ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ ଏହାକୁ ସମାଲୋଚନା କରୁଥିବା ବେଳେ, କେହି କେହି ଏହା ସାଧାରଣ ଜନତାଙ୍କ ଟଙ୍କା, ଏହାକୁ ଏପରି ଉପଯୋଗ କରିବା ଉଚିତ ନୁହେଁ ବୋଲି ପ୍ରକାଶ କରିଛନ୍ତି। ଆଉ କେହି କେହି ଛାଡ଼ ଋଣ ଟଙ୍କାରେ କେତୋଟି ପ୍ରଧାନମନ୍ତ୍ରୀ ଆବାସ, ବନ୍ୟା ପୀଡ଼ିତଙ୍କୁ ବଣ୍ଟା ଯାଇପାରିବ, କାଗଜ, କଲମ ଧରି ହିସାବ କରୁଛନ୍ତି। ଆଗରୁ ଅନେକ ବ୍ୟାଙ୍କ, ଅନେକ କମ୍ପାନୀକୁ ଅନେକ ଲକ୍ଷ କୋଟି ଅନାଦେୟ ଋଣକୁ ଛାଡ଼ କରିଦେଇଥିବା ଆମେ ଖବରକାଗଜରୁ ଜାଣିଛେ। ଅନେକ କମ୍ପାନୀ ବିରୋଧରେ ମଧ୍ୟ ଅଦାଲତରେ ଋଣ ଟଙ୍କା ଆଦାୟ ପାଇଁ କେସ୍‌ ଚାଲିଛି। ବହୁତ ଲୋକ ମଧ୍ୟ ଋଣ ଫାଙ୍କି ବିଦେଶକୁ ଚାଲିଯାଇଥିବା ଆମେ ଜାଣୁ। ସେମାନେ ଦେଶକୁ ସବଳ କରିବା ପରିବର୍ତ୍ତେ ଦୁର୍ବଳ କରୁଛନ୍ତି ବୁଝିବାକୁ ହେବ। ବହୁ ବର୍ଷର ବାକି ପଡ଼ିଥିବା ଗ୍ରାହକକୁ ଯେପରି ଦୋକାନୀଟିଏ କହିଥାଏ, ପୁରୁଣା ବାକି ଶୁଝ ବା ନ ଶୁଝ, କିନ୍ତୁ ଚଳନ୍ତି କାରବାର ଠିକ୍‌ଠାକ୍‌ ଚଲା। ସେହିପରି ବେଳେ ବେଳେ ଅନେକ ବ୍ୟାଙ୍କ୍‌ ଅନାଦେୟ ଋଣର ହିସାବ ଖାତାକୁ ବନ୍ଦ କରିଦେଇ ଚଳନ୍ତି ଋଣର କାରବାରକୁ ନଜର କରନ୍ତି। ତାହାକୁ ଅଚଳ ସମ୍ପଦ ହିସାବରେ ଧରାଯାଏ, ଯାହାଦ୍ୱାରା ଅନେକ କମ୍ପାନୀକୁ ଲାଭ ଦେଇଥାଏ। ଜନସାଧାରଣଙ୍କ ଟଙ୍କା ଏପରି ଦୁରୁପଯୋଗ ହେଉଥିବା ଦେଖାଯାଉଛି, ଆଉ ଏପରି ଭାବେ କମ୍ପାନୀମାନଙ୍କୁ ଋଣ ମଧ୍ୟ ଛାଡ଼ ହେଉଥିବା ଦେଖାଯାଉଛି। ସାଧାରଣରେ ଅନେକ ପ୍ରଶ୍ନ, ବ୍ୟକ୍ତିଟିଏ ଋଣ ଖିଲାପୀ ହେଲେ, ବ୍ୟାଙ୍କ ତାକୁ ନିସ୍ତାର କରୁନାହିଁ ବା ଋଣ ଆଦାୟ ପାଇଁ ଅନେକ ପ୍ରକ୍ରିୟା ଅବଲମ୍ବନ କରୁଛି, ଆଉ ଏପରି ଲକ୍ଷ ଲକ୍ଷ କୋଟି ନେଇଥିବା କମ୍ପାନୀମାନଙ୍କ ପାଇଁ ଏପରି ନରମ ମନୋଭାବ କାହିଁକି?
ଏ ଯେଉଁ ବାଇଶ ହଜାର କୋଟି ଟଙ୍କା ଋଣର ହିସାବ କୁଆଡ଼େ ଟିକେ ଅଲଗା। ବ୍ୟକ୍ତି ଜଣକ ନିଜେ ଋଣ ନେଇନାହାନ୍ତି, କିନ୍ତୁ ମାନି ହୋଇଛନ୍ତି ଅର୍ଥାତ୍‌ କାହାର ଋଣ ପାଇଁ ଜାମିନି ପଡ଼ିଛନ୍ତି। ଜ୍ଞାନୀଗୁଣୀ କହିଛନ୍ତି, ମାନି, ଜାମିନୀ, ମଧ୍ୟସ୍ଥି, ମନା କରିଛନ୍ତି ଅଗସ୍ତି। କିନ୍ତୁ ସେ ଋଣ ପାଇଁ ଯେଉଁ ମାନି ହୋଇଛନ୍ତି, ସେ ନିଜର ବା ନିଜ ସହଯୋଗ କମ୍ପାନୀ ପାଇଁ ମାନି ହୋଇଛନ୍ତି। ମାନି ହୋଇଥିବା ବ୍ୟକ୍ତି ବାଇଶ ହଜାର କୋଟି ବଦଳରେ ମାତ୍ର ଛଅ କୋଟି ପଚିଶ ଲକ୍ଷ ଭରଣା କରିବେ, ଯାହା ଶହେରେ ତିନି ପାସା । ଏହି ରିହାତିକୁ କୁହାଯାଏ ଚୂଳକଟା ରିହାତି। କେହି କେହି ଏହାକୁ ମୁଣ୍ଡନ ରିହାତି ବୋଲି ବ୍ୟଙ୍ଗକରି କହୁଥିବା ଦେଖାଯାଉଛି। ସେ ଯାହାହେଉ , ଆମେ ଦେଖୁ, ଯେଉଁ ପ୍ରକ୍ରିୟାରେ ଥରେ ସହମତରେ ଋଣ ଦଫାରଫା ହୋଇଗଲେ, ତାହା ଆଉ ଆଦାୟ ହୁଏ ନାହିଁ। ଯାହା ହେଲେ ମଧ୍ୟ ଜନସାଧାରଣଙ୍କ ଟଙ୍କାର ଠିକ୍‌ ଉପଯୋଗ ହେଉନାହିଁ, ବୁଝିବାକୁ ହେବ। ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅନେକ ଆବଶ୍ୟକତା ମଧ୍ୟ ରହିଛି ଋଣ ଅସୁଲିରେ।
ଆମ ସାଧାରଣ ଜୀବନରେ ବ୍ୟକ୍ତିଗତ ବା ବ୍ୟବସାୟିକ ଆର୍ଥିକ ପରିଚାଳନା କରିବାରେ, ଆମ ଆବଶ୍ୟକତା ପୂରଣ କରିବାକୁ, ଆମେ ସାଧାରଣତଃ ଋଣ କରିଥାଉ ା ତାହା ବ୍ୟକ୍ତିଗତ ଧାର ହୋଇପାରେ, ସୁଧଯୁକ୍ତ ଘରୋଇ ଧାର ହୋଇପାରେ, ବ୍ୟାଙ୍କ ଋଣ ହୋଇପାରେ ା
କିନ୍ତୁ ଋଣ ଆମ ପାଇଁ ଏକ ଅଧିକାର ନା ସୁବିଧା, ତାହା ବୁଝିବା ଉଚିତ। ଆମେ ଅନେକ ଭାବୁ ଋଣ କରିବା ଆମର ଅଧିକାର। ତେଣୁ ଯେତେବେଳେ ବ୍ୟକ୍ତିଠାରୁ ହେଉ ବା ବ୍ୟାଙ୍କ୍‌ଠାରୁ ଋଣ କରିଥାଉ, ପ୍ରଥମେ ଆମ ମନ ଭିତରେ ଆସେ, କେଉଁ ବାଟରେ ଆମକୁ ଋଣ ଆଉ ଶୁଝିବାକୁ ପଡ଼ିବନି। ଋଣ ନ ଶୁଝିବା ଏକ ଅପରାଧ, କାହାର ଧାରିବା ଏକ ଅପରାଧ।
ଲୋକଙ୍କ ଜୀବନଧାରଣର ମାନ ଟିକେ ଉତ୍କୃଷ୍ଟ ହେବା ନିମିତ୍ତ, ସରକାର କିଛି ଆର୍ଥିକ ପ୍ରୋତ୍ସାହନ ଦେଇଥାନ୍ତି, କିନ୍ତୁ ଏ ଆର୍ଥିକ ପ୍ରୋତ୍ସାହନ ଆମର ଏକ ଅଧିକାର ଭଳି ଆମେ ମନେ କରୁଛେ। ସେହିଭଳି ଲୋକଙ୍କ ଜୀବନଧାରଣରେ କେତେବେଳେ ଆର୍ଥିକ ବୋଝକୁ ଟିକେ ଲାଘବ କରିବା ପାଇଁ ବ୍ୟାଙ୍କଗୁଡ଼ିକ ସ୍ବୟଂସହାୟକ ଗୋଷ୍ଠୀ ସୃଷ୍ଟି କରିଛନ୍ତି, ମଣିଷ ଜୀବନରେ ଗୋଷ୍ଠୀଗତ ବିଚାରରେ ଆର୍ଥିକ ଉନ୍ନତି କରିବା ନିମିତ୍ତ। କିନ୍ତୁ ଦେଖାଯାଉଛି ଅନେକ ଗୋଷ୍ଠୀରୁ ନେଉଥିବା ଋଣ ଠିକ୍‌ ଭାବେ ଉପଯୋଗ କରୁନାହାନ୍ତି। ମନରେ ଆସୁଛି ସପ୍ତାହରେ ଏତିକି ଟଙ୍କା ଦେବାକୁ ହେବ ତ, ଋଣ ନେଇଯିବା। ଋଣ ନେଇ କୌଣସି ବ୍ୟବସାୟରେ ଲଗାଉ ନାହାନ୍ତି, ତେଣୁ ଋଣରୁ ଲାଭବାନ ହେଉନାହାନ୍ତି। ଅନ୍ୟ ପକ୍ଷରେ ସାପ୍ତାହିକ କିସ୍ତି ଦେବାରେ ଅସମର୍ଥ ହୋଇ ପଡ଼ୁଛନ୍ତି। ଯାହାଦ୍ୱାରା ପରିବାରରେ ମାନସିକ ଅଶାନ୍ତି ସୃଷ୍ଟି ହେଉଛି।
ଆମ ପୂର୍ବପୁରୁଷ କହିଛନ୍ତି, ଯେତିକି ଚୂନାକୁ ସେତିକି ପିଠା ହେବା ଉଚିତ। ଅର୍ଥାତ୍‌ ଯେତିକି ଆୟ ସେତିକିରେ ଚଳିବା ଉଚିତ। ଏମିତି ବି ବିଶ୍ୱାସ ରହିଛି, ନିଜର ସଞ୍ଚିତ ଧନରୁ ହିଁ କିଛି କରିବା ଉଚିତ ଋଣରୁ ନୁହେଁ। ସାରଳା ଦାସ ଋଣକୁ ନେଇ ଜନଜୀବନ ପାଇଁ ବଖାଣିଛନ୍ତି, ଋଣ ନ କଲେ ଲକ୍ଷ୍ମୀ ରହେ, ଋଣ କଲେ ଲକ୍ଷ୍ମୀ ଯାଏ। ଋଣର ମୃତ୍ୟୁ ନାହିଁ, ଅର୍ଥାତ୍‌ ଋଣ ଅମର। ଥରେ ଋଣ କଲେ, ସେହି ଋଣକୁ ଶୁଝିବାକୁ ଆଉ ଗୋଟେ ଋଣ କରିଥାଉ। ଋଣ ଶୁଝି ନ ପାରିବା ଦ୍ୱାରା ମାନସିିକ ଅଶାନ୍ତି ସୃଷ୍ଟି ହୋଇ ଶରୀରରେ ନାନାଦି ରୋଗ ମଧ୍ୟ ହୋଇଥାଏ। ତେଣୁ ଋଣ ଏକ ଅଧିକାର ନୁହେଁ, ଏକ ସୁବିଧା। କେତେବେଳେ ଆର୍ଥିକ ପରିଚାଳନାରେ ଟିକେ ଅସମର୍ଥ ହେଲେ ସେହି ସମୟକୁ ଟିକେ ଟାଳି ଦେବା ପାଇଁ ଋଣ କରାଯାଇପାରେ। ଯିଏ ଋଣକୁ ଅଧିକାର ଭାବେ, ସେ ଦୁଇଥର ହାରେ, ଥରେ ସୁଧ ଦେଇ ହାରେ, ଆଉ ଥରେ ସମ୍ମାନ ହରାଇ ହାରେ। ଜଣେ ଦେଶପ୍ରେମୀ କେବେ ବି ଋଣ ନ ଶୁଝିବା ପାଇଁ ଫନ୍ଦିଫିକର କରେ ନାହିଁ। କାରଣ ବ୍ୟାଙ୍କରେ ଥିବା ଟଙ୍କା ଜନସାଧାରଣଙ୍କର। ତେଣୁ ପରୋକ୍ଷରେ ଜନସାଧାରଣଙ୍କୁ ଠକିବା ଦେଶପ୍ରେମୀର କାର୍ଯ୍ୟ କି? ସରକାର ବ୍ୟାଙ୍କ ଋଣ ଆଦାୟ ପାଇଁ ଅନେକ ନିୟମ କରିଛନ୍ତି ସତ, କିନ୍ତୁ ଲକ୍ଷ ଲକ୍ଷ କୋଟି ଅନାଦେୟ ଋଣ ଆଦାୟ ପାଇଁ ଆହୁରି କଠୋର ନିୟମ କରିବା ଉଚିତ। ତେଣୁ ଋଣ ଆମ ପାଇଁ ଏକ ଅଧିକାର ନୁହେଁ, କୌଣସି ବିଷମ ପରିସ୍ଥିତି ଟାଳିବା ପାଇଁ ଏହା ଏକ ସୁଯୋଗ ବା ସୁବିଧା ମାତ୍ର, ଏହି ବିଚାର ରହିବା ଉଚିତ।

ଗଣେଶ୍ବର ନାୟକ
ଗୋଗଳ, କାଏମା, ଯାଜପୁର ମୋ:୯୭୭୭୭୪୯୭୨୭

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?