ନୂଆ ସିଜେଆଇ

ନିକଟରେ ଉତ୍ତରପ୍ରଦେଶ ନଏଡାର ବେଆଇନ ନିର୍ମିତ ଟ୍ବିନ୍‌ ଟାଓ୍ବାର ଧ୍ୱଂସ ଲାଗି ନିର୍ଦ୍ଦେଶ ଦେଇଥିବା ସୁପ୍ରିମକୋର୍ଟ ଦ୍ୱାରା ଗଠିତ ପୀଠର ମୁଖ୍ୟ ଥିଲେ ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼। ସେ ରାଇଟ୍‌ ଟୁ ପ୍ରିଭେସି ବା ଅନ୍ତରଙ୍ଗ ତଥ୍ୟ ସୁରକ୍ଷା ଅଧିକାର ଏକ ମୌଳିକ ଅଧିକାର ବୋଲି ୯ ଜଣିଆ ସାମ୍ବିଧାନିକ ପୀଠର ମୁଖ୍ୟ ରାୟ ଲେଖିଥିଲେ। ସେହିପରି ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୭୭ ବଳରେ ସହମତିରେ ଅପ୍ରାକୃତିକ ଯୌନ ସମ୍ପର୍କକୁ ଅପରାଧ ବୋଲି ରହିଆସିଥିବା ବିଧିରେ ପରିବର୍ତ୍ତନ କରାଯାଇ ସମାନତା ଅଧିକାର କ୍ଷୁଣ୍ଣ ହେଉଥିବା ଦର୍ଶାଯିବା ସଂକ୍ରାନ୍ତ ଯେଉଁ ପ୍ରଗତିଶୀଳ ରାୟ ଦିଆଯାଇଥିଲା, ସେହି ପୀଠର ଜଣେ ସଦସ୍ୟ ଭାବେ ଚନ୍ଦ୍ରଚୂଡ଼ଙ୍କ ଯୁକ୍ତି ଥିଲା ଉଲ୍ଲେଖନୀୟ। ଆଧାରର ସାମ୍ବିଧାନିକ ବୈଧତା ନେଇ ୫ ଜଣିଆ ପୀଠର ଜଣେ ସଦସ୍ୟ ଭାବେ ରାୟରେ ବିସମ୍ମତ ପ୍ରକାଶ ପୂର୍ବକ ତାହାକୁ ବ୍ୟକ୍ତିଗତ ମୌଳିକ ଅଧିକାରର ଉଲ୍ଲଂଘନ କହି ସେ ଦର୍ଶାଇଥିବା ଯୁକ୍ତି ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ସାବରିମାଳା ମନ୍ଦିରକୁ ରଜୋଦର୍ଶନ କରିଥିବା ଯୁବତୀ ବା ମହିଳାଙ୍କ ପ୍ରବେଶ ନେଇ ଥିବା ପକ୍ଷପାତିତା ଓ ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବା ଉଲ୍ଲେଖ କରାଯାଇ ଯେଉଁ ରାୟ ପ୍ରକାଶ ପାଇଥିଲା, ସେଥିରେ ସେ ସହମତ ହୋଇଥିଲେ। ଅନୁରୂପ ଭାବେ ଭାରତବର୍ଷର ସର୍ବାଧିକ ଦୃଷ୍ଟି ଆକର୍ଷଣକାରୀ ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ପ୍ରତିଷ୍ଠା ଓ ମସ୍‌ଜିଦ୍‌ ନିର୍ମାଣ ଲାଗି ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ୫ ଏକର ବିକଳ୍ପ ଜମି ଯୋଗାଇ ଦେବାକୁ କେନ୍ଦ୍ରକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ସର୍ବସମ୍ମତି କ୍ରମେ ଦିଆଯାଇଥିବା ୫ ଜଣିଆ ସାମ୍ବିଧାନିକ ପୀଠ ରାୟର ମଧ୍ୟ ସେ ଏକ ଅଂଶ ଥିଲେ। ଏହିଭଳି ଅନେକ ମାମଲାର ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ବେଳେ ନିଜ ପିତା ତଥା ସୁପ୍ରିମକୋର୍ଟର ସର୍ବାଧିକ କାଳ ଧରି ପ୍ରଧାନ ବିଚାରପତି ରହିଥିବା ଓ୍ବାଇ. ଭି. ଚନ୍ଦ୍ରଚୂଡ଼ଙ୍କ ଜଜ୍‌ମେଣ୍ଟରେ ଏକମତ ନ ହୋଇ ସେ ଯେଉଁ ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି, ତାହା ତାଙ୍କୁ ଜଣେ ବାସ୍ତବବାଦୀ ବିଚାରପତିରେ ପରିଣତ କରିଦେଇଛି। ୧୭ ଅକ୍ଟୋବର ୨୦୨୨ରେ ଭାରତର ୫୦ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ନିଯୁକ୍ତ ହୋଇଥିବା ଡି. ଓ୍ବାଇ. ଚନ୍ଦ୍ରଚୂଡ଼ ବର୍ତ୍ତମାନର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କ ପରେ ୯ ନଭେମ୍ବରରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଚର୍ଚ୍ଚା ହେବାର ଏବେ ଅବକାଶ ସୃଷ୍ଟି ହୋଇଛି।
ଧନଞ୍ଜୟ ୟଶଓ୍ବନ୍ତ ଚନ୍ଦ୍ରଚୂଡ଼ ୧୧ ନଭେମ୍ବର ୧୯୫୯ରେ ବମ୍ବେଠାରେ ଜନ୍ମଗ୍ରହଣ କରିଥିଲେ। ପିତା ୟଶଓ୍ବନ୍ତ ବିଷ୍ଣୁ ଚନ୍ଦ୍ରଚୂଡ଼ ଥିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ମାତା ପ୍ରଭା ଥିଲେ ଶାସ୍ତ୍ରୀୟ ସଙ୍ଗୀତକାର। ବମ୍ବେର କାଥେଡ୍ରାଲ୍‌ ଆଣ୍ଡ୍‌ ଜନ୍‌ କାନନ୍‌ ସ୍କୁଲ ଓ ଦିଲ୍ଲୀର ସେଣ୍ଟ୍‌ କଲମ୍ବସ୍‌ ସ୍କୁଲରୁ ପଢ଼ା ଶେଷ କରିବା ପରେ ୧୯୭୯ରେ ଦିଲ୍ଲୀର ସେଣ୍ଟ୍‌ ଷ୍ଟିଫେନ୍ସ କଲେଜରୁ ଅର୍ଥନୀତି ଓ ଗଣିତ ବିଷୟବସ୍ତୁ ରଖି ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଆଇନ ବିଶାରଦ ପିତାଙ୍କ ଯୋଗ୍ୟ ଦାୟାଦ ଭାବେ ସେ ମଧ୍ୟ ଏହି ବୃତ୍ତିରେ ନିଜକୁ ସମିଲ କରିବାକୁ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଅଫ୍‌ ଲ’ରେ ଭର୍ତ୍ତି ହୋଇଥିଲେ। ସେଠାରୁ ୧୯୮୨ରେ ଉତ୍ତୀର୍ଣ୍ଣ ହେବା ପରେ ଆଇନରେ ଉଚ୍ଚଶିକ୍ଷା ଲାଭ କରିବା ସକାଶେ ଆମେରିକାର ହାର୍ଭାର୍ଡ ଲ’ ସ୍କୁଲ ଯାଇ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ମେଧାସମ୍ପନ୍ନ ଧନଞ୍ଜୟ ହାର୍ଭାର୍ଡରେ ଆଇନବିଦ୍ୟାରେ ଉତ୍କର୍ଷ ଲାଭ କରିବା ପରେ ମର୍ଯ୍ୟାଦାଜନକ ଯୋଶେଫ୍‌ ଏଚ୍‌. ବିଅଲ୍‌ ପୁରସ୍କାର ପାଇଥିଲେ। ଜୁରୁଡିକାଲ ସାଇନ୍ସରେ ଡକ୍ଟୋରେଟ୍‌ କରିବା ଲାଗି ସେ ସେଠାରେ ରହି ଗବେଷଣାରେ ମନୋନିବେଶ କରିଥିଲେ। ୧୯୮୬ରେ ସେ ପିଏଚ୍‌.ଡି. ଲାଭ କରିଥିଲେ।
ଧନଞ୍ଜୟ ଯେଉଁ ସମୟରେ ଆଇନ ବିଦ୍ୟାକୁ ନେଇ କ୍ୟାରିୟର ଆରମ୍ଭ କରିବାକୁ ଯାଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୧୯୮୨ରେ ପାଠ ପଢ଼ିଥିଲେ, ସେତେବେଳେ ଯୁବ ଆଇନ ଛାତ୍ରଙ୍କୁ କମ୍‌ ଚାକିରି ମିଳୁଥିଲା। ତେଣୁ ପ୍ରାରମ୍ଭିକ ଅବସ୍ଥାରେ ସେ ଓକିଲ ଓ ବିଚାରପତିଙ୍କ ଅଧୀନରେ ଜୁନିୟର ଆଡ୍‌ଭୋକେଟ ଭାବେ କାର୍ଯ୍ୟ କରିଥିଲେ। ବିଶିଷ୍ଟ ଆଇନଜ୍ଞ ଫଲି ନରିମାନ୍‌ଙ୍କ ପାଖରେ ରହି ଡ୍ରାଫ୍ଟି କୌଶଳ ଶିଖିଥିଲେ। ତେବେ ହାର୍ଭାର୍ଡରୁ ଡିଗ୍ରୀ ଅର୍ଜନ କରିବା ପରେ ସୁଲିଭିଆନ୍‌ ଆଣ୍ଡ୍‌ କ୍ରୋମ୍‌ଓ୍ବେଲ୍‌ ଲ’ ଫାର୍ମରେ କାର୍ଯ୍ୟ କରି ଅଭିଜ୍ଞତା ହାସଲ କରିଥିଲେ। ସେଠାରୁ ଭାରତ ପ୍ରତ୍ୟାବର୍ତ୍ତନ କରି ସୁପ୍ରିମକୋର୍ଟ ଓ ବମ୍ବେ ହାଇକୋର୍ଟରେ ଲ’ ପ୍ରାକ୍ଟିସ୍‌ କଲେ। ଜୁନ୍‌ ୧୯୯୮ରେ ସେ ବମ୍ବେ ହାଇକୋର୍ଟରେ ସିନିୟର ଆଡ୍‌ଭୋକେଟ ମାନ୍ୟତା ପାଇଥିଲେ। ଦକ୍ଷତା ବଳରେ ସେ ସେହି ବର୍ଷ ଭାରତର ଆଡିସନାଲ ସଲିସିଟର ଜେନେରାଲ ନିଯୁକ୍ତ ହୋଇଥିଲେ। ୨୯ ମାର୍ଚ୍ଚ ୨୦୦୦ରେ ବମ୍ବେ ହାଇକୋର୍ଟ ବିଚାରପତି, ୩୧ ଅକ୍ଟୋବର ୨୦୧୩ରେ ଆଲ୍ଲାହାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ହେବା ପରେ ୧୩ ମେ ୨୦୧୬ରେ ଦେଶର ଶୀର୍ଷ ଅଦାଲତରେ ସେ ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ଆଇନର ବୃହତ୍‌ ପରିସରରେ ନିଜକୁ ନିମଜ୍ଜିତ କରିପାରିଥିବା ଧନଞ୍ଜୟ ଚାକିରି ସହିତ ଦେଶ ବିଦେଶର କେତେକ ବିଶ୍ୱବିଦ୍ୟାଳୟରେ ଭିଜିଟିଂ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ଜଣେ ସୁବକ୍ତା ଭାବେ ଅନ୍ତର୍ଜାତୀୟ ମଞ୍ଚରେ ଆଇନ ସମ୍ବନ୍ଧୀୟ କ୍ଳିଷ୍ଟ ବିଷୟବସ୍ତୁକୁ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଦୁଇ ବର୍ଷ ଯାଏ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନରେ ବସିବେ। ତେବେ ୨୦୨୦ ନଭେମ୍ବର ୧୧ରେ ସାରା ଦିନ ଜରୁରୀ ଜାମିନ ଉପରେ ଶୁଣାଣି କରିବାରେ ସମୟ ଦେଇଥିବା ଧନଞ୍ଜୟ ଅଦାଲତ ପରିସରରେ ଜନ୍ମଦିନର ଶୁଭେଚ୍ଛା ପାଇବା ବେଳେ କହିଥିଲେ-ଆଇନ ତାଙ୍କ ଜୀବନ ଓ ତାହାକୁ ଖୁବ୍‌ ଭଲ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?