କନ୍ୟାରତ୍ନଙ୍କ ଭାଗ୍ୟ

ନଗେନ୍ଦ୍ରନାଥ ପଟ୍ଟନାୟକ

 

ଚାକଚକ୍ୟଭରା ଇ-ଯୁଗରେ ଆମେ ଏବେ ପାଶ୍ଚାତ୍ୟ ବା ବିଦେଶୀ ସଂସ୍କୃତିକୁ ଆପଣାଇ ନେଇଛେ। ନିଜର ପରିପୁଷ୍ଟ ସଂସ୍କାର ଓ ଗୌରବମୟ ସଂସ୍କୃତିକୁ ପଛକୁ ଠେଲି ଅତଳ,ଅଥଳ ଗର୍ତ୍ତରେ ପ୍ରବେଶ କରିବାକୁ ସମ୍ପୂର୍ଣ୍ଣ ଭାବେ ତୟାର ହୋଇ ବସିଛେ। ଏହି ଗର୍ତ୍ତ ଏତେ ଗଭୀର ଯେ, ତହିଁରୁ ଉବୁକିବା ଏକପ୍ରକାର ଅସମ୍ଭବ, କାଠିକର ପାଠ। ଏକଥା ଆମକୁ ବେଶ୍‌ ଭଲ ଭାବରେ ଜଣା ଯେ,ଯେଉଁ ମା’ଙ୍କୁ ଆମେ ଆଦ୍ୟଗୁରୁ ବୋଲି ବିବେଚନାକରୁ ତା’ର ସର୍ବପ୍ରଥମ ତଥା ପ୍ରଧାନ ଦାୟ ହେଲା, ପିଲାଙ୍କୁ ସଂସ୍କାର ଦେବା। କେବଳ ମା’ ହିଁ ପିଲାକୁ ତା’ର ଉଚିତ ଜୀବନପଥରେ ଆଗେଇନେବାରେ ବିଶେଷ ସହାୟ ହୋଇପାରିବ ।
ସେହିପରିି ବାପାଙ୍କ ପରମ କର୍ତ୍ତବ୍ୟ,ସେ ପିଲାଙ୍କୁ ଏମିତି ସଂସ୍କାର ଦେବେ ଯଦ୍ଦ୍ବାରା ପିଲାଟି କେବେ ବି ପ୍ରମାଦ ଗଣିବ ନାହିଁ। ଏମିତିକି ସେ ପଥଭ୍ରଷ୍ଟ ହୋଇ ଭୁଲ୍‌ ବିଚାର କରିବ ନାହିଁ କି ଖରାପ କାମରେ ହାତ ଦେବନାହିଁ। ଜୀବନର ପ୍ରତିଟି କ୍ଷେତ୍ରରେ ଧର୍ମ ଓ ସଂସ୍କାରର ଶିକ୍ଷା ଅପରିହାର୍ଯ୍ୟ। କାରଣ ପିଲାଙ୍କୁ ଏହା ଏକ ଉଜ୍ଜ୍ୱଳ ଭବିଷ୍ୟତ ଦେବା ଲାଗି ଅନୁପ୍ରେରିତ କରାଏ। ଏଥିସହିତ ଉତ୍ତମ ନାଗରିକ ରୂପେ ଗଢ଼ିତୋଳେ ମଧ୍ୟ। ସୁତରାଂ ଧର୍ମ ଆମକୁ ସଂସ୍କାର ଓ ନୈତିକ ଶିକ୍ଷା ପ୍ରଦାନ କରିଥାଏ। ଅବଶ୍ୟ ପ୍ରତି ଜାଗାରେ ପୋଲିସ ମୁତୟନ କରାଇ ସମାଜରେ ଅପରାଧ ରୋକିବାଟା ଏକପ୍ରକାର ଦୁରୂହ ବ୍ୟାପାର। ପୁନଶ୍ଚ ଆମର ଧର୍ମନିରପେକ୍ଷ ରାଷ୍ଟ୍ରରେ ପ୍ରତ୍ୟେକ ଧର୍ମଗୁରୁ ଓ ଧର୍ମାନୁଷ୍ଠାନକୁ ମହତ୍ତ୍ୱ ଦେବା ସରକାରଙ୍କ ପ୍ରମୁଖ ଉଦ୍ଦେଶ୍ୟ। କାରଣ ସରକାରଙ୍କ ବଦ୍ଧମୂଳ ଧାରଣା ଯେଉଁଠି ପୋଲିସର ଭୟ ନାହିଁ ସେଠି ତ ଭଗବାନ୍‌ଙ୍କ ଡର ଥିବ ନିଶ୍ଚୟ। ଅଧିକନ୍ତୁ ସବୁ ଜାଗାରେ ପୋଲିସ ମୁତୟନ କରେଇବା ସମ୍ଭବପର ନୁହେଁ।
ଆମ ଦେଶରେ ପ୍ରଚଳିତ ପର୍ବପର୍ବାଣି, ଉତ୍ସବ ମହୋତ୍ସବ ଓ ଯାନିଯାତ୍ରା ଆମର ସାମାଜିକ ସମ୍ପର୍କକୁ ମଜଭୁତ କରେ। ଖାଲି ସଶକ୍ତ କରେନି, ସମ୍ମାନ ଦେବା ମଧ୍ୟ ଶିଖାଏ । ସେହିଭଳି ବ୍ରତର ପୌରାଣିକ ଆଖ୍ୟାନ ଆମ ପାଇଁ ବେଶ୍‌ ପ୍ରେରଣାଦାୟକ। କିନ୍ତୁ ବିଡ଼ମ୍ବନାର ବିଷୟ ପର୍ବ,ଉତ୍ସବ,ବ୍ରତ କ୍ରମଶଃ ବିଲୁପ୍ତ ପଥରେ। ବିଧାତାଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି ମଣିଷ ଏବେ ପଶୁ ପାଲଟିଯିବାକୁ ବସିଲାଣି। ଏମିତିରେ ଦେଖିଲେ, ସୋସିଆଲ ମିଡିଆ ବା ସାମାଜିକ ଗଣମାଧ୍ୟମ ମନୁଷ୍ୟକୁ ନଗ୍ନତା ପ୍ରଦର୍ଶନ କରାଏ ଏଣେ ଛୋଟଛୋଟ ପିଲାଙ୍କ ହାତମୁଠାରେ ସ୍ମାର୍ଟଫୋନ୍‌। ଆଙ୍ଗୁଠି ଟିପ କାମୋଦ୍ଦୀପକ ଯୌନଚିତ୍ର ବଟମ ଉପରେ। ଚାହିଁଲେ ସରକାର ରୋକ ଲଗାଇପାରିବେ ନାହିଁ। ବରଂ ଏହାକୁ ଯୌନ ଭାରସାମ୍ୟ ତଥା ଚତୁର୍ଥ ଭାଷା ରୂପେ ଅବତାରଣା କରାଯାଉଛି। ତଥାପି ଦେଶରେ କନ୍ୟାରତ୍ନ ବଳାତ୍କାର ଓ ଦୁଷ୍କର୍ମ ଭଳି ଅଭାବିତ ଘଟଣା ଉପରମୁହଁା ହେବାରେ ଲାଗିଛି। ଏଭଳି ଅଭାବନୀୟ ଘଟଣାର ଉପରାନ୍ତେ ମହମବତି ପ୍ରଜ୍ଜ୍ୱଳନ କରି ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରିଯିବା କେତେଦୂର ଯଥାର୍ଥ ତାହା ସହଜରେ ଅନୁମେୟ। ତେବେ ସରକାରଙ୍କ ଆଡୁ କ୍ଷତିପୂରଣ ବାବଦରେ କେଉଁ ପୀଡ଼ିତା ପରିବାରକୁ ୧୦ଲକ୍ଷ ତ ଆଉ କୋଉ ପରିବାରକୁ ୫୦ହଜାର ଅଥବା ୨୫ ହଜାର ଲେଖାଏ ଅର୍ଥରାଶି ପ୍ରଦାନ କରାଯାଉଛି। ଉଚ୍ଚଶିକ୍ଷିତ, ଆଭିଜାତ୍ୟ ସମ୍ପନ୍ନ ସମ୍ଭାନ୍ତ ପରିବାରର ପିଲାଏ ବି ହାତଛଡ଼ା ହୋଇଯାଉଛନ୍ତି । ଓଲଟି ମୁହଁତୋଡ଼ ଜବାବ ଦେବାକୁ ପଛାଉ ନାହାନ୍ତି। ଅଥଚ ଅପାଠୁଆ ଅଧାପାଠୁଆ ଗରିବ ପିଲାଏ ଏବେ ମଧ୍ୟ ବେକାର। କାମଧନ୍ଦା ହାତରେ ନାହିଁ। ଦାନାମୁଠେ ପାଇଁ ସେମାନଙ୍କ କରୁଣ ଚିତ୍କାର ଶୁଣିଛି ବା କିଏ? ସହରର ଗଳିକନ୍ଦିରେ ହେଉ ଅବା ପ୍ରଶସ୍ତ ସଡ଼କରେ,ଦିନ ଦ୍ୱିପ୍ରହରରେ ବାରବୁଲା ଯୁବକମାନଙ୍କୁ ବେଧଡ଼କ ବେଫିକର ହୋଇ ଏଣେତେଣେ ବୁଲୁଥିବାର ଆମେ ଦେଖୁଛେ। ଅଥଚ ସେମାନଙ୍କୁ ଥଇଥାନ କରିବା ପାଇଁ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ନାହିଁ। ସରକାରୀ କାର୍ଯ୍ୟକ୍ରମ କେବଳ ଧର୍ମକୁ ଆଖିଠାର ଭଳି ଏକ ଲୋକଦେଖାଣିଆ ପ୍ରଦର୍ଶନ। ଯଦିଓ ଏ ଦିଗରେ ସରକାରଙ୍କ କୌଣସି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି ତାହା ତୃଣମୂଳ ସ୍ତର ପାଇଁ ଅପହଞ୍ଚ।
ସମାଜ ଏବେ ଅଦ୍ଭୁତ ପ୍ରକାର ଭୟର କବଳିତ। ପ୍ରଥମେ ଲୋକମାନେ କେବଳ ପୁତ୍ରସନ୍ତାନ ଚାହୁଁଥିଲେ, ବର୍ତ୍ତମାନ ଯୁଗରେ କନ୍ୟାରତ୍ନ କୋଳମଣ୍ଡନ କଲେ ବାପାମାଆ ଖୁସିରେ ବିଭୋର ହୋଇଉଠନ୍ତି। ନିଜକୁ ବେଶ୍‌ ଭାଗ୍ୟବାନ୍‌ ମଣନ୍ତି। ଅଧିକାଂଶ ଲୋକ କହନ୍ତି -ବୃଦ୍ଧାବସ୍ଥାରେ କନ୍ୟାରତ୍ନ ମଧ୍ୟ ଆମ ପାଇଁ ବଳିଷ୍ଠ ସାହାରା, ଆମର ଦେଖାରେଖା ଓ ଚଳପ୍ରଚଳର ଆଶାବାଡ଼ି ସଦୃଶ। ତେବେ କନ୍ୟାରତ୍ନଙ୍କ ସୁରକ୍ଷାକୁ ନେଇ ଭୟରେ ଥୋକେ ମାଆବାପା ସଦାବେଳେ ଘାରି ହୋଇଉଠନ୍ତି। ଏଇ ଭୟ ଲୋକଙ୍କ ମନରୁ ଅପସାରିତ ହେବା ନିହାତି ଜରୁରୀ। ଏହାଛଡ଼ା, ଆମ କନ୍ୟାରତ୍ନମାନେ ବେଶ୍‌ ଜାଗରୁକ ହେବା ବାଞ୍ଛନୀୟ। ଦେଶରେ ସେମାନଙ୍କ ସୁରକ୍ଷା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଚଳିତ ଆଇନକାନୁନ ବାବଦରେ ସମ୍ୟକ ଧାରଣା ସୃଷ୍ଟି ହେବା ଆବଶ୍ୟକ ।
ନାରୀ ଅଧିକାର ସମ୍ପର୍କରେ ସଚେତନ ହୋଇ ତାହା ସାବ୍ୟସ୍ତ କରିବା ସଙ୍ଗେ ସଙ୍ଗେ ଅନ୍ୟାୟ, ଅନୀତି, ଅତ୍ୟାଚାର, ଶୋଷଣ ଦୁଷ୍କର୍ମ ବିରୋଧରେ ତୀବ୍ର ସ୍ବର ଉତ୍ତୋଳନ କରିବା ବୁଦ୍ଧିମତ୍ତାର ପରିଚୟ। କିନ୍ତୁ ଦୁଃଖର ବିଷୟ, ଅଧିକାଂଶ ପ୍ରତାରିତ, ଶୋଷିତ ମହିଳା ନିଜ ପରିବାର ,ସମାଜ ବିରୋଧରେ ସ୍ବର ଉଠାଉନାହାନ୍ତି। ଯେଉଁ ପୀଡ଼ିତା ମହିଳା ସ୍ବର ଉଠାଉଛି ସେ ଏକପ୍ରକାର ନ୍ୟାୟରୁ ବଞ୍ଚିତ ହେଉଛନ୍ତି। ଯଦିବା ମିଳୁଛି ତାହା ତା’ପାଇଁ ବିଳମ୍ବିତ ନ୍ୟାୟ। ସମାଜରେ ମହିଳାମାନେ ଅତ୍ୟାଚାରର ଶିକାର ହେଉଥିବା କାରଣଗୁଡ଼ିକୁ ମନୋବିଜ୍ଞାନୀମାନେ ଅନ୍ବେଷଣ କରି ଠାବକରିବା ଆବଶ୍ୟକ।
ଜଗମୋହନନଗର,ଜାଗମରା,ଖଣ୍ଡଗିରି
ଭୁବନେଶ୍ୱର,ମୋ-୯୪୩୮୩୩୨୧୩୮


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?