ଲୋକ ଦୋଷୀ, ସରକାର ଅସହାୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୧୫ରେ ଲାଲକିଲ୍ଲା ପ୍ରାଚୀର ଉପରୁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଅନେକ ବିଷୟ ଅବତାରଣା କରିଛନ୍ତି। ତେବେ ପୂର୍ବରୁ ରହିଆସିଥିବା ତାଙ୍କ ସ୍ଲୋଗାନ ‘ସବ୍‌ କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ ସହ ‘ସବ୍‌ କା ପ୍ରୟାସ’ ଭଳି ଆଳଙ୍କାରିକ ଶବ୍ଦ ଯୋଡ଼ି ‘ଆଜାଦି କୀ ଅମୃତ ମହୋତ୍ସବ’ ପାଳନ କରିଛନ୍ତି ବୋଲି କୁହାଯାଉଛି।
ଏଠାରେ ‘ସବ୍‌ କା ପ୍ରୟାସ’ ଭଳି ବାକ୍ୟାଂଶର ଅର୍ଥ ବୁଝାଯିବା ଦରକାର। ମଣିଷର ମନସ୍ତାତ୍ତ୍ୱିକ ଅବସ୍ଥାକୁ ଦେଖିଲେ ‘ବେନ୍‌ ଫ୍ରାଙ୍କ୍‌ଲିନ୍‌ ଇଫେକ୍ଟ’ ମନେପଡ଼େ। କୁହାଯାଏ ଯଦି ଜଣେ ବ୍ୟକ୍ତିଙ୍କୁ ଆମେ ଅନୁଗ୍ରହ ଦେଖାଇଥାଉ, ତାଙ୍କ ପ୍ରତି ଆମ ହୃଦୟରେ ସମବେଦନା ସୃଷ୍ଟି ହୁଏ। ଏଥିରୁ ବୁଝିବାକୁ ହେବ ଯେ, ଲୋକଙ୍କ ବିଶ୍ୱାସଭାଜନ ହେବାକୁ ହେଲେ ନିୟମିତ ଭାବେ ତାଙ୍କଠାରୁ ବିଭିନ୍ନ କାର୍ଯ୍ୟରେ ସହଯୋଗ ମାଗିବା, ତାହା ହେଲେ ସେମାନେ ନିଜକୁ ସହଯୋଗ ମାଗୁଥିବା ବ୍ୟକ୍ତିଙ୍କଠାରୁ ଉଚ୍ଚ ମନେକରି ଗର୍ବିତ ହୋଇଥାଆନ୍ତି। ଏହା ଏକ ଚତୁର ପଦ୍ଧତି, ଯାହାଦ୍ୱାରା ଜଣେ ଶକ୍ତିଶାଳୀ ବ୍ୟକ୍ତି ନିଜର କର୍ତ୍ତବ୍ୟ ଠିକ୍‌ ଭାବେ ତୁଲାଇବା ପରିବର୍ତ୍ତେ ଅନ୍ୟ ବେକରେ ଜୁଆଳି ପକାଇ ଦିଅନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ଅବଦାନକୁ ଗୁରୁତ୍ୱ ଦେବାକୁ ଯାଇ ସର୍ବଦା ସବୁକିଛି ସେମାନଙ୍କ ଉପରେ ଲଦି ଦେଉଛନ୍ତି। ଯଦି ସରକାରରେ କିଛି ବିଫଳତା ହେଲା ତାହା ଲୋକଙ୍କ ବିଫଳତା ବୋଲି ବୁଝାଯାଉଛି। ଗତ କିଛି ବର୍ଷ ତଳକୁ ଅନିଶା କଲେ ଏହିପରି ଅନେକ ବିଷୟ ଆଲୋଚନା ପରିସରକୁ ଆସିପାରିବ। ‘ସ୍ବଚ୍ଛ ଭାରତ’ କେନ୍ଦ୍ର ସରକାରଙ୍କ ଏକ ଅଭିଯାନ ଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପାଣ୍ଠି ଯୋଗାଡ଼ ସକାଶେ ନାଗରିକଙ୍କ ଉପରେ ଉପଟିକସ ବସାଯାଇଥିଲା। କିନ୍ତୁ ପରିଷ୍କାର ପରିଚ୍ଛନ୍ନତା ଅଭିଯାନ ସମ୍ପୂର୍ଣ୍ଣ ବିଫଳ ହୋଇଯାଇଛି। ନୂଆଦିଲ୍ଲୀର ରେଳ ଷ୍ଟେଶନ ପ୍ରସ୍ଥାନପଥଠାରୁ ଆରମ୍ଭକରି ଓଡ଼ିଶାର ବ୍ରହ୍ମପୁରର ରାସ୍ତାଘାଟକୁ ଦେଖିଲେ ଏହାର ପ୍ରମାଣ ମିଳିଯିବ। ସେତେବେଳେ ପ୍ରତ୍ୟେକ ନାଗରିକଙ୍କୁ ବର୍ଷକୁ ୧୦୦ ଘଣ୍ଟା ସ୍ବଚ୍ଛତା ଅଭିଯାନ ପାଇଁ ଦେବାକୁ କୁହାଯାଇଥିଲା। ଏବେ ସେହି ବିଫଳତାକୁ ଅଧିକାଂଶ ଭାରତୀୟ ମନେପକାଇପାରୁ ନାହାନ୍ତି।
ପ୍ରଧାନମନ୍ତ୍ରୀ ଏଲ୍‌ପିଜି ସବ୍‌ସିଡି ପରିତ୍ୟାଗ କରିବାକୁ ଆହ୍ବାନ ଦେଇଥିଲେ। ତା’ ପରେ ଲୋକେ ବାଉଳା ହୋଇ ସାଙ୍ଗସାଥି ଓ ବନ୍ଧୁମାନଙ୍କୁ ପଚାରିବା ଆରମ୍ଭ କଲେ ସେମାନେ ସବ୍‌ସିଡି ଛାଡ଼ିଛନ୍ତି ନା ନାହିଁ। ଆମେ ସମସ୍ତେ ଏହା ଭଲ ଭାବେ ଜାଣିଛେ ଯେ, ସବ୍‌ସିଡି ଛାଡ଼ିବା କେଉଁ ସ୍ତରକୁ ଗଲା ଓ ତାହା ଦ୍ୱାରା କେଉଁ କର୍ପୋରେଟ୍‌ କିଭଳି ଲାଭାନ୍ବିତ ହେଲେ। ଏହି ଦାୟିତ୍ୱ ନାଗରିକଙ୍କ ଉପରେ ଛାଡ଼ି ଦିଆଯାଇଥିଲା। ଏବେ ଯଦି କେହି ପ୍ରଶ୍ନ କରନ୍ତି ଯେ, ସବ୍‌ସିଡି ପରିତ୍ୟାଗ କରିବା ଦ୍ୱାରା କେଉଁମାନେ ଉପକୃତ ହେଲେ, ସେତେବେଳେ ଜନସାଧାରଣଙ୍କ ଦେଶପ୍ରୀତି କାର୍ଯ୍ୟକଳାପକୁ ପ୍ରଶ୍ନ କରାଗଲା ଭଳି ପ୍ରତୀୟମାନ ହେବ। ବାସ୍ତବ କଥା ହେଉଛି ଯେ, ସମସ୍ତେ ସବ୍‌ସିଡି ତ୍ୟାଗ କରିବା ସତ୍ତ୍ୱେ ଏଲ୍‌ପିଜି ସିଲିଣ୍ଡରର ଅହେତୁକ ଦରବୃଦ୍ଧି ଯୋଗୁ ଗରିବ ଲୋକଙ୍କ ରୋଷେଇ ଘରେ ଆଉ ଗ୍ୟାସ୍‌ ଚୁଲା ଦେଖିବା କଷ୍ଟକର। ଯେଉଁମାନେ ସବ୍‌ସିଡି ପାଇବା ଯୋଗ୍ୟ ସେମାନେ ନିଜର ବ୍ୟାଙ୍କ ଆକାଉଣ୍ଟକୁ ଦେଖିଲେ ମାତ୍ର ୧୩/୧୪ ଟଙ୍କା ଆସୁଥିବାର ଲକ୍ଷ୍ୟ କରୁଥିବେ।
