ମୁମ୍ବାଇ, ୨୨ା୮ : ଭାରତରେ ଛାତ୍ରୀଛାତ୍ରଙ୍କ ବର୍ଷକୁ ବର୍ଷ ଶ୍ରେଣୀ ବୃଦ୍ଧି ପାଇବା ସହ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ହ୍ରାସ ପାଉଥିବା ଏକ ନୂତନ ଜାତୀୟ ସର୍ଭେରୁ ଜଣାପଡ଼ିଛି। ‘ଷ୍ଟୁଡେଣ୍ଟ୍ ୱେଲ୍ବିଙ୍ଗ୍ ପଲ୍ସ ରିପୋର୍ଟ ୨୦୨୬’ ଅନୁଯାୟୀ, ଅଷ୍ଟମ ଶ୍ରେଣୀରେ ୬୨ ପ୍ରତିଶତ ଥିବା ଛାତ୍ରୀଛାତ୍ରଙ୍କ ମାନସିକ ସୁସ୍ଥତା ଏବଂ ଆନନ୍ଦଦାୟକ ସ୍ଥିତି, ଏକାଦଶ ଓ ଦ୍ୱାଦଶ ଶ୍ରେଣୀକୁ ଆସିବା ବେଳକୁ ହ୍ରାସ ପାଇ ୪୩ ପ୍ରତିଶତରେ ପହଞ୍ଚୁଛି। ବିଶେଷକରି ଛାତ୍ରୀମାନେ ଅଧିକ ଅବସାଦ ଏବଂ କମ୍ ଆତ୍ମବିଶ୍ୱାସର ଶିକାର ହେଉଛନ୍ତି।
ଶିକ୍ଷା ସଂସ୍ଥା ‘ଆଇସି୩ ଇନ୍ଷ୍ଟିଚ୍ୟୁଟ୍’ ପକ୍ଷରୁ ସାରା ଭାରତର ୮,୫୧୫ ଜଣ ଛାତ୍ରୀଛାତ୍ରଙ୍କୁ ନେଇ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ଶ୍ରେଣୀ ବଢ଼ିବା ସହ ପିଲାଙ୍କ ମଧ୍ୟରେ ଖୁସି (୬୫%ରୁ ୪୮%), ଆତ୍ମବିଶ୍ୱାସ (୬୪% ରୁ ୪୭%) ଏବଂ ପ୍ରେରଣା (୬୪% ରୁ ୪୯%) କ୍ରମାଗତ ଭାବେ କମିବାରେ ଲାଗିଛି। ମାନସିକ ଚାପରେ ଥିବା ବେଳେ ଅଧିକାଂଶ ପିଲା (୪୯%) ବନ୍ଧୁ ଏବଂ (୪୪%) ପରିବାର ଉପରେ ନିର୍ଭର କରୁଛନ୍ତି। ମାତ୍ର ୬ ପ୍ରତିଶତ ପିଲା ବିଦ୍ୟାଳୟର ଆନୁଷ୍ଠାନିକ କାଉନ୍ସେଲରଙ୍କ ପାଖକୁ ଯାଉଥିବା ବେଳେ ୨ ପ୍ରତିଶତ ଥେରାପିଷ୍ଟଙ୍କ ସାହାଯ୍ୟ ନେଉଛନ୍ତି। ତେବେ ୫୨ ପ୍ରତିଶତ ପିଲା କାଉନସେଲିଂ ଦ୍ୱାରା ଲାଭ ହେବ ବୋଲି ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ଠିକ୍ କ୍ୟାରିୟର ମାର୍ଗଦର୍ଶନର ଅଭାବ ପିଲାଙ୍କ ଚିନ୍ତାର ଅନ୍ୟତମ ମୁଖ୍ୟ କାରଣ ସାଜିଛି। କେବଳ ୫୨ ପ୍ରତିଶତ ପିଲା ସ୍କୁଲରେ କ୍ୟାରିୟର କାଉନସେଲିଂ ପାଉଥିବା ବେଳେ, ୩୩ ପ୍ରତିଶତ ପିଲା ଠିକ୍ ଦିଗଦର୍ଶନ ଅଭାବରୁ ମାନସିକ ଚାପରେ ରହୁଛନ୍ତି। ବିହାର ଭଳି ରାଜ୍ୟରେ ଏହି ଚିନ୍ତା ସବୁଠାରୁ ଅଧିକ (୪୩%) ରହିଛି। ଏହାବ୍ୟତୀତ ପାଠପଢ଼ା ଚାପ, ଅତ୍ୟଧିକ ଭାବନା ଏବଂ ମୋବାଇଲ ଫୋନ୍ ବ୍ୟବହାର ଯୋଗୁ ୫୫ ପ୍ରତିଶତ ପିଲା ରାତିରେ ୬ ଘଣ୍ଟାରୁ କମ୍ ଶୋଉଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

