ଓଡ଼ିଶାର ରାଜନୀତି ଓ ସାହିତ୍ୟରେ ଭଗବତୀ ଯୁଗ

ବିଂଶ ଶତାବ୍ଦୀର ତୃତୀୟ-ଚତୁର୍ଥ ଦଶକରେ ଓଡ଼ିଶାରେ ଗଢ଼ି ଉଠିଥିଲା ରାଜନୀତି ଓ ସାହିତ୍ୟର ଏପରି ଏକ ଯୁଗ, ଯାହା ଓଡ଼ିଶୀ ବା ଭାରତୀ-ଭାବନାର ହୋଇ ବି ଦୃଷ୍ଟିକୋଣରେ ଥିଲା ଆନ୍ତର୍ଜାତିକବାଦୀ। ବିଶ୍ୱର ନାନା ଦେଶରେ ଘଟୁଥିବା ଘଟଣାବଳୀ ପ୍ରତି ଆଖି ଖୋଲାରଖି ଏହି ଯୁଗର ବିଚାରବୋଧଟି ସ୍ବଦେଶ ଓ ସ୍ବଜାତିର ସଂକୀର୍ଣ୍ଣତାକୁ ଅତିକ୍ରମ କରିବାରେ ଆପଣାକୁ ପ୍ରତିବଦ୍ଧ କରି ରଖିଥିଲା। କହିବା ବାହୁଲ୍ୟ ଯେ, ଭାରତ ବର୍ଷର ଅନ୍ୟ ବହୁ ରାଜ୍ୟକୁ ପଛରେ ପକାଇ ଏହି ଯେଉଁ ଯୁଗଟି ଓଡ଼ିଶା ଭୂଇଁରେ ପାଦ ଥାପିଥିଲା, ତା’ର ମହାନାୟକ ଥିଲେ କମ୍ରେଡ୍‌ ଭଗବତୀ ଚରଣ ପାଣିଗ୍ରାହୀ। ସୁତରାଂ ଯୁଗଟି ସର୍ବାନ୍ତକରଣରେ ଥିଲା ‘ଭଗବତୀ ଯୁଗ’।
ଭଗବତୀ ଥିଲେ ଓଡ଼ିଶାରେ ବୈପ୍ଳବିକ ଆନ୍ଦୋଳନର ପୁରୋଧା। ସେ ତାଙ୍କର ସଂକ୍ଷିପ୍ତ ଜୀବଦ୍ଦଶାରେ ତାଙ୍କର କାର୍ଯ୍ୟକ୍ରମକୁ କେବଳ ସ୍ବାଧୀନତା ସଂଗ୍ରାମ ଓ କୃଷକ ଶ୍ରମିକ ଆନ୍ଦୋଳନରେ ସୀମିତ ନ ରଖି ନିଜର ନୂତନ ବୈପ୍ଳବିକ ଚିନ୍ତାଧାରାର ଦିଗନ୍ତକୁ ନାନା ଭାବରେ ବ୍ୟାପ୍ତ କରିଥିଲେ। ଗରିବ ଚାଷୀକୁ ତା’ର ହକ୍‌ ପ୍ରାପ୍ୟ ଦେବା ପାଇଁ, ଜମିଦାର- ମହାଜନଙ୍କ ଶୋଷଣ କଷଣରୁ ତାକୁ ମୁକୁଳାଇବା ନିମିତ୍ତ ସେ ଯେଉଁ ଆନ୍ଦୋଳନ କୃଷକସଭା ଜରିଆରେ ଚଳାଇଥିଲେ, ତାହା ଓଡ଼ିଶା ରାଜନୀତିରେ ଥିଲା ଅଭିନବ। ତାଙ୍କ ସଂଗ୍ରାମର ଧରଣଟି ଥିଲା ସ୍ଥାନୀୟ ସମସ୍ୟାଭିତ୍ତିକ ଓ ସେହି ନିର୍ଦ୍ଦିଷ୍ଟ ସମସ୍ୟାର ଦେଶୀୟ ସମାଧାନ ସନ୍ଧାନ। ଛୋଟଛୋଟ ଲଢ଼େଇ ଓ ଛୋଟଛୋଟ ବିଜୟପ୍ରାପ୍ତିର ସାନସାନ ଅଳିନ୍ଦ ଦେଇ ଦେଶ ଓ ବିଶ୍ୱର ମହାସମସ୍ୟା ଓ ତା’ର ସମାଧାନ ମଧ୍ୟକୁ ଅନ୍ତର୍ଜାତୀୟ ଯାତ୍ରା। ଏହି ଲକ୍ଷ୍ୟକୁ ସମ୍ମୁଖରେ ରଖି ସେ କଟକରେ ପ୍ରେସ୍‌ ଶ୍ରମିକ ସଂଘ, ପୁରୀରେ ମେହେନ୍ତର ସଂଘ ଓ ବାଲେଶ୍ୱରରେ ଚାଉଳ କଳ ଶ୍ରମିକ ସଂଘ ଗଠନ କରିଥିଲେ। ସୋଭିଏଟ୍‌ ରୁଷ୍‌ର ଲେନିନ୍‌ ଓ ଭାରତର ଶ୍ରୀଅରବିନ୍ଦଙ୍କ ପରି ଭଗବତୀ ତାଙ୍କର ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିକୋଣକୁ ସମସମୟର ବିଭିନ୍ନ ପତ୍ରପତ୍ରିକାର ସମ୍ପାଦକୀୟ ଓ ନିବନ୍ଧମାନଙ୍କରେ ପୁଷ୍ଟ କରୁଥିଲେ। ତତ୍ତ୍ୱ ଯେତେ ଜଟିଳ ହେଉ, ତା’ର ସର୍ବଜନବୋଧ୍ୟ ଅବତାରଣାର ଯେଉଁ ଦକ୍ଷତା ତାଙ୍କର ଥିଲା, ତାଙ୍କ ସମକାଳୀନ କୌଣସି ନେତାଙ୍କର ତାହା ନ ଥିଲା।
୧୯୩୫ ମସିହା ନଭେମ୍ବର ୨୯ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସର୍ବମାନ୍ୟ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ତାଙ୍କର ଉଦ୍‌ଯୋଗକ୍ରମେ ‘ନବଯୁଗ ସାହିତ୍ୟ ସଂସଦ’ର ଏକ ଛ’ଦିନିଆ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରୁ ହିଁ ଜନ୍ମ ନେଇଥିଲା ଓଡ଼ିଆ ସାହିତ୍ୟ-ସଂସ୍କୃତିର ଏକ ନୂତନ ଯୁଗ। ପରେ ଏହା ଏକ ଚଳନ୍ତି ‘ପାଠଚକ୍ର’ ଭାବେ ରୂପ ନେଇ ଓଡ଼ିଶାରେ ଏକ ସୁଶିକ୍ଷିତ ନବବିଦ୍ୱାନ୍‌ ମଣ୍ଡଳୀର ସୃଷ୍ଟି କରିଥିଲା, ଯହିଁରେ ନାନା ସମୟରେ ସଂଶ୍ଳିଷ୍ଟ ହୋଇଥିଲେ ନବଓଡ଼ିଶାର ବହୁ ମହାନୁଭବୀ ଜନନେତା ଓ ସାହିତ୍ୟ ସ୍ରଷ୍ଟା। ନିତ୍ୟାନନ୍ଦ କାନୁନ୍‌ଗୋ, ନବକୃଷ୍ଣ ଚୌଧୁରୀ, ଦୀନବନ୍ଧୁ ସାହୁ, କାଳିନ୍ଦୀଚରଣ ପାଣିଗ୍ରାହୀ, ଅନନ୍ତ ପଟ୍ଟନାୟକ ଓ ରାମକୃଷ୍ଣ ପତି ଏବଂ ଆଇନଜୀବୀ ରାଜକିଶୋର ଦାସ ଆଦିଙ୍କ ଆତିଥ୍ୟରେ ‘ନବଯୁଗ ମଣ୍ଡଳ’ ନାମରେ ନାମିତ ହୋଇ ଭଗବତୀଙ୍କ ପ୍ରତିଷ୍ଠିତ ଭ୍ରାମ୍ୟମାଣ ପାଠଚକ୍ରଟିର ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା। ପର୍ଯ୍ୟାୟକ୍ରମେ ଏଥିରେ ସାମିଲ ହୋଇଥିଲେ ବହୁ ସମଦର୍ଶୀ ନେତା ଓ ସାହିତି୍ୟକ ଓ ସଂଗଠକ।
ଭଗବତୀଙ୍କ ପାଠଚକ୍ର ଏତେ ସୁବିଦିତ ଥିଲା ଯେ ସେଥିରେ ଯୋଗଦେଇଥିବା ଅନେକ ସତୀର୍ଥ ସେ ସମ୍ବନ୍ଧରେ ନିଜର ବକ୍ତବ୍ୟ ରଖିଯାଇଛନ୍ତି। ବିଶ୍ୱନାଥ ପଶାୟତ ଓଲିଭର ଗୋଲ୍ଡ ସ୍ମିଥ୍‌ଙ୍କୁ ଉଦ୍ଧାର କରି ଏକଦା କହିଥିଲେ- Wonder how such a small head could carry so much he knew“। ଦୁର୍ଗାଚରଣ ମହାନ୍ତିଙ୍କ ଭାଷାରେ ନବଯୁଗ ମଣ୍ଡଳ ଥିଲା ଭଗବତୀଙ୍କ ଚାଟଶାଳୀ, ଯେଉଁଠି ଇତିହାସର ଘଟଣାବଳୀକୁ ଏକ ଫୁଲମାଳ ପରି ନ ଦେଖି ଶ୍ରେଣୀ ସଂଗ୍ରାମର ଏକ ଧାରାବାହିକ ଗତିଧାରା ଭାବେ ଦେଖିବାକୁ ସତୀର୍ଥମାନଙ୍କୁ ଭଗବତୀ ଶିଖାଉଥିଲେ। ଏହା ଥିଲା ପାରସ୍ପରିକ ଜ୍ଞାନ ଓ ଅନୁଭୂତି ଆଦାନପ୍ରଦାନର ଏକ ଯଜ୍ଞାନୁଷ୍ଠାନ, ଯାହାର ଧର୍ମ ଥିଲା ପାରସ୍ପରିକ ଆଲୋଚନା ଦ୍ୱାରା ପ୍ରତ୍ୟେକ ପ୍ରତ୍ୟେକଙ୍କୁ ସମୃଦ୍ଧ ଓ ନିତ୍ୟାବଗତିକ(contineous self updating)କରି ଗଢ଼ିତୋଳିବା। ଭଗବତୀ ଥିଲେ ଏହି ଯଜ୍ଞର ମହା-ଯାଜ୍ଞିକ। ସେ ଥିଲେ ଓଡ଼ିଶାର ଲେନିନ୍‌। କାରଣ ଲେନିନ୍‌ ନିଜ ଦେଶରେ ଅତୀତରେ ଠିକ୍‌ ଏହି ଢଙ୍ଗରେ ତାଙ୍କ ରାଜନୈତିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିଚାଳନା କରୁଥିଲେ।
୧୯୩୬ ମସିହାରେ ‘ସ୍ବତନ୍ତ୍ର ପ୍ରଦେଶ ଗଠନ’ ପ୍ରସ୍ତାବକୁ ସ୍ବାଗତ କରି ଅନୁଷ୍ଠିତ ‘ନବଯୁଗ ମଣ୍ଡଳ’ ପାଠଚକ୍ରରେ ଭଗବତୀ କହିଥିଲେ: ”ଆଦାନପ୍ରଦାନରେ ହିଁ ସଂସ୍କୃତିର ପରିପୁଷ୍ଟି। ବିଭିନ୍ନ ପ୍ରାନ୍ତୀୟ ସଂସ୍କୃତି ତଥା ଭାଷାରେ ସଂଘର୍ଷ ସ୍ପୃହଣୀୟ ନୁହେଁ। ଓଡ଼ିଶା ପ୍ରଦେଶ ଗଠନ ହେଲେ ଓଡ଼ିଆଭାଷୀ ଅଞ୍ଚଳମାନଙ୍କରେ ଅନେକ ତେଲୁଗୁ, ହିନ୍ଦୀ ଭାଷୀ ଅଞ୍ଚଳ ରହିଯାଇପାରେ। ତେଣୁ ଏହି ସଂଖ୍ୟାଲଘିଷ୍ଠ ଭାଷାଭାଷୀମାନଙ୍କର ଭାଷାକୁ ସୁରକ୍ଷା ଦେବାକୁ ପଡ଼ିବ। ତେଲୁଗୁଭାଷୀଙ୍କ ପାଇଁ ବିଦ୍ୟାଳୟମାନଙ୍କରେ ତେଲୁଗୁ ଶିକ୍ଷା ସହିତ ଓଡ଼ିଆ ଭାଷାର ଶିକ୍ଷାଦାନକୁ ପ୍ରାଧାନ୍ୟ ଦେବାକୁ ହେବ।“ ଭଗବତୀ ଏହି ଅବକାଶରେ ଆହୁରି କହିଥିଲେ ଯେ, ”ବର୍ତ୍ତମାନର ଓଡ଼ିଶାରେ ସହର ବୋଇଲେ ଟିକେ ଟିକେ ନାଲି ରାସ୍ତାର ବିସ୍ତାର, କିଛି ଦୋକାନବଜାର ଓ କୋର୍ଟକଚେରି। ହସ୍ପିଟାଲ ନାହିଁ, ଡାକ୍ତରଙ୍କ ସଂଖ୍ୟା ନଗଣ୍ୟ ମାତ୍ର। ଔଷଧ ନାହିଁ। ଗ୍ରାମ ଓ ସହର- ଉଭୟରେ ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁହାର ପ୍ରଚୁର। ତେଣୁ ସ୍ବତନ୍ତ୍ର ଉତ୍କଳ ହେଲେ ଏସବୁ ଉପରେ ଆନ୍ଦୋଳନ ଚଳାଇବାକୁ ହେବ।“
ଭଗବତୀଙ୍କ ବିଚାରରେ ପ୍ରତ୍ୟେକ ବିପ୍ଳବର ଏକ ସ୍ଥାନୀୟ ପ୍ରସୂତି କ୍ଷେତ୍ର ରହିଛି। ବିପ୍ଳବ ଏକ ନିର୍ଦ୍ଦିଷ୍ଟ ଦେଶରେ ବିଦ୍ୟମାନ ବାସ୍ତବ ସ୍ଥିତିରେ ସଂଘଟିତ ହୁଏ ସେ ଦେଶର ପାଣିପାଗ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖି। ଆଉ ଏହାକୁ ସଂଘଟିତ କରନ୍ତି ସେ ଦେଶର ମେହନତକାରୀ ଜନସାଧାରଣ। କୌଣସି ଦେଶର ବିପ୍ଳବ ଢାଞ୍ଚା ଦ୍ୱାରା ଅନ୍ୟ ଏକ ଦେଶରେ ବିପ୍ଳବ ସଂରଚନା ବୁମେରାଂ ହେବ।“ ଭଗବତୀଙ୍କ ବିପ୍ଳବ ଖସଡ଼ାଟି ଥିଲା ଲେନିନ୍‌ଙ୍କ ବିପ୍ଳବ ଖସଡ଼ାର ଠିକ୍‌ ଅନୁରୂପ। ଲେନିନ୍‌ କହନ୍ତି- ” The choice of the social system।s exclusive prorogative of every country. Revolutions are not।mposed, they can’t be।mposed from without . They are the logical result of the।nternal development .“
ଭଗବତୀ ଚରଣ ନିଜର ସାମାଜିକ-ଚିନ୍ତନରେ କିପରି ନିଜେ ବଞ୍ଚୁଥିବା ସମୟର ବହୁ ଅଗ୍ରଗାମୀ ଓ ବିଜ୍ଞାନ-ଦୃଷ୍ଟି-ସମ୍ପନ୍ନ ଥିଲେ ତାହାର ବହୁ ଉଦାହରଣ ରହିଛି। ପୁରୀରେ ନବଯୁଗ ମଣ୍ଡଳର ଏକ ବୈଠକୀରେ ପୁରୀ ସହରର ଅଚ୍ଛବ, ଦଳିତମାନଙ୍କ ସମସ୍ୟାକୁ ନେଇ ଆଲୋଚନା ଚାଲିଥାଏ। ଏହି ଅବକାଶରେ ପୁରୀ ଜିଲାର ନଡ଼ିଆ ତୋଳାଳି ବାଉରି ଭୋଇ ଶ୍ରେଣୀର ପ୍ରତିନିଧିମାନେ ସେମାନଙ୍କ ଧନ୍ଦାଗତ ସମସ୍ୟା ସମ୍ପର୍କରେ କହିଲେ। ଖୁବ୍‌ ବିପଦକୁ ସାଥିରେ ଧରି ସେମାନେ ଉଚ୍ଚ ନଡ଼ିଆ ଗଛରେ ଚଢ଼ି ଯାହା ପାରିଶ୍ରମିକ ପାଆନ୍ତି, ସେଥିରେ ପେଟ ପୂରେ ନାହିଁ। ସେମାନେ ରହୁଥିବା କୁଡ଼ିଆଘର ତଳର ମାଟି ସାଆନ୍ତମାନଙ୍କର। ସାଧାରଣବର୍ଗଙ୍କ ପାଇଁ ରହିଥିବା କୂଅ ପୋଖରୀରୁ ପାଣି ପିଇବା ସେମାନଙ୍କୁ ମନା। ପୁରୀ ସହରର ମେହେନ୍ତରଙ୍କ ଝିଅବୋହୂମାନେ ଖୋଲା ଗାଣ୍ଡୁଆରେ ପାଇଖାନା ସଫା କରି ବିଷ୍ଠାର ବୋଝକୁ ମୁଣ୍ଡରେ ବୁହନ୍ତି। ରାସ୍ତାରେ ମରିପଡ଼ିଥିବା ଗାଈଗୋରୁ, ବିରାଡ଼ି କୁକୁରଙ୍କ ଶବ ଉଠାଇବା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ମାସିକ ବେତନରେ ଏକ ଟଙ୍କା ବା ଆଠଅଣା ବୃଦ୍ଧି ଦାବିକଲେ ମ୍ୟୁନିସିପାଲିଟି ଧମକ ଦିଏ। ହାତ ଧୋଇବାକୁ ସାବୁନ ମିଳେନାହିଁ। ବୈଠକରେ ସବୁ ଶୁଣି ଭଗବତୀ ବାବୁ କହିଥିଲେ, ଦାସିଆ ବାଉରି ହାତରୁ ରଥାରୂଢ଼ ଜଗନ୍ନାଥ ମହାପ୍ରଭୁ ନଡ଼ିଆ ନେଇଗଲେ- ଏପରି ଗାଲୁଗପ କରି ଦଳିତମାନଙ୍କର ଅଧିକାରକୁ ଉଡ଼େଇ ଦେବାର ନୁହେଁ। ଏମାନଙ୍କୁ ପାନୀୟଜଳ ଯୋଗାଇଦେବା ପାଇଁ କୂଅ ଖୋଳାଯିବା ଦରକାର। ଛୁଆଁ ଅଛୁଆଁ ଭେଦଭାବ କାଟିବାକୁ ସାମାଜିକ ଏକତ୍ର ଭୋଜନ, ବିଦ୍ୟାଳୟରେ ଏକତ୍ର ଅଧ୍ୟୟନ ପାଇଁ ଆମକୁ ସଂଗ୍ରାମ କରିବାକୁ ହେବ। ଏ ଥିଲେ ଭଗବତୀ ବାବୁ- ଯାହାଙ୍କର ଚିନ୍ତାଧାରା କେବଳ ତାଙ୍କ ସମୟ ପାଇଁ ନୁହେଁ, ସବୁକାଳର ମଣିଷଙ୍କ ଲାଗି ଅକାଟ୍ୟ। ଭଗବତୀଙ୍କ ଅଭୁଲା ତିରୋଧାନ ଦିବସରେ ଆମକୁ ଭାବିବାକୁ ହେବ- ଭଗବତୀଙ୍କ ସ୍ବପ୍ନର ସେଇ ନବଯୁଗଟିକୁ ଆମେ ଆଜି ବି କେତେ ହାସଲ କରିଛୁ, ଆଉ କେତେ ବାକି ଅଛି!
ମୋ: ୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri