ବୈଜ୍ଞାନିକମାନେ ଗ୍ରହମାନଙ୍କର ବାସ୍ତବିକ ରଙ୍ଗ ଭାବେ ତାଲିକାଭୁକ୍ତ କରିଛନ୍ତି। ଏହି ଅନୁସାରେ ବୁଧ: ଧୁସର, ଶୁକ୍ର : ହଳଦିଆ ସହ ଧଳା, ପୃଥିବୀ: ନୀଳ ସହ ଧଳା, ମଙ୍ଗଳ: ନାରଙ୍ଗୀ ସହ ଲାଲ, ବୃହସ୍ପତି: ସାମାନ୍ୟ ବାଦାମୀ, ମାଟିଆ, ଲାଲ, ଶନି: ହାଲୁକା ସ୍ବର୍ଣ୍ଣିମ/ ହଳଦିଆ, ୟୁରାନସ: ସାମାନ୍ୟ ନୀଳ ଓ ଉଜ୍ଜ୍ୱଳ ଶାଗୁଆ ଏବଂ ନେପ୍ଚ୍ୟୁନ: ଗାଢ଼ ନୀଳ। ଗ୍ରହମାନଙ୍କ ରଙ୍ଗରେ ଭିନ୍ନତା ପଛରେ କାରଣ ହେଉଛି ସେମାନେ ଯେଉଁ ଉପାଦାନମାନଙ୍କ ଦ୍ୱାରା ଗଠିତ ସେଥିରେ ମେଳ ନାହିଁ। ପୁଣି ସେମାନଙ୍କ ପୃଷ୍ଠଦେଶ ଓ ବାୟୁମଣ୍ଡଳ ପରସ୍ପରଠାରୁ ପୃଥକ୍ ହୋଇଥିବାରୁ ସେମାନେ ସୂର୍ଯ୍ୟାଲୋକ ମଧ୍ୟରୁ ଅଲଗା ବର୍ଣ୍ଣମାନ ପ୍ରତିଫଳନ ଓ ଶୋଷଣ କରିଥାନ୍ତି। ସୂର୍ଯ୍ୟକୁ ଏକ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ବିଜ୍ଞାନ ବହିରେ ଏହା ଅତ୍ୟଧିକ ଉତ୍ତପ୍ତ ଓ ଧଳା ଭାବେ ଚିତ୍ରିତ ହୋଇଥାଏ। କିନ୍ତୁ ଜନପ୍ରିୟ ପୁସ୍ତକରେ ଏହା ଉଷ୍ଣ, ହଳଦିଆ ଭାବେ ଅଙ୍କିତ ହୋଇଥାଏ। ଦିନେ ଚନ୍ଦ୍ରକୁ କମନୀୟ, ମନଲୋଭା ବୋଲି ଉପସ୍ଥାପନା କରି ରୂପବତୀ ନାରୀ ସହ ତୁଳନା କରାଯାଉଥିଲା। କିନ୍ତୁ ବିଜ୍ଞାନ ପ୍ରମାଣ କଲା ତାହା ବନ୍ଧୁର, ଆବୁଡ଼ାଖାବୁଡ଼ା।
ଉପରୋକ୍ତ ସୌର ଗ୍ରହମାନଙ୍କ ବିବରଣୀରୁ ସ୍ପଷ୍ଟ ହୁଏ ଯେ, ସେମାନେ ଆମକୁ ଆତିଥେୟତା ପ୍ରଦାନ କରିବେ ନାହିଁ। କଳାକାରମାନଙ୍କ ଉଦ୍ଦେଶ୍ୟମୂଳକ କାଳ୍ପନିକ ଚିତ୍ରମାନଙ୍କ ବର୍ଣ୍ଣ ଦେଖି ଆମେ ରଙ୍ଗିନ ସ୍ବପ୍ନରେ ବିଭୋର ହେବା ଓ ସୁନେଲି ସ୍ବପ୍ନରେ ମସ୍ଗୁଲ ହେବା ଠିକ୍ ନୁହେଁ। ନିଷ୍ଠୁର ବାସ୍ତବତାକୁ ସ୍ବୀକାର କରିବାକୁ ଏଇ ବିଜ୍ଞାନ – ଯୁଗ ଆହ୍ବାନ ଦେଉଛି। ତେବେ ସାମ୍ପ୍ରତିକ ପରିସ୍ଥିତିରେ ପୃଥିବୀ ହେଉଛି ଆମ ପାଇଁ ଏକମାତ୍ର ବାସୋପଯୋଗୀ ସ୍ଥାନ। ଅବଶ୍ୟ ପୃଥିବୀ ନାନା ପ୍ରକାର ବିପଦର ସମ୍ମୁଖୀନ ହୁଏ, ଯଥା- ପରିକଳ୍ପିତ ମଙ୍ଗଳ ଗ୍ରହରେ କଲୋନି ଝଡ଼, ତୋଫାନ, ବନ୍ୟା, ଭୂମିକମ୍ପ, ଉଲ୍କାପାତ ଇତ୍ୟାଦି ପ୍ରାକୃତିକ ବିପଦ ଯାହାକି ବୈଜ୍ଞାନିକ ଉପାୟରେ ପ୍ରତିକାର ଦ୍ୱାରା ଲାଘବ କରାଯାଇପାରିବ। କିନ୍ତୁ ଏହି ସୁନ୍ଦର ସୃଷ୍ଟିରେ ବିଭ୍ରାଟ ପାଇଁ ମନୁଷ୍ୟକୃତ ବିପଦକୁ ରୋକିବା ଆମ ହାତରେ ଅଛି। ଏହି ପରିପ୍ରେକ୍ଷୀରେ ସବୁଜ ଗୃହ ପ୍ରଭାବ, ଆଣବିକ ଯୁଦ୍ଧ ଇତ୍ୟାଦି ଏଡ଼ାଇବା ଆମର ଧ୍ୟେୟ ହେବା ଉଚିତ। ପ୍ରକୃତିର ଧ୍ୱଂସସାଧନ ଜୀବଜଗତର ବିନାଶର କାରଣ ହେବ, ଏହା ଧ୍ରୁବ ସତ୍ୟ। ପୃଥିବୀ ବାସ୍ତବରେ ମଙ୍ଗଳମୟ ଜୀବନର ଜନକ ତଥା ରକ୍ଷକ ଭାବେ ଏକ ଅସାଧାରଣ ସୌର ଗ୍ରହ। ଏହି ଧ୍ରୁବ ସତ୍ୟ ଆମକୁ ସତତ ପ୍ରେରଣା ଦେଉ।
-ଡ. ନିଖିଳାନନ୍ଦ ପାଣିଗ୍ରାହୀ
ମୋ : ୯୪୩୭୭୪୨୪୯୯

