ନିର୍ବାଚିତ ପ୍ରତିନିଧିଙ୍କ ଲକ୍ଷ୍ୟ

ଡ. ଭାରତ ଭୂଷଣ ରଥ

ଭାରତର ଅନେକ ରାଜ୍ୟରେ ନିର୍ବାଚନ ସମାପ୍ତ ହୋଇଛି। ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଉତ୍ତରାଖଣ୍ଡ, ଗୋଆ ପ୍ରଭୃତି ରାଜ୍ୟରେ ବିଧାନସଭା ନିର୍ବାଚନ ସହିତ ଓଡ଼ିଶାର ପଞ୍ଚାୟତ ଏବଂ ପୌର ଭୋଟ ମଧ୍ୟ ନିର୍ବାଚନ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ଥିଲା। ରାଜନୈତିକ ଦଳଗୁଡ଼ିକ ଅତୀତର ଜନମଙ୍ଗଳ କାର୍ଯ୍ୟ ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥାକୁ ଭୋଟରମାନଙ୍କ ପାଖରେ ଉପସ୍ଥାପନ କରିବାର ସୁଯୋଗ ପାଇଲେ।
ଯେଉଁ ରାଜନୈତିକ ଦଳ ନିଜକୁ ଯେତେ ପ୍ରଭାବୀ ଭାବରେ ଉପସ୍ଥାପନ କରିପାରିଲା ସେ ବିଜୟ ପତାକା ଉଡ଼ାଇବାରେ ସକ୍ଷମ ହେଲା।
ତେବେ ଏହି କ୍ରମରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରାଯାଇଛି। ତନ୍ମଧ୍ୟରେ ଗୋଟିଏ ହେଲା; ଅନେକ ସ୍ଥାନରେ ଦଳର ପ୍ରଭାବ ଅପେକ୍ଷା ପ୍ରାର୍ଥୀଙ୍କ ଶିକ୍ଷା, ସଚୋଟତା ତଥା ସମାଜରେ ବ୍ୟବହାରକୁ ଭୋଟରମାନେ ପ୍ରାଧାନ୍ୟ ଦେଇଛନ୍ତି। ଦ୍ୱିତୀୟ ହେଲା; ଦଳର ମୁଖିଆଙ୍କର ଭାବମୂର୍ତ୍ତିକୁ ସମ୍ମାନ ଦେଇ ଭୋଟର ଭୋଟ ଦେଇଛନ୍ତି। ତୃତୀୟ ହେଲା; କେତେକାଂଶରେ ଲାଳସାର ବଶବର୍ତ୍ତୀ ହୋଇ ଭୋଟ ଦାନ କରିଛନ୍ତି ଅନେକ ଭୋଟର। କିନ୍ତୁ ବାସ୍ତବରେ ଲାଳସା କ୍ଷେତ୍ରଟିକୁ ନିର୍ବାଚନ କ୍ଷେତ୍ରରେ ବିଶେଷ ପ୍ରାଧାନ୍ୟ ଦିଆଯାଇ ନ ପାରେ, କାରଣ ବର୍ତ୍ତମାନର ଭୋଟର ପରିସ୍ଥିତିକୁ ଭଲଭାବରେ ବୁଝିପାରୁଛନ୍ତି। ତେଣୁ ଦଳର ମୁଖିଆଙ୍କର ଭାବମୂର୍ତ୍ତିକୁ ହିଁ ଭୋଟରମାନେ ସର୍ବପ୍ରଥମେ ଆକଳନ କରୁଛନ୍ତି ତା’ପରେ ଅନ୍ୟ କିଛି। ଦଳର ନେତା ଓ ପ୍ରମୁଖ ନେତାମାନଙ୍କର ବ୍ୟବହାର, ବିଗତ ପାଞ୍ଚବର୍ଷର କାର୍ଯ୍ୟଧାରା, ଦଳର ଆଭ୍ୟନ୍ତରୀଣ କନ୍ଦଳ, ଦଳୀୟ ନେତାମାନଙ୍କର ସାଧାରଣ ଜନସାଧାରଣଙ୍କ ସହିତ ହାବଭାବ ତଥା ଏମିତି ଅନେକ କିଛି ବିଷୟକୁ ନିର୍ବାଚନ ମଇଦାନରେ ଭୋଟର ଚର୍ଚ୍ଚା କରେ। ତା’ ପରେ ଯେଉଁ ଦଳ ଉପରେ ଜନସାଧାରଣଙ୍କର ବିଶ୍ୱାସ ଏବଂ ଆସ୍ଥା ସୃଷ୍ଟି ହେଉଛି ସେହିଠାରେ ହିଁ ଭୋଟ ବର୍ଷା ହେଉଛି। ତେବେ ଏହି ପରିପ୍ରେକ୍ଷୀରେ ନିର୍ବାଚିତ ପ୍ରତିନିଧିମାନେ କେଉଁ ଲକ୍ଷ୍ୟ ନେଇ ରାଜନୀତି କରିବେ ଏବଂ ନିଜର ଭବିଷ୍ୟତ ଗଢ଼ିବେ ତାହା ସେମାନଙ୍କୁ ଅବଗତ ହେବାର ଅଛି। କାରଣ ଅନେକ ନିର୍ବାଚିତ ପ୍ରତିନିଧି କ୍ଷମତା ମାୟାରେ ଏଭଳି ଛନ୍ଦି ହୋଇଯାଆନ୍ତି, ଯଦ୍ଦ୍ବାରା ସେମାନେ ଆଜୀବନ ନିନ୍ଦିତ ହୋଇଯାଆନ୍ତି ଏବଂ ପୁନଃ କ୍ଷମତାକୁ ଫେରିପାରନ୍ତି ନାହିଁ। ତେଣୁ ଜଣେ ନିର୍ବାଚିତ ପ୍ରତିନିଧି ସମସ୍ତ କାର୍ଯ୍ୟ ଭିତରେ ନିଜ ନିର୍ବାଚନ କ୍ଷେତ୍ରର ଭୋଟରମାନଙ୍କର ବିଶ୍ୱାସଭାଜନ ହେବା ଆବଶ୍ୟକ।
ଲୋକପ୍ରତିନିଧିମାନେ ନିଜର କର୍ତ୍ତବ୍ୟ ପାଳନରେ ସେତିକି ସଚୋଟ ଏବଂ ବିକାଶଶୀଳ ଭାବନାକୁ ଉଦ୍ରେକ କରିବା ଦରକାର। ଲୋକପ୍ରତିନିଧିଙ୍କ ଲକ୍ଷଣକୁ ଉପସ୍ଥାପନ କରିବା ପାଇଁ ପ୍ରମାଣ ସ୍ବରୂପ ଏକ ସୁନ୍ଦର ଶାସ୍ତ୍ରୀୟ ମତକୁ ଉପସ୍ଥାପନ କରାଯାଇପାରେ।
ଜଣେ ନେତାଙ୍କ ପାଖରେ ଯଦି ନିମ୍ନୋକ୍ତ ଗୁଣ ରହିଥିବ ସେ ଜଣେ ଉଚ୍ଚକୋଟୀର ଲୋକପ୍ରତିନିଧି ପଦମର୍ଯ୍ୟାଦାକୁ ମଣ୍ଡନ କରି ପାରିବେ। ଏ କ୍ଷେତ୍ରରେ ଦଶରୂପକ ଗ୍ରନ୍ଥକାର ଧନଞ୍ଜୟ କହିଛନ୍ତି- ”ନେତା ବିନୀତୋ ମଧୁରସ୍ତ୍ୟାଗୀ ଦକ୍ଷଃ ପ୍ରିୟବଂଦଃ। ରକ୍ତଲୋକଃ ଶୁର୍ଚିବାଗ୍ମୀ ରୂଢବଂଶଃ ସ୍ଥିରୋ ଯୁବା॥“ ତନ୍ମଧ୍ୟରୁ ଦଶଗୋଟି ପ୍ରଧାନ ଗୁଣ ହେଲା – ବିନୟୀ, ପ୍ରିୟଦର୍ଶୀ, ତ୍ୟାଗୀ, ଦକ୍ଷ, ପ୍ରିୟଭାଷୀ, ଲୋକପ୍ରିୟ, ପବିତ୍ର, ବାଗ୍ମୀ, ଯୁବା ଏବଂ ସ୍ଥିର । ଏହି ଅମୃତ ତତ୍ତ୍ୱଗୁଡ଼ିକୁ ଯେଉଁ ରାଜନୈତିକ ବ୍ୟକ୍ତି ଏବଂ ରାଜନୈତିକ ଦଳମାନେ ନିଜର ଲକ୍ଷ୍ୟ ରୂପରେ ଗ୍ରହଣ କରିବେ ସେମାନେ ନିଶ୍ଚୟ ସଫଳତାର ଶିଖର ସ୍ପର୍ଶ କରିବେ। ସର୍ବପ୍ରଥମେ ଜଣେ ରାଜନେତା ବିନୟୀଗୁଣ ସମ୍ପନ୍ନ ହେବା ଆବଶ୍ୟକ। ମଧୁର ଅର୍ଥାତ୍‌ ସମସ୍ତଙ୍କର ପ୍ରିୟପାତ୍ର ହେବା। ନେତା ନିଜର ବୁଦ୍ଧି ବଳରେ ସମାଜର ମଙ୍ଗଳ ସାଧନ କରୁଥିବା ବିଷୟକୁ ହିଁ ଚିନ୍ତା କରିବା ଉଚିତ। ନେତାଙ୍କ ମନରେ ଯେଉଁଦିନଠାରୁ ସମାଜ ଅହିତକର ତତ୍ତ୍ୱ ବସାବାନ୍ଧିବ, ସେହିଦିନଠାରୁ ରାଜନେତା ପତନୋନ୍ମୁଖୀ ହେବେ। ତ୍ୟାଗ ରୂପକ ସଦ୍‌ଗୁଣ ନେତାଙ୍କୁ ଜୀବିତ କାଳରେ ଯେତିକି ସମ୍ମାନ ଦିଏ ମୃତ୍ୟୁ ପରେ ବି ସେତିକି ସମ୍ମାନ ଦିଏ। ଭଗବାନ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଶାସନ କରୁଥିବା ସମୟରେ ଏକ ତ୍ୟାଗପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ, ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଉପାଧିରେ ବିଭୂଷିତ କରିଥିଲା। ଜଣେ ପ୍ରକୃତ ନେତା ସିଏ ଯିଏ ସମାଜ ପାଇଁ ବଞ୍ଚି ରହନ୍ତି ଏବଂ ସମାଜ ମଙ୍ଗଳ ଲାଗି ରାଜନୀତି କରନ୍ତି । ଦେଶ ଏବଂ ରାଜ୍ୟକୁ ଶାସନ କରିବାରେ ନେତା ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ। ନେତା ଯେତେ ଦକ୍ଷ ହେବେ ଦେଶ ସେତେ ବିକଶିତ ହେବ। ପ୍ରିୟଭାଷୀ ନେତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗୁଣ। ନେତା ନିଜର ବାଣୀ ଏବଂ ଆଚରଣ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। ଲୋକପ୍ରିୟ ନେତା ହିଁ ବାରମ୍ବାର ରାଜଗାଦିରେ ଅଭିଷିକ୍ତ ହୁଅନ୍ତି। ବିଶିଷ୍ଟ ଅର୍ଥଶାସ୍ତ୍ରକାର କୌଟିଲ୍ୟ କହିଛନ୍ତି, ଅର୍ଥ ଶୁଚି ହିଁ ସମସ୍ତ ପବିତ୍ରତାର ଶ୍ରେଷ୍ଠ। ତେଣୁ ନେତା ସର୍ବପ୍ରଥମେ ଅର୍ଥ କ୍ଷେତ୍ରରେ ନିଜକୁ ପବିତ୍ର କରିବା ଆବଶ୍ୟକ। ବାଗ୍ମିତା ପ୍ରତ୍ୟେକ ନେତାଙ୍କର ଏକ ବିଶିଷ୍ଟ ଗୁଣ ହେବା ଦରକାର। ବାଗ୍ମୀର ଅର୍ଥ ହେଲା ବୁଦ୍ଧି ଏବଂ ଭାଷଣରେ ନିପୁଣତା। ତେବେ ଜଣେ ବ୍ୟକ୍ତି ସେତେବେଳେ ଭାଷଣ ଦେବାରେ ନିପୁଣ ହୋଇପାରିବ ଯେତେବେଳେ ସେ ଅନେକ କିଛି ଅଧ୍ୟୟନ କରିବ। ବିଦ୍ୟା, ବୁଦ୍ଧି ଏବଂ ଅନୁଭବକୁ ପାଥେୟ କରି ଜଣେ ବ୍ୟକ୍ତି ବାଗ୍ମୀ ହୋଇପାରିବ। ତେଣୁ ପ୍ରତ୍ୟେକ ନେତା ନିଜ ଦୈନନ୍ଦିନ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ଅଧ୍ୟୟନ କରିବା ଏକାନ୍ତ ଆବଶ୍ୟକ। ସ୍ଥିର ସ୍ବଭାବଯୁକ୍ତ ଯୁବକମାନେ ରାଜନୀତିରେ ଶୀଘ୍ର ନିଜକୁ ପ୍ରତିଷ୍ଠା କରିପାରନ୍ତି । ସ୍ଥିର ଗୁଣସମ୍ପନ୍ନ ବ୍ୟକ୍ତି ହିଁ ଦେଶରେ ସ୍ଥିର ଶାସନ ଦେବାରେ ସମର୍ଥ ହୁଅନ୍ତି। ତେଣୁ ନିଜର ବାଣୀ, ମନ ଏବଂ କାର୍ଯ୍ୟକଳାପରେ ସ୍ଥିରତାକୁ ପ୍ରକାଶ କରିବା ସହିତ ନିଜ ନିର୍ବାଚନକ୍ଷେତ୍ରର ଉନ୍ନତି ପ୍ରତ୍ୟେକଟି ରାଜନୈତିକ ବ୍ୟକ୍ତିଙ୍କର ଲକ୍ଷ୍ୟ ହେବା ଆବଶ୍ୟକ।
ଉପ ନିର୍ଦ୍ଦେଶକ, ଦୂରସ୍ଥ ଶିକ୍ଷା ବିଭାଗ,
କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି
ମୋ- ୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri