ଶ୍ରୀଲଙ୍କା ସଙ୍କଟ ଓ ଜନବିରୋଧୀ ରାଜନୀତି

ବିଚିତ୍ର ବିଶ୍ୱାଳ

ପ୍ରତ୍ୟେକ ଘଟଣାରେ ରାଜନୀତିର ରଙ୍ଗ ଦେଇ ସେଥିରୁ ରାଜନୈତିକ ଫାଇଦା ହାସଲ କରିବା ରାଜନୈତିକ ଦଳଗୁଡ଼ିକର ମୁଖ୍ୟ ଲକ୍ଷ୍ୟ ହୋଇଯାଇଛି। ଏହି ଦୌଡ଼ରେ ସମ୍ପ୍ରତି ସରକାରରେ ଥିବା ଦଳ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି। ଅବଶ୍ୟ ସରକାରଙ୍କ ପାଖରେ ନିଜର ପ୍ରଚାର କରିବା ପାଇଁ ଓ ପୁନଶ୍ଚ ଗାଦି ଦଖଲ କରିବା ଲାଗି ଯଦି କୌଣସି ବିକାଶର ଉଦାହରଣ ନ ଥାଏ, ତେବେ ସେ ଲୋକମତକୁ ପ୍ରଭାବିତ କରିବା ପାଇଁ ଧର୍ମ, ଜାତି ନଁାରେ ଲୋକଙ୍କୁ ଭାଗ ଭାଗ କରି ଭୋଟ୍‌କୁ ଧ୍ରୁବୀକରଣ କରିବା ସହିତ ଭିନ୍ନ ଭିନ୍ନ ଘଟଣାରେ ଅଯଥା ରାଜନୀତିର ପୁଟ ଦେଇ ବିରୋଧୀ ଦଳକୁ ନିନ୍ଦା କରିବାର ପନ୍ଥା ଆପଣେଇବା ସ୍ବାଭାବିକ। ଆମ ଦେଶରେ ଏବେ ଠିକ୍‌ ସେଇଆ ଚାଲୁଛି।
ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ଏବେ ଆର୍ଥିକ ସଙ୍କଟରେ। ସମଗ୍ର ଦେଶରେ ଗୃହଯୁଦ୍ଧ ଭଳି ପରିସ୍ଥିତି। ଲୋକମାନଙ୍କ ପାଖରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ଓ ଅନ୍ୟାନ୍ୟ ଦୈନନ୍ଦିନ ସାମଗ୍ରୀର ଅଭାବ ଯୋଗୁ ଦଙ୍ଗା ହଙ୍ଗାମାରେ ଜଳୁଛି ଭାରତର ଏହି ପଡ଼ୋଶୀ ରାଷ୍ଟ୍ର। ଶ୍ରୀଲଙ୍କାରେ ଗାଡ଼ି ଘୋଡ଼ା ଚାଲିବା ପ୍ରାୟତଃ ବନ୍ଦ ହୋଇଯାଇଛି। ସମଗ୍ର ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଅଭାବ ଦେଖାଦେଇଛି। ସ୍କୁଲ ଓ କଲେଜ ଆଦି ବନ୍ଦ ହୋଇଯାଇଛି। ଛାତ୍ରୀଛାତ୍ରମାନଙ୍କର ପରୀକ୍ଷା ରଦ୍ଦ କରିଦିଆଯାଇଛି। ସରକାରରେ ଥିବା ସମସ୍ତ ମନ୍ତ୍ରୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଛନ୍ତି। ସ୍ପଷ୍ଟ ଶବ୍ଦରେ କହିଲେ, ଶ୍ରୀଲଙ୍କାର ଜନସାଧାରଣ ରାସ୍ତା ଉପରେ ହାହାକାର କରୁଛନ୍ତି।
ଶ୍ରୀଲଙ୍କାର ଏପରି ପରିସ୍ଥିତି ସହିତ ଆମ ଦେଶର କିଛି ସମ୍ପର୍କ ନାହଁି। କିନ୍ତୁ ଶ୍ରୀଲଙ୍କା ପରିସ୍ଥିତିର ଉଦାହରଣ ଦେଇ ଆମ ଦେଶର ସରକାରରେ ଥିବା ରାଜନୈତିକ ଦଳ ବିଭିନ୍ନ ଆଞ୍ଚଳିକ ଦଳଗୁଡ଼ିକର ଜନବାଦୀ ଆଭିମୁଖ୍ୟ ପ୍ରତି ପ୍ରଶ୍ନ ଉଠେଇଛି। ଶ୍ରୀଲଙ୍କା ପରିସ୍ଥିତି ଉତ୍କଟ ହେବା ପରେ ଗତ ଏପ୍ରିଲ ୨ ରେ ଆମ ଦେଶର କିଛି ବରିଷ୍ଠ ଅମଲାମାନେ ପ୍ରଧାନମନ୍ତ୍ରୀଙ୍କୁ ଏକ ବୈଠକରେ କହିଛନ୍ତି ଯେ, ଭାରତର ଭିନ୍ନ ଭିନ୍ନ ରାଜ୍ୟଗୁଡ଼ିକ ସାଧାରଣ ଲୋକମାନଙ୍କୁ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଯେପରି ମାଗଣା ଦ୍ରବ୍ୟ ଓ ସେବା ଆଦି ପ୍ରଦାନ କରୁଛନ୍ତି, କିଛି ଦିନ ମଧ୍ୟରେ ଭାରତ ଶ୍ରୀଲଙ୍କା ଭଳି ପରିସ୍ଥିତି ଭୋଗ କରିବ। ସରକାରୀ ଅଧିକାରୀମାନଙ୍କର ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବୁଝିହେଉଛି। କାରଣ ଉପରୋକ୍ତ ଅମଲା ଗୋଷ୍ଠୀ ଯେଉଁ କେତୋଟି ରାଜ୍ୟର ଉଦାହରଣ ଦେଇଛନ୍ତି, ସେସବୁ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକର ସରକାର ଅଛି। ବିଶେଷକରି ସେମାନେ ଆମ୍‌ ଆଦ୍‌ମୀ ପାର୍ଟିର ସରକାର ଥିବା ଦିଲ୍ଲୀ ଓ ପଞ୍ଜାବର ଉଦାହରଣ ଦେଇଛନ୍ତି। ସେମାନଙ୍କର ଅଭିଯୋଗ ଯେ, ଆମ୍‌ ଆଦ୍‌ମୀ ପାର୍ଟି ଯେପରି ଲୋକମାନଙ୍କୁ ମାଗଣା ସେବା ଓ ଦ୍ରବ୍ୟର ପ୍ରତିଶ୍ରୁତି ଦେଉଛି ଏବଂ ତାହାକୁ କାର୍ଯ୍ୟକାରୀ କରୁଛି, ତାହା ଦ୍ୱାରା ଉପରୋକ୍ତ ରାଜ୍ୟଗୁଡ଼ିକ ଦେବାଳିଆ ହୋଇଯିବା ସହିତ ଭାରତ ମଧ୍ୟ ଶ୍ରୀଲଙ୍କା ପରିସ୍ଥିତିକୁ ସାମ୍‌ନା କରିବ। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି। ନିକଟ ଅତୀତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଭାଜପା ପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ବିପୁଳ ସଫଳତା ପାଇଥିବାରୁ ଏଏପିି ଓ ତା’ର ନୀତିକୁ ନିମ୍ନଭାବେ ଦର୍ଶାଇବା ପାଇଁ ଏହା ଏକ ସୁଚିନ୍ତିତ ପଦକ୍ଷେପ। ସମ୍ପ୍ରତି କ୍ଷମତାରେ ଥିବା ଭାଜପା ନିକଟ ଭବିଷ୍ୟତରେ ଯଦି କେଉଁ ଦଳ ତରଫରୁ ଆହ୍ବାନର ସମ୍ମୁଖୀନ ହେବାକୁ ଯାଉଛି, ତାହା ହେଉଛି ଆମ୍‌ ଆଦ୍‌ମୀ ପାର୍ଟି। ଏହି ପାର୍ଟିର ବିକାଶ ଯୋଜନା ଓ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଭାଜପା ତା’ର କ୍ଷମତା ଲୋଭ ପ୍ରତି ବିପଦ ବୋଲି ଭାବୁଥିବାରୁ ବର୍ତ୍ତମାନ ଶ୍ରୀଲଙ୍କାର ଉଦାହରଣ ନେଇ ଏଏପିକୁ ତଳୁଆ ଦେଖାଇବାକୁ ଭାଜପାର ଆଇ.ଟି. ସେଲ୍‌ କାର୍ଯ୍ୟକ୍ରମ ଆରମ୍ଭ କରିଦେଲାଣି। ଆମ୍‌ ଆଦ୍‌ମୀ ପାର୍ଟି ସାଧାରଣ ଲୋକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ଓ ବିଜୁଳି ପରି ସେବାକୁ ମାଗଣା କରିବାକୁ ପ୍ରତିଶ୍ରୁତି ଦେଉଛି ଓ କରୁଛି ମଧ୍ୟ। ଦୁର୍ଭାଗ୍ୟଜନକ ଭାବେ ଏପରି କାମକୁ ଦେଶ ବିରୋଧୀ ବୋଲି ପ୍ରଚାର କରାଯାଉଛି। ଓଧ ସହିତ ବଣ ବିରାଡ଼ି ବାଇ ହେବା ପରି ଭକ୍ତମାନେ ଅନ୍ଧ ଭାବେ ଏହାକୁ ନିନ୍ଦା କରି ଜନକଲ୍ୟାଣକାରୀ କାର୍ଯ୍ୟକ୍ରମକୁ ଦେଶ ବିରୋଧୀ ବୋଲି ଚିତ୍ରଣ କରୁଛନ୍ତି। ବରିଷ୍ଠ ଅମଲା ଗୋଷ୍ଠୀ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ଯେଉଁ କେତୋଟି ରାଜ୍ୟରେ ମାଗଣା ଜିନିଷ ବଣ୍ଟାଯାଉଛି ବୋଲି କହିଛନ୍ତି, ସେଥିରେ ଗୋଟିଏ ଭାଜପା ଶାସିତ ରାଜ୍ୟ ନାହଁି। ମାଗଣା ଦ୍ରବ୍ୟ ଓ ସେବା ଦେବାରେ କର୍ନାଟକ, ଗୁଜରାଟ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଆଦି ଭାଜପାଶାସିତ ରାଜ୍ୟଗୁଡ଼ିକ ବି ପଛରେ ନାହାନ୍ତି।
ବିଭିନ୍ନ ରାଜ୍ୟ ସରକାର ଲୋକମାନଙ୍କୁ ସବୁ ଜିନିଷ ମାଗଣାରେ ବାଣ୍ଟୁଛନ୍ତି ବୋଲି ଯେତେବେଳେ ଅଭିଯୋଗ କରାଯାଉଛି, ସେତେବେଳେ କେମିତି ଆମେ ଦେଖିପାରୁନେ ଯେ, କେନ୍ଦ୍ର ସରକାର କିଭଳି ଭାବେ ଅମ୍ବାନୀ, ଆଦାନୀ ଓ ଅନ୍ୟାନ୍ୟ କମ୍ପାନୀଗୁଡ଼ିକୁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଟିକସ ଛାଡ଼ କରୁଛନ୍ତି! ଏହା କ’ଣ ସେମାନଙ୍କୁ ମାଗଣା ସେବା ନୁହେଁ କି? ଗୋଟିଏ ଗଣତାନ୍ତ୍ରିକ ଜନକଲ୍ୟାଣକାରୀ ସରକାରଙ୍କ କାମ ହେଉଛି ଗରିବ, ଅସହାୟ ଲୋକମାନଙ୍କୁ ଆବଶ୍ୟକୀୟ ସାମଗ୍ରୀ ରିହାତିରେ ଯୋଗାଇଦେବା। ଆମ୍‌ ଆଦ୍‌ମୀ ପାର୍ଟି ହେଉ ବା ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଥିବା ଭିନ୍ନ ଭିନ୍ନ ଆଞ୍ଚଳିକ ଦଳର ସରକାରମାନେ ତ ସେଇଆ କରୁଛନ୍ତି। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି କମ୍ପାନୀଗୁଡ଼ିକୁ ବିଜୁଳି ସବ୍‌ସିଡିରେ ନ ଦେଇ ଲୋକମାନଙ୍କୁ ଦେଉଛି, ଏଥିରେ ଅସୁବିଧା କେଉଁଠି? ଗତ ଦଶ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଭିନ୍ନ ଭିନ୍ନ କମ୍ପାନୀଗୁଡ଼ିକୁ ୧୦ ଲକ୍ଷ କୋଟି ଟଙ୍କାର ଟିକସ ଛାଡ଼ କରିଛନ୍ତି। ଚଳିତ ବଜେଟରେ ମଧ୍ୟ କର୍ପୋରେଟ୍‌ ଟିକସ ହାର କମ୍‌ କରାଗଲା। ଯଦି ହିସାବ କରାଯାଏ, ଗତ ଦଶ ବର୍ଷ ମଧ୍ୟରେ କର୍ପୋରେଟ୍‌ମାନଙ୍କୁ ଯେତିକି ଟିକସ ଛାଡ଼ କରାଯାଇଛି, ଯେତିକି ବିଜୁଳି, ପାଣି ଓ ଜମି ମାଗଣାରେ ଯୋଗେଇ ଦିଆଯାଇଛି, ତାହା ତୁଳନାରେ ଗରିବ ଲୋକମାନଙ୍କୁ ସବ୍‌ସିଡିରେ ଯେଉଁ ଚାଉଳ ଓ ଅନ୍ୟାନ୍ୟ ସୁବିଧା ଦିଆଯାଉଛି, ତାହା ତ କିଛି ନୁହେଁ। କେନ୍ଦ୍ର ସରକାର ହୁଅନ୍ତୁ ବା ରାଜ୍ୟ ସରକାର ସାଧାରଣ ଲୋକମାନଙ୍କଠାରୁ ପେଟ୍ରୋଲ, ଡିଜେଲ୍‌ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ଦ୍ରବ୍ୟରେ ଯେତିକି ଟିକସ ନେଉଛନ୍ତି, ତାହା ତୁଳନାରେ ଲୋକମାନଙ୍କୁ ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଯାହା ବି ମାଗଣାରେ ବା ସବ୍‌ସିଡିରେ ଦିଆଯାଉଛି, ତାହା କ’ଣ ଏତେ ଅଧିକ? ଆଉ ଗୋଟିଏ କଥା ଆଦୌ ବୁଝି ହେଉନାହଁି। ଯେତେବେଳେ ଅର୍ଥନୀତି କଥା କୁହାଯାଉଛି, ସବୁବେଳେ ଗରିବମାନଙ୍କୁ ଦିଆଯାଉଥିବା ଅନୁଦାନ କଥା ପ୍ରଥମେ ଉଠୁଛି କାହଁିକି? ଧନୀମାନଙ୍କୁ ମିଳୁଥିବା ଟିକସ ଛାଡ଼ ବା ଅନ୍ୟାନ୍ୟ ସୁବିଧା ସୁଯୋଗ କଥା ତ କେବେ ଶୁଣା ଯାଉନାହିଁ।
ପୁଣି ଯଦି ଶ୍ରୀଲଙ୍କା ଘଟଣାକୁ ଫେରିବା, ତେବେ ଏହା ସ୍ପଷ୍ଟ ଯେ, ଶ୍ରୀଲଙ୍କା କେବଳ ତା’ର ଲୋକମାନଙ୍କୁ ମାଗଣାରେ ଜିନିଷ ଯୋଗାଇଛି ବୋଲି ତା’ର ବୈଦେଶିକ ଋଣ ଭାର ବଢ଼ିନାହଁି ଓ ତା’ର ଅର୍ଥନୀତି ଧୂଳିସାତ୍‌ ହୋଇନାହଁି। ଶ୍ରୀଲଙ୍କାର ବିପର୍ଯ୍ୟୟ ପଛରେ ଅନେକ କାରଣ ରହିଛି। ଶ୍ରୀଲଙ୍କାର ଜିଡିପିର ୧୦ ପ୍ରତିଶତ ପର୍ଯ୍ୟଟନରୁ ଆସିଥାଏ। ଯାହା ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ବହୁଳ ଭାବେ ପ୍ରଭାବିତ ହୋଇଛି। ୨୦୧୯ରେ ଶ୍ରୀଲଙ୍କାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟ ଶ୍ରୀଲଙ୍କାର ପର୍ଯ୍ୟଟନ କ୍ଷେତ୍ରରେ ରୋଜଗାରକୁ କମ୍‌ କରିଦେଇଥିଲା। ଏତଦ୍‌ବ୍ୟତୀତ ଶ୍ରୀଲଙ୍କାକୁ ଅଧିକାଂଶ ପର୍ଯ୍ୟଟକ ରୁଷ୍‌, ୟୁକ୍ରେନ୍‌ ଓ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକରୁ ଆସିଥାଆନ୍ତି। ଯୁଦ୍ଧ ଯୋଗୁ ତାହା ମଧ୍ୟ ଗତ ଦୁଇମାସ ହେବ ପ୍ରଭାବିତ ହୋଇଛି। ଗତ ବର୍ଷ ଶ୍ରୀଲଙ୍କା ସରକାର ହଠାତ୍‌ ଚାଷ କ୍ଷେତ୍ରରେ ସମସ୍ତ ପ୍ରକାର ରାସାୟନିକ ପ୍ରୟୋଗକୁ ବାରଣ କରିଦେବାରୁ ଶ୍ରୀଲଙ୍କାର ଚା’ ଉପତ୍ାଦନ ଓ ଅନ୍ୟାନ୍ୟ ଚାଷ ବି ବହୁଳ ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ ଶ୍ରୀଲଙ୍କାର ୪୨୫ ମିଲିୟନ୍‌ ଡଲାର ଆର୍ଥିକ କ୍ଷତି ହୋଇଥିବା ବେଳେ ଧାନ ଉପତ୍ାଦନରେ ୨୦ ପ୍ରତିଶତ ହ୍ରାସ ହୋଇଛି। ଶ୍ରୀଲଙ୍କାର ଅର୍ଥନୀତି ମୁଖ୍ୟତଃ ଆମଦାନୀ ଉପରେ ନିର୍ଭରଶୀଳ। ଦେଶ ପାଖରେ ହଠାତ୍‌ ବୈଦେଶିକ ମୁଦ୍ରା କମ୍‌ ହୋଇଯିବାରୁ ଶ୍ରୀଲଙ୍କା ଖାଦ୍ୟ ଦ୍ରବ୍ୟ ସମେତ ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଆମଦାନୀ କରିବାକୁ ସକ୍ଷମ ହୋଇପାରିଲା ନାହଁି, ଯାହା ଶ୍ରୀଲଙ୍କାର ସଙ୍କଟକୁ ଅଧିକ ତୀବ୍ର କରିଦେଲା।
ଭାରତର ଅବସ୍ଥା ଶ୍ରୀଲଙ୍କା ପରି ହେବାର ଆଦୌ ସମ୍ଭାବନା ନାହଁି। କାରଣ ଭାରତର ଅର୍ଥନୀତି ଶ୍ରୀଲଙ୍କାଠାରୁ ବହୁତ ଭିନ୍ନ। ଆମ ଦେଶ ଖାଦ୍ୟ ଦ୍ରବ୍ୟ ଉପତ୍ାଦନ କ୍ଷେତ୍ରରେ ଅତ୍ୟନ୍ତ ସ୍ବାବଲମ୍ବନଶୀଳ ଓ ରପ୍ତାନି କରୁଛି। ତେଣୁ ଶ୍ରୀଲଙ୍କାର ଉଦାହରଣ ଦେଇ ଆଞ୍ଚଳିକ ଦଳଗୁଡ଼ିକୁ ଟାର୍ଗେଟ୍‌ କରି ଲୋକାଭିମୁଖୀ ଯୋଜନାଗୁଡ଼ିକୁ ବନ୍ଦ କରି ଦେଶରେ କେବଳ ଧର୍ମ ଓ ଜାତି ନାଁ’ରେ ରାଜନୀତିକୁ ବଞ୍ଚେଇ ରଖିବାର ଷଡ଼ଯନ୍ତ୍ର କରାନଯାଉ। ଶେଷରେ ଗୋଟିଏ କଥା। ଯେଉଁ ଅମଲା ଗୋଷ୍ଠୀ, ଅର୍ଥନୀତିଜ୍ଞ ଓ ଭକ୍ତମାନଙ୍କ ଆଖିକୁ କେବଳ ସାଧାରଣ ଲୋକମାନଙ୍କୁ ଚାମଚ ଅଗରେ ଦିଆଯାଉଥିବା ମାଗଣା ଜିନିଷସବୁ ଦେଖାଯାଉଛି, ସେମାନେ ଟିକେ ଆଖି ଖୋଲି ବଡ଼ ବଡ଼ ପାଇପ୍‌ ଯୋଗେ କର୍ପୋରେଟ୍‌ମାନଙ୍କୁ ଯାହାସବୁ ମାଗଣାରେ ଓ ଟିକସ ରିହାତି ମାଧ୍ୟମରେ ଦିଆଯାଉଛି, ତାକୁ ଟିକେ ଦେଖନ୍ତୁ। ଦ୍ୱିତୀୟ କଥା, ସାଧାରଣ ଲୋକମାନଙ୍କୁ ମାଗଣାରେ ବା ରିହାତିରେ ଯାହା ବି ସବୁ ମିଳୁଛି, ତାହା ପରୋକ୍ଷରେ ଲୋକମାନଙ୍କ କ୍ରୟଶକ୍ତିକୁ ବୃଦ୍ଧି କରୁଛି ଓ ପ୍ରକାରାନ୍ତରେ ତାହା ଆମ ଅର୍ଥନୀତିକୁ ଚଳଚଞ୍ଚଳ ରଖୁଛି। କାରଣ ସାଧାରଣ ଲୋକମାନେ ହଁି ବଡ଼ ଖାଉଟି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ: ୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri