ସୀମାର ଦୁଃଖ

ଅନିଲ କୁମାର ବିଶ୍ୱାଳ

ଏବେ ଆମ ରାଜ୍ୟରେ ଚର୍ଚ୍ଚା ଆନ୍ଧ୍ର ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳକୁ ନେଇ। ଆନ୍ଧ୍ର ସରକାର ଓଡ଼ିଶାର କିଛି ଅଞ୍ଚଳରେ ନିର୍ବାଚନ କରାଇଛନ୍ତି। ଓଡ଼ିଶା ସରକାରଙ୍କ ବିରୋଧ ସତ୍ତ୍ୱେ, ସୁପ୍ରିମକୋର୍ଟର ସ୍ଥିତାବସ୍ଥା ବଜାୟ ରଖିବାର ନିର୍ଦ୍ଦେଶ, ଦେଶର ଆଦର୍ଶ ସଙ୍ଘୀୟ ବ୍ୟବସ୍ଥା ଏବଂ ସର୍ବୋପରି ସମ୍ବିଧାନକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର ଏହା କରିଛନ୍ତି। ପଡ଼ୋଶୀ ରାଜ୍ୟ ଆନ୍ଧ୍ର ଓଡ଼ିଶାର ସାର୍ବଭୌମତ୍ୱ ଉପରେ ଅଙ୍ଗୁଳି ଉଠାଇ ଏପରି ବେଆଇନ ନିର୍ବାଚନ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ସେ କୋଟିଆ ଗ୍ରାମପଞ୍ଚାୟତର ପାଟସିନେରି କିମ୍ବା ଫଗୁଣସିନେରି ହେଉ ବା ଗଜପତି ଜିଲାର ରାୟଗଡ଼ ବ୍ଲକର ମାଣିକପାଟଣା, ଗୁଡ଼ିଖଡ଼ି କି ଗଙ୍ଗାବାଡ଼ ହେଉ କିମ୍ବା ଚିତ୍ରକୋଣ୍ଡାର ଜାମୁଜଡ଼ି, ଜୁମତାଙ୍ଗ ହେଉ ଏ ସବୁ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ରହିଛି ଏବଂ ରହିବ।
ହେଲେ ସମସ୍ୟା ଦୃଷ୍ଟିରୁ ଆନ୍ଧ୍ରର ଜବରଦଖଲ ଯେତିକି ଉଦ୍‌ବେଗଜନକ ତା’ଠାରୁ ସେତିକି ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ସେହି ସୀମାବର୍ତ୍ତୀ ଅଞ୍ଚଳର ଲୋକମାନଙ୍କ ପାଖରେ ସର୍ବନିମ୍ନ ମୌଳିକ ସୁବିଧା ପହଞ୍ଚାଇବା, ସେମାନଙ୍କର ଆଦିବାସୀ ସଂସ୍କୃତିକୁ ସୁରକ୍ଷିତ ରଖିବା ଓ ସେମାନେ କିପରି ଓଡ଼ିଆ ଜାତୀୟତାବାଦରେ ବାନ୍ଧିହେବେ ତାହା ସୁନିଶ୍ଚିତ କରିବା। କାରଣ ଯେଉଁମାନେ ୩୦ ବର୍ଷ ତଳେ ଓଡ଼ିଶାରେ ରହିବା ପାଇଁ ଦାବି କରୁଥିଲେ ସେମାନେ ଏବେ ଧମକ ଦେଲେଣି ଯେ ଯଦି ଆମ କଥା ଓଡ଼ିଶା ନ ବୁଝେ ତା’ହେଲେ ଆମେ ଆନ୍ଧ୍ରରେ ମିଶିବା ପାଇଁ ଦାବି କରିବା। ଏବେ ରାଜ୍ୟ ସରକାର ଆନ୍ଧ୍ରର ନିର୍ବାଚନ ବନ୍ଦ କରାଇବା ପାଇଁ ସୁପ୍ରିମକୋର୍ଟ ଯାଇଛନ୍ତି। ହେଲେ ସୁପ୍ରିମକୋର୍ଟ ଆନ୍ଧ୍ରକୁ ଜବାବ ଦାଖଲ କରିବା ପାଇଁ ଯଥେଷ୍ଟ ସମୟ ଦେଲେ, ଯାହା ଫଳରେ ଜବାବ ଦାଖଲ ପୂର୍ବରୁ ନିର୍ବାଚନ ସରିଯାଇଥିବ ଏବଂ ନିର୍ବାଚନରେ ଯଦି ଓଡ଼ିଶାର କିଛି ଲୋକ ବି ଭୋଟ ଦିଅନ୍ତି ଏହା ଆନ୍ଧ୍ର ପାଇଁ ଏକ ସୁଯୋଗ ତିଆରି କରିବ; ଯାହା ଘଟିଛି। କିଛି ଲୋକ ଆନ୍ଧ୍ରର ନିର୍ବାଚନରେ ଭୋଟ ଦେଇଛନ୍ତି। ହେଲେ ବି ସୁପ୍ରିମକୋର୍ଟଙ୍କର ରାଜ୍ୟ ସୀମା ବିବାଦରେ ଭୂମିକା ବହୁତ କମ୍‌। ଆର୍ଟିକଲ ୧୩୧ ଅନୁସାରେ ଦେଶର ସଂସଦ ହିଁ ଏପରି ପ୍ରସଙ୍ଗରେ ଯାହା କିଛି କରିପାରିବ। ତେଣୁ ଓଡ଼ିଶାକୁ ଏଠାରେ ସତର୍କତା ଓ ଚତୁରତାର ସହିତ ବିକାଶ ମୂଳକ କାମକୁ ଆଗେଇ ନେଇ ଲୋକଙ୍କ ମନ ଜିଣିବାକୁ ପଡ଼ିବ, ତା’ହେଲେ ଯାଇ ଆମର ବିଜୟ ହେବ।
୧୯୩୬ ମସିହା ପୂର୍ବରୁ କୋଟିଆ ଗ୍ରାମପଞ୍ଚାୟତ ଜୟପୁର ରାଜାଙ୍କ ଅଧୀନରେ ଥିଲା। ୧୯୩୬ରେ ଓଡ଼ିଶା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେଲା। ସେତେବେଳେ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାରେ ମିଶିଗଲା। ୧୯୩୬ ମାର୍ଚ୍ଚ ୧୯ରେ ପ୍ରକାଶିତ ଗେଜେଟ ନୋଟିଫିକେସନର ପ୍ରଥମ ଅନୁଚ୍ଛେଦ, ଭାଗ-୧, କ୍ରମାଙ୍କ ନଂ.-୨ (୪)ରେ ସ୍ପଷ୍ଟ ଲେଖାଅଛି ଯେ, ଜୟପୁର ଇଷ୍ଟେଟ, ପଟ୍ଟାଙ୍ଗୀର ଯେଉଁ ଅଞ୍ଚଳ ଜୟପୁର ଇଷ୍ଟେଟରେ ନ ଥିଲା ଏ ସମସ୍ତ ଅଞ୍ଚଳ ଓଡ଼ିଶା ରାଜ୍ୟର ଅଂଶ। ୧୯୪୨ର ଓଡ଼ିଶା, ମାଦ୍ରାସ, କେନ୍ଦ୍ରୀୟ ପ୍ରୋଭିନ୍ସ ଓ ବିହାରର ମିଳିତ ସର୍ଭେରେ କୋଟିଆ ଗ୍ରାମପୁଞ୍ଜର ୨୮ଟି ଗାଁରୁ ୭ଟି ଗାଁ ଯେମିତି କି ତୁରିଆ, ବାରବନ୍ଧ, ତଳକାନ୍ତି, ଗୁମେଲପଦର, ମାଥଳାମ୍ବା, ଶୁଳିଆମାରି ଏବଂ କତରଗୁଡ଼ା ଗାଁକୁ ଓଡ଼ିଶାର ବୋଲି ରେକର୍ଡ କରାଯାଇଥିଲା। ସେତେବେଳେ ବାକି ୨୭ଟି ଗାଁକୁ ଭୁଲ୍‌ରେ ସର୍ଭେ କରାଯାଇ ନ ଥିଲା। ଏହାର କାରଣ ସମ୍ଭବତଃ ଗାଁ ଗୁଡ଼ିକ ଅତ୍ୟନ୍ତ କ୍ଷୁଦ୍ର ଥିଲା, କମ୍‌ ଜନସଂଖ୍ୟା ବିଶିଷ୍ଟ ଓ ଅଗମ୍ୟ ଥିଲା। ୧୯୫୫ରେ ମାଦ୍ରାସରୁ ଅଲଗା ହୋଇ ଆନ୍ଧ୍ର ପ୍ରଦେଶ ଗଠନ ହେଲା। ସେତେବେଳେ ମଧ୍ୟ ଏହି ୨୧ଟି ଗାଁରେ ସର୍ଭେ ହୋଇପାରି ନ ଥିଲା। ସେଥିପାଇଁ ଯାହାକୁ ଏବେ ଆନ୍ଧ୍ର ବିବାଦୀୟ ଅଞ୍ଚଳ ଦେଖାଇ ନିଜର ବୋଲି କହୁଛି। ହେଲେ ୧୯୩୬ର ଗେଜେଟ ନୋଟିଫିକେସନ ଆଧାରରେ ଏହା ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ। ଆଜିକାର ଆନ୍ଧ୍ର ପ୍ରଦେଶର ଏମିତି ଅନେକ ସୀମାବର୍ତ୍ତୀ ଅଞ୍ଚଳ ଅଛି, ଯାହାକୁ ନେଇ ଉଭୟ ରାଜ୍ୟର ମିଳିତ ସର୍ଭେ ହୋଇନାହିଁ। ହେଲେ ତାକୁ ଯଦି ଏବେ ଓଡ଼ିଶା ସରକାର ବିବାଦୀୟ ଅଞ୍ଚଳ ବୋଲି ଦେଖାଇ ନିଜର ବୋଲି ଦାବି କରିବ ତାହାହେଲେ ହୁଏତ ଆନ୍ଧ୍ର ବୁଝିଯାଆନ୍ତା।
କୋଟିଆ ଗ୍ରାମପଞ୍ଚାୟତ ହେଉଛି ୨୮ଟି ଗାଁକୁ ନେଇ। ପଞ୍ଚାୟତର ବ୍ୟାସାର୍ଦ୍ଧ ଏକ ବ୍ଲକ ସମାନ, ୨୫ କିମିରୁ ଅଧିକ। ମାନେ ଗୋଟିଏ ଗୋଟିଏ ଗାଁ ତାଙ୍କ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବାକୁ ହେଲେ ୨୫ କିମିର ଜଙ୍ଗଲ ପାହାଡ଼ ରାସ୍ତା ଦେଇ ଆସିବାକୁ ପଡ଼ିବ। ଆନ୍ଧ୍ର ସରକାର ସେହି ୨୧ଟି ଗାଁକୁ ୩ଟି ପଞ୍ଚାୟତରେ ବିଭକ୍ତ କରିଛନ୍ତି। ସେଗୁଡ଼ିକ ହେଲା ପାଟସିନେରି, ଯାହାକୁ ସେମାନେ କହନ୍ତି ପଟୁଚିନୁରୁ, ଫଗୁଣ ସିନେରିକୁ ଫଗୁଣ ଚିନୁରୁ, ତଳ ଗଞ୍ଜେଇପଦରକୁ ଗଞ୍ଜେଇପଦର। ଏହି ପଞ୍ଚାୟତକୁ ସାଲୁର ବ୍ଲକରେ ଦେଖାଇ ସେମାନେ ନିର୍ବାଚନ କରାଇଛନ୍ତି। ସେମାନେ ଆଗରୁ ସେହି ପଞ୍ଚାୟତରେ ସରପଞ୍ଚ ମନୋନୟନ କରୁଥିଲେ। ଏଥର ନିର୍ବାଚନ କରି ଭୂମି ଦଖଲ କରିବାର ଆଉ ପାଦେ ଆଗେଇଲେ। ଆମ ଓଡ଼ିଶାରେ ସରପଞ୍ଚଙ୍କର ମାସିକ ଦରମା ୩ ହଜାର ଟଙ୍କା ହୋଇଥିବା ବେଳେ ଆନ୍ଧ୍ରରେ ୧୦ ହଜାର ଟଙ୍କା। ଓଡ଼ିଶାରେ ବାର୍ଦ୍ଧକ୍ୟ ଭତ୍ତା ୫୦୦ ଟଙ୍କା ହୋଇଥିବା ବେଳେ ଆନ୍ଧ୍ର ସରକାର ଦେଉଛନ୍ତି ୨୨୫୦ ଟଙ୍କା। ୨୨୫୦ଟଙ୍କାର ଭତ୍ତା କେବଳ କିଛି ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଲୋଭନ କରିବା ପାଇଁ ଦେଉଛନ୍ତି। ଗୋଟିଏ ପଞ୍ଚାୟତରେ ଥିବା ସତ୍ତ୍ୱେ ସରକାରୀ ଯୋଜନା ସବୁ କୋଟିଆ ଗାଁ ଡେଇଁ ଅନ୍ୟ ଗାଁଗୁଡ଼ିକରେ ପହଞ୍ଚୁ ନାହିଁ; ଯାହା ସରକାର କରିଛନ୍ତି ବୋଲି କହିଛନ୍ତି ସେ ସବୁ କେବଳ କୋଟିଆ ଗାଁ ପାଖରେ। ଗାଁଗୁଡ଼ିକ ପାହାଡ଼ ପର୍ବତଘେରା ଛୋଟ ଛୋଟ ଜନପଦ। ରାସ୍ତା କଡ଼ରେ ଥିବା ଜନପଦରେ କେଉଁଠି କେଉଁଠି ବିଜୁଳି ତାର ଯାଇଛି। କେଉଁ ଗାଁରେ ଆନ୍ଧ୍ର ବିଜୁଳି ତ କେଉଁଠି ଓଡ଼ିଶାର। ବାକି ଯେଉଁ ଜନପଦଗୁଡ଼ିକ ଘାଟି ରାସ୍ତାଠାରୁ ଦୂରରେ ରହିଛି ସେଠାରେ ବିଜୁଳି ନାହିଁ। ମୋବାଇଲ ନେଟଓ୍ବର୍କ ସାତସପନ। ଆମ୍ବୁଲାନ୍‌ସ କେବେ ବି ଆସିନି, କାରଣ ସେଠାରୁ ୧୦୮କୁ ଫୋନ କରିବା ପାଇଁ ନେଟଓ୍ବର୍କ ନାହିଁ କି ମୋବାଇଲ କାହା ପାଖରେ ନାହିଁ। ସେଠାରୁ ୪୦ କିମି ହେଉଛି ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ସ୍କୁଲ ଅଛି ହେଲେ ମାଷ୍ଟ୍ରେ କନ୍ଧ ଭାଷା ବୁଝନ୍ତିନି କି ପିଲା ଓଡ଼ିଆ ବୁଝନ୍ତିନି। ପାଟୁ ସିନେରିରେ ସମୁଦାୟ ଘର ସଂଖ୍ୟା ହେଉଛି ୩୦। ସେଥିରୁ ମାତ୍ର ୬ଟି ହେଉଛି ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ, ୪ଟି ଆନ୍ଧ୍ର ଦ୍ୱାରା, ୨ଟି ଓଡ଼ିଶାର। ଯଦି ଜଣେ ଲୋକ ଯାହାର ସାଇକେଲ ନାହିଁ, କି ଗାଡ଼ି ନାହିଁ ସେ ଯଦି ପଞ୍ଚାୟତରେ କିଛି କାମ ପାଇଁ ୨୨ କିମି ଚାଲି ଚାଲି ଯିବ ତା’ହେଲେ ଏହା କି ପ୍ରକାର ସୁଶାସନର ମଡେଲ ହେବ। ଗାଁ ଗୁଡ଼ିକରେ ଲୋକମାନେ ଓଡ଼ିଆ ଭାଷା ବୁଝନ୍ତି ନାହିଁ। ବରଂ ତେଲୁଗୁ ବୁଝନ୍ତି। ନିଜ କନ୍ଧ ଭାଷା ହିଁ ସେମାନଙ୍କର ମୁଖ୍ୟ ଭାଷା। ତେଲୁଗୁ ବୁଝିବାର କାରଣ ହେଲା ସେଠାରୁ ସାଲୁର ପାଖ। କାମ ଧନ୍ଦା ପାଇଁ ସାଲୁର ଯାଆନ୍ତି।
ଆମେ ଭୁବନେଶ୍ୱରରେ ବସୁଥିବା ଲୋକମାନେ ହୁଏତ ଭାବୁଥିବେ ଏମାନେ ଲୋଭରେ ଦୁଇପଟେ ଯୋଜନାର ଲାଭ ପାଇବେ ବୋଲି ଆନ୍ଧ୍ରରେ ଭୋଟ ଦେଇ ଦେଉଛନ୍ତି। ହେଲେ ବାସ୍ତବତା କିଛି ଭିନ୍ନ। ଭୁବନେଶ୍ୱରରେ ରହି ଅଖଣ୍ଡ ଓଡ଼ିଶାର ସ୍ବପ୍ନ ବିଷୟରେ ଭାବନା କରିବା ଯେତିକି ସହଜ ଏହି ଅଞ୍ଚଳକୁ ଆସି ବୁଲି ଏଠାକାର ଭୌଗୋଳିକ, ଅର୍ଥନୈତିକ ସମସ୍ୟାକୁ ବୁଝି ସେମାନଙ୍କର ବାସ୍ତବତାକୁ ଦେଖିବା ସେତିକି କଷ୍ଟ। ଏମାନେ ଜାଣିନାହାନ୍ତି ଯେ ୨ଟା ଭୋଟର କାର୍ଡ ରଖିବା, ଦୁଇଟା ଯୋଜନାର ଲାଭ ନେବା ବେଆଇନ। ସେମାନଙ୍କ ପାଇଁ ସରକାର କହିଲେ, ଯିଏ କାଗଜପତ୍ର ଧରି ତାଙ୍କ ଗାଁକୁ ଆସିଲା, ସବୁ କରିଦେବ ବୋଲି କହିଲା। ବାସ୍‌ ତା’ପରେ ସିଏ ଯାହା କହିଲା ତାହା ସେମାନେ କରିବେ। ଜିଲାପାଳ, ଉପଜିଲାପାଳଙ୍କ ପାଦ ପଡ଼େନି ଗାଁରେ। ଯେତେ ବାଟ ପର୍ଯ୍ୟନ୍ତ କାର ଯାଇପାରୁଛି ସେହି ଯାଏ ସେମାନେ ଯାଆନ୍ତି। ସେହିପରି ଗଜପତି ଜିଲାର ରାୟଗଡ଼ ବ୍ଲକର ମାଣିକପାଟଣା ଗାଁ। ପୂରା ପାହାଡ଼ଘେରା ଅପହଞ୍ଚ ଗାଁ। ଆନ୍ଧ୍ର ଦେଇ ସେହି ଗାଁ ପର୍ଯ୍ୟନ୍ତ ରାସ୍ତା ଆସିଛି। ଓଡ଼ିଶା ପଟୁ ସେହି ଗାଁକୁ ପ୍ରବେଶ ନାହିଁ। ଓଡ଼ିଶା ପଟୁ ଆସିଲେ ରାସ୍ତା ଗଙ୍ଗାବାଡ଼ ପର୍ଯ୍ୟନ୍ତ ଅଛି, ଯାହା ମାଣିକପାଟଣାରୁ ୬ କିମି। ଗଙ୍ଗାବାଡ଼ରୁ କଇଁପୁର ହେଉଛି ୬ କିମି, ଯେଉଁଠି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅଛି। ଗାଁରେ ଅଙ୍ଗନଓ୍ବାଡି ଅଛି, ସ୍କୁଲ ନାହିଁ କି ଡାକ୍ତରଖାନା ନାହିଁ। ୧୦୮କୁ ଫୋନ କଲେ ଲାଗୁଛି ଆନ୍ଧ୍ର ଆମ୍ବୁଲାନ୍‌ସ। ଓଡ଼ିଶା ଆମ୍ବୁଲାନ୍‌ସ ଆସିବା ପାଇଁ ରାସ୍ତା ନାହିଁ। ଆନ୍ଧ୍ର ଆମ୍ବୁଲାନ୍‌ସ ଆସିଲେ ପ୍ରଥମେ ମାଗୁଛି ଆନ୍ଧ୍ର ଭୋଟର କାର୍ଡ। ଲୋକେ ସେଥିପାଇଁ ଆନ୍ଧ୍ରର ଭୋଟର କାର୍ଡ ରଖିବା ପାଇଁ ବାଧ୍ୟ। ଓଡ଼ିଶା ସ୍କୁଲ ଅଛି ୬ କିମି ଦୂରରେ ଗଙ୍ଗାବାଡ଼ରେ। ଯିବା ପାଇଁ ରାସ୍ତା ନାହିଁ। ପିଲା ଅଙ୍ଗନଓ୍ବାଡି ପରେ ଯାଉଛନ୍ତି ଆନ୍ଧ୍ର ସ୍କୁଲକୁ। ଗାଁରେ ପିଇବା ପାଣି ପ୍ରକଳ୍ପ ନାହିଁ। ହାତ କଳ ଦୁଇଟି ଅଛି। ଗୋଟିଏ ଆନ୍ଧ୍ରର, ଗୋଟିଏ ଓଡ଼ିଶାର। ସମାନ ଅବସ୍ଥା ମଧ୍ୟ ଗୁଡ଼ିଖଡ଼ି ଗାଁରେ। ହେଲେ ସେଠାରେ କେବଳ ରାଜ୍ୟ ବିବାଦ ନୁହେଁ ଜିଲାର ବିବାଦ ଅଛି। ସେମାନେ ଭୋଟ ଦେଉଛନ୍ତି ଗଞ୍ଜାମ ଜିଲା ଚିକିଟିରେ। ହେଲେ ପଞ୍ଚାୟତ ନିର୍ବାଚନରେ ନାଁ ଗଡୁଛି ଗଜପତିରେ। ଦୁଇ ଜିଲା ବିବାଦ କାରଣ ପାଇଁ କେହି ବିକାଶ କରୁନାହାନ୍ତି; ଯାହାର ଲାଭ ଉଠାଉଛି ଆନ୍ଧ୍ରପ୍ରଦେଶ। ଏପରି ସମସ୍ୟା ଭିତରେ ରହୁଥିବା ଲୋକମାନଙ୍କ ପାଖରେ ସରକାରଙ୍କ ଯୋଜନା ପହଞ୍ଚୁ, ସେମାନଙ୍କର ଜୀବନ ଧାରଣ ମାନରେ ସୁଧାର ଆସୁ, ସେଇଠିକାର ଲୋକେ ହିଁ ଆନ୍ଧ୍ରକୁ ଜବାବ ଦେବେ।
ହରିରାଜପୁର, ପୁରୀ, ମୋ:୮୨୪୯୮୬୮୯୬୧


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri