ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ ସହାୟତା ଏବଂ ପରିବେଶର ସୁରକ୍ଷା ଏବେ ଭୁଶୁଡ଼ି ପଡ଼ୁଛି। ଗୋଟିଏ ପରେ ଗୋଟିଏ ଦେଶ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକୁ ଦିଆଯାଉଥିବା ଆର୍ଥିକ ସହାୟତା କମାଉଛନ୍ତି କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରିଦେଉଛନ୍ତି। ଏପରି ସ୍ଥିତିରେ ଜାତିସଂଘର ପରବର୍ତ୍ତୀ ମହାସଚିବଙ୍କ ସମ୍ମୁଖରେ ଏକ ବଡ଼ ଚ୍ୟାଲେଞ୍ଜ ରହିଛି । ଆମେରିକା ବିଶ୍ୱର ଏକାଧିକ ଦେଶ ସମ୍ପୃକ୍ତ ଥିବା ଅନୁଷ୍ଠାନଗୁଡ଼ିକୁ ନିଷ୍ପ୍ରିୟ କରିବା କାର୍ଯ୍ୟର ନେତୃତ୍ୱ ନେଇଛି। ଜାନୁଆରୀ ୨୦୨୬ରେ ଆମେରିକା ଘୋଷଣା କରିଥିଲା,ଏହା ମିଳିତ ଜାତିସଂଘ(ୟୁଏନ୍‌)ର ମାନବାଧିକାର ପରିଷଦ ସମେତ ୟୁଏନ୍‌ର ୩୧ଟି ସଂସ୍ଥା ଏବଂ ତାହାର ବାହାରେ ଥିବା ୩୫ଟି ସଂସ୍ଥାରେ ଅଂଶଗ୍ରହଣ କରିବ ନାହିଁ କିମ୍ବା ସେଗୁଡ଼ିକୁ ପାଣ୍ଠି ଯୋଗାଇବ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନରେ ଆମେରିକା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ଏବଂ ମିଳିତ ଜାତିସଂଘ ଶିକ୍ଷା, ବିଜ୍ଞାନ ଏବଂ ସଂସ୍କୃତି ସଂଗଠନ (ୟୁନେସ୍କୋ)ରୁ ଓହରି ଯାଇଛି। ଆର୍ଜେଣ୍ଟିନା ଆନୁଷ୍ଠାନିକ ଭାବେ ଡବ୍ଲ୍ୟୁଏଚ୍‌ଓ ଛାଡିଛି ଏବଂ ଚଳିତବର୍ଷ ଡିସେମ୍ବରରୁ ୟୁନେସ୍କୋରୁ ନିକାରାଗୁଆ ଓହରିଯିବ।
ବିଶ୍ୱର ୧୯୫ ଦେଶ ମଧ୍ୟରୁ ମାତ୍ର ୧୨୫ ଦେଶ ବର୍ତ୍ତମାନ ଅନ୍ତର୍ଜାତୀୟ ଆପରାଧିକ ଅଦାଲତ (ଆଇସିସି)ର ରୋମ୍‌ ସମ୍ବିଧାନ ବା ଚୁକ୍ତିର ସଦସ୍ୟ। ବୁରୁଣ୍ଡି ଏବଂ ଫିଲିପାଇନ୍ସ ପରେ ନାଇଜର, ବୁର୍କିନା ଫାସୋ ଏବଂ ମାଲି ଏଥିରୁ ବାହାରି ଯାଇଛନ୍ତି। ଆମେରିକା, ଚାଇନା ଓ ରୁଷିଆ ଏହାର ସଦସ୍ୟ ନୁହନ୍ତି। ଜାତିସଂଘରୁ ନ ବାହାରି କୌଣସି ଦେଶ ଜାତିସଂଘର ନ୍ୟାୟିକ ଅଙ୍ଗ ‘ଅନ୍ତର୍ଜାତୀୟ ନ୍ୟାୟାଳୟ’ (ଆଇସିଜେ) ଛାଡିପାରିବେ ନାହିଁ। କିନ୍ତୁ ସୁରକ୍ଷା ପରିଷଦର ପାଞ୍ଚଟି ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଚାରୋଟି-ଆମେରିକା, ରୁଷିଆ, ଚାଇନା ଏବଂ ଫ୍ରାନ୍ସ ଆଇସିଜେର ଧାରାକୁ ସ୍ବୀକାର କରିନାହାନ୍ତି । ମାତ୍ର ୭୫ଟି ଦେଶ ଏହା କରିଛନ୍ତି । ଫଳରେ ମାନବାଧିକାର ଉଲ୍ଲଂଘନ ଏବଂ ମାନବିକତା ବିରୋଧରେ ଅପରାଧ ଦଣ୍ଡମୁକ୍ତ ହେବା ଆଶ୍ଚର୍ଯ୍ୟର କଥା ନୁହେଁ। ଅନ୍ତର୍ଜାତୀୟ ବ୍ୟବସ୍ଥାଗୁଡ଼ିକ ଦୁର୍ବଳ ହେବାର ଏଗୁଡ଼ିକ ଏକମାତ୍ର କାରଣ ନୁହେଁ । ସହଯୋଗ କରିବାକୁ ମନା କରିବା ଯୋଗୁ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ପ୍ରମୁଖ ପ୍ରସଙ୍ଗଗୁଡ଼ିକରେ ସହମତି ଅସମ୍ଭବ ହୋଇପଡିଛି। କିନ୍ତୁ ଆମେରିକା ଏବଂ ଅନ୍ୟ ସଦସ୍ୟ ଦେଶମାନଙ୍କ ସହଯୋଗ ଅଭାବ ଜାତିସଂଘର ଶାନ୍ତି ପ୍ରତିଷ୍ଠା କ୍ଷମତାକୁ ଦୁର୍ବଳ କରିଦେଇଛି। ଫଳସ୍ବରୂପ, ୧୮୬୮ ମସିହାର ସେଣ୍ଟ ପିଟର୍ସବର୍ଗ ଘୋଷଣାନାମା ପରଠାରୁ ଯୁଦ୍ଧକୁ ନିୟନ୍ତ୍ରଣ କରିବା ପାଇଁ ଗଢ଼ିଉଠିଥିବା ଅନ୍ତର୍ଜାତୀୟ ଆଇନର ଶାସନ ଏବେ ବିଶ୍ୱସନୀୟତା ହରାଉଛି। ଏବେ ୮ଟି ଅନ୍ତର୍ଜାତୀୟ ଯୁଦ୍ଧ ସହିତ ୬୫ଟି ରାଷ୍ଟ୍ର-ଭିତ୍ତିକ ସଂଘର୍ଷ ଜାରି ରହିଛି। ୧୯୦୭ ହେଗ୍‌ ସମ୍ମିଳନୀ ଦ୍ୱାରା ନିଶ୍ଚିତ କରାଯାଇଥିବା ସୁରକ୍ଷାକୁ ଅଣଦେଖା କରି ବିଦ୍ୟାଳୟ ଓ ହସ୍ପିଟାଲଗୁଡ଼ିକୁ ବାରମ୍ବାର ଆକ୍ରମଣ କରାଯାଉଛି। ସୁରକ୍ଷା ପାଇଁ ଏତେ ସବୁ ଚୁକ୍ତି ଥିବା ସତ୍ତ୍ୱେ ଯୁଦ୍ଧପ୍ରବଣ ଅଞ୍ଚଳର ଶିଶୁମାନେ ପୂର୍ବାପେକ୍ଷା ଅଧିକ ବିପଦରେ ଅଛନ୍ତି। ବାସ୍ତବରେ, ଜଳବାୟୁ ପରିବର୍ତ୍ତନ ମୁକାବିଲା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଶମାନେ ଭଲ ଭାବରେ ସହଯୋଗ କରିବାର ଉପାୟ ଖୋଜି ନ ପାଇଲେ ସମସ୍ତେ କ୍ଷତିଗ୍ରସ୍ତ ହେବେ।
କିନ୍ତୁ ଗତ ଜାନୁଆରୀରେ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ଦାଭୋସର ଐତିହାସିକ ଭାଷଣ ଏବଂ ଫିନ୍‌ଲାଣ୍ଡର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡାର୍‌ ଷ୍ଟବୁଙ୍କ ପୁସ୍ତକ ‘ଦି ଟ୍ରାଙ୍ଗଲ୍‌ ଅଫ୍‌ ପାୱାର୍‌’ ଏକ ବଡ଼ ପ୍ରଶ୍ନ ଉଠାଇଛି। ଆମେରିକା, ରୁଷିଆ ଏବଂ ଚାଇନା ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଅନ୍ୟ ଶକ୍ତିଗୁଡ଼ିକ ମିଳିତ ଜାତିସଂଘ ସନନ୍ଦ ମଧ୍ୟରେ ରହି ସହମତି ପ୍ରକାଶ ପାଇଥିବା ବିଶ୍ୱସ୍ତରୀୟ ଲକ୍ଷ୍ୟଗୁଡ଼ିକୁ ପୂରଣ କରିବା ପାଇଁ କୌଣସି ଆଧାର ଖୋଜିପାଇବେ କି? ଏଠାରେ ପ୍ରଥମ ପଦକ୍ଷେପ ହେଉଛି ଦେଶଗୁଡ଼ିକ ନିଶ୍ଚିତ କରିବେ ଯେ ସେମାନେ ମହାଶକ୍ତିଙ୍କ ସମ୍ମତି ବିନା ନିର୍ଦ୍ଦିଷ୍ଟ ନୀତିଗୁଡ଼ିକ ଉପରେ ସହଯୋଗ କରିପାରିବେ ଏବଂ ଲାଗିରହିଥିବା ଅନ୍ତର୍ଜାତୀୟ ଶତ୍ରୁତାପୂର୍ଣ୍ଣ ପରିବେଶକୁ ପ୍ରତିହତ କରିପାରିବେ। ସୌଭାଗ୍ୟର କଥା ସେମାନେ ଆଗକୁ ବଢ଼ୁଛନ୍ତି। ଆମେରିକା ଦୂରେଇ ରହିଥିଲେ ମଧ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଭାରେ ୧୨୪ଟି ଦେଶ ଡବ୍ଲ୍ୟୁଏଚ୍‌ଓ ମହାମାରୀ ଚୁକ୍ତିନାମା ଗ୍ରହଣ କରିବା ସପକ୍ଷରେ ଭୋଟ୍‌ ଦେଇଥିଲେ (କେବଳ ୧୧ଟି ଦେଶ ଏଥିରୁ ବିରତ ରହିଥିଲେ)। ଏହା ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବଡ଼ ସଫଳତା। ୧୦୦ରୁ ଅଧିକ ଛୋଟ ଏବଂ ମଧ୍ୟମ ଧରଣର ଦେଶ ମାନବିକତା ବିରୋଧରେ ହେଉଥିବା ଅପରାଧକୁ ରୋକିବା ଏବଂ ଦଣ୍ଡିତ କରିବା ପାଇଁ ମିଳିତ ଜାତିସଂଘର ପ୍ରସ୍ତାବିତ ଚୁକ୍ତିନାମାକୁ ସମର୍ଥନ କରୁଛନ୍ତି। ନିକଟରେ ଛୋଟ ଦ୍ୱୀପଦେଶ ଭାନୁଆଟୁ ଏକ ମେଣ୍ଟର ନେତୃତ୍ୱ ନେଇଥିଲା, ଯାହା ୧୩୨ଟି ଦେଶକୁ ବୃଦ୍ଧି ପାଇଛି। ଏହି ମେଣ୍ଟ ଜଳବାୟୁ ପରିବର୍ତ୍ତନ ନେଇ ଆଇସିଜେର ଏକ ପରାମର୍ଶମୂଳକ ମତ ହାସଲ କରିଥିଲା; ଯେଉଁଥିରେ ଜଳବାୟୁ ପରିବର୍ତ୍ତନ ବିରୋଧରେ ନିଷ୍କ୍ରିୟତା ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି କୁହାଯାଇଛି।
ପ୍ଲାଷ୍ଟିକ ନିୟନ୍ତ୍ରଣ ପାଇଁ ଏକ ପ୍ରସ୍ତାବିତ ଚୁକ୍ତିନାମା ଉପରେ କୌଣସି ଅଗ୍ରଗତି ହୋଇ ନ ଥିବା ବେଳେ ମିଳିତ ଜାତିସଂଘର ହାଇ ସିଜ୍‌ ଚୁକ୍ତିର ସଫଳତାକୁ ବିଚାରକୁ ନିଅନ୍ତୁ। କେବଳ ଗୋଟିଏ ମହାଶକ୍ତି(ଚାଇନା)ର ସମର୍ଥନ ପାଇ ଏହି ଚୁକ୍ତି କାର୍ଯ୍ୟକାରୀ ହୋଇଛି। ସିଏରା ଲିଓନ ଏବଂ ମରକ୍କୋ ଗତବର୍ଷ ଏହାକୁ ଅନୁମୋଦନ କରାଇବାରେ ନେତୃତ୍ୱ ନେଇଥିଲେ (ଏହି ଲେଖା ସମୟରେ, ୯୩ଟି ଦେଶ ଏହାକୁ ସ୍ବୀକାର କରିସାରିଛନ୍ତି)। ସେହିପରି ସ୍ଲୋଭେନିଆର ଲଜୁବଲଜାନାରେ ଅନୁଷ୍ଠିତ ଦ ହେଗ୍‌ ସମ୍ମିଳନୀ ପ୍ରତ୍ୟର୍ପଣ ସମ୍ପର୍କିତ ପାରସ୍ପରିକ ଆଇନଗତ ସହାୟତାର ଗ୍ୟାରେଣ୍ଟି ଦେଉଛି। ଆର୍ଜେଣ୍ଟିନା, ବେଲଜିୟମ୍‌, ମଙ୍ଗୋଲିଆ, ନେଦରଲାଣ୍ଡ୍ସ, ସେନେଗାଲ୍‌ ଓ ସ୍ଲୋଭେନିଆର ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ୮୦ଟି ଦେଶ ସମର୍ଥନ କରିଛନ୍ତି।
ଏହା ସତ ଯେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ଏବଂ ପରମାଣୁ ପ୍ରସାରକୁ ରୋକିବା ଦିଗରେ ବହୁତ କମ୍‌ ଅଗ୍ରଗତି ହୋଇଛି। ଅନେକ ପ୍ରଚେଷ୍ଟା ସତ୍ତ୍ୱେ, ଆମେରିକା ଏବଂ ଚାଇନାର ପ୍ରଭାବ ରହିଥିବା ସାଇବର ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇନାହିଁ। କିନ୍ତୁ ଅନ୍ୟ କ୍ଷେତ୍ରରେ ସଫଳତା ମିଳିଛି। ବାଣିଜ୍ୟ ବିବାଦର ସମାଧାନ ପାଇଁ ଏକ ବିକଳ୍ପ ମଧ୍ୟସ୍ଥତା ବ୍ୟବସ୍ଥାରେ ଏପର୍ଯ୍ୟନ୍ତ ୩୪ ଦେଶ ସାମିଲ ହୋଇଛନ୍ତି। ଇୟୁ ଏବଂ କମ୍ପ୍ରେହେନ୍ସିଭ୍‌ ଆଣ୍ଡ ପ୍ରୋଗ୍ରେସିଭ୍‌ ଏଗ୍ରିମେଣ୍ଟ ଫର୍‌ ଟ୍ରାନ୍ସ-ପାସିଫିକ୍‌ ପାର୍ଟନରଶିପ୍‌ ଏକ ଅଧିକ ସମ୍ମିଳିତ ସମ୍ପର୍କର ସମ୍ଭାବନା ଉପରେ ବିଚାର କରୁଛନ୍ତି। ଯଦି ଭାରତ ଏଥିରେ ଯୋଗଦିଏ, ତେବେ ଏହା ଏପର୍ଯ୍ୟନ୍ତ ଦେଖାଯାଇଥିବା ସବୁଠାରୁ ବଡ଼ ବାଣିଜି୍ୟକ ଗୋଷ୍ଠୀ ହୋଇପାରିବ। ରୁଷିଆର ସିଧାସଳଖ ବିରୋଧ ସତ୍ତ୍ୱେ ୟୁରୋପ ପରିଷଦ ୩୬ଟି ଦେଶ ଏବଂ ୟୁରୋପୀୟ ସଂଘକୁ ଏକତ୍ର କରି ରୁଷିଆ ବିରୋଧରେ ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍‌ ଗଠନ କରିବାର ଲକ୍ଷ୍ୟ ରଖିଛି, ଯାହା ୟୁକ୍ରେନ୍‌ ବିରୋଧରେ ରୁଷିଆର ଆକ୍ରମଣ ଅପରାଧର ତଦନ୍ତ କରିବ।
ଅଧିକ ଅନେକ କିଛି ହାସଲ କରାଯାଇପାରିବ। କାରଣ ଯେଉଁ ଦେଶଗୁଡ଼ିକ ମହାଶକ୍ତି ନୁହନ୍ତି କିମ୍ବା ମହାଶକ୍ତିଙ୍କ ସମର୍ଥକ ନୁହନ୍ତି, ସେମାନେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱ ବ୍ୟାଙ୍କରେ ପ୍ରାୟ ତିନି-ଚତୁର୍ଥାଂଶ ଭୋଟ୍‌ ନିୟନ୍ତ୍ରଣ କରନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ଏବଂ ଡବ୍ଲ୍ୟୁଏଚ୍‌ଓରେ ସେମାନଙ୍କର ସଂଖ୍ୟାଗରିଷ୍ଠ ପ୍ରତିନିଧିତ୍ୱ ରହିଛି। ଏହାସହ ଜାତିସଂଘ ସୁରକ୍ଷା ପରିଷଦର ୫ଟି ସ୍ଥାୟୀ ଆସନ ମଧ୍ୟରୁ ୨ ଏବଂ ସମୁଦାୟ ୧୫ଟି ଆସନ ମଧ୍ୟରୁ ୧୨ ଆସନ ସେମାନଙ୍କ ପାଖରେ ରହିଛି। ଆହୁରି ଆଶାବାଦୀ ହେବାର ବଡ଼ କାରଣ ହେଉଛି ଲୋକମାନେ ଅନ୍ଧ ଜାତୀୟତାବାଦ ବଦଳରେ ସୀମାପାର ସହଯୋଗର ମୂଲ୍ୟକୁ ଅଧିକ ସ୍ବୀକାର କରୁଛନ୍ତି। ରକଫେଲର୍‌ ଫାଉଣ୍ଡେସନ୍‌ ଦ୍ୱାରା ପ୍ରାୟୋଜିତ ଏକ ୨୦୨୫ ବିଶ୍ୱସ୍ତରୀୟ ସର୍ଭେରେ, ୩୪ଟି ଦେଶର ୫୫% ଉତ୍ତରଦାତା ବିଶ୍ୱସ୍ତରୀୟ ଆହ୍ବାନଗୁଡ଼ିକର ମୁକାବିଲା ନିମନ୍ତେ ଅନ୍ତର୍ଜାତୀୟ ସହଯୋଗକୁ ସମର୍ଥନ କରିଛନ୍ତି।
ବର୍ତ୍ତମାନର ଆମେରିକୀୟ ପ୍ରଶାସନର ଚାପଭିତ୍ତିକ କୂଟନୈତିକ ଆଭିମୁଖ୍ୟ ସତ୍ତ୍ୱେ ଆମେରିକୀୟଙ୍କୁ ବୁଝାଯାଇପାରିବ ଯେ ବହୁ ଦୃଷ୍ଟିକୋଣସମ୍ପନ୍ନ ବିଶ୍ୱରେ ଏକପାଖିଆ କାର୍ଯ୍ୟ କରିବା ଦୂରଦୃଷ୍ଟିହୀନତା ଏବଂ ସହମତିଭିତ୍ତିକ ସହଯୋଗ ହିଁ ଆମେରିକାର ସ୍ବାର୍ଥକୁ ପାଇଁ ଅଧିକ ଭଲ । କିନ୍ତୁ ଏହି ସ୍ଥିତିରେ ବିଶ୍ୱର ପ୍ରଗତି କେବଳ ସମାନ ଚିନ୍ତାଧାରାର ଶକ୍ତିଶାଳୀ ଦେଶଗୁଡ଼ିକ ସମନ୍ବିିତ ପ୍ରୟାସ ଉପରେ ନିଭର୍ର୍ର କରେ । ଏପର୍ଯ୍ୟନ୍ତ ନୀରବ ଥିବା ବିଶ୍ୱର ସଂଖ୍ୟାଧିକ ଲୋକ ଅନ୍ତର୍ଜାତୀୟ ସହମତିଭିତ୍ତିକ ପ୍ରତିବଦ୍ଧତା ଏବଂ ସହଯୋଗର ଦିନଗୁଡ଼ିକୁ ଫେରିବା ପାଇଁ ବ୍ୟାକୁଳ । ଏହା ସୂଚାଉଛି, ସେମାନେ ସର୍ବଦା ନୀରବ ରହିବେ ନାହିଁ। ଆମ ନେତାମାନେ ସେମାନଙ୍କ ପଥ ଅନୁସରଣ କରିବା ଉଚିତ ଏବଂ ଏହା ହିଁ ପ୍ରଗତିର ଏକମାତ୍ର ପଥ ବୋଲି ସ୍ବୀକାର କରିବା ଆବଶ୍ୟକ।

ଗର୍ଡନ ବ୍ରାଉନ
-ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri