Posted inଖେଳ

ଦିଲ୍ଲୀକୁ ହରାଇଲା ସନ୍‌ରାଇଜର୍ସ

ଦୁବାଇ : ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଓ ରିଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ରଶିଦ ଖାଁଙ୍କ ଚମତ୍କାର ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବୃହତ୍‌ ବିଜୟ ହାସଲ କରିଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବହୀନ ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଡେଭିଡ୍‌ ଓ୍ବାର୍ନରଙ୍କ ଦଳ ୮୮ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ କରିଥିଲା। ୨୨୦ ରନ ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ କରିଥିବା ଦିଲ୍ଲୀ ୧୯ ଓଭରରେ ୧୩୧ ରନକରି ଅଲଆଉଟ ହୋଇ ଯାଇଥିଲା। ଏହି ବିଜୟ ଫଳରେ ସନ୍‌ରାଇଜର୍ସର ଆଶା ଉଜ୍ଜୀବିତ ରହିଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ରମାଗତ ୩ ପରାଜୟ ସହ ତୃତୀୟ ସ୍ଥାନକୁ ଖସି ପ୍ଲେ-ଅଫ୍‌ ପ୍ରବେଶ ପାଇଁ ସଂଘର୍ଷ ଜାରି ରଖିଛି।
ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର। ମାତ୍ର ହାଇଦ୍ରାବାଦ୍‌ର ଦୁଇ ଓପନର ଅଧିନାୟକ ଡେଭିଡ ଓ୍ବାର୍ନର ଓ ରିଦ୍ଧିମାନ ଶାହା ତାହାକୁ ଭୁଲ୍‌ ପ୍ରମାଣିତ କରି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁହେଁ କୌଣସି ଉଇକେଟ ନ ହରାଇ ପାଓ୍ବାରପ୍ଲେ ୬ ଓଭରରେ ୭୭ ରନ ସଂଗ୍ରହ କରିଥିବାବେଳେ ୮.୪ ଓଭରରେ ଦଳର ୧୦୦ ରନ ପୂରଣ ହୋଇଥିଲା। ପାଓ୍ବାରପ୍ଲେରେ କେବଳ ଓ୍ବାର୍ନର ୫୪ ରନ ସ୍କୋର କରିଥିଲେ। ଚଳିତ ଆଇପିଏଲ୍‌ରେ କୌଣସି ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଏହା ସର୍ବାଧିକ। ପୂର୍ବରୁ ଦୁବାଇରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଦିଲ୍ଲୀର ପୃଥ୍ବୀ ଶ’ ୪୨ ରନ ସଂଗ୍ରହ କରି ରେକର୍ଡର ଅଧିକାରୀ ଥିଲେ। ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ଓ୍ବାର୍ନର ୩୪ ବଲ୍‌ରୁ ୮ ଚୌକା ଓ ୨ ଛକା ସହ ୬୬ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀକୁ ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେତେବେଳକୁ ୯.୪ ଓଭରରେ ଦଳୀୟ ସ୍କୋର ୧୦୭ ହୋଇଥିଲା। ଓ୍ବାର୍ନରଙ୍କ ଆଉଟରେ ଚାପଗ୍ରସ୍ତ ହୋଇ ନ ଥିଲେ ରିଦ୍ଧିମାନ। ସେ ଧୂଆଁଧାର ବ୍ୟାଟିଂ ଜାରି ରଖି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ୧୪.୩ ଓଭରରେ ଦଳୀୟ ସ୍କୋର ୧୭୦ରେ ପହଞ୍ଚତ୍ବାପରେ ପ୍ୟାଭିଲିୟନ ଫେରିଥିଲେ ଏହି ବେଙ୍ଗଲ ଖେଳାଳି। ଏନରିଚ୍‌ ନର୍ଜେଙ୍କ ବଲ୍‌ରେ ସେ ବଡ଼ ଶଟ୍‌ ଖେଳିବାକୁ ଯାଇଥିଲେ ହେଁ ବ୍ୟାଟ୍‌ରେ ବଲ୍‌ ଠିକ୍‌ଭାବେ ସଂଯୋଗ ହୋଇ ନ ଥିଲା। ଫଳରେ ମିଡ୍‌ଅଫ୍‌ରେ ଆୟାର ଅଭ୍ୟାସ କଲା ଭଳି ସହଜ କ୍ୟାଚ ଦେଇଥିଲେ। ରିଦ୍ଧିମାନ ଏଠାରେ ଚମତ୍କାର ଖେଳିଥିବାବେଳେ ଶତକରୁ ୧୩ ରନ ଦୂରରେ ରହି ଯାଇଥିଲେ। ସେ ୪୫ଟି ବଲ୍‌ ଖେଳି ୧୨ ଚୌକା ଓ ୨ ଛକା ସହାୟତାରେ ଦଳ ପକ୍ଷରୁ ସର୍ବାଧିକ ୮୭ ରନ ସ୍କୋର କରିଥିଲେ। ସେତେବେଳକୁ ମନୀଷ ପାଣ୍ଡେ ମାତ୍ର ୧୧ ରନ କରିଥିଲେ ହେଁ ରିଦ୍ଧିମାନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଦ୍ୱିତୀୟ ଉଇକେଟ ଯୋଡ଼ିରେ ୬୩ ରନ ସଂଗୃହୀତ ହୋଇଥିଲା। ଶେଷଭାଗରେ ମନୀଷ ଦ୍ରୁତ ହାରରେ ରନ ସଂଗ୍ରହ କରି ପାରିବାରୁ ସନ୍‌ରାଇଜର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୧୯ ରନ କରି ପାରିଥିଲା। ୩୧ଟି ବଲ୍‌ ଖେଳିଥିବା ମନୀଷ ୪ ଚୌକା ଓ ୧ ଛକା ସହିତ ୪୪ ଏବଂ କେନ୍‌ ଓ୍ବିଲିୟମସନ ୧୦ ବଲ୍‌ରୁ ୧୧ ରନକରି ଅପରାଜିତ ରହିଥିଲେ। ଅସମାପ୍ତ ୩ୟ ଉଇକେଟରେ ଦୁହେଁ ୪୯ ରନ ସଂଗ୍ରହ କରିଥିଲେ। ଦିଲ୍ଲୀ ପକ୍ଷରୁ କେବଳ ରବିଚନ୍ଦ୍ରନ ଅଶ୍ୱିନ, ଏନରିଚ୍‌ ନର୍ଜେ ଉଇକେଟ ପାଇଥିଲେ। ଚଳିତ ଆଇପିଏଲରେ କାଗିଶୋ ରାବାଡ଼ା ପ୍ରଥମଥରପାଇଁ ଉଇକେଟ ଶୂନ୍ୟ ରହିଥିଲେ ଏବଂ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୫୪ ରନ ବ୍ୟୟ କରିଥିଲେ। ୨୬ଟି ଟି୨୦ ମ୍ୟାଚ ପରେ ରାବାଡ଼ା ଉଇକେଟ ଶୂନ୍ୟ ରହିଛନ୍ତି। ୨୬ ଇନିଂସ ପୂର୍ବରୁ ୨୦୧୭ ମେ ୨ରେ ଏହି ସନ୍‌ରାଇଜର୍ସ ବିପକ୍ଷରେ ହିଁ ଉଇକେଟ ପାଇ ନ ଥିଲେ। ସେତେବେଳେ ୪ ଓଭରରେ ସେ ୫୯ ରନ ବ୍ୟୟ କରିଥିଲେ। ୨୧୯ ରନ ଚଳିତ ଆଇପିଏଲ୍‌ରେ ସନ୍‌ରାଇଜର୍ସର ସର୍ବାଧିକ ଏବଂ ଓଭରଅଲ୍‌ ଦ୍ୱିତୀୟ ସର୍ବାଧିକ ସ୍କୋର। ୨୦୧୯ରେ ହାଇଦ୍ରାବାଦରେ ଏହି ଦଳ ବାଙ୍ଗାଲୋର ବିପକ୍ଷରେ ୨ ଉଇକେଟ ହରାଇ ସର୍ବାଧିକ ୨୩୧ ରନ ସ୍କୋର କରିଥିଲା।
ଟାର୍ଗେଟ ବଡ଼ ଥିବାବେଳେ ଦିଲ୍ଲୀ ପ୍ରଥମ ଓଭରରେ ଇନ୍‌ଫର୍ମ ଶିଖର ଧାଓ୍ବନ(୦)ଙ୍କ ଉଇକେଟ ହରାଇ ଯେଉଁ ଝଟ୍‌କା ଖାଇଥିଲା ସେଥିରୁ ଶେଷ ପର୍ଯ୍ୟନ୍ତ ମୁକୁଳି ପାରି ନ ଥିଲା। କୌଣସି ବ୍ୟାଟ୍ସମ୍ୟାନ ହାଇଦ୍ରାବାଦ ବୋଲରଙ୍କ ସଫଳ ମୁକାବିଲା କରିପାରି ନ ଥିଲେ। ଫଳରେ ଦଳ ଗୋଟିଏ ଓଭର ବାକିଥାଇ ଅଲଆଉଟ ହୋଇ ଯାଇଥିଲା। ରିଷଭ ପନ୍ତ ସର୍ବାଧିକ ୩୬ ଓ ଅଜିଙ୍କ୍ୟ ରାହାନେ ୨୬ ରନ କରି ପାରିଥିବାବେଳେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶ କରିପାରି ନ ଥିଲେ। ବିଜୟୀ ଦଳ ପକ୍ଷରୁ ରଶିଦ ଖାଁ (୪-୦-୭-୩) ଚମତ୍କାର ସ୍ପେଲ ବୋଲିଂ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସନ୍ଦୀପ ଶର୍ମା ଓ ଟି. ନଟରାଜନ ୨ଟି ଲେଖାଏ ଏବଂ ଶାହାବାଜ ନଦୀମ, ଜାସନ ହୋଲ୍ଡର ଓ ବିଜୟ ଶଙ୍କର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୧୯/୨(ରିଦ୍ଧିମାନ-୮୭, ଓ୍ବାର୍ନର-୬୬, ମନୀଷ-୪୪*, ଅଶ୍ୱିନ-୧/୩୫, ନର୍ଜେ-୧/୩୭)। ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୩୧/ଅଲଆଉଟ (ପନ୍ତ-୩୬, ରାହାନେ-୨୬, ରଶିଦ-୩/୭, ସନ୍ଦୀପ-୨/୨୭, ନଟରାଜନ-୨/୨୬, ନଦୀମ-୧/୮, ବିଜୟ ଶଙ୍କର-୧/୧୧, ହୋଲ୍ଡର-୧/୪୬)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri