ବିଶ୍ୱ ଜଳ ସଙ୍କଟ

ମାର୍ଚ୍ଚ ୧୯୭୭ରେ ଜାତିସଂଘ ଜଳ ସମ୍ମିଳନୀରେ ଆର୍ଜେଣ୍ଟିନାର ମାର୍‌ ଡେଲ ପ୍ଲାଟାରେ ୧୧୬ଟି ଦେଶର ପ୍ରତିନିଧି ଏକାଠି ହୋଇଥିଲେ। ସେହି ସମୟରେ ଏହି ସମ୍ମିଳନୀ ଉପରେ ବହୁତ କମ୍‌ ଧ୍ୟାନ ଦିଆଯାଇଥିଲା। କାରଣ ବିଶ୍ୱ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିଥିବା ହାତଗଣତି କେତେକ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ ଥିବା ଅଧିକାଂଶ ନାତିଶୀତୋଷ୍ଣ ଦେଶରେ ଜଳାଭାବ, ଅତ୍ୟଧିକ ପ୍ରଦୂଷଣ ଏବଂ ବନ୍ୟାସ୍ଥିତିକୁ ପ୍ରମୁଖ ପ୍ରସଙ୍ଗ ଭାବରେ ବିବେଚନା କରାଯାଇ ନ ଥିଲା। କିନ୍ତୁ ଚଳିତବର୍ଷ ମାର୍ଚ୍ଚରେ ନ୍ୟୁୟର୍କରେ ଅନୁଷ୍ଠିତ ଜାତିସଂଘର ଜଳ ସମ୍ମିଳନୀରେ ବାତାବରଣ ପୂରା ଅଲଗା ଥିଲା ଓ ଜଳ ସଙ୍କଟ ଏକ ବିଶ୍ୱସ୍ତରୀୟ ସମସ୍ୟା ବୋଲି ସ୍ପଷ୍ଟ ଅନୁଭବ କରାଯାଇଥିଲା। ଏବେ ପୃଥିବୀର ପ୍ରତ୍ୟେକ ଦେଶ ଜଳ ସମ୍ବନ୍ଧୀୟ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଏହା ଆମ ସାମୂହିକ ଦୁର୍ବଳତାକୁ ଦର୍ଶାଉଛି, କାରଣ ଗ୍ରହର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ପଦ ଜଳ ଦିନକୁଦିନ ବିପଦ ମଧ୍ୟକୁ ଚାଲିଯାଉଛି। ବୈଜ୍ଞାନିକସମୂହ ଏବଂ ନାଗରିକ ସମାଜର ଦୃଢ଼ ଯୋଗଦାନ ଏହି ସଙ୍କଟର ସୁଦୂରପ୍ରସାରୀ ପରିଣାମ ଉପରେ ଆଲୋକପାତ କରିବାରେ ପ୍ରମୁଖ ଭୂମିକା ନେଇଛି।
ଆଶ୍ଚର୍ଯ୍ୟଜନକ ଭାବେ ୧୯୭୭ରେ ଯେଉଁ ଦେଶଗୁଡ଼ିକ ଅଧିକ ବିପଦରେ ଥିଲେ, ସେମାନେ ଏବେ ବି ଅସୁରକ୍ଷିତ। ପୃଥିବୀରେ ପ୍ରାକୃତିକ ସମ୍ପଦର ବେପରୁଆ ଶୋଷଣ ମାନବିକତାର ସୀମା ଉଲ୍ଲଂଘନକୁ ଦର୍ଶାଇଛି। ସମୁଦ୍ର ପତ୍ତନ ବୃଦ୍ଧି ପାଇ ବିସ୍ତୃତ ଅଞ୍ଚଳକୁ ଜଳମଗ୍ନ କରୁଛି। ଜଳ ଉତ୍ସ ହ୍ରାସ ପାଇବା ଏବଂ ଭୂତଳ ଜଳସ୍ତର କମିବା ଯୋଗୁ ଶୁଷ୍କ ଅଞ୍ଚଳ ଉଦ୍‌ବେଗଜନକ ହାରରେ ବଢ଼ୁଛି। ଏହି ସମୟରେ ମାନବ ଦ୍ୱାରା ସୃଷ୍ଟ ବର୍ଜ୍ୟବସ୍ତୁରୁ ପ୍ରଦୂଷଣ ବଢ଼ୁଛି, ଶିଳ୍ପ କାର୍ଯ୍ୟକଳାପରୁ ଜାତ ଉତ୍ପାଦ ଯୋଗୁ ନଦୀ, ହ୍ରଦ ଏବଂ ମହାସାଗର ଦୂଷିତ ହେଉଛି । ଜଳାଭାବ ବଢ଼ୁଥିବାବେଳେ ଏହାର ଅତ୍ୟଧିକ ଉପଯୋଗ ଲାଗି ଅଧିକ ତୃଷ୍ଣା ସଙ୍କଟକୁ ଆହୁରି ବିଗାଡ଼ି ଦେଇଛି। ବାସ୍ତବତା ହେଉଛି, ଏହି ସଙ୍କଟରେ କେତେକେ ପ୍ରଭାବିତ ନ ହେବା ସେମାନଙ୍କ ବିଶେଷାଧିକାରକୁ ପ୍ରମାଣିତ କରୁଛି। ଅନେକେ ପରିବେଶଗତ ଅବକ୍ଷୟକୁ ଅନୁଭବ କରୁଥିବାବେଳେ ଦୁନିଆର କେତେକ ଗରିବ ଦେଶ ଶୀଘ୍ର ବଦଳୁଥିବା ଅବସ୍ଥା ସହିତ ଖାପ ଖୁଆଇବାକୁ ଚେଷ୍ଟା କରୁଛନ୍ତି। ହେଲେ ଏଥିପାଇଁ ସେମାନେ ଦୃଷ୍ଟାନ୍ତମୂଳକ ପରିଣାମର ସମ୍ମୁଖୀନ ହେଉଛନ୍ତି।
ଜଳବାୟୁ ସଙ୍କଟର ପ୍ରତିକ୍ରିୟା ଭଳି ଜଳ ସଙ୍କଟର ପଦକ୍ଷେପରେ ବୈଶ୍ୱିକ ସମନ୍ବୟର ଅଭାବ ରହିଛି। ଗୁରୁତ୍ୱପୂର୍ଣ୍ଣ ସଂସ୍କାରରେ ବାଧା ଦେବାକୁ ଚେଷ୍ଟା କରୁଥିବା ଗୋଷ୍ଠୀ ବା ସଂସ୍ଥାକୁ ବିରୋଧ କରାଯାଉନାହିଁ। ଭାରତୀୟ ପରିବେଶ କାର୍ଯ୍ୟକର୍ତ୍ତା ବନ୍ଦନା ଶିବ କହିଛନ୍ତି; ସମାଜର ଧନୀ, ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଅର୍ଥନୈତିକ ଶକ୍ତି ପୃଥିବୀର ସମ୍ବଳର ଯଥାର୍ଥ ଅଂଶରୁ ଅଧିକ ଉପଯୋଗ କରୁଥିବାବେଳେ ଆଦିବାସୀ ସମ୍ପ୍ରଦାୟ ଏବଂ ସଂଖ୍ୟାଲଘୁ ଗୋଷ୍ଠୀ ଜୀବନ ଏବଂ ଜୀବିକା ପାଇଁ ଜଳର ପ୍ରାପ୍ୟ ଭାଗରୁ ବଞ୍ଚତ୍ତ ହେଉଛନ୍ତି। ସେ ଲେଖିଛନ୍ତି, ଏହା ସମଗ୍ର ସମୁଦାୟକୁ ଜଳାଭାବର ଚାପ ବହନ କରିବାକୁ ବାଧ୍ୟ କରିଛି। ନିକଟରେ ବିଶିଷ୍ଟ ଜଳ ଅଧିକାର କର୍ମୀ ରାଜେନ୍ଦ୍ର ସିଂଙ୍କ ଏକ ଆବେଦନ ଆଗକୁ ସମ୍ଭାବ୍ୟ ପଥ ଦେଖାଇଛି। ମରୁଡ଼ି ଏବଂ ବନ୍ୟାର ପିପୁଲ୍ସ ୱାଲର୍‌ଡ କମିଶନର ଅଧ୍ୟକ୍ଷ ସିଂ ଜଳ ସମନ୍ବୟକୁ ପୁନଃସ୍ଥାପିତ କରିବା ପାଇଁ ଆବଶ୍ୟକ ଦଶଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବିଷୟରେ ଉଲ୍ଲେଖ କରିଛନ୍ତି। ତାଙ୍କର ପ୍ରସ୍ତାବିତ ପ୍ରତିଶ୍ରୁତି ବିଶ୍ୱର ଜଳଚକ୍ରକୁ ନବୀକରଣ କରିବା ଏବଂ ସମସ୍ତ ଜୀବଜନ୍ତୁଙ୍କ ଉନ୍ନତି ପାଇଁ ଏହାର ଅପାର ଶକ୍ତି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। ସିଂଙ୍କ ପ୍ରତିଶ୍ରୁତିର ଜଳବାୟୁଭିତ୍ତିକ ବିଚାରଧାରାରେ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସଜାଡ଼ିବାର ନୀତି ରହିଛି। ଏହି ନୀତିର ସମ୍ଭାବ୍ୟ ଦୃଷ୍ଟିକୋଣ ମାନବତାକୁ ବୃହତ୍‌ ସାମଗ୍ରିକତାର ଏକ ଅଂଶ ଭାବେ ବିଚାର କରେ ଓ ଆମ ସହିତ ପୃଥିବୀରେ ରହୁଥିବା ବିଭିନ୍ନ ଜୀବଙ୍କୁ ଅନ୍ତର୍ଭୁକ୍ତ କରେ। ଲାଭ ଏବଂ ନିରନ୍ତର ବ୍ୟବହାର ପାଇଁ ପ୍ରାକୃତିକ ସମ୍ପଦକୁ ଏକ ଉପଯୋଗୀ ବସ୍ତୁ ଭାବେ ବିବେଚନା କରିବା ବଦଳରେ ଏହି ନୀତି ଲୋକଙ୍କୁ ସେମାନଙ୍କ କାର୍ଯ୍ୟକଳାପର ସମ୍ଭାବ୍ୟ ପରିଣାମ ବିଷୟରେ ଚିନ୍ତା କରିବାକୁ ଏବଂ ସେମାନେ କରିଥିବା କୌଣସି କ୍ଷତିକୁ ସୁଧାରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଲାଗି ପ୍ରେରିତ କରେ। ଏହା ତିନୋଟି ମୌଳିିକ ପ୍ରଶ୍ନ ସାମ୍ନାକୁ ଆଣିଛି। ପ୍ରଥମେ, ବିଶ୍ୱ ଜଳ ସଙ୍କଟ ଦୂର କରିବା ପାଇଁ କେଉଁସବୁ ପଦକ୍ଷେପ ଆବଶ୍ୟକ? ଦ୍ୱିତୀୟତଃ, କେଉଁ ପ୍ରମୁଖ ହିତାଧିକାରୀମାନଙ୍କୁ ଆଗକୁ ଆସିବାକୁ ହେବ? ତୃତୀୟରେ, ଏହି ହିତାଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥିତ ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରନ୍ତି ବୋଲି ଆମେ କିପରି ସୁନିଶ୍ଚିତ ହେବା?
ଦୀର୍ଘ ଦିନ ଧରି ନୀତି ନିର୍ଦ୍ଧାରକମାନେ ଘରେ ଜଳ ବ୍ୟବହାର ଅଭ୍ୟାସରେ ସାମାନ୍ୟ ପରିବର୍ତ୍ତନ କରିବାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ତେବେ ଜଳ ସଙ୍କଟ କ୍ଷେତ୍ରରେ ଏହାର ଖୁବ୍‌ କମ୍‌ ଅବଦାନ ରହିଛି। ହେଲେ ଅନୈତିକ ଭାବେ ପରିବାର ଏବଂ ସମାଜକୁ ଦାୟୀ କରି ସେମାନଙ୍କ ଉପରେ ଅଯଥା ଚାପ ପକାଯାଉଛି। ଜଳାଭାବର ମୂଳ କାରଣ ହେଉଛି ବୃହତ୍‌ ଶିଳ୍ପ ଉତ୍ପାଦନ, ଜଳର ମାନକୁ ଅଣଦେଖା ଏବଂ ବ୍ୟାପକ ପ୍ରଦୂଷଣ ଦୂର କରିବାରେ ବିଫଳତା। ଉତ୍ପାଦନକାରୀ ଶିଳ୍ପ ଏବଂ ଅଧିକ ଲାଭଭିତ୍ତିକ ଏକ ଅର୍ଥନୈତିକ ବ୍ୟବସ୍ଥା ବିଶ୍ୱର ତାପମାତ୍ରାକୁ ବଢ଼ାଇବା ସହ ଜଳଚକ୍ରରେ ବାଧା ସୃଷ୍ଟି କରୁଛି। ଜଳର ଘରୋଇ ବ୍ୟବହାର ହ୍ରାସ ଉପରେ ଜୋର ଦିଆଯାଉଥିବାବେଳେ ସମ୍ଭାବ୍ୟ ପ୍ରଭାବ ହ୍ରାସ କରିବା ଲାଗି କର୍ପୋରେଟ୍‌ଗୁଡ଼ିକୁ ପରିବେଶ ଉପଯୋଗୀ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ବାଧ୍ୟ କରାଯାଇ ପାରୁନାହିଁ। ରାଜନୀତି ଏବଂ ବଡ଼ ବ୍ୟବସାୟ ମଧ୍ୟରେ ବଢ଼ୁଥିବା ପାରସ୍ପରିକ ସମ୍ପର୍କ ଏହି କାର୍ଯ୍ୟକୁ ଜଟିଳ କରିଛି।
ନିକଟରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳ ସମ୍ମିଳନୀ ଆଜିର ସଙ୍କଟ ସମାଧାନର ଆବଶ୍ୟକତାକୁ ଦର୍ଶାଇଛି। ଯଦି ସରକାରଗୁଡ଼ିକ ଗଠନମୂଳକ ସଂସ୍କାର ଆଣିବାକୁ ଅନିଚ୍ଛା ପ୍ରକାଶ କରନ୍ତି କିମ୍ବା ଅସମର୍ଥ ହୁଅନ୍ତି, ତେବେ ସେମାନଙ୍କ ସ୍ଥାନରେ ଅନ୍ୟ ରାଜନୈତିକ ନେତାଙ୍କୁ ଆଣିବାକୁ ପଡ଼ିବ । ପୃଥିବୀର ସମସ୍ତ ଜୀବନକୁ ବଞ୍ଚାଇ ରଖିଥିବା ପ୍ରାକୃତିକ ସମ୍ପଦ ଜଳକୁ ବିପଦରେ ପକାଉଥିବା ବ୍ୟବସ୍ଥାକୁ ସୁଧାରିବା ଲାଗି ଦୃଷ୍ଟିକୋଣ ଓ ପ୍ରତିବଦ୍ଧତା ଏମାନଙ୍କର ଥିବା ଦରକାର। ମୁଁ ଭାରତରେ ବଢ଼ିଛି ଓ ଅନୁଭବ କରିଛି ଯେ, ଭାରତ ସବୁବେଳେ ଧନୀ ଅର୍ଥ ବ୍ୟବସ୍ଥାଗୁଡ଼ିକ ସହ ସମାନ ହେବା ଲାଗି ଆଗକୁ ବଢ଼ୁଛି। ଉଚ୍ଚଶିକ୍ଷାରେ ବିନିଯୋଗ, ରାସ୍ତା ଏବଂ ଡାକ୍ତରଖାନା ନିର୍ମାଣ ଏବଂ ବ୍ୟୟ ଓ ଉତ୍ପାଦନ ବୃଦ୍ଧି ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ବଢ଼ାଇବା ଦ୍ୱାରା ଏକ ବିଚାର ସାମ୍ନାକୁ ଆସିଛି ଯେ, ଭାରତ ଅଧିକ ଧନୀ ହୋଇ ଦାରିଦ୍ର୍ୟ ଦୂର କରିପାରିବ। ମୁଖ୍ୟଧାରାର ଶିକ୍ଷା ବ୍ୟବସ୍ଥା ଲଗାତର ପ୍ରାକୃତିକ ସମ୍ପଦକୁ ଏକ ଦ୍ରବ୍ୟ ଭାବେ ଅତ୍ୟଧିକ ଉତ୍ତୋଳନକୁ ସମର୍ଥନ କରିଛି। ଏହା ଆମର ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ବ୍ୟବସ୍ଥାର ସ୍ଥପତିମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ କଥାକୁ ମହତ୍ତ୍ୱପୂର୍ଣ୍ଣ ମନେକରିଛି।
ଏହିପରି ପ୍ରଗତି ମାର୍ଗ ଭୁଲ୍‌ ବୋଲି ଆଦିବାସୀ ସମୁଦାୟ ଦୀର୍ଘ ଦିନରୁ ଚେତାବନୀ ଦେଇଆସୁଥିଲେ। କିନ୍ତୁ ସେମାନଙ୍କୁ ପରମ୍ପରାବାଦୀ ଓ ବାସ୍ତବତା ସହ କୌଣସି ସମ୍ପର୍କ ନାହିଁ ବୋଲି କହି ସେମାନଙ୍କ ଚେତବାନୀକୁ ଅଗ୍ରାହ୍ୟ କରିଦିଆଗଲା। ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଜଳ ଏବଂ ଖାଦ୍ୟ ପ୍ରଣାଳୀରେ ବାଧା ସୃଷ୍ଟି କରୁଥିବାରୁ ଅନେକେ ଏବେ ଏହି ଚେତାବନୀଗୁଡ଼ିକର ଦୂରଦର୍ଶିତାକୁ ବୁଝିଛନ୍ତି। ସେହି ଦୃଷ୍ଟିରୁ ଶେଷ ପିଢ଼ି ଭାବେ ଆମେ ଜଳସଙ୍କଟର ସବୁଠୁ ଖରାପ ପ୍ରଭାବକୁ ହ୍ରାସ କରିବାରେ ସକ୍ଷମ ହୋଇପାରିବା। ଯେଉଁମାନେ ବ୍ୟକ୍ତିଗତ ଲାଭ ପାଇଁ ପୃଥିବୀକୁ ଶୋଷଣ କରୁଛନ୍ତି, ସେମାନଙ୍କୁ ଉତ୍ତରଦାୟୀ କରିବା ଆମର ଦାୟିତ୍ୱ।

  • ଜୋଶୁଆ କାଷ୍ଟେଲିନୋ
    ଅନ୍ତଃରାଷ୍ଟ୍ରୀୟ ସଂଖ୍ୟାଲଘୁ ଅଧିକାର ଗୋଷ୍ଠୀର
    ସହ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri