ସବୁଜ ବିପ୍ଳବର ଧୂସର ଦିଗ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

ବିଶିଷ୍ଟ ଅର୍ଥନୀତିଜ୍ଞ ରେଭେରେଣ୍ଡ୍‌ ଥୋମାସ ରବର୍ଟ ମାଲ୍‌ଥସ୍‌ ଊନବିଂଶ ଶତାବ୍ଦୀର ଶେଷଭାଗକୁ ଭବିଷ୍ୟବାଣୀ ଶୁଣାଇଥିଲେ ଯେ, ବିଶ୍ୱରେ ଘଟୁଥିବା ଜନସଂଖ୍ୟା ବିସ୍ଫୋରଣ ପରିମାଣ ଭବିଷ୍ୟତରେ ଅତ୍ୟନ୍ତ ଭୟାବହ ହେବ। କାରଣ, ପୃଥିବୀ ପାଇଁ ତାହା ସହନୀୟ ହେବ ନାହିଁ। ତେବେ, ବର୍ତ୍ତମାନ ସେହି ଜନସଂଖ୍ୟା ବହୁଗୁଣିତ ହୋଇସାରିଥିଲେ ସୁଦ୍ଧା ତାଙ୍କର ଉକ୍ତ ‘ବ୍ଲୁମ ଏଣ୍ଡ୍‌ ଗ୍ଲୁମ’ ମତବାଦ ସତ୍ୟ ହୋଇ ନ ପାରିବା ମୂଳରେ ରହିଛି ବିଜ୍ଞାନର, ବିଶେଷ କରି, କୃଷି ବିଜ୍ଞାନର ଯାଦୁକରି ଭୂମିକା। ବିଂଶ ଶତାବ୍ଦୀର ଶେଷାର୍ଦ୍ଧ ବେଳକୁ ଏ କ୍ଷେତ୍ରରେ ଘଟିଥିବା ଅଭୂତପୂର୍ବ ବିକାଶ ସେ ସମସ୍ତଙ୍କୁ କେବଳ ଯେ ଖାଦ୍ୟ ଓ ପୁଷ୍ଟି ଯୋଗାଇବାକୁ ସମର୍ଥ ହୋଇଛି ତା’ନୁହେଁ, କେତେକସ୍ଥଳେ ଉପତ୍ାଦନକୁ ବଳକା ମଧ୍ୟ କରିପାରିଛି।
ବିଶ୍ୱ ଇତିହାସରେ ଏ ସମୟ ଥିଲା ଅତୀବ ଜଟିଳ। ଗଣବିଧ୍ୱସଂକାରୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତ ହୋଇଥାଏ। ବହୁ ଅଣବିକଶତ ଆଫ୍ରୋ-ଏସୀୟ ଦେଶ ବିଦେଶୀ ଶାସନରୁ ସଦ୍ୟ ମୁକ୍ତ ହୋଇଥାନ୍ତି। ତନ୍ମଧ୍ୟରୁ ଅଧିକାଂଶଙ୍କ ସମ୍ମୁଖରେ ମୁଖ୍ୟ ସମସ୍ୟାରୂପେ ମୁଣ୍ଡ ଟେକିଥାଏ କ୍ଷୁଧା। ଭାରତ ମଧ୍ୟ ଥିଲା ସେଥିରୁ ଅନ୍ୟତମ। ଏଥିପାଇଁ ଏହାକୁ ନିର୍ଭରଶୀଳ ହେବାକୁ ପଡ଼ୁଥିଲା ଆମେରିକା, ଅଷ୍ଟ୍ରେଲିଆ, ମେକ୍‌ସିକୋ ଆଦି ଦେଶର ଗହମ ଏବଂ ଆଉ କେତେକ ଦେଶର ଚାଉଳ ଉପରେ। ଇତ୍ୟବଶରରେ ପ୍ରଥିତଯଶା ବୈଜ୍ଞାନିକ ସ୍ବାମୀନାଥନ୍‌ ଏବଂ ତାଙ୍କ ଭଳି କେତେକ ସମର୍ପିତ କୃଷି ବିଜ୍ଞାନୀଙ୍କ ନେତୃତ୍ୱରେ ଆରମ୍ଭ ହେଲା ସବୁଜ ବିପ୍ଳବ। ଏହାର ତିନୋଟି ମୁଖ୍ୟ ଆୟୁଧ ଥିଲା, ଅଧିକ ଉତ୍ପାଦନକ୍ଷମ ସଙ୍କର ବିହନ, ରାସାୟନିକ ସାର ଏବଂ କୀଟନାଶକ। ଫଳରେ ଆମେ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରିଛୁ ସତ, ହେଲେ ତାହା ସହିତ ଆସି ଉଭାହୋଇଛି ବହୁ ଜଟିଳ ସମସ୍ୟା, ଯାହାକୁ କୁହାଯାଉଛି ‘ ସବୁଜ ବିପ୍ଳବର ଧୂସର ଦିଗ’।
ପ୍ରଥମତଃ ଅଧିକ ଉତ୍ପାଦନକ୍ଷମ ସଙ୍କର ବିହନର ବ୍ୟାପକ ବ୍ୟବହାର ଧାନ ଓ ଗହମ ଆଦିର ସ୍ଥାନୀୟ ପ୍ରଜାତିଗୁଡିକର ବିଲୁପ୍ତିର କାରଣ ହୋଇଛି। ଫଳରେ ହଜି ଯାଇଛି ପ୍ରକୃତି ଯୁଗ ଯୁଗ ଧରି ସୃଷ୍ଟି କରିଥିବା ଅମୂଲ୍ୟ ଜିନୀୟ ସମ୍ପଦ ଏବଂ ଗଭୀର ରୂପେ ବ୍ୟାହତ ହୋଇଛି ଜୈବ ବିବିଧତା। ପୁନଶ୍ଚ ଏହା ଆବଶ୍ୟକ କରୁଛି ଅଧିକ ଜଳ, ରାସାୟନିକସାର ଏବଂ କୀଟନାଶକ, ଫଳରେ ଆମ ଜଳସଂପଦ, ବିଶେଷକରି ଭୂତଳ ଜଳ ହ୍ରାସ ପାଇବାରେ ଲାଗିଛି। ଅନ୍ୟପକ୍ଷରେ, ରାସାୟନିକସାରର ପ୍ରୟୋଗ ମୃତ୍ତିକାର ପ୍ରାକୃତିକ ଧର୍ମ ସହିତ ଏହାର ପରିସଂସ୍ଥାକୁ ନଷ୍ଟ କରି ଦେଉଛି। ଏଣୁ ଏହା ହରାଇ ବସୁଛି ଉର୍ବରତା ଏବଂ କ୍ରମେ ମରୁମୟ ହେବାରେ ଲାଗିଛି। ତେବେ ଏ ଦୁଇଟି ତୁଳନାରେ ଅଧିକ ଭୟଙ୍କର ହୋଇଛି କୀଟନାଶକର ବହୁଳ ପ୍ରୟୋଗ। ତାହା ସାମଗ୍ରିକଭାବେ ପରିବେଶ ଓ ପରିସଂସ୍ଥା ଏବଂ ନିର୍ଦ୍ଦିଷ୍ଟ ରୂପେ ଜନସ୍ବାସ୍ଥ୍ୟ ଏବଂ କୃଷିକୁ ଗଭୀରଭାବେ ପ୍ରଭାବିତ କରିଛି। ଅତଏବ ସବୁଜ ବିପ୍ଳବକୁ ଧୂସର କରିବା ଦିଗରେ ଏହାର ଭୂମିକା ହୋଇଛି ସର୍ବାଧିକ।
ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଆକଳନ ଅନୁସାରେ ବର୍ଷକୁ ଏହି ”ନୂତନ ଗଣ ବିଧ୍ୱଂସକାରୀ ଅସ୍ତ୍ର“ର ପ୍ରଭାବରେ ଆମ ଦେଶରେ ପ୍ରତ୍ୟକ୍ଷଭାବେ ୨/୩ ହଜାର ଏବଂ ପରୋକ୍ଷଭାବେ ୩.୫/୪ ନିୟୁତ ଲୋକ ଅକାଳ ମୃତ୍ୟୁବରଣ କରୁଛନ୍ତି। ଏହାବ୍ୟତୀତ ଯଥାକ୍ରମେ ୧୨/୧୪ ହଜାର ଏବଂ ୧୫/୧୬ ନିୟୁତ ଲୋକ ଦୁରାରୋଗ୍ୟ ବ୍ୟାଧିର ମଧ୍ୟ ଶିକାର ହେଉଛନ୍ତି। କୃଷି ସମୃଦ୍ଧ ପଞ୍ଜାବରେ ହୁ ହୁ ହୋଇ ବଢ଼ି ଚାଲିଥିତ୍ବା କର୍କଟରୋଗୀଙ୍କ ସଂଖ୍ୟା ମୂଳରେ ଏହା ହିଁ ରହିଛି। ଅନ୍ୟପକ୍ଷରେ, ପରିବେଶ ସଚେତନତା ଲାଗି ଉଦ୍ଦିଷ୍ଟ ପ୍ରମୁଖ ପତ୍ରିକା ‘ଡାଉନ ଟୁ ଆର୍ଥ’ ଅନୁସାରେ ଭାରତରେ ପ୍ରତିବର୍ଷ ହାରାହାରି ୧୦,୦୦୦ରୁ ଅଧିକ କୀଟନାଶକ ସହ ସମ୍ପୃକ୍ତ ବିଷକ୍ରିୟା ପ୍ରକ୍ରିୟା ଘଟିଥାଏ ଏବଂ ଏହି କାରଣରୁ ଏଠାରେ ୨୦୧୫ ମସିହାରେ ୭.୦୬୦ ଲୋକଙ୍କର ମୃତ୍ୟୁ ଘଟିଥିବାର ଆକଳନ କରିଛି ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ। ତଥାପି ଆମ ଦେଶରେ ଏହାର ବ୍ୟବହାର ଦିନକୁ ଦିନ ଅଧିକରୁ ଅଧିକ ହେବାରେ ଲାଗିଛି। ଏଣୁ ବର୍ତ୍ତମାନ କୀଟନାଶକ ଶିଳ୍ପ ଏଠାରେ ୨୦,୦୦୦ କୋଟି ଟଙ୍କାର ବ୍ୟବସାୟ କରୁଥିଲାବେଳେ ୨୦୨୪ ମସିହା ବେଳକୁ ତାହା ୮ରୁ ୧୦ ଶତାଂଶ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।
ଅନ୍ୟପକ୍ଷରେ, ଭାରତରେ ବିକ୍ରୟ ହେଉଥିତ୍ବା ୬୬ ପ୍ରକାର କୀଟନାଶକକୁ ‘ଅତ୍ୟନ୍ତ ବିଷାକ୍ତ’ ବୋଲି ଦର୍ଶାଇ ଅନେକ ଦେଶରେ ନିଷେଧ କରାଗଲାଣି। ପୁନଶ୍ଚ ସୁଇଜରଲାଣ୍ଡର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଅନ୍‌ ଆର୍ଥଡ୍‌’ ଏବଂ ‘ଗ୍ରୀନ୍‌ପିସ୍‌’ର ଅନ୍ୟ ଏକ ଅନୁଧ୍ୟାନରୁ ଜଣାପଡିଛି ଯେ’ ଆମ ଦେଶରେ ବ୍ୟବହୃତ କୀଟନାଶକଗୁଡିକ ମଧ୍ୟରୁ ୫୯ ଶତାଂଶ ଏହି ଶ୍ରେଣୀର। ଆମ ପଛକୁ ଅଛନ୍ତି ଜାପାନ(୫୨%), ବ୍ରାଜିଲ୍‌ (୪୯%) ଏବଂ ଯୁକ୍ତରାଷ୍ଟ୍ର ଆମେରିକା (୩୬%)। ତେବେ ସ୍ବାସ୍ଥ୍ୟବିଜ୍ଞାନୀ ଓ ପରିବେଶବିତ୍‌ମାନେ ଦୀର୍ଘ ସମୟ ଧରି ଚଳାଇ ଆସିଥିତ୍ବା ବିରୋଧ ଫଳରେ ବିଗତ ମେ ୧୮ ତାରିଖ (୨୦୨୦)ରେ ତହଁିରୁ ୨୭ଟିକୁ ନିଷେଧ କରିବା ପାଇଁ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି।
ଅନେକେ ମତ ଦିଅନ୍ତି ଯେ’ କୀଟନାଶକଗୁଡିକର ବ୍ୟବହାର ସଂକୁଚିତ କରାଗଲେ ଆମ ଶସ୍ୟ ଉପତ୍ାଦନ ଉପରେ ତା’ର ନକାରାମତ୍କ ପ୍ରଭାବ ପଡିବ। କିନ୍ତୁ ଏ ଆଶଙ୍କା କଦାପି ସତ୍ୟ ନୁହେଁ। ଉଦାହରଣସ୍ବରୂପ ବିଂଶ ଶତାବ୍ଦୀର ଶେଷଭାଗକୁ ଆମେରିକା କୀଟନାଶକର ବ୍ୟବହାର ୩୫% ହ୍ରାସ କରିଦେଇଥିଲେ ମଧ୍ୟ ସେଠାରେ ଏହା ହ୍ରାସ ପାଇନାହିଁ। କାରଣ, ବିଜ୍ଞାନ ସମ୍ମତ ପଦ୍ଧତିରେ ଫସଲର ସୁପରିଚାଳନା ଦ୍ୱାରା ଏହାର ଆବଶ୍ୟକତା କମାଇ ଦିଆଯାଇପାରିଲା। ଏବେ ଅନେକ ୟୁରୋପୀୟ ଦେଶ ତାହାକୁ ଅନୁସରଣ କରି କୀଟନାଶକର ବ୍ୟବହାର ୫୦ ଶତାଂଶ ପର୍ଯ୍ୟନ୍ତ ହ୍ରାସ କରି ସାରିଲେଣି। ଅନ୍ୟପକ୍ଷରେ ନିକଟରେ ଜାତିସଂଘର ଖାଦ୍ୟ ଏବଂ କୃଷି ପରିଷଦର ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ’ କୀଟନାଶକକୁ ବାଦ ଦେଇ କିମ୍ବା ସୀମିତ ବ୍ୟବହାର କରି ଉପତ୍ାଦନ ବୃଦ୍ଧି ସମ୍ଭବ ହୋଇପାରିବ। ଏଥିପାଇଁ ନୂତନ ନୂତନ ଜ୍ଞାନକୌଶଳ ବାହାରିବାରେ ଲାଗିଛି। ତନ୍ମଧ୍ୟରୁ ଜୈବିକ କୃଷିର ବିକାଶ ଅନ୍ୟତମ। ବିଗତ ୧୯୭୦-ଦଶକରେ କର୍ଣ୍ଣେଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ୍‌ ପିମେଣ୍ଟାର ଏହା ହିଁ ମତ ଦେଇଥିଲେ ଏକ ଭିନ୍ନ ବାଟରେ। ତଦନୁଯାୟୀ ଆମେ ବ୍ୟବହାର କରୁଥିତ୍ବା କୀଟନାଶକଗୁଡ଼ିକର ମାତ୍ର ୧ ଶତାଶଂରୁ କମ୍‌ ପ୍ରଭାବ ପଡ଼ିଥାଏ କୀଟମାନଙ୍କ ଉପରେ। ଅତଏବ ତାହାର ଅବଶିଷ୍ଟାଂଶ ପରିବେଶ, ପରିସଂସ୍ଥା ଓ ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ। ଏଣୁ ତାହାର ବ୍ୟବହାର ହ୍ରାସ କରିଦେବା ଉପତ୍ାଦନକୁ ପ୍ରଭାବିତ କରିବ ନାହିଁ। ଏତେଦିନ ପରେ ଏକଥାକୁ ସ୍ବୀକାର କରିଛନ୍ତି ଖାଦ୍ୟ ଏବଂ କୃଷି ପରିଷଦର ବିଶେଷଜ୍ଞମାନେ।
ଆମ ଦେଶରେ କୀଟନାଶକ ଇତ୍ୟାଦି କୃଷିକ୍ଷେତ୍ରରେ ବ୍ୟବହୃତ ହେଉଥିବା ବିଷାକ୍ତ ସାମଗ୍ରୀଗୁଡିକର ବ୍ୟବହାର ଓ ପରିଚାଳନା ଲାଗି ପ୍ରଥମେ ବିଧିବ୍ୟବସ୍ଥା କରାଯାଇଥିଲା ୧୯୬୮ ମସିହାରେ। ଏହାପରେ ଚଳିତ ୨୦୨୦ରେ କୃଷକମାନଙ୍କ ସୁରକ୍ଷା ସହିତ ଯଥେଷ୍ଟ ଖାଦ୍ୟ ଉପତ୍ାଦନ ଏବଂ ମୃତ୍ତିକା, ପରିସଂସ୍ଥା ଓ ପରିବେଶ ସୁରକ୍ଷା ଲାଗି ବିଲ୍‌ଟିଏ ପ୍ରସ୍ତୁତ କରାଯାଇଛି। ତାହା କାର୍ଯ୍ୟକାରୀ ହେଲେ କୀଟନାଶକଗୁଡିକର ବ୍ୟବହାର ଉପରେ କଟକଣା ଲଗାଯିବ। ଏଥିରେ ବ୍ୟବହୃତ ରସାୟନଗୁଡ଼ିକର ଜନସ୍ବାସ୍ଥ୍ୟ, ପରିବେଶ ଓ ପରିସଂସ୍ଥା ଇତ୍ୟାଦି ଉପରେ ପ୍ରଭାବ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ହେବ। ଯଦି ତାହା କୌଣସି ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିକରେ ସେ ବାବଦକୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଛି। ଯଥାଶୀଘ୍ର ଏହାକୁ ଆଇନରେ ପରିଣତ କରିବା ଲାଗି ପାର୍ଲାମେଣ୍ଟରେ ଉପସ୍ଥାପିତ କରାଯିବ। ତାହା ହୁଏତ ଆମକୁ ଏବଂ ଆମ ବଂଶଧରମାନଙ୍କୁ କୀଟନାଶକର ବିଷାକ୍ତ ପ୍ରଭାବରୁ ସୁରକ୍ଷା ଦେଇପାରିବ।
ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri