍ୟପକ୍ଷରେ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ କହିବା ଅନୁଯାୟୀ, ପୂର୍ବଭଳି କେନ୍ଦ୍ର ସରକାର ଅତି ଚତୁରତାର ସହିତ ଇନ୍ଧନ ଓ ରନ୍ଧନ ସାମଗ୍ରୀର ଦର ଭୋଟ୍‌ ପୂର୍ବରୁ କମାଇଦେବେ। ଗଣତି ସରିବା ମାତ୍ରକେ ପୁନର୍ବାର ଦର ଚଢ଼ିବା ଆରମ୍ଭ ହୋଇଯିବ। ଯେତେବେଳେ କୌଣସି ବିଷୟ ସିଧାସଳଖ ଲୋକଙ୍କ ପେଟକୁ ଲାତ ମାରେ ସେତେବେଳେ ଲୋକେ ତା’ର ଜବାବ ଦେବା ପାଇଁ କାହାର ସାହାରା ନ ନେଇ ନିଜେ ସାମ୍ନା କରିବାକୁ ଆସିଥାନ୍ତି। କିନ୍ତୁ ଆଜି ମସଗୁଲ୍‌ ହୋଇ ରହିଥିବା ଜନସାଧାରଣଙ୍କ ପାଇଁ ଅଯୋଧ୍ୟାରେ ରାମମନ୍ଦିର ଏବଂ ସିଆଚେନ୍‌ରେ ଲଢ଼ୁଥିବା ଯୁବ ସୈନିକମାନଙ୍କ ଚିନ୍ତା ଅଧିକ ଘାରୁଛି। ଅନ୍ୟପଟେ କୃଷକଙ୍କ ଅଶାନ୍ତ ପରିସ୍ଥିତିକୁ ଏଡ଼ାଇବା ପାଇଁ ସେମାନଙ୍କୁ ଦେଶଦ୍ରୋହୀ ଆଖ୍ୟା ଦେବାରେ ଆଜିର ସରକାର ପଛାଉ ନାହାନ୍ତି। ସବୁବେଳେ ନୂଆ କଥା କହି ଲୋକଙ୍କୁ ଦଳାଚକଟା କରି ରଖିପାରିଲେ ଅଧିକ ସମୟ ଶାସନ କରିବା ସହଜ ହେଉଛି ବୋଲି ଏ ସରକାର ବାରମ୍ବାର ପ୍ରମାଣ କରିସାରିଲେଣି। ସତ୍ୟକୁ ପ୍ରକାଶ କରିବାକୁ ଇଚ୍ଛୁକ ଥିବା ଗଣମାଧ୍ୟମକୁ କିଣି ନିଆଯାଉଛି କିମ୍ବା ଧମକାଇ ଦିଆଯାଉଛି। ବିରୋଧୀ ଦଳରେ ଥିବା କ୍ଷମତାଲୋଭୀ ରାଜନୈତିକ ଲୋକଙ୍କୁ ହାତେଇ ନେବାରେ ସକ୍ଷମ ହେଉଥିବା ନେତୃତ୍ୱ ଯାହା ଚାହିଁବ ତାହା କରିପାରିବ। ଏହାର ପ୍ରମାଣ କଂଗ୍ରେସର ଗୁଲାମନବୀ ଆଜାଦଙ୍କଠାରେ ଦେଖିବାକୁ ମିଳିଛି। ବାସ୍ତବ ସ୍ଥିତିରେ ଚକ୍‌ମା ଦେଖାଇବା ଅସମ୍ଭବ ନୁହେଁ। ଏହି ଖେଳ ମଝିରେ ଗୃହିଣୀର ହାହାକାର ସବୁ ଶବ୍ଦକୁ ନୀରବ କରିଦେଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri