ପ୍ୟାକେଜ ଭେଳିକି: ଧର୍ମକୁ ଆଖିଠାର

ଡ. ସନ୍ତୋଷ କୁମାର ମହାପାତ୍ର

କୋଭିଡ୍‌ ମହାମାରୀ ହେଉଛି ଆମ ସମୟର ଭୟଙ୍କର ସ୍ବାସ୍ଥ୍ୟ ଓ ଆର୍ଥିକସଙ୍କଟ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସବୁଠାରୁ ବୃହତ୍‌ ମାନବିକ ଆହ୍ବାନ। ଏହା ଭାରତ ସମେତ ସମଗ୍ର ବିଶ୍ୱ ଅର୍ଥନୀତିକୁ ଧ୍ବସ୍ତବିଧ୍ୱସ୍ତ କରିଦେଇଛି। ଏହି ସମୟରେ ଧନିକ ଶ୍ରେଣୀ, କର୍ପୋରେଟ, ଅରବପତିଙ୍କ ସମ୍ପଦ ବହୁଗୁଣ ବୃଦ୍ଧିପାଇଛି। କମ୍ପାନୀଗୁଡ଼ିକ ଲାଭ ଅହେତୁକ ବୃଦ୍ଧି ପାଇଛି।
କର୍ପୋରେଟମାନଙ୍କ ଲାଭ ସତ୍ତ୍ୱେ ସେମାନଙ୍କ କାରବାର ହ୍ରାସ ପାଇଛି, ଉତ୍ପାଦ ଏବଂ ସେବାଗୁଡ଼ିକର ଚାହିଦା ହ୍ରାସ ମଧ୍ୟ ଶିଳ୍ପ ଜଗତରେ ଉଦ୍‌ବେଗ ସୃଷ୍ଟି କରିଛି। ଏଣୁ ସାଧାରଣ ଜନତାଙ୍କ ସୁରକ୍ଷା ପାଇଁ ନୁହେଁ, ନିଜ ବ୍ୟବସାୟର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆର୍ଥିକ ପ୍ୟାକେଜ ପାଇଁ ଶିଳ୍ପଜଗତ ଦାବି କରିଥିଲା, ଯାହା ସରକାର ଶୁଣିଛନ୍ତି। ଅବଶ୍ୟ ସରକାର ଲୋକଙ୍କ ଦାବି ଶୁଣନ୍ତି ନାହିଁ। ଏକ ଆର୍ଥିକ ପ୍ୟାକେଜ ହେଉଛି ବିଭିନ୍ନ ପ୍ରକାର ଆର୍ଥିକ ପଦକ୍ଷେପ, ଯାହା ସରକାର ଏକ ଦୁର୍ବଳ, ନିମ୍ନମୁଖୀ, ବିପର୍ଯ୍ୟୟମୁଖୀ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଘୋଷଣା କରନ୍ତି। ଏକ ଆର୍ଥିକ ଉତ୍ସାହ ପ୍ୟାକେଜ ଉପଯୋଗିତା ପଛରେ ଥିବା କେନ୍ସଙ୍କ ଥିଓରି ବା କିନ୍ସିଆନ ଅର୍ଥନୀତିର ତତ୍ତ୍ୱ ହେଉଛି ଆର୍ଥିକ ମାନ୍ଦାବସ୍ଥା ବା ଅନ୍ୟ ଭୟଙ୍କର ଆର୍ଥିକ ସଙ୍କଟ ଆପେ ଆପେ ଦୂର ହେବନାହିଁ । ଏଥିପାଇଁ ସରକାରୀ ହସ୍ତକ୍ଷେପ ଜରୁରୀ। ଏକ ଆର୍ଥିକ ପ୍ୟାକେଜ ଆର୍ଥିକ ସହାୟତା, ବ୍ୟୟ (ବିତ୍ତୀୟ ନୀତି), ସୁଧହାର ହ୍ରାସ (ମୁଦ୍ରା ନୀତି) କିମ୍ବା ପରିମାଣିକ ସହଜ (କ୍ୱାଣ୍ଟିଟେଟିଭ ଇଜିଙ୍ଗ) ଆକାରରେ ହୋଇପାରେ। ଯେତେବେଳେ ସରକାର ବିତ୍ତୀୟ ପଦକ୍ଷେପ ପାଇଁ ଚୟନ କରନ୍ତି, ସେତେବେଳେ ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଏବଂ ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ ନିଅନ୍ତି । ଏଥିପାଇଁ ଟିକସ ହ୍ରାସ କରିଥାନ୍ତି, ଲୋକଙ୍କୁ ଆୟ ସହାୟତା ଦେଇଥାନ୍ତି, ବିଭିନ୍ନ କ୍ଷେତ୍ରରେ ବ୍ୟୟ ବୃଦ୍ଧି କରିଥାନ୍ତି। ସରକାର ବେକାରି ହାର ହ୍ରାସ, ନିଯୁକ୍ତି ସୃଷ୍ଟି, ଦରଦାମ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଇଥାନ୍ତି। ଟିକସ ହ୍ରାସ ଯୋଗୁ ଲୋକଙ୍କ ପାଖରେ ପରୋକ୍ଷରେ ଅଧିକ ଅର୍ଥ ରହିଥାଏ ଏବଂ ଲୋକ ବେଶି ବ୍ୟୟ କରିଥାନ୍ତି।
ଅର୍ଥନୀତିକୁ ଚଳଚଞ୍ଚଳ କରିବା ପାଇଁ ମୁଦ୍ରା ନୀତିରେ ସୁଧ ହାର ହ୍ରାସ କରାଯାଏ। ଯେତେବେଳେ ସୁଧ ହାର ହ୍ରାସ କରାଯାଏ, ଲୋକ ସଞ୍ଚୟ କରିବାକୁ ନିରୁତ୍ସାହିତ ହୁଅନ୍ତି, ଅଧିକ ଋଣ ନେଇ ଅଧିକ ବ୍ୟୟ କରନ୍ତି। ଅଧିକ ବ୍ୟୟ କଲେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧିପାଏ । କିନ୍ତୁ ସୁଧ ହ୍ରାସ ଯୋଗୁ ବେଶି ଲାଭବାନ ହୋଇଥାନ୍ତି କର୍ପୋରେଟ ଜଗତ ଏବଂ ସରକାର। ଉଭୟଙ୍କର ସୁଧ ବାବଦ ପରିବ୍ୟୟ ହ୍ରାସ ପାଇଥାଏ। କିନ୍ତୁ ସଞ୍ଚୟ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକ ବେଶି କ୍ଷତିଗ୍ରସ୍ତ ହୋଇଥାନ୍ତି। ପରିମାଣିକ ସହଜତା ହେଉଛି ଏକ ପ୍ରକାରର ବିସ୍ତାରିତ ମୁଦ୍ରା ନୀତି ଯେତେବେଳେ ଏକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରୁ ବଣ୍ଡ୍‌ ପରି ବହୁ ସଂଖ୍ୟକ ଆର୍ଥିକ ସମ୍ପତ୍ତି କ୍ରୟ କରେ, ଯାହା ଅର୍ଥ ଯୋଗାଣରେ ବୃଦ୍ଧି କରିଥାଏ, ବଣ୍ଡର ମୂଲ୍ୟ ବୃଦ୍ଧି କରିଥାଏ ଏବଂ ସୁଧ ହାର ହ୍ରାସ କରିଥାଏ। ଯେତେବେଳେ ସୁଧହାର ବହୁତ କମ୍‌ ଥାଏ, ମୁଦ୍ରା ନୀତି କାର୍ଯ୍ୟକାରୀ କରିହୁଏ ନାହିଁ, ସେତେବେଳେ ସରକାର ଏହିନୀତି ଅପଣାଇଥାନ୍ତି।
ଅଜିମ୍‌ ପ୍ରେମଜୀ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି ଯେ, ମହାମାରୀର ଅର୍ଥନୈତିକ ପ୍ରଭାବ ହେତୁ ସ୍ବଳ୍ପ ଆୟ ବର୍ଗର ଲୋକମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ ପାଇଁ ସରକାର ୮ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ( ଅର୍ଥ ଆକାରରେ) ଦେବାକୁ ପଡ଼ିବ। କିନ୍ତୁ ସରକାର ଯେଉଁ ୬.୨୯ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି, ତାହା ୨୦୨୧-୨୨ର ସମ୍ଭାବ୍ୟ ଜିଡିପି (୨୨୨.୮୭ ଲକ୍ଷ କୋଟି ଟଙ୍କା)ର ୨.୮୨% । କିନ୍ତୁ ସେଥିରେ ନଗଦ ଅର୍ଥ ବ୍ୟୟ କରିବାର ପ୍ରସ୍ତାବ କମ୍‌ । କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହା ମାତ୍ର ୧୧୮,୩୯୦ କୋଟି ଟଙ୍କା, ଯାହା ଜିଡିପିର ମାତ୍ର ୦.୫% । ଯେଉଁସବୁ ପ୍ୟାକେଜ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ତାହା ଅଦରକାରୀ ବୋଲି ଆମେ କହୁନାହୁଁ ।
କିନ୍ତୁ ସେସବୁ ବର୍ତ୍ତମାନର ସମସ୍ୟା ସମାଧାନ କରିବ ନାହିଁ । କାରଣ ତାହା ସପ୍ଲାଇ ସାଇଡ ବା ଯୋଗାଣ ପାର୍ଶ୍ୱ ସମସ୍ୟା ସମାଧାନ ପାଇଁ ଉଦ୍ଦିଷ୍ଟ। କିନ୍ତୁ ବର୍ତ୍ତମାନ ସମସ୍ୟା ହେଉଛି ଡିମାଣ୍ଡ ସାଇଡ ସମସ୍ୟା ବା ଚାହିଦା ଅଭାବଜନିତ ସମସ୍ୟା ।
ବର୍ତ୍ତମାନ ନଗଦ ବ୍ୟୟ ଆବଶ୍ୟକ ଥିଲାବେଳେ ପ୍ୟାକେଜ ଦୀର୍ଘ ଏବଂ ମଧ୍ୟମ ସମୟର ଋଣ-ଆଧାରିତ ବା ଋଣ ଗ୍ୟାରେଣ୍ଟି ଯୋଜନା କେବଳ କମ୍ପାନୀଗୁଡ଼ିକୁ ସହାୟକ ହେବ।
ବର୍ତ୍ତମାନ ଲୋକଙ୍କ କ୍ରୟଶକ୍ତି ବ୍ୟୟ ବୃଦ୍ଧି ଆବଶ୍ୟକ। ଏଥିପାଇଁ ଲୋକଙ୍କୁ ଆୟ ସହାୟତା ଦେବା ସହିତ ସ୍ବାସ୍ଥ୍ୟ ସେବା ସହଜରେ ଏବଂ ମାଗଣା ବା ସ୍ବଳ୍ପ ମୂଲ୍ୟରେ ଯୋଗାଇଦେବା ଉଚିତ। ଏହା ସହିତ ନିଯୁକ୍ତି ସୃଷ୍ଟିକରି ଜୀବିକା ହରାଇଥିବା ଲୋକଙ୍କୁ ପୁନଃ ଥଇଥାନ କରିବା ପାଇଁ ପଦକ୍ଷେପ ନେବା ଉଚିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଯେଉଁ ପରିବାରରେ ମହାମାରୀ ଯୋଗୁ କେହି ମୃତ୍ୟୁବରଣ କରିଛନ୍ତି ବା ସଂକ୍ରମିତ ରୋଗୀର ଚିକିତ୍ସା ପାଇଁ ଦେବାଳିଆ ବା ଋଣଗ୍ରସ୍ତ ହୋଇଛନ୍ତି, ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିବାର ଅବଶ୍ୟକତା ରହିଛି। ଏତଦ୍‌ବ୍ୟତୀତ ଯେଉଁ ପରିବାରରେ ରୋଜଗାର କରୁଥିବା ଲୋକଟି ମୃତ୍ୟୁବରଣ କରିଛି ଏବଂ ସେହି ପରିବାରରେ ଆଉ କେହି ରୋଜଗାର କରୁନାହାନ୍ତି, ସେହି ପରିବାରର ଜଣକୁ ତା’ର ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଯୋଗାଇବା ଅତ୍ୟନ୍ତ ଜରୁରୀ। ଏହାସହିତ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବଂ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଥିଲା। ସବୁଠାରୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଦର ଉପରୁ ବର୍ଦ୍ଧିତ ଟିକସ ହ୍ରାସକରି ସେସବୁର ମୂଲ୍ୟ ହ୍ରାସ କରିବା। କାରଣ ଏସବୁର ମୂଲ୍ୟ ଅସହ୍ୟ ହେବା ଯୋଗୁ ସମସ୍ତେ ପ୍ରଭାବିତ ହେଉଛନ୍ତି। ସବୁ ଦର ବୃଦ୍ଧି ପାଉଛି। କ୍ରୟଶକ୍ତି ହ୍ରାସ ପାଉଛି । ଏସବୁ ସମସ୍ୟାର ସମାଧାନ ନ କରି ଯଦି ଅନ୍ୟ କିଛି ପ୍ୟାକେଜ ଦିଆଯାଏ, ତେବେ ତାହାଦ୍ୱାରା ସମସ୍ୟାର ସମାଧାନ ହେବନାହିଁ।
ଏହାପୂର୍ବରୁ ମହାମାରୀର ଭୟଙ୍କର ପ୍ରଭାବକୁ ହ୍ରାସ କରିବା ପାଇଁ ଗତବର୍ଷ ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧୀନରେ ୨୦୨୦ରେ ମେ ୧୩-୧୭, ଅକ୍ଟୋବର ୧୨ ଏବଂ ନଭେମ୍ବର ୧୨ରେ ସରକାର ଯେଉଁ ପ୍ୟାକେଜ ପ୍ରସ୍ତାବ ଦେଇଥିଲେ, ତାହାର ମୂଲ୍ୟ ୨୯.୮୭ ଲକ୍ଷ କୋଟି ଟଙ୍କା ବା ଭାରତର ଜିଡିପିର ପ୍ରାୟ ୧୬% ସହିତ ସମାନ ଥିଲା। କିନ୍ତୁ ମୋଟ ଆର୍ଥିକ ଖର୍ଚ୍ଚ ପ୍ରାୟ ୩ ଲକ୍ଷ କୋଟି ଟଙ୍କା, ଯାହା ଜିଡିପିର ୧.୫% ବୋଲି ଆକଳନ କରାଯାଇଛି। ପୁନଶ୍ଚ ୨୦୨୦-୨୧ ବଜେଟର ଧାର୍ଯ୍ୟ ଅଟକଳ (୩୦.୪୨ ଲକ୍ଷ କୋଟି ଟଙ୍କା)ଏବଂ ପ୍ୟାକେଜ ଦେବା ପରେ ସଂଶୋଧିତ ଅଟକଳ (୩୪.୫୧ ଲକ୍ଷ କୋଟି ଟଙ୍କା) ରେ ଯଦିଓ ୪.୧୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଥିଲା, କିନ୍ତୁ ମୁଖ୍ୟ ଭାଗ ପୂର୍ବ ବଜେଟ ବାହାର ଋଣ ଶୁଝିବାରେ ଯାଇଥିଲା। ଅର୍ଥାତ ମହାମାରୀ ପ୍ୟାକେଜ ପାଇଁ ସରକାର ସେତେବେଳେ ଅତିବେଶିରେ ୨ ଲକ୍ଷ କୋଟି ଟଙ୍କା ବ୍ୟୟ କରିଥିଲେ ବୋଲି ଧରିବାକୁ ହେବ।
ଯଦି ଅଧିକ ବ୍ୟୟ କରିଥାନ୍ତି ତେବେ ତାହା ଅନେକ ଗୁରୁତ୍ୱପୂର୍ଣ ବ୍ୟୟ ହ୍ରାସ କରିଛନ୍ତି । ଏପରିକି ସରକାରଙ୍କ ତଥ୍ୟ ଅନୁସାରେ ସବୁ ପ୍ୟାକେଜ ମିଶାଇଲେ ମୋଟ ଅର୍ଥ ବ୍ୟୟ ୪ ଲକ୍ଷ କୋଟି ଟଙ୍କା ପାଖାପାଖି ହେବ, ଯାହା ଜିଡିପିର ୨% ପାଖାପାଖି ହେବ।
ଯଦି ଆମେ ଭାରତର ଅର୍ଥ ବ୍ୟୟକୁ ଅନ୍ୟ ଦେଶ ସହିତ ତୁଳନା କରିବା, ତେବେ ଭାରତର ସ୍ଥିତି ଅତ୍ୟନ୍ତ ଖରାପ। ଆଡାମ୍‌ ଟେଲରଙ୍କ ଦ୍ୱାରା ଲିଖିତ ୱାଶିଂଟନ ପୋଷ୍ଟ (୬ ଏପ୍ରିଲ ୨୦୨୧) ର ଏକ ଆର୍ଟିକିଲ ଅନୁଯାୟୀ ଜାପାନରେ ଏହି ଖର୍ଚ୍ଚ ଜିଡିପିର ୫୪.୯%, ଆମେରିକା ୨୭.୯% , ସିଙ୍ଗାପୁର ୨୭.୦୫%, ସ୍ଲୋଭେନିଆ ୨୪.୫୪%, ଗୁଆନା ୨୩.୪୨%, ସୁଇଡେନ ୨୩.୦୧%, ଫିନ୍‌ଲାଣ୍ଡ ୨୧.୨୮%, ଲିଥୁଆନିଆ ୨୦.୯୫%, ଜର୍ମାନୀ ୨୦.୩୨%, ଅଷ୍ଟ୍ରେଲିଆ ୧୯.୯୧%। ଜାପାନର ତଥ୍ୟକୁ ନେଇ ଅନେକ ବିବାଦ ରହିଛି।
କେତେକେ କୁହନ୍ତି ଏହା ଜିଡିପିର ୨୦%ରୁ କମ୍‌।
ଭାରତର ଆକଳନରେ ଜୁନ୍‌ ପର୍ଯ୍ୟନ୍ତ ବ୍ୟୟକୁ ବିଚାରକୁ ନିଆଯାଇଥିଲାବେଳେ ଆମେରିକା ପାଇଁ ଏହା ଏପ୍ରିଲର ୧.୯ ଟ୍ରିଲିୟନ ଡଲାର(୧ ଟ୍ରିଲିୟନ =୧୦୦୦ ବିଲିୟନ, ୧ ବିଲିୟନ=୧୦୦ କୋଟି, ୧ ଡଲାର= ୭୩ ଟଙ୍କା ପାଖାପାଖି) ପ୍ୟାକେଜ ଅନ୍ତର୍ଭୁକ୍ତ ହୋଇଛି । ଅନ୍ୟ ଦେଶର ସମସ୍ତ ଆକଳନ ଫେବୃୟାରୀ ୨୦୨୧ ପର୍ଯ୍ୟନ୍ତ ବ୍ୟୟକୁ ବିଚାରକୁ ନିଆଯାଇଛି। ବହୁ ସମୟରେ ଆମ ସରକାର ଆମେରିକା ଉଦାହରଣ ଦିଅନ୍ତି। କିନ୍ତୁ ଆମେରିକାର କେବଳ ଅର୍ଥ ବ୍ୟୟ ଆମ ଜିଡିପିଠାରୁ ବହୁ ଅଧିକ। ଡିସେମ୍ବର ୨୦୨୦ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ବର୍ଷରେ ୨.୫ ଟ୍ରିଲିୟନ ଡଲାରରୁ ଅଧିକ ସହାୟତା ପ୍ରଦାନ ପରେ ପୁଣି ଡିସେମ୍ବର ୨୦୨୦ରେ ୯୦୦ବିଲିୟନ ଡଲାର ସହାୟତା ପ୍ରଦାନ ପାଇଁ ରିଲିଫ ବିଲ୍‌ ପାରିତ ହୋଇଥିଲା। ବାଇଡେନଙ୍କ ରିଲିଫ ପ୍ୟାକେଜ ୧.୯ ଟ୍ରିଲିୟନ ଡଲାର ଏଥିରେ ଯୋଗ କରାଗଲେ ଆମେରିକାର ମୋଟ ଅର୍ଥ ବ୍ୟୟ ଜିଡିପିର ୨୭%ରୁ ଅଧିକ। ୨୦୦୮ ଆର୍ଥିକ ସଙ୍କଟ ସମୟର ପ୍ୟାକେଜଠାରୁ ଏହା ପ୍ରାୟ ଚାରି ଗୁଣ।
ବିଶ୍ୱ ବ୍ୟାଙ୍କ (ଜୁଲାଇ ୨୦୧୮) ଅନୁଯାୟୀ, ପ୍ରଗତି ପ୍ରକ୍ରିୟାରେ ସାମାଜିକ ବିକାଶ ଅଧିକ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ ଲୋକମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯାଇଥାଏ, ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରାଯାଇଥାଏ, ଯାହାଦ୍ୱାରା ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟର ବିକାଶ ହୋଇଥାଏ। ସମାଜର ସଫଳତା ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ସହିତ ଜଡ଼ିତ। ଆମ ସରକାର ଏହି ନୀତି ପୂରଣ କରୁଛନ୍ତି କି?
ମୋ: ୯୪୩୭୨୦୮୭୬୨
skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?