୮ ନଭେମ୍ବର ୨୦୧୬ରେ ପ୍ରଧାନମନ୍ତ୍ରୀ ବିମୁଦ୍ରୀକରଣ ଘୋଷଣା କରିବା ବେଳେ ଦେଶବାସୀଙ୍କୁ କ’ଣ କହିଥିଲେ ଏଠାରେ ମନେପକାଇ ଦିଆଯାଇପାରେ। ଦେଶର ସ୍ବାର୍ଥକୁ ଦେଖିଲେ ଲୋକଙ୍କୁ କିଛି ସମୟ ପାଇଁ କଷ୍ଟ ସହିବାକୁ ପଡ଼ିବ ଓ ୫୦ ଦିନ ଧୈର୍ଯ୍ୟ ଧରିବାକୁ ସେ ଆହ୍ବାନ ଦେଇଥିଲେ। ଲୋକେ ମଧ୍ୟ ଧରିନେଲେ ଯେ ସେମାନଙ୍କ ତ୍ୟାଗ ଦ୍ୱାରା କଳାଧନ, ଆତଙ୍କବାଦ ଓ ନକଲି ନୋଟ୍‌କୁ ରୋକିବାରେ ସକ୍ଷମ ହେବା ସହ ଦୁର୍ନୀତି ବନ୍ଦ କରାଇଦେବ। କିନ୍ତୁ ଫଳାଫଳ ଦେଶବାସୀ ଭୋଗୁଛନ୍ତି। ଜଣେ ବ୍ୟକ୍ତିଙ୍କ ଏଭଳି ନିଷ୍ପତ୍ତି ଯୋଗୁ ଆଜି ଭାରତୀୟ ଅର୍ଥନୀତି ତଳିତଳାନ୍ତ ହୋଇଯାଇଛି। ସେହିଭଳି ଭାବେ କୋଭିଡ୍‌-୧୯ ଦେଖାଦେବା ପରେ ପ୍ରଧାନମନ୍ତ୍ରୀ ରାତାରାତି ଲକ୍‌ଡାଉନ୍‌ ଘୋଷଣା କରିଦେଲେ। ଏହାଦ୍ୱାରା ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେ। ଏପରି କି ଭୂତାଣୁକୁ ନିପାତ କରିଦେବା ସକାଶେ ଥାଳି ବାଡ଼େଇବା, ରାତି ୯ଟା ୯ ମିନିଟ୍‌ରେ ବିଜୁଳି ବନ୍ଦ କରିଦିଆଯାଇ ଦୀପ ଜାଳିବା ଭଳି ଅବାଞ୍ଛିତ ଦାୟିତ୍ୱ ନାଗରିକଙ୍କୁ ଦିଆଗଲା। ଏଥିରେ ଅନେକ ମୁଖ୍ୟମନ୍ତ୍ରୀ, ତନ୍ତ୍ରୀ, ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ସନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ‘ଘୋ’ରେ ମାତିଲେ। କେହି ଜଣେ ପ୍ରଶ୍ନ କଲେ ନାହିଁ ଯେ, ଏଭଳି ପାଗଳାମିରେ ଆମେ କାହିଁକି ସାମିଲ ହେଉଛେ। ସେମାନେ ଭୁଲିଗଲେ ଯେ, ଇତିହାସରେ ସେମାନେ ସର୍ବଦା ଉପହସିତ ହୋଇ ୟୁଟ୍ୟୁବ୍‌ରେ ରହିବେ। ପ୍ରଧାନମନ୍ତ୍ରୀ ସେମାନଙ୍କଠାରୁ ଅନୁଗ୍ରହ ଚାହୁଁଛନ୍ତି ବୋଲି ଭାବି ଖୁସିରେ ଗଦ୍‌ଗଦ୍‌ ହୋଇ ଲୋକେ ତାଙ୍କ କଥାରେ ମାତିଗଲେ। କିନ୍ତୁ ଯେତେବେଳେ ସଂକ୍ରମଣ ବଢ଼ି କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା, ସେତେବେଳେ ଅମ୍ଳଜାନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ଦେଖାଦେଲା। ସେହି ସମୟରେ ସରକାରଙ୍କ ଦାୟିତ୍ୱହୀନତାଠାରୁ ଲୋକଙ୍କ ବେପରୁଆ ମନୋଭାବକୁ ପ୍ରଶ୍ନ କରାଗଲା। ବାସ୍ତବ ବିଫଳତାଠାରୁ ଦୃଷ୍ଟି ହଟେଇବା ସକାଶେ କୁହାଗଲା ଲୋକେ ମାସ୍କ ପିନ୍ଧୁ ନାହାନ୍ତି ଓ ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି। ସବୁ ଗଣମାଧ୍ୟମରେ ବଜାର ଭିଡ଼ର ଚିତ୍ର ବାରମ୍ବାର ପ୍ରସାରିତ କରାଗଲା-ଲୋକ ଦୋଷୀ, ସରକାର ଅସହାୟ।
ଅନୁରୂପ ଭାବେ ‘ବେଟି ବଚାଓ, ବେଟି ପଢ଼ାଅ’ ଧ୍ୱନି ମଧ୍ୟ ଲୋକଙ୍କ ଉପରେ ଲଦି ଦିଆଯାଇ ଝିଅମାନଙ୍କ ଦାୟିତ୍ୱ ମାତାପିତା ଓ ଅଭିଭାବକ ନିଅନ୍ତୁ ବୋଲି କୁହାଗଲା। ସତେଯେମିତି ସେମାନଙ୍କ ଉପରେ ପୂର୍ବରୁ ଦାୟିତ୍ୱ ନ ଥିଲା। କେହି ଜଣେ ପ୍ରଶ୍ନ ଉଠାଇଲେ ନାହିଁ ଯେ, ସରକାର କନ୍ୟା ସନ୍ତାନମାନଙ୍କ ପାଇଁ କେଉଁ ବିଶେଷ କାର୍ଯ୍ୟକ୍ରମ ହାତେଇଛନ୍ତି।
ପୁନର୍ବାର ଦୋହରାଯାଇପାରେ ଯେ, ଏହିଭଳି ସବୁ ଯୋଜନାରେ ଜନସାଧାରଣଙ୍କୁ ସାମିଲ କରାଯାଉଛି ବୋଲି ସରକାର ଖୋଲାଖୋଲି ବାରମ୍ବାର କହିବା ଦ୍ୱାରା କୌଣସି କାର୍ଯ୍ୟକ୍ରମ ବିଫଳ ହେଲେ ତାହା ଲୋକଙ୍କ ବିଫଳତା ବୋଲି ଧରାଯାଉଛି। ଏବଂ ସରକାର ତାଙ୍କ ଦାୟିତ୍ୱବୋଧତାଠାରୁ ସୁରୁଖୁରୁରେ ଦୂରେଇ ଯାଉଛନ୍ତି। ସେଥିପାଇଁ ୧୫ ଅଗଷ୍ଟ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିଲେ ମନେହେଉଛି ଯେହେତୁ ପୂର୍ବର ‘ସବ୍‌ କା ବିକାଶ’ ଏବେ ‘ବିକାଶ’ କୁଆଡ଼େ ଗଲା ତାଚ୍ଛଲ୍ୟରେ ପରିଣତ ହୋଇଗଲାଣି, ସେଥିପାଇଁ ଏବେ ‘ସବ୍‌ କା ପ୍ରୟାସ’ ସ୍ଲୋଗାନ ଜନ୍ମ ହେଲା। ଏବେ ପ୍ରୟାସର ଦାୟିତ୍ୱ ଲୋକଙ୍କ ମୁଣ୍ଡ ଉପରେ ପଡ଼ିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri