ଡେରାବିଶ,୨୮ା୧୧ (ବେବର୍ତ୍ତା ଅଜୟ ଦାସ): ଗ୍ରାମରେ ବେଆଇନ ମଦବିକ୍ରିକୁ ବିରୋଧ କରି ଡେରାବିଶ ଥାନା ବାଲିଆ ପଞ୍ଚାୟତ ମୁଲଣାପାଟଣା ଗ୍ରାମବାସୀ ଏକାଠି ହୋଇଛନ୍ତି। ଶୁକ୍ରବାର ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଡେରାବିଶ ଥାନା ଅଧିକାରୀ ଅମ୍ବିକା ପ୍ରସାଦ ଦାସଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, ଗ୍ରାମର ଗ୍ରାମଦେବତୀ ମା’ ଯଶୋରାଇଙ୍କ ପୀଠ ନିକଟରେ ଗାଁର ୩ଜଣ ବ୍ୟକ୍ତି ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି। ମଦବିକ୍ରି ବନ୍ଦ କରିବାକୁ ଗଲେ ସେମାନେ କର୍ଣ୍ଣପତ କରୁନାହାନ୍ତି। ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଫଳରେ ମଦ ବ୍ୟବସାୟୀମାନେ ଅଧିକ ପ୍ରୋତ୍ସାହିତ ହୋଇ ସେମାନଙ୍କ କାରବାକୁ ବଢାଇ ଚାଲିଛନ୍ତି। ହାତପାଆନ୍ତାରେ ମଦ ପାଇ ଗାଁରେ ନିଶା ସେବନ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ଯୁବବର୍ଗ ଓ ଶ୍ରମିକ ଶ୍ରେଣୀର ଲୋକେ ନିଜ ସ୍ବାସ୍ଥ୍ୟ ବିଗାଡୁଛନ୍ତି। ଏଥିସହିତ ଆର୍ଥିକ କ୍ଷେତ୍ରରେ ସର୍ବସ୍ବାନ୍ତ ହୋଇ ଯାଉଛନ୍ତି। ପାରିବାରିକ ବିଭ୍ରାଟ ସହ ଗାଁର ଗ୍ରାମର ସାମାଜିକ ସ୍ଥିତି ବିଗିଡ଼ି ଯାଉଛି। ସନ୍ଧ୍ୟା ସମୟରେ ମଦ୍ୟପମାନଙ୍କ ଉତ୍ପାତ ଯୋଗୁ ମହିଳା, ଛାତ୍ରୀଛାତ୍ର ଏବଂ ବୃଦ୍ଧବୃଦ୍ଧାମାନେ ଘରୁ ପଦାକୁ ବାହାରିବାକୁ ଅସୁରକ୍ଷିତ ମଣୁଛନ୍ତି। ମୁଲଣା ପାଟଣା ଗ୍ରାମ ସହ ଆଖପାଖ ଗ୍ରାମରେ ବେଆଇନ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଗ୍ରାମର ପୁରୁଷ ଓ ମହିଳାମାନେ ନିଷ୍ପତ୍ତି ନେଇଛନ୍ତି। ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ପୋଲିସ ଗାଁରୁ ମଦ ବିକ୍ରିକୁ ସମ୍ପୂରର୍ଣ ବନ୍ଦ କରିବା ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

