Posted inଖେଳ

ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ

ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍‌ରେ ଷ୍ଟିଭ୍‌ ସ୍ମିଥଙ୍କ ନେତୃତ୍ୱାଧୀନ ରୟାଲ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୬ ରନରେ ପରାସ୍ତ କରିଛି। ରୟାଲ୍ସ ଚମତ୍କାର ବ୍ୟାଟିଂ କରି ୨୦ ଓଭରରେ ୨୧୬ ରନ କରିଥିଲା। ଜବାବରେ ଚେନ୍ନାଇ ୨୦ ଓଭରରେ ୬ ଉଇକେଟ ହରାଇ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲା। ରୟାଲ୍ସ ଇନିଂସରେ ୧୭ ଛକା, ୯ ଚୌକା ଏବଂ ଚେନ୍ନାଇ ଇନିଂସରେ ୧୬ ଛକା, ୯ ଚୌକା ଦେଖିବାକୁ ମିଳିଥିଲା।
ବଡ଼ ସ୍କୋରର ପିଛା କରିଥିବା ଚେନ୍ନାଇ ଭଲ ଆରମ୍ଭ କରିଥିଲେ ହେଁ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପଦରେ ପଡ଼ିଥିଲା। ଓପନିଂ ଯୋଡ଼ିରେ ୪୦ ବଲ୍‌ରୁ ୫୬ ରନ ଯୋଗପରେ ନିର୍ଭରଯୋଗ୍ୟ ଶେନ ଓ୍ବାଟସନ ଆଉଟ ହୋଇଥିଲେ। ୨୧ଟି ବଲ୍‌ ଖେଳି ୧ ଚୌକା ଓ ୪ ଛକା ସହାୟତାରେ ସେ ୩୩ ରନ କରିଥିଲେ। ପରେ ମୁରଲୀ ବିଜୟ ୨୧(୨୧ ବଲ, ୩ ଚୌକା), ସାମ୍‌ କୁରାନ ୧୭(୬ ବଲ, ୧ ଚୌକା, ୨ ଛକା), ଋତୁରାଜ ଗାଏକ୍ୱାଡ ଡକ୍‌(୦) ଓ କେଦାର ଯାଦବ ୨୨(୧୬ ବଲ, ୩ ଚୌକା)ରେ ଆଉଟ ହେବାରୁ ଚେନ୍ନାଇ ଇନିଂସ ୧୩.୪ ଓଭର ବେଳକୁ ୧୧୪/୫ ହୋଇ ଯାଇଥିଲା। ଶେଷ ଭାଗରେ ଫାଫ୍‌ ଡୁପ୍ଲେସି ଷ୍ଟୋକ୍‌ପୂର୍ଣ୍ଣ ବ୍ୟାଟିଂ କରି ମ୍ୟାଚକୁ ଆକର୍ଷଣୀୟ କରିଥିଲେ। ମାତ୍ର ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥିଲା। ୩୭ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଡୁପ୍ଲେସି ୧ ଚୌକା ଓ ୭ ଛକା ସହାୟତାରେ ସର୍ବାଧିକ ୭୨ ରନ କରି ୧୯ତମ ଓଭରର ଶେଷ ବଲ୍‌ରେ ଆଉଟ ହୋଇଥିଲେ। ଶେଷ ଓଭରରେ ଧୋନୀ ୩ ଛକା ମାରିବାରୁ ଚେନ୍ନାଇ ସ୍କୋର ୨୦୦ ସ୍ପର୍ଶ କରିଥିଲା। ସେ ୧୭ ବଲ୍‌ରୁ ୨୯ ଓ ରବୀନ୍ଦ୍ର ଜାଡେଜା ୧ ରନରେ ଅପରାଜିତ ରହିଥିଲେ।
ରୟାଲ୍ସ ପକ୍ଷରୁ ରାହୁଲ ଟଓ୍ବୋଟିଆ ସର୍ବାଧିକ ୩ଟି ଏବଂ ଜୋଫ୍ରା ଆର୍ଚର, ଶ୍ରେୟାସ ଗୋପାଳ ଓ ଟମ୍‌ କୁରାନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସାମସନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ
ମ୍ୟାଚରେ ଚେନ୍ନାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଯୁବ ଓପନର ଯଶସ୍ବୀ ଜୟସ୍ବାଲ ମାତ୍ର ୬ ରନ କରି ଆଉଟ ହେବାରୁ ରାଜସ୍ଥାନ ୧୧ ରନରେ ପ୍ରଥମ ଉଇକେଟ ହରାଇଥିଲା। ମାତ୍ର ଏହାର ପ୍ରଭାବ ପରବର୍ତ୍ତୀ ବ୍ୟାଟ୍ସମ୍ୟାନଙ୍କ ଉପରେ ପଡ଼ି ନ ଥିଲା। ସଞ୍ଜୁ ସାମ୍‌ସନ କ୍ରିଜକୁ ଆସି ବିସ୍ଫୋରକ ବ୍ୟାଟିଂ କରି ଦ୍ରୁତ ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଥିଲେ। ତାଙ୍କୁ ଉପଯୁକ୍ତ ସହାୟତା କରିଥିଲେ ଅଭିଜ୍ଞ ଅଧିନାୟକ ଷ୍ଟିଭେନ ସ୍ମିଥ। ଚେନ୍ନାଇ ବୋଲରଙ୍କୁ ଧୁଲେଇ କରି ଦ୍ୱିତୀୟ ଉଇକେଟ ଯୋଡ଼ିରେ ଏ ଦୁହେଁ ୧୨୧ ରନର ଭାଗୀଦାରି ଗଢ଼ିଥିଲେ। ସାମସନ ମାତ୍ର ୧୯ ବଲ୍‌ରୁ ୫୦ ରନ ପୂରଣ କରିବାରୁ ରାଜସ୍ଥାନ ୯ ଓଭରରେ ମାତ୍ର ୧ ଉଇକେଟ ହରାଇ ୧୦୦ ସ୍କୋର ସ୍ପର୍ଶ କରିଥିଲା। ୩୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ସାମ୍‌ସନ ୧ ଚୌକା ଓ ୯ ଛକା ସହାୟତାରେ ୭୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ୧୨ତମ ଓଭରର ୪ର୍ଥ ବଲ୍‌ରେ ଦୀପକ ଚହରଙ୍କ ହାତରେ କ୍ୟାଚ କରାଇ ଲୁନ୍‌ଗି ଏନ୍‌ଗିଡି ଚେନ୍ନାଇକୁ ଏହି ପ୍ରତୀକ୍ଷିତ ବ୍ରେକ୍‌ ଥ୍ରୁ ଦେଇଥିଲେ। ଡେଭିଡ ମିଲର ଖାତା ଖୋଲିବା ପୂର୍ବରୁ, ରବିନ ଉଥପ୍ପା ୫, ରାହୁଲ ଟଓ୍ବୋଟିଆ ୧୦ ଓ ରିୟାନ ପରାଗ ୬ ରନ କରି ଆଉଟ ହେବାରୁ ୧୭ ଓଭର ବେଳକୁ ଚେନ୍ନାଇ ସ୍କୋର ୧୭୩/୬ ହୋଇ ଯାଇଥିଲା। ଇନିଂସ ଓପନ କରିଥିବା ସ୍ମିଥ ଏଠାରେ ସ୍ବାଭାବିକ ଢଙ୍ଗରେ ଖେଳି ସ୍କୋରକୁ ଆଗେଇ ନେଇଥିଲେ। ୧୯ତମ ଓଭର ବୋଲିଂ କରିଥିବା ସାମ୍‌ କୁରାନଙ୍କ ଦ୍ୱିତୀୟ ବଲ୍‌ରେ ସେ କେଦାର ଯାଦବଙ୍କୁ କ୍ୟାଚ ଦେଇ କ୍ରିଜ୍‌ ଛାଡ଼ିଥିଲେ। ସ୍ମିଥ ୪୭ ବଲ୍‌ରୁ ୪ଚୌକା ଓ ୪ ଛକା ସହାୟତାରେ ୬୯ ରନ କରିଥିଲେ। ସ୍ମିଥ ଆଉଟ ହେବାରୁ ରାଜସ୍ଥାନ ସ୍କୋର ୨୦୦ ଟପିବା ଆଶା ମଉଳିଥିଲା। ମାତ୍ର ଶେଷ ଓଭରରେ ଅବିଶ୍ୱସନୀୟ ବ୍ୟାଟିଂ କରିଥିଲେ ଜୋଫ୍ରା ଆର୍ଚର। ଏନ୍‌ଗିଡିଙ୍କ ଏହି ଓଭରରେ ସେ ୪ ଛକା ମାରି ଟମ୍‌ କୁରାନଙ୍କ ସହ ୩୦ ରନ ସଂଗ୍ରହ କରିଥିଲେ। ନର୍ଭସ ହୋଇଥିବା ଏନଗିଡ଼ିଙ୍କ ଏହି ଓଭର ୧୦ ବଲ୍‌ ବିଶିଷ୍ଟ ହୋଇଥିଲା। ଆର୍ଚର ୮ ବଲ୍‌ରୁ ୨୭ ରନ କରି ଅପରାଜିତ ରହିବାରୁ ରାଜସ୍ଥାନ ସ୍କୋର ୨୧୬ରେ ପହଞ୍ଚତ୍ ଯାଇଥିଲା। ଚେନ୍ନାଇ ପକ୍ଷରୁ ସାମ୍‌ କୁରାନ ସର୍ବାଧିକ ୩ଟି ଏବଂ ଦୀପକ ଚହର, ଏନ୍‌ଗିଡି ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶିବସୁନ୍ଦରଙ୍କୁ ଜାତୀୟ ଦଳର ଦାୟିତ୍ୱ

ଭୁବନେଶ୍ୱର, ୧୭।୫(କ୍ରୀଡ଼ା ପ୍ରତିନିଧି) – ଓଡ଼ିଶା କ୍ରିକେଟ ପାଇଁ ସୋମବାର ଆସିଛି ଏକ ଖୁସି ଖବର। ରାଜ୍ୟର ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରିକେଟର ଶିବସୁନ୍ଦର ଦାସଙ୍କୁ ଭାରତୀୟ...

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ପ୍ରତିଯୋଗୀଙ୍କ ଦ୍ୱାରା ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର, ୨୦।୨ (ସ୍ପୋଟର୍‌ସ ବ୍ୟୁରୋ)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି)ର ପ୍ରଥମ ସଂସ୍କରଣ ଶନିବାରଠାରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହେବ।...

୧୩୬ ବର୍ଷ ପୂର୍ବେ ସ୍ବାମୀ ବିବେକାନନ୍ଦ ଇଡେନ୍‌ ଗାର୍ଡେନରେ ନେଇଥିଲେ ୭ଟି ଉଇକେଟ୍‌

ସ୍ବାମୀ ବିବେକାନନ୍ଦ ମହାନ ବିଚାରକ, ହିନ୍ଦୁ ଧର୍ମ ଚିନ୍ତକ ଭାବେ ଜଣାଶୁଣା ଥିଲେ। ସାରା ବିଶ୍ୱରେ ଭାରତୀୟ ସଂସ୍କୃତି ଏବଂ ଆଧ୍ୟାତ୍ମିକତାର ସେ ପ୍ରଚାର କରିଥିଲେ।...

ବିଜୟ ହଜାରେ ଟ୍ରଫି: ଓଡ଼ିଶାର କ୍ରମାଗତ ଦ୍ୱିତୀୟ ପରାଜୟ

ଭୁବନେଶ୍ୱର, ୨୩।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁର ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଚାଲିଥିବା ବିଜୟ ହଜାରେ ଟ୍ରଫି ଏକଦିବସୀୟ ଘରୋଇ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା...

ବିସିସିଆଇ-ଏମିରେଟ୍ସ କ୍ରିକେଟ ଏମ୍‌ଓୟୁ ସ୍ବାକ୍ଷରିତ

ଦୁବାଇ, ୨୦ା୯ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ଏମିରେଟ୍ସ କ୍ରିକେଟ ବୋର୍ଡ ମଧ୍ୟରେ ଶନିବାର ଏକ ବୁଝାମଣା ପତ୍ର (ଏମଓୟୁ) ଏବଂ...

ସୁଦିରମାନ କପ୍‌ରେ ପଦକ ଲକ୍ଷ୍ୟରେ ଭାରତ

ନାନ୍ନିଙ୍ଗ (ଚାଇନା), ୧୮।୫(ପି.ଟି.)- ଚାଇନାର ନାନ୍ନିଙ୍ଗଠାରେ ରବିବାରଠାରୁ ସୁଦିରମାନ କପ୍‌ର ୧୬ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି। ଭାରତର ପି.ଭି. ସିନ୍ଧୁ, ସାଇନା ନେହ୍ବାଲ, କିଡାମ୍ବୀ...

ଧୋନୀଙ୍କ ପାଇଁ ପାଗଳ ପ୍ରଶଂସକ: ପ୍ରସ୍ତୁତ କଲେ ରାପ୍‌ ସଙ୍ଗ୍‌, ୟୁଟ୍ୟୁବରେ ମଚାଇଲା ଧୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ କ୍ରିକେଟକୁ ଫେରିବେ ତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଶଂସକମାନେ ମଧ୍ୟ ତାଙ୍କ...

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ୍‌ : ପ୍ରଥମ ଦିନରେ ପଡ଼ିଲା ୨୦ ଉଇକେଟ

ସିଡ୍‌ନୀ, ୧୧।୧୨(ପି.ଟି.)- ଶୁକ୍ରବାର ଏଠାରେ ଆରମ୍ଭ ହୋଇଯାଇଛି ଭାରତ ଓ ଅଷ୍ଟ୍ରେଲିଆ ‘ଏ’ ଦିବାରାତ୍ର ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ। ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିନରେ ପଡ଼ିଛି...

Advertisement
Archives

Model This Week