Posted inଫୁରସତ

ପରଫେକ୍ଟ ଯୋଡି…

ପରଘରେ ବଳେ ପଶି ବୁଦ୍ଧି ବତାଉଥିବା ବତାସ ମଉସା ଆଉ ମନ୍ଥରୀ ମାଉସୀ, ଏବେ ରହୁଛନ୍ତି ଜରାଶ୍ରମରେ l କେହି କୁହନ୍ତି ଆଜିର ସମାଜ ପିଲାଙ୍କ ଦୋଷ ତ କେହି କେହି କହନ୍ତି, କୃତ କର୍ମର ଫଳ ଭୋଗ। ଆଗରୁ ଅପରିଚିତ ଦୁହେଁ ଏକା ଜାତିର ଜାଣିଲା ପରେ, ସେମାନଙ୍କ ଭଲପାଇବା, ଗପସପ ହେବା ଅଧିକ ଜମି ଯାଇଛି l ମନ୍ଥରୀ ମାଉସୀ ପଚାରିଲେ, ହେ ଭାଇନା ! ତମ ଘରେ କିଏ କିଏ କ’ଣ କରନ୍ତି, ଟିକେ କହୁନା l

-ମୋ ସ୍ତ୍ରୀ ମରିବା, ତିନି ବରଷ ବିତିଲାଣି l ଗୋଟେ ଝିଅ ଦଶ ବର୍ଷ ତଳୁ ବାହାହେଇ ଜ୍ୱାଇଁ ସାଙ୍ଗେ ବିଦେଶରେ ରହେ l ଆଉ ଗୋଟେ ଗେଲବସରିଆ ମାତ୍ର ପଇଁତିରିଶ ବରଷର ଭେଣ୍ଡିଆ ପୁଅ କେତେବେଳେ ଘରେ ତ କେତେବେଳେ କାମରେ ବାହାରେ ରହେ l ଆଉ ତମ ଘରକଥା କ’ଣ କହୁନା l

-ମୋ କଥା କ’ଣ ଆଉ କହିବି! ଘରେ ପୁଅ, ବୋହୂ, ପାଞ୍ଚ ବର୍ଷର ନାତି। ତା’ ଛଡା ଅଲିଅଳି, ସୁନ୍ଦରୀ ମାତ୍ର ବତିଶ ବର୍ଷର ଗୁଣର ବାଡୁଅ ଝୁଅଟେ ଅଛି l ହେଲେ ଭାଇନା ! ତମ ପୁଅକୁ କିଆଁ ଏଯାଏ ବାହା ଦେଇନା ?

-କାଇଁ, ତା’ର ଏମିତି କୋଉ ବୟସ ଗଡି ଗଲାଣି କି? ଭଲ କନ୍ୟାରତ୍ନଟିଏ ମିଳିଲେ, କାମ ବଢ଼େଇ ଦିଅନ୍ତି l ମତେ କହୁଛ l ତମର ତ ବାଡୁଅ ଝୁଅ ଅଛି ନା l

-ହଁ ଭାଇନା l କଥାଟେ ଭାବୁଛି l ତମ ପୁଅ ଯଦି ସୁନ୍ଦର, ଯୋଗ୍ୟର ହୋଇଥିବ, ତେବେ କାମ ତୁଟେଇ ଆମେ ମିଶିକି ଏଇ ମାଗଣା ଖିଆ ଜରାଶ୍ରମରେ ବାକି ଦିନଗୁଡା ହସ ଖୁସିରେ ବିତେଇ ଦିଅନ୍ତେ l ଆଛା, ତମ ପୁଅ କ’ଣ କରନ୍ତି ?

-ମୋ’ ପୁଅ ଭାରି ଧୁରନ୍ଧର.. ସର୍ବ ବିଦ୍ୟାରେ ପାରଙ୍ଗମ l

-ଆଛା ! ତେବେ ଖୁବ୍‌ ଭଲକଥା l ହେଲେ ତା’ର କିଛି ଖରାପ ଗୁଣ ନାହିଁ ତ ?

-ହେ.. ନା l ମୁଁ କେତେବେଳେ ମିଛ କହେ ଯେ, ଆଜି କହିବି l ସିଏ ଖାଲି ଜର୍ଦ୍ଦା କଡା ବାସ୍ନା ପାନ ଖଣ୍ଡେ ଖଣ୍ଡେ ଖାଏ l ବେଳେବେଳେ ସିଗାରେଟ୍‌ ଟାଣେ l

-କ’ଣ? ତମ ପୁଅ ଜର୍ଦ୍ଦା କଡାପାନ ଖାଏ… ସିଗାରେଟ୍‌ ଟାଣେ ?

-ତ କ’ଣ ହୋଇଗଲା? ସେ କ’ଣ ସବୁବେଳେ ପାନ, ସିଗାରେଟ୍‌ ଖାଏ? ଯେତେବେଳେ ଡ୍ରିଙ୍କ୍ସ କରେ, ସେତେବେଳେ ସିଗାରେଟ୍‌ ଟାଣେ l ଆଉ ମଦ -ସିଗାରେଟ୍‌ ଗନ୍ଧ, ଅନ୍ୟ ଭଦ୍ରଲୋକଙ୍କ ନାକରେ ନ ବାଜିବାକୁ ଜର୍ଦ୍ଦା ବାସ୍ନା ପାନ ଖାଇଥାଏ l

– ଓ.. ରେ.. ବାବା! ତମ ପୁଅ ଡ୍ରିଙ୍କ୍ସ କରେ ? ମାନେ ମଦ ବି ପିଏ ?

-ମଲା, ସେ କ’ଣ ସବୁବେଳେ ଡ୍ରିଙ୍କ୍ସ କରେ ନା କ’ଣ? ଯେତେବେଳେ ନାଇଟ କ୍ଲବ… ଡ୍ୟାନ୍ସ ହୋଟେଲ ଯାଏ, ସେତେବେଳେ ଡ୍ରିଙ୍କ୍ସ କରେ l

-ହେ ଭଗବାନ! ତମ ପୁଅ ହୋଟେଲ ଯାଏ, ଡ୍ୟାନ୍ସ କରେ.. ନାଇଟ କ୍ଲବ ବି ଯାଏ?

-ଏଁ…? ଭଗବାନଙ୍କୁ କାଇଁ ଡାକୁଛ ? ଆରେ ସିଏ କ’ଣ ସବୁବେଳେ ହୋଟେଲ କ୍ଲବ ଯାଇ ଡ୍ୟାନ୍ସ କରେ ? ଯେତେବେଳେ ତା’ ଗର୍ଲ ଫ୍ରେଣ୍ଡ ଡାକେ,-ସେତେବେଳେ କ୍ଲବ ଯାଏ, ଡ୍ୟାନ୍ସ କରେ, ଡ୍ରିଙ୍କ୍ସ କରେ l

-କି କଥା ! ତମ ପୁଅ ଗର୍ଲ ଫ୍ରେଣ୍ଡ ସାଙ୍ଗେ କ୍ଲବ ଯାଏ… ଡ୍ରିଙ୍କ୍ସ କରି ଡ୍ୟାନ୍ସ କରେ ?

-କ’ଣ ଏମିତିକା କଥା କହୁଛ? ତା’ର କ’ଣ ଛୋଟ ହୃଦୟ ଯେ ଜଣଙ୍କ ସାଥୀରେ ଯାଏ? ଅନେକଙ୍କ ଭିତରୁ ଯିଏ ଯୋଉଦିନ ଡାକେ, କେବଳ ତାଙ୍କ ଖୁସିପାଇଁ ଯାଏ, ପିଏ… ନାଚେ l ଏମିତି କି ସେମାନଙ୍କ ଆନନ୍ଦ ଖୁସିପାଇଁ ଚୋରି କରିବାକୁ ବି ଡରେନି l

-କ’ଣ କହୁଛ ଭାଇନା! ପୁଅ ତମର ଚୋରି ବି କରେ?

-ହେ ହେ l ତମେ ତାକୁ ଚୋର ବୋଲି କହିପାରିବନି l ସେ କ’ଣ ସବୁବେଳେ ଚୋରିକରେ? ଯେତେବେଳେ ଫ୍ରେଣ୍ଡମାନଙ୍କ ସହ ମିଶି ଡ୍ରଗ୍ସ ଖାଏ, ଟଙ୍କାର ଅଭାବ ହୁଏ- ଖାଲି ସେତିକିବେଳେ ଚୋରିକରେ l ଧରାପଡ଼ି ବେଳେବେଳେ ଥାନା… ଜେଲଖାନା ଯାଏ l

-ହେ ଭାଇନା ! ତମ ପୁଅ ତ ସବୁଥିରେ ପାରଙ୍ଗମ ! ଡ୍ରିଙ୍କ୍ସ , ଡ୍ରଗ୍ସ, ଡ୍ୟାନ୍ସ, ଚୋରି, ନାରୀ ଠୁ ଥାନା -ଜେଲଖାନା ବି ଆସୁଛି ଦର୍ଶନ କରି l ଆରେ ନା ନା… ଢେର ଦିନ ରହି ଆସୁଥିବ ଅନୁଭୂତି ଧରି !

-ହାଁ.. ମୁଁ ଆଗୁଆ କହିଛି ନା l ତା’ର ବହୁତ ଅଭିଜ୍ଞତା… ସବୁଥିରେ ପାରଙ୍ଗମ l ହଉ ଛାଡ଼ l ତମ ଝୁଅ କେମିତିକା ଟିକେ କହିଲ !

-ଭାଇନା! ମୋ ଝୁଅ କୋଉ ଗୁଣରେ ଊଣା… କହୁନା! ତା’ର ଏତେ ଜ୍ଞାନ… ଏତେ କଥା ସେ ଜାଣେ ଯେ, ଗାଁ ଦାଣ୍ଡରେ ଲୋକମାନେ ରୁଣ୍ଡ ହୋଇ ତା’ କଥା ଶୁଣନ୍ତି l ସେ ଲାଜ ନ କରି ମୁହଁରେ ସଫା ସଫା କହେ l କାହାକୁ ଡରେନି କି ସରମ କରେନି l ଯାହା ଘରକୁ ଯିବ… ତା’ ଘର ଅବସ୍ଥା ବଦଳିଯିବ l ସମସ୍ତେ ପାଟି ଚୁପକରି ଖାଲି ତା’ କଥା ଶୁଣିବେ। ମୋ ଝୁଅ ପୂରା ଷୋଳକଳା ନେଇ ଜନମ ହେଇଛି l ତମ ପୁଅ, ତା’ କୋଉ ଗୁଣକୁ ସରିହବ କହିଲ ?

-ଏଁ…! ତମ ଝୁଅଠି ଯେବେ ଏତେ ଗୁଣ ରହିଛି ଭରି, ତେବେ ଆଉ କାଇଁ କରୁଚ ଡେରି? କାଲି ଚାଲ l ତାକୁ ମୋ ପୁଅ ସାଙ୍ଗରେ ଫିଟ୍‌ କରେଇ, ମନ୍ଦିରରେ ମୁଦି ପିନ୍ଧେଇ, ମାଳା ଯୋଡ଼େ ବଦଳେଇ କାମ ସାରିଦେବା l ମତେ ଖାଲି ଏତିକି କୁହ, ସେ କି ଜ୍ଞାନ କଥା କହେ ଯେ, ତା’ କଥା ଏତେଲୋକ ଶୁଣନ୍ତି l

-ମଲା, ଏଇ କଥା l ହଉ ଗୋଟେ ଉଦାହରଣ ଦେଉଛି ଶୁଣ l ତାକୁ ଯଦି ତା’ ଭାଇ କି ଭାଉଜ ଘରଭିତରେ ଚୁପ କିନା କ’ଣ ପଚାରନ୍ତି, ତା’ର ଭଲଗୁଣ ହେଲା… ସେ ଟୁପୁରୁ ଫୁସୁରୁ ହେଇ କାନରେ ନ କହି ସିଧା ଦାଣ୍ଡରେ ଆସି ଠିଆ ଠିଆ ଉଚ୍ଚ ସ୍ବରରେ ବିଶୁଦ୍ଧ ଶବ୍ଦରେ ଢଗ ଢମାଳି ଗାଇ, ଆକ୍ସନ କରି ଅଙ୍ଗ ପ୍ରତ୍ୟଙ୍ଗ ହଲେଇ ଏମିତିକା କହିବ ଯେ, ଆଛା ଆଛା ମହାନ୍‌ ମଞ୍ଚ କଳାକାର ତା’ ପାଶଙ୍ଗରେ ପଡିବେନି l ଏମିତି ମନମୁଗ୍ଧୋକର ଦୃଶ୍ୟ ଦେଖିବାକୁ ଘରକାମ ଛାଡି ମାଇପେ, ପଢ଼ାପଢି ଛାଡି ପିଲାଏ, କାମଧନ୍ଦା ଛାଡି ମରଦମାନେ ଧାଇଁ ଆସନ୍ତି l ଥରେ ପୁଅ ବୋହୂ ତା’ ନାଁରେ ଥାନାରେ ଏତଲା ଦେଲେ ସତ, ମାତ୍ର ଘଣ୍ଟାଏ ଭିତରେ ପୁଲିସିବାବୁ ଗୁଣ ଚିହ୍ନା ଗୁଣୀଜନ ବୋଲି ମୋ ଝିଅ ଗୁଣକୁ ଜାଣିପାରି, ହାତଯୋଡ଼ି କ୍ଷମାମାଗି ଚୁପ ହେଇଯିବାକୁ ଅନୁରୋଧ କରି, ଓଲଟି ମୋ ପୁଅ ବୋହୂକୁ ବୁହାଏ ଗାଳିକରି ଚାଲିଗଲେ l ତା’ ଭଳି ଗୁଣର ଝୁଅ… ଭାଗ୍ୟରେ ଥିଲେ ପାଇ l

-ଆରେ ବାଃ! ତା’ ହେଲେ ସେଇ ଝୁଅ, ମୋ ପୁଅ ପାଇଁ ପରଫେକ୍ଟ। ଥାନା ହାଜତରୁ ମୋ ପୁଅକୁ ଆଣିପାରିବ l ତା’ ଭାଲେଣ୍ଟାଇନି ପରବ ପାଳିବା ଛଡେଇ, ସାଙ୍ଗରେ ମିଶି ଜାଗର ଜାଳିପାରିବ l ଆଉ ତା’ ପାଇଁ ତମ ଝୁଅ… ସାବିତ୍ରୀ ଓଷା କରିପାରିବ l ଦୁହିଁଙ୍କର ଏଇ ଯୋଡି… ମ୍ୟାଚିଂ ସଂସାର ଗାଡି… ମତେ ଲାଗୁଛି ଘିଡ଼ି ଘିଡ଼ି ହେଇ ଆଗକୁ ପାରିବ ଗଡ଼ି l

-ତମେ ସତ କହୁଛ ?

-ହଁ ହଁ ସତ କହୁଛି l ଏବେ ସମୁଦୁଣୀ ବୋଲି ଡାକି ଦେଉଛି l ଆହେ! ଯେମିତି କୋଉ ବର -କନିଆଁ ଉଭୟଙ୍କର ମଙ୍ଗଳଦୋଷ ଥିଲେ ତାଙ୍କୁ ବାହାକଲେ, କେହି ମରନ୍ତିନି କି ଛାଡ଼ପତ୍ର ହୁଅନ୍ତିନି.. ଠିକ ସେମିତି ଏମାନେ ଟଣାଟଣି ହୋଇ ଚାଲିବେ.. ଏ କଥା ଖୋଦ୍‌ ତମ ଆଖି ଦେଖିବ… l

-ମଙ୍ଗରାଜପୁର, ପୁରୀ
ମୋ: ୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଏକ ରହସ୍ୟମୟ ଗାଁ, ଯେଉଁଠି ଚାଲିଯାଏ ଲୋକଙ୍କ ଦୃଷ୍ଟିଶକ୍ତି! କାରଣ ଜାଣିଲେ ହେବେ ଚକିତ

ମେକ୍ସିକୋର ଏକ ଦୂରଦୂରାନ୍ତ ଗାଁକୁ ନେଇ ଦୀର୍ଘଦିନ ଧରି ଏକ ରହସ୍ୟମୟ କାହାଣୀ ପ୍ରଚଳିତ ରହିଛି। କୁହାଯାଏ, ଏଠାରେ ଲୋକଙ୍କ ସହ ପଶୁମାନଙ୍କର ମଧ୍ୟ ଦୃଷ୍ଟିଶକ୍ତି ଚାଲିଯାଉଥିଲା।…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?