ହାଲୁକା ଧାତୁ ଲିଥିୟମ୍‌

ଧାତୁଗୁଡ଼ିକ ମଧ୍ୟରେ ଲିଥିୟମ୍‌ ହେଉଛି ସବୁଠାରୁ ହାଲୁକା। ଆଧୁନିକ ଡିଜିଟାଲ ଯୁଗରେ ଏହାର ଆବଶ୍ୟକତା ଅଧିକ ହେଉଥିବାରୁ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି। ନିକଟରେ ଭାରତରେ ଜମ୍ମୁ-କଶ୍ମୀର ଅଞ୍ଚଳରେ ୫.୯ ନିୟୁତ ଟନ୍‌ ଲିଥିୟମ୍‌ ମହଜୁଦ ଥିବାର ଜଣାପଡ଼ିବା ପରେ ଦେଶରେ ବିଦ୍ୟୁତ୍‌ଚାଳିତ ଯାନ ବ୍ୟବହାର ବୃଦ୍ଧି ପାଇବାର ଆଶା ସଞ୍ଚାର ହୋଇଛି। ପୃଥିବୀରେ ଏହା ହେଉଛି ଅନ୍ୟତମ ବୃହତ୍‌ ଲିଥିୟମ୍‌ ଭଣ୍ଡାର।
ସୁଇଡେନ୍‌ ରସାୟନ ବିଜ୍ଞାନୀ ଜୋହାନ୍‌ ଅଗଷ୍ଟ ଆର୍ଫଓ୍ବେଡସନ୍‌ ୧୮୧୭ ମସିହାରେ ପେଟାଲାଇଟ୍‌ ଖଣିପିଣ୍ଡକୁ ବିଶ୍ଳେଷଣ କରୁଥିବା ସମୟରେ ଲିଥିୟମ୍‌ ଆବିଷ୍କାର କରିଥିଲେ। ଗ୍ରୀକ୍‌ ଶବ୍ଦ ‘ଲିଥୋସ୍‌’ରୁ ଲିଥିୟମ୍‌ ଶବ୍ଦ ଆସିଛି। ଲିଥୋସ୍‌ର ଅର୍ଥ ହେଉଛି ପଥୁରିଆ। ଇଂରେଜ ବୈଜ୍ଞାନିକ ହମ୍ଫ୍ରି ଡେଭି ବୈଦ୍ୟୁତିକ ବିଶ୍ଳେଷଣ ଦ୍ୱାରା ଲିଥିୟମ୍‌ କ୍ଲୋରାଇଡରୁ ପ୍ରଥମେ ଅଳ୍ପ ପରିମାଣର ଶୁଦ୍ଧ ହିଲିୟମ୍‌ ଉତ୍ପାଦନ କରିଥିଲେ।
ଲିଥିୟମ୍‌ର ପରମାଣୁ କ୍ରମାଙ୍କ ହେଉଛି ୩ ଏବଂ ଏହାର ପରମାଣିକ ଓଜନ ହେଉଛି ୬.୯୪୧। ଏହାର ଗଣନାଙ୍କ ଓ ସ୍ଫୁଟନାଙ୍କ ଯଥାକ୍ରମେ ହେଉଛି ୧୮୦.୫ ଡିଗ୍ରୀ ଓ ୧୩୪୨ ଡିଗ୍ରୀ ସେଲ୍‌ସିୟସ୍‌। ଏହା ହେଉଛି ଏକ କ୍ଷାର ଧାତୁ ଏବଂ ରୁପା ଭଳି ଦ୍ୟୁତିମୟ। ସମସ୍ତ ଧାତୁ ମଧ୍ୟରେ ଏହାର ସାନ୍ଧ୍ରତା ହେଉଛି କମ୍‌। ଏହା ଜଳ ସହିତ ତୀବ୍ର ପ୍ରତିକ୍ରିୟା କରେ।
ଲିଥିୟମ୍‌ ସାଧାରଣତଃ ଆଗ୍ନେୟ ଶିଳାରେ ଥାଏ। ଏହାର ମୁଖ୍ୟ ଖଣିପିଣ୍ଡଗୁଡ଼ିକ ହେଉଛି ସ୍ପୋଡୁମେନେ, ଲେପିଡୋଲାଇଟ୍‌ ଏବଂ ପେଟାଲାଇଟ୍‌। ଏହା ଚିଲି, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଚାଇନା, ରୁଷିଆ, କାନାଡ଼ା, ବ୍ରାଜିଲ, ବଲିଭିଆ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଅଛି। ପୃଥିବୀରେ ମୋଟ ଗଚ୍ଛିତ ଲିଥିୟମ୍‌ର ପରିମାଣ ହେଉଛି ୧୧ ନିୟୁତ ମେଟ୍ରିକ୍‌ ଟନ୍‌। ଚିଲିରେ ସର୍ବାଧିକ ତିନି ନିୟୁତ ମେଟ୍ରିକ ଟନ୍‌ ଲିଥିୟମ୍‌ ଗଚ୍ଛିତ ଅଛି। ତିନୋଟି ଦକ୍ଷିଣ ଆମେରିକୀୟ ଦେଶ ଚିଲି ଏବଂ ବ୍ରାଜିଲ ଓ ବଲିଭିଆରେ ପୃଥିବୀର ମୋଟ ଲିଥିୟମ୍‌ର ୮୦ ପ୍ରତିଶତ ଅଛି।
ଲିଥିୟମ୍‌ର ବହୁବିଧ ଉପଯୋଗ ଅଛି। ବିଶେଷ ପ୍ରକାର କାଚ ଓ ସେରାମିକ୍‌ ପ୍ରସ୍ତୁତିରେ ଏହା ବ୍ୟବହାର କରାଯାଏ। ଏହିସବୁ ପଦାର୍ଥର ଗଳନାଙ୍କ ହ୍ରାସ କରିବାରେ ଏହା ସାହାଯ୍ୟ କରିଥାଏ। ଏଥିଯୋଗୁ ହାଲୁକା ଓ ମଜଭୁତ କାଚ ଏବଂ ଅଧିକ ତାପ-ରୋଧି ସେରାମିକ୍‌ ଉତ୍ପାଦିତ ହୋଇପାରିଥାଏ। ବିଭିନ୍ନ ପ୍ରକାର ମିଶ୍ରଧାତୁରେ ରହି ଏହା ବ୍ୟବହାର ହୋଇଥାଏ। ଉଦାହରଣସ୍ବରୂପ, ଲିଥିୟମ-ସୀସା ମିଶ୍ର ଧାତୁ ଗାଡ଼ିମୋଟରର ବିୟରିଂ ପାଇଁ ଏବଂ ଲିଥିୟମ୍‌-ଆଲୁମିନିୟମ ମିଶ୍ର ଧାତୁ ଉଡ଼ାଜାହାଜ ନିର୍ମାଣରେ ବ୍ୟବହୃତ ହୁଏ। ଚିକିତ୍ସା କ୍ଷେତ୍ରରେ ମାନସିକ ରୋଗ ପାଇଁ ଲିଥିୟମ୍‌ କାର୍ବୋନେଟ୍‌ ବ୍ୟବହୃତ ହେଉଛି। ସେହିପରି ଲିଥିୟମ୍‌ ବାଇକାର୍ବୋନେଟ୍‌ ଓ ଲିଥିୟମ୍‌ ସାଲିସାଇଲେଟ୍‌ ଗଣ୍ଠିବାତ ରୋଗ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ପାଣିପାଗ ନିର୍ଣ୍ଣୟରେ ଏବଂ ବେଲୁନ୍‌ରେ ଉଦ୍‌ଜାନର ଉତ୍ସ ଭାବେ ଲିଥିୟମ୍‌ ହାଇଡ୍ରାଇଡ୍‌ ବ୍ୟବହାର କରାଯାଏ। ଲିଥିୟମ୍‌ର ସର୍ବାଧିକ ବ୍ୟବହାର ବ୍ୟାଟେରି ନିର୍ମାଣରେ ହୁଏ। ମୋବାଇଲ୍‌ ଫୋନ୍‌, ଲାପ୍‌ଟପ, ପେସ୍‌ମେକର ଆଦିରେ ଲିଥିୟମ୍‌-ଆୟନ ବ୍ୟାଟେରି ବ୍ୟବହୃତ ହେଉଛି। ଏହା ବ୍ୟତୀତ ବିଦ୍ୟୁତ୍‌ଚାଳିତ ଗାଡ଼ିରେ ଏହି ବ୍ୟାଟେରି ବ୍ୟବହୃତ ହୁଏ। ଅନ୍ୟ ବ୍ୟାଟେରି ଅପେକ୍ଷା ଏହା କମ୍‌ ଓଜନ, ଉଚ୍ଚ ଶକ୍ତି ସାନ୍ଧ୍ରତା ଏବଂ ନିମ୍ନ ସ୍ବୟଂ ଡିସ୍‌ଚାର୍ଜ ହାର ହେତୁ ଏହାର ଆଦର ହେଉଛି ବେଶି।
ପେଟ୍ରୋଲିୟମଚାଳିତ ଯାନବାହନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସ୍‌ ଜାଗତିକ ଉଷ୍ମତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏଥିପାଇଁ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କରିବା ନିମିତ୍ତ ଅନ୍ତର୍ଜାତୀୟ ସ୍ତରରେ ନିଷ୍ପତ୍ତି ନିଆଯାଇଛି ଏବଂ ପ୍ରତ୍ୟେକ ଦେଶ ନିର୍ଦ୍ଦିଷ୍ଟ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍‌ ହ୍ରାସ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଦିନକୁ ଦିନ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ଚିନ୍ତାର କାରଣ ହୋଇଛି। ଗତ କିଛି ବର୍ଷ ତଳେ ବିଦ୍ୟୁତ୍‌ଚାଳିତ ଗାଡ଼ିର ବିକାଶ କିଛି ଆଶା ସଞ୍ଚାର କରିଛି। ଏହି ଗାଡ଼ି ବ୍ୟାଟେରିରୁ ବିଦ୍ୟୁତ୍‌ ଶକ୍ତି ନେଇ ଚାଲିଥାଏ। ଏହି ବ୍ୟାଟେରି ଲିଥିୟମ୍‌ରୁ ନିର୍ମିତ ହୋଇଥିବାରୁ ଲିଥିୟମ୍‌ର ଚାହିଦା ବୃଦ୍ଧି ପାଇଛି।
ଭାରତରେ ଲିଥିୟମ ଉପଲବ୍ଧ ନ ଥିବାରୁ ଆମେ ଏଥିପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରୁଛେ। ଭାରତ ଆବଶ୍ୟକତାର ୮୦ ପ୍ରତିଶତ ଲିଥିୟମ୍‌ ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାରୁ ଆମଦାନୀ କରୁଛି। ଏଥିପାଇଁ ବିଦ୍ୟୁତ୍‌ ଗାଡ଼ି ନିର୍ମାଣରେ ଆମେ ମଧ୍ୟ ପଛରେ ପଡ଼ିଯାଇଛେ। ଜମ୍ମୁ-କଶ୍ମୀରରେ ଆବିଷ୍କୃତ ଖଣିରୁ ଲିଥିୟମ୍‌ ଉତ୍ପାଦନ କରିବା ପାଇଁ ପ୍ରାୟ ଦଶ ବର୍ଷ ଲାଗିଯାଇପାରେ। ଭାରତ ନିଜର ଆବଶ୍ୟକତା ପୂରଣ ସହିତ ଏହାକୁ ରପ୍ତାନି ମଧ୍ୟ କରିପାରିବ। ବର୍ତ୍ତମାନ ସମଗ୍ର ପୃଥିବୀରେ ଲିଥିୟମ୍‌-ଆୟନ ବ୍ୟାଟେରି ନିର୍ମାଣରେ ଚାଇନା ଆଧିପତ୍ୟ ବିସ୍ତାର କରିଛି। ପୃଥିବୀର ଲିଥିୟମ୍‌-ଆୟନ ବ୍ୟାଟେରିର ମୋଟ ଉତ୍ପାଦନର ତିନି-ଚତୁର୍ଥାଂଶ ଚାଇନାରେ ହେଉଛି। ପୃଥିବୀର ମୋଟ ଲିଥିୟମ୍‌ର ପ୍ରାୟ ଦଶ ପ୍ରତିଶତ ଚାଇନାରେ ରହିଛି। ପୁନଶ୍ଚ ଲିଥିୟମ୍‌ ଖଣିଜରୁ ଲିଥିୟମ୍‌ ଧାତୁ ନିଷ୍କାସନ ହେଉଛି ଏକ ଜଟିଳ ପ୍ରକ୍ରିୟା। ଏଥିପାଇଁ ପ୍ରଥମେ ଖଣିପିଣ୍ଡକୁ ଗୁଣ୍ଡ କରାଯାଏ ଏବଂ ଏହାପରେ ବିଭିନ୍ନ ପଦ୍ଧତି, ଯଥା ଫେଣ ପ୍ଳବନ, ଚୁମ୍ବକୀୟ ପୃଥକୀକରଣ ଓ ମାଧ୍ୟାକର୍ଷଣ ପୃଥକୀକରଣ ଦ୍ୱାରା ଖଣିଜରୁ ଅପଦ୍ରବଗୁଡ଼ିକୁ ବାହାର କରିଦିଆଯାଏ। ଏହାପରେ ପ୍ରାପ୍ତ ହେଉଥିବା ଲିଥିୟମ୍‌ କ୍ଲୋରାଇଡ୍‌ର ବୈଦ୍ୟୁତିକ ବିଶ୍ଳେଷଣ ପ୍ରକ୍ରିୟାରେ ଲିଥିୟମ୍‌ ଧାତୁ ଉତ୍ପାଦନ କରାଯାଏ। ଚାଇନା ପାଖରେ ପୃଥିବୀର ମୋଟ ଲିଥିୟମ୍‌ ପ୍ରକ୍ରିୟାକରଣ ଓ ବିଶୋଧନ କ୍ଷମତାର ୬୦ ପ୍ରତିଶତ ଅଛି। ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଭାରତରେ ସଦ୍ୟ ଆବିଷ୍କୃତ ଲିଥିୟମ୍‌ ଖଣି ହେଉଛି ଦେଶ ପାଇଁ ବରଦାନ ସଦୃଶ।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଦେବେ ଆଡ୍‌ମିଶନ ଫି’, ଛାତ୍ରୀଛାତ୍ର ଭରିବେ ପରୀକ୍ଷା ଫି’

ଭୁବନେଶ୍ୱର,୧୨ା୮(ସୁଚିସ୍ମିତା ସାହୁ): କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’…

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri