ଆମ ଐତିହ୍ୟର ଜୟଯାତ୍ରା

ଡ.ପ୍ରଫୁଲ୍ଲ କୁମାର ସାହୁ

ପାଇକ ପୁଅର ବୀରତ୍ୱ ଓ ରଣକୌଶଳ ବଳରେ ଯେମିତି ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବ୍ୟାପିଥିଲା କଳିଙ୍ଗର ସୀମା, ସେମିତି ଅର୍ଣ୍ଣବ ପୋତ ବିଦ୍ୟାରେ ଅସାଧାରଣ ପାରଦର୍ଶିତା ଯୋଗୁ ସାଗରକୁ ସାମ୍ରାଜ୍ୟରେ ପରିଣତ କରିଦେଇଥିଲା ଓଡ଼ିଆ ସାଧବ ପୁଅ। ସେଥିପାଇଁ ବଙ୍ଗୋପସାଗରକୁ କଳିଙ୍ଗ ମହାସାଗର କୁହାଯାଉଥିଲା ଏବଂ ମହୋଦଧିପତି ଭାବରେ (ମହାକବି କାଳିଦାସଙ୍କ ରଘୁବଂଶ କାବ୍ୟରେ) ଅଭିହିତ ହୋଇଥିଲେ କଳିଙ୍ଗର ମହାରାଜା। ସେତେବେଳେ ଯନ୍ତ୍ରଚାଳିତ ଜାହାଜ ନ ଥିଲେ ବି ଦୁଃସାହସୀ ଓଡ଼ିଆ ଜାତି ପାଇଁ ବିପଦପୂର୍ଣ୍ଣ ସାଗର ଯାତ୍ରା ଥିଲା ଏକ ଆହ୍ବାନ। ସଂପଦ ଆହରଣ ନିମନ୍ତେ କାଠତିଆରି ବୋଇତରେ ଅଝାଲ ଉଡ଼େଇ ସେ ପାରି ହୋଇଯାଉଥିଲା ଅତଳ ସମୁଦ୍ର। ତା’ର ଏହି ବିପୁଳ ସାହସିକତା ପାଇଁ କୁହାଯାଉଥିଲା କଳିଙ୍ଗା ସାହସିକାଃ।
କାର୍ତ୍ତିକର କାକରଭିଜା କ୍ଷେତରେ ଯେତେବେଳେ ଲହଡ଼ି ଭାଙ୍ଗେ ଦରପାଚିଲା ଧାନ, ସେତେବେଳେ ଦରିଆ ପାରି ବଣିଜ ପାଇଁ ସଜ ହୁଏ ସାଧବ ପୁଅ। ଲକ୍ଷ୍ମୀପୂଜା ଠାରୁ କାର୍ତ୍ତିକ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଜାହାଜରେ ସାଇତି ରଖେ ପୂର୍ବରୁ ସଂଗ୍ରହ କରିଥିବା କୃଷିଜାତ ଦ୍ରବ୍ୟ, ଅରଣ୍ୟ ସମ୍ପଦ, ପାନ, ଗୁଆ, ହଳଦୀ, ଶଙ୍ଖ, ଲୌହ, ଟସର ବସ୍ତ୍ର, ଲୁଣ, ଗରମମସଲା, ଗୁଡ଼, ନବାତ ଓ ତୈଳଜାତ ଦ୍ରବ୍ୟ ଇତ୍ୟାଦି। କାର୍ତ୍ତିକ ପୂର୍ଣ୍ଣିମାର ମାହେନ୍ଦ୍ର ମୁହୂର୍ତ୍ତରେ ମା’ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା ପୂର୍ବକ ଅନୁକୂଳ କରି ଯାତ୍ରା ଆରମ୍ଭ କରେ ସାଧବପୁଅର ପଣ୍ୟଭରା ବୋଇତ। ସେତେବେଳେ ନାବିକ ପାଖରେ ନାଁ ଥିଲା ଦିଗ ନିର୍ଣ୍ଣୟ ଯନ୍ତ୍ର, ନାଁ ତାକୁ ଜଣାଥିଲା ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ। କିନ୍ତୁ ସେ ଜାଣିଥିଲା ବାୟୁର ଗତିପରି ସମୁଦ୍ର ଜଳର ସ୍ରୋତ ନିର୍ଣ୍ଣୟ କରି ନୌଚାଳନା କରିବାର କାଇଦା। ଅନୁକୂଳ ସାମୁଦ୍ରିକ ପବନକୁ ପିଠି ତା’ର ତଲେଇ ବନ୍ଧା ବୋଇତ ଅତିକ୍ରମ କରିଯାଉଥିଲା ସାତ ସମୁଦ୍ର ତେର ନଦୀ। ଦିନରେ ସୂର୍ଯ୍ୟର ଉଚ୍ଚତା ଓ ରାତିରେ ତାରାଖଚିତ ଆକାଶରେ ଧ୍ରୁବତାରା ଓ ସପ୍ତର୍ଷି ମଣ୍ଡଳକୁ ଦେଖି ପାରମ୍ପରିକ ବାସ୍ତବ ଜ୍ଞାନ ସହାୟତାରେ ନିର୍ଭୁଲ୍‌ ଦିଗ ନିର୍ଣ୍ଣୟ କରି ସେ ପହଞ୍ଚତ୍ ଯାଉଥିଲା ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଆଦି ଦରିଆପାରି ଦେଶରେ। ସେଠାରେ ନିଜର ପଣ୍ୟ ସାମଗ୍ରୀକୁ ବିକ୍ରିକରି ସ୍ବଦେଶକୁ ବୋହି ଆଣୁଥିଲା ସୁନା, ରୁପା, ମଣି ମାଣିକ୍ୟ ଆଦି ମୂଲ୍ୟବାନ ସମ୍ପଦ। ଏହି କାରଣରୁ କଳିଙ୍ଗ ଥିଲା ଏକ ବିତ୍ତଶାଳୀ ରାଜ୍ୟ। କଳିଙ୍ଗର ରାଜା ମହାରାଜାମାନେ ସାଧବମାନଙ୍କୁ ପ୍ରୋତ୍ସାହିତ କରୁଥିଲେ ଏବଂ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀୟ ଏହି ସାଧବମାନଙ୍କ ସାମାଜିକ ପ୍ରତିଷ୍ଠାକୁ ନେଇ ଗଢି ଉଠିଥିଲା ଅନେକ ଗଳ୍ପ, ଉପାଖ୍ୟାନ ଓ ଜନଶ୍ରୁତି। ତଅପୋଈ କଥା ଓ ଧନେଶ୍ୱର ସୌଦାଗର କାହାଣୀ ତା’ର ଏକ ଏକ ଉଦାହରଣ। ତେଜସ୍ବୀ ଓଡ଼ିଆ ପୁଅର ଏହି ଦୁଃସାହସିକ ନୌବାଣିଜ୍ୟ ଯୋଗୁ ଓଡ଼ିଶା ଯେ କେବଳ ଆର୍ଥିକ ସମୃଦ୍ଧି ଲାଭକରିଥିଲା ତାହା ନୁହେଁ, ବରଂ ବିଦେଶରେ ଆମ ପାଟବସ୍ତ୍ର, ତାରକସି କାମ ଓ ନାନାପ୍ରକାର କୁଟୀର ଜାତ ସାମଗ୍ରୀର ପ୍ରଚାର ଓ ପ୍ରସାର ହେବା ସହିତ ଆନ୍ତର୍ଜାତିକ ସ୍ବୀକୃତିଲାଭ କରିଥିଲା ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ। ଇତିହାସ କହେ ଦରିଆପାରି ନୌବାଣିଜ୍ୟ ଯୋଗୁ ଇଣ୍ଡୋନେସିଆ, ବ୍ରହ୍ମଦେଶ ଓ ମାଳୟ ଆଦି ପୂର୍ବାଞ୍ଚଳ ଦ୍ୱୀପପୁଞ୍ଜରେ ଗଢି ଉଠିଥିଲା ଉତ୍କଳର ଉପନିବେଶ ବା ବାଣିଜି୍ୟକ ପେଣ୍ଠ। ପୃଥିବୀର ବିଭିନ୍ନ ଦେଶରେ ଆଦର ଲାଭ କରିଥିଲା ଆମ ଆଚାର, ବିଚାର, ଧର୍ମ ଓ ସଂସ୍କୃତି। ଦୃଷ୍ଟାନ୍ତ ସ୍ବରୂପ ଏବେ ବି ବାଲି ଦ୍ୱୀପର ଖାଦ୍ୟ ପେୟ, ବେଶ ଭୂଷା, ନୃତ୍ୟ ସଂଗୀତ, ବସ୍ତ୍ର ବୟନ, ପର୍ବପର୍ବାଣି ଓ ହସ୍ତକର୍ମରେ ବାରିହୋଇ ପଡ଼େ ଉତ୍କଳୀୟ ସଂସ୍କୃତି ଓ କଳା କୌଶଳର ଛାପ। ବନ୍ଦର ସଭ୍ୟତା ଯୋଗୁଁ ଆଜି ଚାଇନା ଓ ସିଂହଳ ଆଦି ଦେଶରେ ମୁଖ୍ୟ ଧର୍ମରେ ପରିଣତ ହୋଇପାରିଛି ଭାରତରେ ଉତ୍ପତ୍ତି ଲାଭକରିଥିବା ବୌଦ୍ଧଧର୍ମ।
ଆମ ବୋଇତ ସଭ୍ୟତାର ବିକାଶ ଅନ୍ତରାଳରେ ଥିଲା କଳିଙ୍ଗର ସୁଦୀର୍ଘ ଓ ଦନ୍ତୁରିତ ସମୁଦ୍ର ଉପକୂଳ ଏବଂ ତାକୁ ସଂଯୋଗ କରୁଥିବା ମହାନଦୀ, ବୈତରଣୀ, ସୁବର୍ଣ୍ଣରେଖା, ବଳଙ୍ଗ ଓ ଋଷିକୁଲ୍ୟା ଆଦି ସୁନାବ୍ୟା ନଦୀ ସମୂହର ଅବଦାନ। ଅନ୍ତଃ ବାଣିଜ୍ୟ ଓ ବହିର୍ବାଣିଜ୍ୟ ପାଇଁ ଏସବୁ ନଦୀ ମୁହାଣ ଓ ସମୁଦ୍ର ଉପକୂଳରେ ଗଢି ଉଠିଥିଲା ଅନେକ ବୃହତ୍‌ ବନ୍ଦର। ଓଡ଼ିଶାରେ ଅନେକ ବନ୍ଦର ଥିବାରୁ ଏଠାରେ ବିଭିନ୍ନ ନଦୀକୂଳରେ ଗଢି ଉଠିଥିଲା ବୋଇତ କୁଦ ବା ଟାପୁ। ବାଲେଶ୍ୱର, କନିକା ଓ ପିପିଲି ଆଦି ବନ୍ଦର ନିକଟରେ ବର୍ଷ ତମାମ ଚାଲୁଥିଲା ବୋଇତ ନିର୍ମାଣ ଓ ମରାମତି କାର୍ଯ୍ୟ। ଜଳ ଭିତରେ ବିଭିନ୍ନ କାଠର ସ୍ଥାୟିତ୍ୱ ସମ୍ପର୍କରେ ବେଶ୍‌ ଅବଗତ ଥିଲା କଳିଙ୍ଗର ବର୍ଦ୍ଧକି। ଉପଯୁକ୍ତ କାଠ ଚୟନ କରି ସେ ନିର୍ମାଣ କରିଥିଲା ସୁଦୃଶ୍ୟ ଓ ବିଶାଳକାୟ ବୋଇତ। ଓଡ଼ିଶାରେ ନିର୍ମିତ ହୋଇଥିବା ବୋଇତଗୁଡ଼ିକର ସୂଚନା ବହନ କରେ କହ୍ନେଇବର ଚମ୍ପତ୍ତି ରାୟ ଚୁଡ଼ାମଣୀଙ୍କ ରଚିତ ପାଇକଖେଦା। ଏହାର ଚିତ୍ର ରହିଛି ଆମ ମଧ୍ୟଯୁଗୀୟ ମନ୍ଦିର ସ୍ଥାପତ୍ୟରେ। ଜଗନ୍ନାଥ ମନ୍ଦିରରେ ବୋଇତ ଚିତ୍ର ରହିଥିବା ବେଳେ ପୁରୀର ଏକ ମନ୍ଦିରର ଛାତ ଠିକ୍‌ ବୋଇତ ପରି। ଓଡ଼ିଶାର ନୈବାଣିଜ୍ୟ ସମ୍ପର୍କରେ ଅନେକ ତଥ୍ୟ ବହନ କରେ ଆମ ପୁରାଣ, ଇତିହାସ, ସାହିତ୍ୟ, ଲୋକକଥା ଓ ସାଂସ୍କୃତିକ ପରମ୍ପରା। ବାୟୁ ପୁରାଣ, ମତ୍ସ୍ୟପୁରାଣ, ସ୍କନ୍ଦପୁରାଣ ଏବଂ ରାମାୟଣ ଓ ମହାଭାରତଠାରୁ ଆରମ୍ଭ କରି ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ଓ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ପର୍ଯ୍ୟନ୍ତ ସବୁଠି ରହିଛି କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ସମ୍ପର୍କରେ ସୂଚନା। ପ୍ରସିଦ୍ଧ ଐତିହାସିକ ପେରିପ୍ଲସଙ୍କ ବର୍ଣ୍ଣନା ଅନୁଯାୟୀ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀ ବେଳକୁ କଳିଙ୍ଗ ଉପକୂଳରେ ଗଢିଉଠିଥିଲା ତାମ୍ରଲିପି, କଳିଙ୍ଗ ନଗର, ତୋଷାଳି, ଦନ୍ତପୁର ଓ ପିଥୁଣ୍ଡ ଆଦି ଅନେକ ଆନ୍ତର୍ଜାତିକ ବନ୍ଦର। କଟକ, କୋଣାର୍କ ଓ ଚାନ୍ଦବାଲି ଓ ପୁରୀ ଆଦି ବନ୍ଦର ସମ୍ପର୍କରେ ଉଲ୍ଲେଖ ରହିଛି ପ୍ରଥମ ଶତାବ୍ଦୀରେ ଓଡ଼ିଶା ଆସିଥିବା ଟୋଲମିଙ୍କ ବିବରଣୀରେ। ଚୀନ୍‌ ପରିବ୍ରାଜକ ଫାହିୟାନ ଓ ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତରେ ରହିଛି ଅନେକ ବନ୍ଦରର ନାମ। ଅତୀତରେ ତାମ୍ରଲିପି, ଖଲକପାଟଣା ଓ ମାଣିକପାଟଣାରେ ହୋଇଥିବା ପନତ୍ତାତ୍ତ୍ୱିକ ଖନନରୁ ମିଳିଛି ଆମ ନୌବାଣିଜ୍ୟ ସମ୍ପର୍କରେ ଅନେକ ତଥ୍ୟ। ଏହାକୁ ଅଧିକ ପ୍ରମାଣସିଦ୍ଧ କରିଛି ଶିଶୁପାଳ ଗଡ଼, ଜଉଗଡ଼ ଓ ଅସୁର ଗଡ଼ ଭୂଖୋଦନ। ଉକତ୍ଳୀୟ ନୌବାଣିଜ୍ୟ ସମ୍ପର୍କରେ ଇତିହାସ ଯେଉଁଠି ମୌନ, ସେଠାରେ ମୁଖର ହୋଇ ଉଠିଛି କିମ୍ବଦନ୍ତୀ। ଆମ ସାମାଜିକ ଜୀବନକୁ ରସସିକ୍ତ କରିଛି କୁହୁକ ମଣ୍ଡଳ ଚଢେଇ ଗଳ୍ପ, ଖୁଲଣା ସୁନ୍ଦରୀ ଉପାଖ୍ୟାନ ଓ ଅନେକ ଓଷା ବ୍ରତ। ଓଡ଼ିଆ ସାହିତ୍ୟରେ ବିଶେଷକରି ସାରଳା ଦାସଙ୍କ ମହାଭାରତ, ଅଚ୍ୟୁତାନନ୍ଦଙ୍କ ବୈବର୍ତ୍ତ ଗୀତା, ଉପେନ୍ଦ୍ର ଭଞ୍ଜଙ୍କ ଲାବଣ୍ୟବତୀ ଓ ପ୍ରେମ ସୁଧାନିଧି, ଦୀନକୃଷ୍ଣଙ୍କ ପ୍ରସ୍ତାବ ସିନ୍ଧୁ, ଶିଶୁ ଶଙ୍କର ଦାସଙ୍କ ଉଷାଭିଳାଷରେ ରହିଛି ନୌବାଣିଜ୍ୟର ମଞ୍ଜୁଳ ଚିତ୍ର। ଫକୀର ମୋହନଙ୍କ ‘କମଳାପ୍ରସାଦ ଗୋରାପ’ ଗଳ୍ପ ଓ ଆମତ୍ଜୀବନୀ ବି କହେ ବୋଇତ ଯାତ୍ରାର କଥା। ମାୟାଧର ମାନସିଂଙ୍କ ସାଧବ ପୁଅ କେବଳ ପଣ୍ୟ ସାମଗ୍ରୀର ବଣିକ ନୁହେଁ, ସେ ମଧ୍ୟ ପ୍ରେମ ରସପିପାସୁ ସୌଦାଗର। ଆଖିରେ ଆଖି ମିଳାଇ ସେ ଜିଣିପାରେ ହଂସୁୁଲି ଶେଯରେ ଶୋଉଥିବା ସାଧବ ଝିଅର ମନ। ବାସ୍ତବରେ ନୌବାଣିଜ୍ୟ କୀର୍ତ୍ତି ଏତେ ମନଛୁଆଁ ଥିଲା ଯେ, ସେଥିରେ ବିଭୋର ହୋଇ ଆଧୁନିକ କବି ଗାଇଛି- ‘ଯା, ଯାଆରେ ନୌକା ଭାସି ଯାଆ…ଇତ୍ୟାଦି।
ବୋଇତଯାତ୍ରା ଆମ ଐତିହ୍ୟର ଜୟଯାତ୍ରା। ଏ ଯାତ୍ରା ପ୍ରାୟତଃ କ୍ରିୟାଶୀଳ ଥିଲା ନଅଙ୍କ ଦୁର୍ଭିକ୍ଷ ପର୍ଯ୍ୟନ୍ତ। ସେତେବେଳେ ପୁରୀ ଓ ଚାନ୍ଦବାଲି ବନ୍ଦର ବାଟେ ବର୍ମାରୁ ଚାଉଳ ଆଣି ଖୋଲାଯାଇଥିଲା ଅନ୍ନଛତ୍ର। ମାତ୍ର କାଳକ୍ରମେ ଇଂରେଜମାନଙ୍କ ସ୍ପର୍ଦ୍ଧିତ ବାଣିଜ୍ୟ ଲିପ୍ପସା ତଥା ଏକଚାଟିଆ ଆଧିପତ୍ୟ ଆଗରେ ତିଷ୍ଠି ପାରିଲାନି ସାଧବ ପୁଅର ଦରିଆ ପାରି ବଣିଜ। ସେମାନଙ୍କ ଯନ୍ତ୍ରଚାଳିତ(ଷ୍ଟିମର) ଜାହାଜ ଆଗରେ ଆମତ୍ ସମର୍ପଣ କଲା ପାଣିପାଗକୁ ଅପେକ୍ଷାକରି ରହୁଥିବା ପାଲଟଣା ବୋଇତ। ଫଳରେ ନୌବାଣିଜ୍ୟ ଯୁଗର ଅବସାନ ହେଲା ସତ, ହେଲେ ସେ ମହାନ୍‌ ପରମ୍ପରାର ବାର୍ତ୍ତାବହ ହୋଇ ରହିଗଲା କଟକର ବାଲିଯାତ୍ରା। ମହାନଦୀ ବକ୍ଷରେ ସମୁଦ୍ର ଅଭିମୁଖେ ଯାତ୍ରା କରିବାର ଅବ୍ୟବହିତ ପୂର୍ବରୁ ବୋଇତ ବନ୍ଦାଣ ଓ ଶୁଭବିଦାୟ ଅବସରରେ ଏକତ୍ରିତ ଜନସମାଗମରୁ ସୃଷ୍ଟି ହୋଇଥିବା ବାଲିଯାତ୍ରା କେବଳ ଏକ ପ୍ରଦର୍ଶନର କ୍ଷେତ୍ର ନୁହେଁ, ଏହା ଆମକଳା, ଭାସ୍କର୍ଯ୍ୟ, ଶିଳ୍ପ, ବାଣିଜି୍ୟକ ବିଭବ ତଥା ହସ୍ତଶିଳ୍ପର ଗନ୍ତାଘର। ଓଡ଼ିଶା ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରର ମହାନଦୀ ପଠାରେ ଅନୁଷ୍ଠିତ ହେଉଥିବା ଏହି ରାଜ୍ୟସ୍ତରୀୟ ବାର୍ଷିକ ମହୋତ୍ସବ ଆମ ବନ୍ଦର ସଭ୍ୟତା ତଥା ଉକତ୍ଳ କଳା କୌଶଳର ମୁଖଶାଳା।
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?