ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ ଏହାକୁ ସମାଲୋଚନା କରୁଥିବା ବେଳେ, କେହି କେହି ଏହା ସାଧାରଣ ଜନତାଙ୍କ ଟଙ୍କା, ଏହାକୁ ଏପରି ଉପଯୋଗ କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି। ଆଉ କେହି କେହି ଛାଡ଼ ଋଣ ଟଙ୍କାରେ କେତୋଟି ପ୍ରଧାନମନ୍ତ୍ରୀ ଆବାସ, ବନ୍ୟା ପୀଡ଼ିତଙ୍କୁ ବଣ୍ଟା ଯାଇପାରିବ, କାଗଜ, କଲମ ଧରି ହିସାବ କରୁଛନ୍ତି। ଆଗରୁ ଅନେକ ବ୍ୟାଙ୍କ, ଅନେକ କମ୍ପାନୀକୁ ଅନେକ ଲକ୍ଷ କୋଟି ଅନାଦେୟ ଋଣକୁ ଛାଡ଼ କରିଦେଇଥିବା ଆମେ ଖବରକାଗଜରୁ ଜାଣିଛେ। ଅନେକ କମ୍ପାନୀ ବିରୋଧରେ ମଧ୍ୟ ଅଦାଲତରେ ଋଣ ଟଙ୍କା ଆଦାୟ ପାଇଁ କେସ୍ ଚାଲିଛି। ବହୁତ ଲୋକ ମଧ୍ୟ ଋଣ ଫାଙ୍କି ବିଦେଶକୁ ଚାଲିଯାଇଥିବା ଆମେ ଜାଣୁ। ସେମାନେ ଦେଶକୁ ସବଳ କରିବା ପରିବର୍ତ୍ତେ ଦୁର୍ବଳ କରୁଛନ୍ତି ବୁଝିବାକୁ ହେବ। ବହୁ ବର୍ଷର ବାକି ପଡ଼ିଥିବା ଗ୍ରାହକକୁ ଯେପରି ଦୋକାନୀଟିଏ କହିଥାଏ, ପୁରୁଣା ବାକି ଶୁଝ ବା ନ ଶୁଝ, କିନ୍ତୁ ଚଳନ୍ତି କାରବାର ଠିକ୍ଠାକ୍ ଚଲା। ସେହିପରି ବେଳେ ବେଳେ ଅନେକ ବ୍ୟାଙ୍କ୍ ଅନାଦେୟ ଋଣର ହିସାବ ଖାତାକୁ ବନ୍ଦ କରିଦେଇ ଚଳନ୍ତି ଋଣର କାରବାରକୁ ନଜର କରନ୍ତି। ତାହାକୁ ଅଚଳ ସମ୍ପଦ ହିସାବରେ ଧରାଯାଏ, ଯାହାଦ୍ୱାରା ଅନେକ କମ୍ପାନୀକୁ ଲାଭ ଦେଇଥାଏ। ଜନସାଧାରଣଙ୍କ ଟଙ୍କା ଏପରି ଦୁରୁପଯୋଗ ହେଉଥିବା ଦେଖାଯାଉଛି, ଆଉ ଏପରି ଭାବେ କମ୍ପାନୀମାନଙ୍କୁ ଋଣ ମଧ୍ୟ ଛାଡ଼ ହେଉଥିବା ଦେଖାଯାଉଛି। ସାଧାରଣରେ ଅନେକ ପ୍ରଶ୍ନ, ବ୍ୟକ୍ତିଟିଏ ଋଣ ଖିଲାପୀ ହେଲେ, ବ୍ୟାଙ୍କ ତାକୁ ନିସ୍ତାର କରୁନାହିଁ ବା ଋଣ ଆଦାୟ ପାଇଁ ଅନେକ ପ୍ରକ୍ରିୟା ଅବଲମ୍ବନ କରୁଛି, ଆଉ ଏପରି ଲକ୍ଷ ଲକ୍ଷ କୋଟି ନେଇଥିବା କମ୍ପାନୀମାନଙ୍କ ପାଇଁ ଏପରି ନରମ ମନୋଭାବ କାହିଁକି?
ଏ ଯେଉଁ ବାଇଶ ହଜାର କୋଟି ଟଙ୍କା ଋଣର ହିସାବ କୁଆଡ଼େ ଟିକେ ଅଲଗା। ବ୍ୟକ୍ତି ଜଣକ ନିଜେ ଋଣ ନେଇନାହାନ୍ତି, କିନ୍ତୁ ମାନି ହୋଇଛନ୍ତି ଅର୍ଥାତ୍ କାହାର ଋଣ ପାଇଁ ଜାମିନି ପଡ଼ିଛନ୍ତି। ଜ୍ଞାନୀଗୁଣୀ କହିଛନ୍ତି, ମାନି, ଜାମିନୀ, ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି। କିନ୍ତୁ ସେ ଋଣ ପାଇଁ ଯେଉଁ ମାନି ହୋଇଛନ୍ତି, ସେ ନିଜର ବା ନିଜ ସହଯୋଗ କମ୍ପାନୀ ପାଇଁ ମାନି ହୋଇଛନ୍ତି। ମାନି ହୋଇଥିବା ବ୍ୟକ୍ତି ବାଇଶ ହଜାର କୋଟି ବଦଳରେ ମାତ୍ର ଛଅ କୋଟି ପଚିଶ ଲକ୍ଷ ଭରଣା କରିବେ, ଯାହା ଶହେରେ ତିନି ପାସା । ଏହି ରିହାତିକୁ କୁହାଯାଏ ଚୂଳକଟା ରିହାତି। କେହି କେହି ଏହାକୁ ମୁଣ୍ଡନ ରିହାତି ବୋଲି ବ୍ୟଙ୍ଗକରି କହୁଥିବା ଦେଖାଯାଉଛି। ସେ ଯାହାହେଉ , ଆମେ ଦେଖୁ, ଯେଉଁ ପ୍ରକ୍ରିୟାରେ ଥରେ ସହମତରେ ଋଣ ଦଫାରଫା ହୋଇଗଲେ, ତାହା ଆଉ ଆଦାୟ ହୁଏ ନାହିଁ। ଯାହା ହେଲେ ମଧ୍ୟ ଜନସାଧାରଣଙ୍କ ଟଙ୍କାର ଠିକ୍ ଉପଯୋଗ ହେଉନାହିଁ, ବୁଝିବାକୁ ହେବ। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅନେକ ଆବଶ୍ୟକତା ମଧ୍ୟ ରହିଛି ଋଣ ଅସୁଲିରେ।
ଆମ ସାଧାରଣ ଜୀବନରେ ବ୍ୟକ୍ତିଗତ ବା ବ୍ୟବସାୟିକ ଆର୍ଥିକ ପରିଚାଳନା କରିବାରେ, ଆମ ଆବଶ୍ୟକତା ପୂରଣ କରିବାକୁ, ଆମେ ସାଧାରଣତଃ ଋଣ କରିଥାଉ ା ତାହା ବ୍ୟକ୍ତିଗତ ଧାର ହୋଇପାରେ, ସୁଧଯୁକ୍ତ ଘରୋଇ ଧାର ହୋଇପାରେ, ବ୍ୟାଙ୍କ ଋଣ ହୋଇପାରେ ା
କିନ୍ତୁ ଋଣ ଆମ ପାଇଁ ଏକ ଅଧିକାର ନା ସୁବିଧା, ତାହା ବୁଝିବା ଉଚିତ। ଆମେ ଅନେକ ଭାବୁ ଋଣ କରିବା ଆମର ଅଧିକାର। ତେଣୁ ଯେତେବେଳେ ବ୍ୟକ୍ତିଠାରୁ ହେଉ ବା ବ୍ୟାଙ୍କ୍ଠାରୁ ଋଣ କରିଥାଉ, ପ୍ରଥମେ ଆମ ମନ ଭିତରେ ଆସେ, କେଉଁ ବାଟରେ ଆମକୁ ଋଣ ଆଉ ଶୁଝିବାକୁ ପଡ଼ିବନି। ଋଣ ନ ଶୁଝିବା ଏକ ଅପରାଧ, କାହାର ଧାରିବା ଏକ ଅପରାଧ।
ଲୋକଙ୍କ ଜୀବନଧାରଣର ମାନ ଟିକେ ଉତ୍କୃଷ୍ଟ ହେବା ନିମିତ୍ତ, ସରକାର କିଛି ଆର୍ଥିକ ପ୍ରୋତ୍ସାହନ ଦେଇଥାନ୍ତି, କିନ୍ତୁ ଏ ଆର୍ଥିକ ପ୍ରୋତ୍ସାହନ ଆମର ଏକ ଅଧିକାର ଭଳି ଆମେ ମନେ କରୁଛେ। ସେହିଭଳି ଲୋକଙ୍କ ଜୀବନଧାରଣରେ କେତେବେଳେ ଆର୍ଥିକ ବୋଝକୁ ଟିକେ ଲାଘବ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସ୍ବୟଂସହାୟକ ଗୋଷ୍ଠୀ ସୃଷ୍ଟି କରିଛନ୍ତି, ମଣିଷ ଜୀବନରେ ଗୋଷ୍ଠୀଗତ ବିଚାରରେ ଆର୍ଥିକ ଉନ୍ନତି କରିବା ନିମିତ୍ତ। କିନ୍ତୁ ଦେଖାଯାଉଛି ଅନେକ ଗୋଷ୍ଠୀରୁ ନେଉଥିବା ଋଣ ଠିକ୍ ଭାବେ ଉପଯୋଗ କରୁନାହାନ୍ତି। ମନରେ ଆସୁଛି ସପ୍ତାହରେ ଏତିକି ଟଙ୍କା ଦେବାକୁ ହେବ ତ, ଋଣ ନେଇଯିବା। ଋଣ ନେଇ କୌଣସି ବ୍ୟବସାୟରେ ଲଗାଉ ନାହାନ୍ତି, ତେଣୁ ଋଣରୁ ଲାଭବାନ ହେଉନାହାନ୍ତି। ଅନ୍ୟ ପକ୍ଷରେ ସାପ୍ତାହିକ କିସ୍ତି ଦେବାରେ ଅସମର୍ଥ ହୋଇ ପଡ଼ୁଛନ୍ତି। ଯାହାଦ୍ୱାରା ପରିବାରରେ ମାନସିକ ଅଶାନ୍ତି ସୃଷ୍ଟି ହେଉଛି।
ଆମ ପୂର୍ବପୁରୁଷ କହିଛନ୍ତି, ଯେତିକି ଚୂନାକୁ ସେତିକି ପିଠା ହେବା ଉଚିତ। ଅର୍ଥାତ୍ ଯେତିକି ଆୟ ସେତିକିରେ ଚଳିବା ଉଚିତ। ଏମିତି ବି ବିଶ୍ୱାସ ରହିଛି, ନିଜର ସଞ୍ଚିତ ଧନରୁ ହିଁ କିଛି କରିବା ଉଚିତ ଋଣରୁ ନୁହେଁ। ସାରଳା ଦାସ ଋଣକୁ ନେଇ ଜନଜୀବନ ପାଇଁ ବଖାଣିଛନ୍ତି, ଋଣ ନ କଲେ ଲକ୍ଷ୍ମୀ ରହେ, ଋଣ କଲେ ଲକ୍ଷ୍ମୀ ଯାଏ। ଋଣର ମୃତ୍ୟୁ ନାହିଁ, ଅର୍ଥାତ୍ ଋଣ ଅମର। ଥରେ ଋଣ କଲେ, ସେହି ଋଣକୁ ଶୁଝିବାକୁ ଆଉ ଗୋଟେ ଋଣ କରିଥାଉ। ଋଣ ଶୁଝି ନ ପାରିବା ଦ୍ୱାରା ମାନସିିକ ଅଶାନ୍ତି ସୃଷ୍ଟି ହୋଇ ଶରୀରରେ ନାନାଦି ରୋଗ ମଧ୍ୟ ହୋଇଥାଏ। ତେଣୁ ଋଣ ଏକ ଅଧିକାର ନୁହେଁ, ଏକ ସୁବିଧା। କେତେବେଳେ ଆର୍ଥିକ ପରିଚାଳନାରେ ଟିକେ ଅସମର୍ଥ ହେଲେ ସେହି ସମୟକୁ ଟିକେ ଟାଳି ଦେବା ପାଇଁ ଋଣ କରାଯାଇପାରେ। ଯିଏ ଋଣକୁ ଅଧିକାର ଭାବେ, ସେ ଦୁଇଥର ହାରେ, ଥରେ ସୁଧ ଦେଇ ହାରେ, ଆଉ ଥରେ ସମ୍ମାନ ହରାଇ ହାରେ। ଜଣେ ଦେଶପ୍ରେମୀ କେବେ ବି ଋଣ ନ ଶୁଝିବା ପାଇଁ ଫନ୍ଦିଫିକର କରେ ନାହିଁ। କାରଣ ବ୍ୟାଙ୍କରେ ଥିବା ଟଙ୍କା ଜନସାଧାରଣଙ୍କର। ତେଣୁ ପରୋକ୍ଷରେ ଜନସାଧାରଣଙ୍କୁ ଠକିବା ଦେଶପ୍ରେମୀର କାର୍ଯ୍ୟ କି? ସରକାର ବ୍ୟାଙ୍କ ଋଣ ଆଦାୟ ପାଇଁ ଅନେକ ନିୟମ କରିଛନ୍ତି ସତ, କିନ୍ତୁ ଲକ୍ଷ ଲକ୍ଷ କୋଟି ଅନାଦେୟ ଋଣ ଆଦାୟ ପାଇଁ ଆହୁରି କଠୋର ନିୟମ କରିବା ଉଚିତ। ତେଣୁ ଋଣ ଆମ ପାଇଁ ଏକ ଅଧିକାର ନୁହେଁ, କୌଣସି ବିଷମ ପରିସ୍ଥିତି ଟାଳିବା ପାଇଁ ଏହା ଏକ ସୁଯୋଗ ବା ସୁବିଧା ମାତ୍ର, ଏହି ବିଚାର ରହିବା ଉଚିତ।
ଗଣେଶ୍ବର ନାୟକ
ଗୋଗଳ, କାଏମା, ଯାଜପୁର ମୋ:୯୭୭୭୭୪୯୭୨୭

