କରୋନା ଓ ଶିଶୁ ସ୍ବାସ୍ଥ୍ୟ

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ଆପଣଙ୍କ ପିଲାଟି ତୀବ୍ର ଜ୍ୱରକୁ ସାମ୍ନାକରି ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଛି କି, ହାଲ୍‌କା କାଶ, ଥକ୍କା ପଣ ଓ ପେଟ ଯନ୍ତ୍ରଣା ସହ ବାନ୍ତି ଲାଗୁଛି କି? କେବଳ ସେତିକି ନୁହେଁ, ତା’ ଚର୍ମ ପୋଡ଼ାଜଳା କରିବା ସହ ଆଖିଟି ନାଲି ପଡ଼ୁଛି କି, ତା’ ଚର୍ମର ରଙ୍ଗ ବଦଳିବା ସହ ପାଟି ଫୁଲି ଭୋକ ଲାଗୁନାହିଁ ତ, ସ୍ବାଦ ଚାଲିଯିବା ପରି ସେ ଅନୁଭବ କରୁଛି କି? ତେବେ ଆପଣ ସତର୍କ ହୁଅନ୍ତୁ ଆପଣଙ୍କ ପିଲାଟି କରୋନା ଭୂତାଣୁର ଶିକାର ହୋଇନାହିଁ ତ? କରୋନା ଭୂତାଣୁର ପ୍ରଥମ ଷ୍ଟ୍ରେନ୍‌ ଘାତକ ଥିଲା ସତ, କିନ୍ତୁ ଶିଶୁ ଏବଂ କିଶୋରଙ୍କୁ ଏହା ସେତେଟା ଆକ୍ରାନ୍ତ କରୁ ନ ଥିଲା। କଁା ଭଁା ସଂକ୍ରମିତ ହୋଇ ଶୀଘ୍ର ଆରୋଗ୍ୟ ଲାଭ କରୁଥିଲେ ଏମାନେ। ନିଜ ସନ୍ତାନଙ୍କ ସୁରକ୍ଷା ନେଇ ମାତାପିତାଙ୍କ ଚିନ୍ତା ନ ଥିଲା। ହେଲେ ସଦ୍ୟ ଷ୍ଟ୍ରେନଗୁଡ଼ିକ ଅତ୍ୟନ୍ତ ଘାତକ। ଶିଶୁଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ମାଡ଼ି ବସୁଛି। ସାମାନ୍ୟ ଫାଙ୍କା ଦେଖିଲେ ଏହା ଶରୀରରେ ପଶିଯାଇ ଦ୍ରୁତ ବିନାଶ ଘଟାଉଛି। ପୂର୍ବଠୁ ଅଧିକ ସଂକ୍ରାମକ ଓ ଘାତକ ସାଜିଛି ଏହି ନରହନ୍ତା ଭୂତାଣୁ। ଆମେରିକା, ବ୍ରାଜିଲଠାରୁ ଆରମ୍ଭ କରି ଭାରତରେ ଲକ୍ଷ ଲକ୍ଷ ଶିଶୁ ଓ କିଶୋର ଏହା ପଞ୍ଝାରେ ପଡ଼ିସାରିଲେଣି। ଅନେକେ ଆଖି ବୁଜିଲେଣି। ପରିସ୍ଥିତି ଏଭଳି ହେଉଛି ଯେ ମୃତ୍ୟୁ ଶଯ୍ୟାରେ ପଡ଼ିରହି ଶିଶୁଟି ନିଜ ବାପାମାଆଙ୍କୁ ନ ଦେଖି ଚିର ବିଦାୟ ନେଉଛି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ପାଲଟିଛି। ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଘଟଣା ସାମ୍ନାକୁ ଆସୁଛି। ନୂଆ ଷ୍ଟ୍ରେନ୍‌ର ଏଭଳି କରାଳ ରୂପ ବିଶ୍ୱବାସୀଙ୍କୁ ଆତଙ୍କିତ କରିଛି। ଏଥର ନିଜ ସହ ପିଲାମାନଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।
କରୋନାର ପ୍ରଥମ ଷ୍ଟ୍ରେନ୍‌ ତୁଳନାରେ ନୂଆ ଷ୍ଟ୍ରେନ୍‌ (ବିଶେଷକରି ବ୍ରାଜିଲ ଓ ୟୁକେ) ଅଧିକ ସଂକ୍ରାମକ ସାଜିଛି। ଫଳରେ ଦ୍ରୁତ ବେଗରେ ସଂକ୍ରମଣ ବ୍ୟାପିବାରେ ଲାଗିଛି ଏବଂ ଏହା କବଳକୁ ସବୁ ବୟସ ବର୍ଗର ଲୋକ ଆସୁଛନ୍ତି। ଟେଷ୍ଟିଂ ମାତ୍ରା ଅତ୍ୟନ୍ତ କମ୍‌ ହେଉଥିବାରୁ ପିଲାମାନେ ଆକ୍ରାନ୍ତ ହୋଇ ସୁଦ୍ଧା ନଜରକୁ ଆସୁନାହାନ୍ତି। ଠିକ୍‌ ସମୟରେ ଟେଷ୍ଟିଂ ନ ହେବା ଯୋଗୁ ସେମାନେ ଅନ୍ୟ ପିଲାଙ୍କୁ ଭୂତାଣୁ ବାଣ୍ଟୁଛନ୍ତି। ପୂର୍ବ ଷ୍ଟ୍ରେନ୍‌ ବେଳେ ସ୍ବଳ୍ପ ସଂଖ୍ୟକ ପିଲା ଆକ୍ରାନ୍ତ ହୋଇଥିଲେ। ତେଣୁ ଏଥର ମଧ୍ୟ ପିଲାମାନେ ସୁରକ୍ଷିତ ରହିବେ ବୋଲି ଅଧିକାଂଶ ଧାରଣା ରଖୁଛନ୍ତି। ଆଲବର୍ଟ ସାବିନ୍‌ ଚିଲଡ୍ରେନ୍ସ ହସ୍ପିଟାଲର ଆଇସିୟୁ ଡାକ୍ତର ସିନାରା କାର୍‌ନେଇରୋ କହିଛନ୍ତି, ପିଲାମାନେ ଅସୁସ୍ଥ ହେଲେ ସେମାନଙ୍କ ପାଖରେ ମାତାପିତା ରହିଥାନ୍ତି। ସେମାନଙ୍କ ପ୍ରତିଟି କଥା ସେମାନେ ଜାଣିଥାନ୍ତି। ଏହା ସେମାନଙ୍କୁ ମାନସିକ ଦୃଷ୍ଟିରୁ ଶକ୍ତି ଯୋଗାଇଥାଏ। କିନ୍ତୁ କରୋନା କାଳରେ ଆକ୍ରାନ୍ତ ପିଲାଙ୍କୁ ସେମାନଙ୍କ ମାତାପିତାଙ୍କଠାରୁ ଦୂରରେ ରଖାଯାଉଛି। ଏମିତି କି ଗୁରୁତର ହୋଇ ଆଖି ବୁଜିଲା ପୂର୍ବରୁ ସେମାନେ ମାତାପିତାଙ୍କୁ ଦେଖିପାରୁ ନାହାନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ। ଭାରତରେ ଦୈନିକ କରୋନା ସଂକ୍ରମଣ ବଢ଼ୁଥିଲାବେଳେ ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ପରିସଂଖ୍ୟାନର ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ବିଶ୍ୱର ବ୍ରାଜିଲ ଏପରି ଏକ ଦେଶ, ଯେଉଁଠାରେ କେବଳ ୧୩୦୦ ପିଲାଙ୍କ ପ୍ରାଣ ଚାଲିଯାଇଛି। ତାଙ୍କ ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟର ତଥ୍ୟ ଅନୁଯାୟୀ ୨୦୨୦ ଫେବୃୟାରୀରୁ ୨୦୨୧ ମାର୍ଚ୍ଚ ୧୫ ମଧ୍ୟରେ ବ୍ରାଜିଲରେ ୯ବର୍ଷ ତଳକୁ ୮୫୨ ଜଣ ପିଲାଙ୍କର ମୃତ୍ୟୁ ଘଟିଲାଣି। ସେହିପରି ଆମେରିକାରେ ପାଖାପାଖି ୩୦,୩୩,୩୭୦ ଲକ୍ଷ ପିଲା କରୋନା କବଳରେ ପଡ଼ିଥିବା ଆମେରିକାନ୍‌ ଏକାଡେମି ଅଫ ପେଡିଆଟ୍ରିକ୍ସ ଏବଂ ଚିଲ୍‌ଡ୍ରେନ୍ସ ହସ୍ପିଟାଲ ଆସୋସିଏଶନ ପକ୍ଷରୁ ଆକଳନ କରାଯାଇଛି। ଭାରତରେ ହରିୟାଣା ରାଜ୍ୟରେ ଏଯାବତ୍‌ ଅର୍ଥାତ୍‌ ଗୋଟିଏ ମାସ ଭିତରେ ମୋଟ ୪୧,୩୨୪ ଲୋକ ଆକ୍ରାନ୍ତ ହୋଇଥିଲା ବେଳେ ସେମାନଙ୍କ ଭିତରୁ ୧୦ ବର୍ଷରୁ କମ୍‌ ଥିଲା। ମହାରାଷ୍ଟ୍ରରେ ଦୁଇମାସ ଭିତରେ ପାଖାପାଖି ୧୦ବର୍ଷ ପର୍ଯ୍ୟନ୍ତ ବୟସର ୩୮,୨୬୫ ଜଣ ପିଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ପିଲା କରୋନା ଆକ୍ରାନ୍ତ ହୋଇଛି ବୋଲି ଜଣାପଡ଼ିବା ପରେ ଡାକ୍ତରଙ୍କ ପରାମର୍ଶ ବିନା ସେମାନଙ୍କୁ କୌଣସି ଆଣ୍ଟିଭାଇରାଲ ଔଷଧ, ଷ୍ଟେରଏଡ୍‌, ଆଣ୍ଟିବାୟୋଟିକ୍‌ ଆଦି ଦିଆଯିବା ଅନୁଚିତ। ସେମାନଙ୍କୁ ସବୁବେଳେ ମାସ୍କ ପିନ୍ଧିବାକୁ ଦେବା ଉଚିତ। ବାହାରକୁ ଖେଳିବାକୁ ଛାଡ଼ିବା ଉଚିତ ନୁହେଁ, ଶପିଂ ମଲ୍‌ ଯିବା ଅନୁଚିତ। କରୋନା ଲକ୍ଷଣ ଦେଖାଦେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ। କୌଣସି ପରୀକ୍ଷା, ଥେରାପି ଅଥବା ମେଡ଼ିସିନ ଆଦି ଡାକ୍ତରଙ୍କ ପରାମର୍ଶ ବିନା ପ୍ରୟୋଗ ଅନୁଚିତ। ଆକ୍ରାନ୍ତ ପିଲାମାନଙ୍କୁ ଭିଟାମିନ-ଡି ଦିଆଯାଇ ପାରିବ। ଆଜ୍‌ମା ଥିବା ପିଲାମାନେ କରୋନା ଆକ୍ରାନ୍ତ ହେଲେ ଅଧିକ ବିପଦ ସୃଷ୍ଟି ହେବ। ତେଣୁ କରୋନା କାଳରେ ଏମାନଙ୍କୁ ଅଧିକ ସୁରକ୍ଷା କବଚ ଲୋଡ଼ା। ଆଜ୍‌ମା ଥାଇ କରୋନା ଆକ୍ରାନ୍ତ ହେଲେ ଗୁରୁତର ଲକ୍ଷଣ ଦେଖାଦେବା ଆଶଙ୍କା ରହିଛି। ଶ୍ୱାସକ୍ରିୟା ସମସ୍ୟା ବି ଦେଖାଦେଇପାରେ। କିନ୍ତୁ ଆଜ୍‌ମା ଥିବା ପିଲାମାନେ କରୋନା ଦ୍ୱାରା ଅଧିକ ଆକ୍ରାନ୍ତ ବା ଗୁରୁତର ହେବା ନେଇ ସେମିତି ବଡ଼ ସଙ୍କେତ ଦେଖିବାକୁ ମିଳିନାହିଁ। ଆଜ୍‌ମା ଥିବା ପିଲାଠାରେ କରୋନା ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା ଆରମ୍ଭ କରିଦେବା ଆବଶ୍ୟକ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ କ’ଣ କରାଯିବ, ତାହା ଡାକ୍ତରଙ୍କୁ ପଚାରି ଟିକିନିକି ବୁଝିନେବା ଜରୁରୀ। ବର୍ତ୍ତମାନ ସ୍ଥିତିରେ ପିଲାମାନେ ସହଜରେ କରୋନା କବଳରେ ପଡ଼ୁଛନ୍ତି। ତେଣୁ ସେମାନଙ୍କୁ ମହାମାରୀଠାରୁ ଦୂରରେ ରଖିପାରିଲେ ସେମାନେ ସୁରକ୍ଷିତ ରହିବେ। ପିଲାମାନେ ଅନ୍ୟ ଲୋକଙ୍କ ସହ ଅଧିକ ସମୟ ଧରି ସଂସ୍ପର୍ଶରେ ଆସିବା ଅନୁଚିତ। ତେଣୁ ଶାରୀରିକ ଦୂରତା ସବୁବେଳେ ପାଳନ ବିଧେୟ। ବାହାର ଲୋକଙ୍କଠାରୁ ସେମାନେ ୬ଫୁଟ ଦୂରତା ରଖିବା ଆବଶ୍ୟକ। ସେହିପରି ପିଲାଟିକୁ ହାତ ସଫା ରଖିବା ଅଭ୍ୟାସ କରାନ୍ତୁ ଏହାସହ ବାଥରୁମ୍‌ ବ୍ୟବହାର ପରେ, ଛିଙ୍କିବା ଓ କାଶିବା ପରେ ଅଥବା ନାକ ପୋଛିବା ପରେ ହାତକୁ ଭଲ ଭାବେ ଧୋଇବା ଆବଶ୍ୟକ। ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଶିକ୍ଷା ଦେବା ସହ ପିଲାମାନଙ୍କୁ ମନସ୍ତାତ୍ତ୍ୱିକ ଭାବରେ ପ୍ରେରଣା ଦିଅନ୍ତୁ। ଦେଖିବେ ଆପଣଙ୍କ ପିଲାଟି କରୋନା ରାକ୍ଷସକୁ ହରାଇ ଦେବାକୁ ସମର୍ଥ ହେବ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri