ବିକଶିତ ଓଡ଼ିଶାର ମାର୍ଗ

ଡ. ଅମରେନ୍ଦ୍ର ଦାସ

୨୦୩୬ରେ ଓଡ଼ିଶାକୁ ଶହେ ବର୍ଷ ପୂରିବ। ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ବା ମଧ୍ୟବିତ୍ତ ରାଜ୍ୟରେ ପରିଣତ କରିବାକୁ ହେଲେ ଆମକୁ ସେଥିପାଇଁ ଉପାୟ ଚିନ୍ତା କରିବାକୁ ପଡ଼ିିବ। ଏହି ପରିପ୍ରେକ୍ଷୀରେ ଆମ ରାଜ୍ୟର ସ୍ବାଧୀନତା ପରବର୍ତ୍ତୀ ସମୟର ବିକାଶଧାରାକୁ ମୂଲ୍ୟାୟନ କରିବାକୁ ହେବ ଓ ବିକାଶର ଅନ୍ୟସବୁ ମାର୍ଗ ବିଷୟରେ ଆଲୋଚନା କରିବାକୁ ହେବ। ଆମ ରାଜ୍ୟକୁ ଅନୁକୂଳ ହେଲା ଭଳି ବିକାଶର ଏକ ଠିକ୍‌ ମାର୍ଗ ବାଛିବାକୁ ହେବ।
୧୯୫୦ ଦଶକରେ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ମୁଣ୍ଡପିଛା ଆୟର ପାଖାପାଖି ୯୦ ପ୍ରତିଶତ ଥିଲା। ୧୯୮୦ ଦଶକରୁ ଆରମ୍ଭ କରି ଓଡ଼ିଶାର ତୁଳନାତ୍ମକ ସ୍ଥିତି କ୍ରମଶଃ ବିଗିଡ଼ିବାରେ ଲାଗିଲା। ୨୦୦୨-୦୩ ବେଳକୁ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟର ମାତ୍ର ୬୩ ପ୍ରତିଶତକୁ ଖସିଆସିଲା। ୨୦୦୩-୦୪ଠାରୁ ଆରମ୍ଭ କରି ଓଡ଼ିଶାର ସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି ଏବଂ ୨୦୨୦-୨୧ ଆର୍ଥିକ ସର୍ବେକ୍ଷଣ ତଥ୍ୟ ଅନୁସାରେ ଓଡ଼ିଶାର ମୁଣ୍ଡପିଛା ଆୟ ଜାତୀୟ ଆୟର ପାଖାପାଖି ୭୮ ପ୍ରତିଶତରେ ପହଞ୍ଚତ୍ଛି। ଆମେ କିନ୍ତୁ ଜାଣି ରଖିବାକୁ ହେବ ଯେ, ମୁଣ୍ଡପିଛା ଆୟ ସୂଚକାଙ୍କଟି ଅଧିକାଂଶ ସମୟରେ ଅନେକ ସମାଲୋଚନାର ଶିକାର ହୋଇଥାଏ। ଏହାର କାରଣ ହେଲା ମୁଣ୍ଡପିଛା ଆୟ ରାଜ୍ୟର ମୋଟ ଆୟକୁ ମୋଟ ଜନସଂଖ୍ୟା ଦ୍ୱାରା ଭାଗ କରି ହିସାବ କରାଯାଇଥାଏ। ଫଳରେ ଏହା ରାଜ୍ୟ ଭିତରେ ଥିବା ନାଗରିକମାନଙ୍କ ମଧ୍ୟରେ ଆୟର ବଣ୍ଟନକୁ ପ୍ରତିଫଳିତ କରି ନ ଥାଏ। ଉଦାହରଣ ସ୍ବରୂପ ଯଦି ଗୋଟିଏ ରାଜ୍ୟରେ ମାତ୍ର ଦୁଇଜଣ ନାଗରିକ ଥାଆନ୍ତି ଏବଂ ଜଣଙ୍କର ଆୟ ଏକ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣଙ୍କର ଆୟ ଏକ ହଜାର ଟଙ୍କା ହୋଇଥାଏ, ତେବେ ରାଜ୍ୟର ମୁଣ୍ଡପିଛା ଆୟ ୫୦,୫୦୦ ଟଙ୍କା ହେବ। ତେଣୁକରି ମୁଣ୍ଡପିଛା ଆୟ ବାସ୍ତବିକ ସ୍ଥିତିକୁ ଦର୍ଶାଇ ନ ଥାଏ। ସେଥିପାଇଁ ଅନେକ ସମୟରେ ବିକାଶର ସୂଚକାଙ୍କ ହିସାବରେ ମୁଣ୍ଡପିଛା ଆୟ ବ୍ୟତୀତ ମାନବସମ୍ବଳ ବିକାଶର ଅନ୍ୟସବୁ ସୂଚକାଙ୍କକୁ ଆଲୋଚନାର ପରିସରଭୁକ୍ତ କରାଯାଇଥାଏ। ଏହି କ୍ରମରେ ମୁଣ୍ଡପିଛା ବ୍ୟୟକୁ ଆମେ ନେଇପାରିବା। ମୁଣ୍ଡପିଛା ବ୍ୟୟ ସାଧାରଣତଃ ଆର୍ଥିକ ଶିଡ଼ିର ନିମ୍ନବର୍ଗରେ ଥିବା ଗୋଷ୍ଠୀର ବ୍ୟୟ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାଏ। ତେଣୁକରି ଏହା ଆୟର ବଣ୍ଟନକୁ ଅନେକାଂଶରେ ଦର୍ଶାଇଥାଏ।
ଆମ ରାଜ୍ୟର ମାସିକ ମୁଣ୍ଡପିଛା ବ୍ୟୟକୁ ଜାତୀୟ ସ୍ତର ସହିତ ତୁଳନା କଲେ ଫଳାଫଳ ଓଡ଼ିଶା ପାଇଁ ଶୁଭଙ୍କର ଜଣାପଡ଼ୁନାହିଁ। ୧୯୬୦ ଦଶକରେ ଗ୍ରାମାଞ୍ଚଳ ଓଡ଼ିଶାରେ ମାସିକ ମୁଣ୍ଡପିଛା ବ୍ୟୟ ଜାତୀୟ ବ୍ୟୟର ୮୦ ପ୍ରତିଶତରୁ ଅଧିକ ଥିଲା ଏବଂ ସହରାଞ୍ଚଳ ଓଡ଼ିଶାର ମାସିକ ମୁଣ୍ଡପିଛା ବ୍ୟୟ ଜାତୀୟ ବ୍ୟୟ ପାଖାପାଖି ରହିଥିଲା। ଏହି ସ୍ଥିତି ମୋଟାମୋଟି ଭାବରେ ୧୯୮୦ ଦଶକ ପର୍ଯ୍ୟନ୍ତ ଜାରି ରହିଥିଲା। ୧୯୯୦ ଦଶକରେ ଆର୍ଥିକ ସଂସ୍କାର ନୀତି ଗ୍ରହଣ ପରେ ଜାତୀୟ ସ୍ତରର ଅଭିବୃଦ୍ଧି ହାର ଦ୍ରୁତତର ହେଲା ଏବଂ ପ୍ରାୟ ୨୦୦୨-୦୩ ପର୍ଯ୍ୟନ୍ତ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠାରୁ କମ୍‌ ରହିଥିଲା। ଯାହାଫଳରେ ଜାତୀୟ ମୁଣ୍ଡପିଛା ଆୟ ତୁଳନାରେ ଓଡ଼ିଶାର ମୁଣ୍ଡପିଛା ଆୟ ୬୩ ପ୍ରତିଶତକୁ ଖସିଆସିଲା। ୨୦୦୩-୦୪ଠାରୁ ଆରମ୍ଭ କରି ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ସ୍ତରଠାରୁ ଯେତେବେଳେ ଅଧିକ ହେଲା ଯଦିଓ ଓଡ଼ିଶାର ମୁଣ୍ଡପିଛା ଆୟରେ କିଛି ମାତ୍ରାରେ ସୁଧାର ଆସିଲା। ତୁଳନାତ୍ମକ ଭାବରେ ମୁଣ୍ଡପିଛା ବ୍ୟୟ କିନ୍ତୁ ବିଗିଡ଼ିବାରେ ଲାଗିଲା। ୧୯୯୯-୨୦୦୦ ମସିହାରେ ଗ୍ରାମୀଣ ଓଡ଼ିଶାର ମୁଣ୍ଡପିଛା ବ୍ୟୟ ଜାତୀୟ ସ୍ତରର ୭୭ ପ୍ରତିଶତ ଥିବାବେଳେ ଏହା କ୍ରମଶଃ ହ୍ରାସ ପାଇ ୨୦୧୧-୧୨ ବେଳକୁ ୭୦ ପ୍ରତିଶତରେ ପହଞ୍ଚତ୍ ସାରିଛି। ୨୦୧୧-୧୨ରେ ସହରାଞ୍ଚଳ ଓଡ଼ିଶାର ମୁଣ୍ଡପିଛା ବ୍ୟୟ ଜାତୀୟ ସ୍ତରର ୭୪ ପ୍ରତିଶତରେ ରହିଛି। ଚଳିତ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଆରମ୍ଭ କରି ଓଡ଼ିଶାର ଅଭିବୃଦ୍ଧି ହାର କ୍ରମଶଃ ବୃଦ୍ଧି ପାଇ ମୁଣ୍ଡପିଛା ଆୟ କିଛିମାତ୍ରାରେ ବୃଦ୍ଧି ପାଉଥିବା ସମୟରେ ଜାତୀୟ ତୁଳନାରେ ମୁଣ୍ଡପିଛା ବ୍ୟୟ କ୍ରମଶଃ ହ୍ରାସ ପାଇବା ନିଶ୍ଚିତ ଏକ ଚିନ୍ତାର ବିଷୟ।
ତେବେ ଏହାର କାରଣ କ’ଣ ହୋଇ ଥାଇପାରେ? ରାଜ୍ୟର ଅଭିବୃଦ୍ଧିକୁ ନିବିଡ଼ ଭାବରେ ଦୃଷ୍ଟି ନିକ୍ଷେପ କଲେ ଜଣାପଡ଼େ ଯେ, ଏହା ମୁଖ୍ୟତଃ ଶିଳ୍ପ ଅଭିବୃଦ୍ଧି ଦ୍ୱାରା ହାସଲ ହୋଇଛି। ଓଡ଼ିଶାର ଶିଳ୍ପ ମୋଟାମୋଟି ଭାବରେ ଖଣିଜ ପଦାର୍ଥ ଏବଂ ତତ୍‌ସଂଲଗ୍ନ ଧାତୁ ଉତ୍ପାଦ ଶିଳ୍ପ ଦ୍ୱାରା ନିର୍ଦ୍ଧାରିତ। ଏହିସବୁ ଶିଳ୍ପର ବ୍ୟାପକ ଯାନ୍ତ୍ରିକୀକରଣ ଫଳରେ ନିଯୁକ୍ତି ସୁଯୋଗ ହ୍ରାସ ପାଉଛି। ଏହା ସହିତ ପ୍ରାୟ ଅଧିକାଂଶ ଶିଳ୍ପ ଏବଂ ଖଣିର ମାଲିକାନା ବା ପରିଚାଳନା ଦାୟିତ୍ୱ ସ୍ଥାନୀୟ ନିବାସୀମାନଙ୍କ ପାଖରେ ନ ଥିବାରୁ ଶିଳ୍ପର ଫାଇଦା ସ୍ଥାନୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିପାରୁନାହିଁ। ଉଦାହରଣ ସ୍ବରୂପ କେନ୍ଦୁଝର, ଯାଜପୁର ଜିଲାରେ ଥିବା ଅଧିକାଂଶ ଖଣି ବା ଶିଳ୍ପଗୁଡ଼ିକର ମାଲିକାନା ବା ସମ୍ପୃକ୍ତ ଅନେକ ଠିକା ସେବା ଯୋଗାଣକାରୀ ସଂସ୍ଥାର ମାଲିକାନା ସ୍ଥାନୀୟ ଅଞ୍ଚଳର ବ୍ୟକ୍ତିଙ୍କ ପାଖରେ ନାହିଁ। ଏହାଫଳରେ କମ୍‌ ନିଯୁକ୍ତି ସୁଯୋଗ ଯୋଗୁ ଏହିସବୁ ଶିଳ୍ପର ବିଶେଷ ଫାଇଦା ସ୍ଥାନୀୟ ଅଞ୍ଚଳରେ ପହଞ୍ଚତ୍ପାରୁନି। ସେହିପରି ଏହିସବୁ ଶିଳ୍ପରୁ ଆସୁଥିବା ଲାଭାଂଶ ଅନ୍ୟ ରାଜ୍ୟର ବା ରାଜ୍ୟ ଭିତର ମାତ୍ର କିଛି ବ୍ୟକ୍ତିଙ୍କ ପାଖରେ ଠୁଳ ହେଉଥିବାରୁ ଏହା ରାଜ୍ୟର ଅଧିକାଂଶ ପରିବାରର ବ୍ୟୟ ବୃଦ୍ଧି କରିବାରେ କୌଣସି ସହାୟକ ହେଉନାହିଁ।
ଆମ ରାଜ୍ୟକୁ ୨୦୩୬ ସୁଦ୍ଧା ଏକ ଅଗ୍ରଣୀ ରାଜ୍ୟରେ ରୂପାନ୍ତର କରିବାକୁ ହେଲେ ଆମକୁ କେଉଁ ମାର୍ଗ ଆପଣାଇବାକୁ ହେବ? ବିକଶିତ ଦେଶ ବା ରାଜ୍ୟଗୁଡ଼ିକୁ ଅନୁଧ୍ୟାନ କଲେ ସାଧାରଣତଃ ୪ଟି ମାର୍ଗ ଆଲୋଚନାର ପରିସରକୁ ଆସେ। (୧) ଶିଳ୍ପାୟନଭିତ୍ତିକ ବିକାଶ, (୨) ସେବାଭିତ୍ତିକ ବିକାଶ, (୩) ମାନବ ସମ୍ବଳ ବିକାଶଭିତ୍ତିକ ବିକାଶ ଏବଂ (୪) ବିଦେଶ ବାଣିଜ୍ୟଭିତ୍ତିିକ ବିକାଶ। ଊନବିଂଶ ଏବଂ ବିଂଶ ଶତାବ୍ଦୀର ବୃହତ୍‌ ଶିଳ୍ପାୟନ ଦକ୍ଷତା ଏବଂ ଉଚ୍ଚ ବେତନଭିତ୍ତିକ ନିଯୁକ୍ତି ସୃଷ୍ଟି କରୁଥିବାରୁ ଅନେକ ଅର୍ଥଶାସ୍ତ୍ରୀ ଅର୍ଥନୀତିର ଦ୍ରୁତ ବିକାଶ ପାଇଁ ଶିଳ୍ପାୟନ ଉପରେ ଗୁରୁତ୍ୱାରୋପ କରୁଥିଲେ। କିନ୍ତୁ ଏକବିଂଶ ଶତାବ୍ଦୀରେ ଶିଳ୍ପର ବ୍ୟାପକ ଯାନ୍ତ୍ରିକୀକରଣ ତଥା କମ୍ପ୍ୟୁଟର, ରୋବୋ, କୃତ୍ରିମ ବୁଦ୍ଧିମତ୍ତା, ଯାନ୍ତ୍ରିକ ଶିକ୍ଷା ଆଦିର ବହୁଳ ବ୍ୟବହାର ଫଳରେ ନିଯୁକ୍ତି ସୁଯୋଗ ବ୍ୟାପକମାତ୍ରାରେ ହ୍ରାସ ପାଉଛି।
ଏକବିଂଶ ଶତାବ୍ଦୀରେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରାର ଗୁରୁତ୍ୱ ତଥା ଜଟିଳ ସାମାଜିକ ତଥା ଅର୍ଥନୈତିକ ସମ୍ପର୍କ ବୃଦ୍ଧି ଯୋଗୁ ଅତୀତରେ ମାଗଣାରେ ଉପଲବ୍ଧ ହେଉଥିବା ଅନେକ ସେବା ବଜାରର ମୂଲ୍ୟବାନ ସେବା ଭାବରେ ଉଭା ହୋଇଛି। ଠିକ୍‌ ସେହିପରି ଅର୍ଥନୀତିର ଜଟିଳତା ଯୋଗୁ ଅନେକ ନୂତନ ସେବା ସୃଷ୍ଟି ହୋଇଛି। ଅନେକ ଦେଶ ବା ରାଜ୍ୟସାରା ବିଶ୍ୱକୁ ଏହିସବୁ ସେବା ଯୋଗାଇ ଦେଇ ଅଭିବୃଦ୍ଧି ହାସଲ କରିପାରିବେ।
ଆମ ଦେଶର କେରଳ ପ୍ରଦେଶ ତଥା ନରୱେ, ସ୍ବିଡେନ୍‌ ଭଳି ଦେଶ ମାନବ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦେଇ ଅଭିବୃଦ୍ଧି ହାସଲ କରିଛନ୍ତି। ଉଦାହରଣ ସ୍ବରୂପ, କେରଳରେ ଶିଳ୍ପର ଆପାତତଃ ଅନୁପସ୍ଥିତିରେ ମଧ୍ୟ ସେମାନେ ଦେଶର ଏକ ଧନୀ ତଥା ଶିକ୍ଷିତ ରାଜ୍ୟ ଭାବରେ ପରିଗଣିତ। ଉତ୍ତମ ସରକାରୀ ସ୍ବାସ୍ଥ୍ୟସେବା ତଥା ଶିକ୍ଷା ଯୋଗାଇ ଦେଇ ରାଜ୍ୟର ମାନବସମ୍ବଳ ବିକାଶ ହୋଇପାରିଛି। ଫଳରେ ରାଜ୍ୟର ନାଗରିକମାନେ ଦେଶ ବିଦେଶରେ ନିଯୁକ୍ତି ହାସଲ କରିବା ସହ ଉତ୍ତମ ଜୀବନଯାପନ କରିପାରୁଛନ୍ତି। ଆମେ ଜାଣିରଖିବା ଉଚିତ୍‌ ଯେ, ମାନବ ସମ୍ବଳ ବିକାଶର ଅନେକ ସୂଚକାଙ୍କରେ କେରଳ ବିଶ୍ୱର ଅନେକ ବିକଶିତ ଦେଶମାନଙ୍କର ସମକକ୍ଷ ବା କିଛି କ୍ଷେତ୍ରରେ ଅଗ୍ରଣୀ। ମାଲେସିଆ, ସିଙ୍ଗାପୁର, ଦକ୍ଷିଣ କୋରିଆ ଭଳି ଅନେକ କ୍ଷୁଦ୍ର ଦେଶ ଅନ୍ତର୍ଜାତୀୟ ବାଣିଜ୍ୟ ମାଧ୍ୟମରେ ନିଜର ଅର୍ଥନୀତିକୁ ସୁଦୃଢ଼ କରିପାରିଛନ୍ତି।
ବିକାଶର ଏହିସବୁ ମାର୍ଗ ଭିତରୁ କେଉଁ ମାର୍ଗଟି ଆମ ରାଜ୍ୟ ପାଇଁ ଅନୁକୂଳ ହେବ, ସେହି ବିଷୟରେ ସମସ୍ତ ବୁଦ୍ଧିଜୀବୀଙ୍କର ଗଭୀର ଚିନ୍ତନ ଆବଶ୍ୟକ। ତେବେ ପରିବେଶ ସୁରକ୍ଷା, ନିରନ୍ତର ତଥା ସର୍ବୋଦୟ ବିକାଶ ଧାରାକୁ ଆଖିରେ ରଖି ତଥା ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ଆମ ରାଜ୍ୟ ମାନବସମ୍ବଳ ବିକାଶଭିତ୍ତିକ ବିକାଶର ମାର୍ଗଟି ବାଛିପାରିବା। ଆମ ରାଜ୍ୟ ବର୍ତ୍ତମାନ ପୂର୍ବ-ଭାରତର ଶିକ୍ଷା ଏବଂ ସ୍ବାସ୍ଥ୍ୟର ଆକର୍ଷଣ କେନ୍ଦ୍ର ହେବାରେ ଲାଗିଛି। ରାଜ୍ୟର ଯୁବତୀଯୁବକମାନଙ୍କୁ ଏକବିଂଶ ଶତାବ୍ଦୀରେ ଆବଶ୍ୟକ ହେଉଥିବା ସମସ୍ତ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ତଥା ମାନବ ସମ୍ବଳର ନିଯୁକ୍ତି ଆବଶ୍ୟକତା ରହିଛି। ଠିକ୍‌ ସେହିପରି ବିପର୍ଯ୍ୟୟ ମୁକାବିଲା ଏବଂ ପରିଚାଳନା ପାଇଁ ଆବଶ୍ୟକ ହେଉଥିବା ମାନବ ସମ୍ବଳ ସୃଷ୍ଟି କରି ଆମେ ସାରା ବିଶ୍ୱକୁ ତାଲିମ ଦେଇପାରିବା। ପରିବେଶ ଅସନ୍ତୁଳିତ ପୃଥିବୀକୁ କରୋନା ମହାମାରୀ ଭଳି ଅନେକ ଅଜଣା ବ୍ୟାଧିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହିସବୁ ରୋଗର ଚିହ୍ନଟ ଏବଂ ତୁରନ୍ତ ନିରାକରଣ ପାଇଁ ଟିକା, ଔଷଧ, ଚିକିତ୍ସା ଉପାୟ ଏବଂ ଆବଶ୍ୟକ ଚିକିତ୍ସା ଉପକରଣ ପ୍ରସ୍ତୁତି ପାଇଁ ଉଚ୍ଚତର ଗବେଷଣାର ଆବଶ୍ୟକତା ରହିଛି। ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ଜୈବ ବିବିଧତା ନଷ୍ଟ ଆଦି ସମସ୍ୟାର ସମାଧାନ ପାଇଁ ସାରା ବିଶ୍ୱରେ ଜ୍ଞାନ ଏବଂ ମାନବ ସମ୍ବଳର ଘୋର ଅଭାବ ରହିଛି। ଏହିସବୁ ଜ୍ଞାନ ଏବଂ ସାମଗ୍ରୀ ଉତ୍ପାଦନ କରି ଆମ ରାଜ୍ୟ ସାରା ବିଶ୍ୱକୁ ରପ୍ତାନି କରିପାରିବ।
ଏହା ସହ ଏକ ଶିକ୍ଷିତ ଏବଂ କୁଶଳୀ ଯୁବ ସମାଜ ନିଜେ ନିଜର ଜୀବିକା ଉପାର୍ଜନ ପାଇଁ ଉପାୟ ବାହାର କରିନେବ। ମାନବ ସମ୍ବଳର ବିକାଶ ପାଇଁ ଯଦି ଆମ ରାଜ୍ୟ ବିଶ୍ୱର କେନ୍ଦ୍ରସ୍ଥଳୀ ହୋଇପାରିବ, ତେବେ ଏହା ମଧ୍ୟ ବିଶ୍ୱର ପର୍ଯ୍ୟଟନ କେନ୍ଦ୍ର ହୋଇପାରିବ। ପ୍ରାକୃତିକ ସମ୍ପଦଭରା ଆମ ରାଜ୍ୟର ସହନଶୀଳ ସଭ୍ୟତା ଏବଂ ବିବିଧ ସଂସ୍କୃତି ବିଶ୍ୱକୁ ବିମୋହିତ କରିପାରିବ। ଉପଯୁକ୍ତ ମାନବ ସମ୍ବଳ ସମ୍ଭବ ହେଲେ ବିକାଶଭିତ୍ତିକ ଏକବିଂଶ ଶତାବ୍ଦୀର ଆବଶ୍ୟକ ସମସ୍ତ ସେବା ସୃଷ୍ଟି ସହ ଯୋଗାଣ ମାଧ୍ୟମରେ ଆମ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିଣତ କରାଯାଇପାରିବ।
ଅର୍ଥନୀତି ପ୍ରାଧ୍ୟାପକ, ଜାତୀୟ ବିଜ୍ଞାନ ଶିକ୍ଷା
ଓ ଗବେଷଣା ପ୍ରତିଷ୍ଠାନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri